Unknown

 

 

 

 

 

 

 

 

ରାମନାମ ଗାଁଧୀଜୀ

 

ଅନୁବାଦ ଓ ସଜ୍ଜା

ସଚ୍ଚିଦାନନ୍ଦ ମିଶ୍ର

ଚିତ୍ତରଞ୍ଜନ ଦାସ

 

ସୂଚୀପତ୍ର

 

୧.

ଅସଲ ମଞ୍ଜିଟିଏ ପଡ଼ିଥିଲା

୨.

ରାମନାମର ମହତ୍ତ୍ୱ

୩.

ଜୀବନ ଯଷ୍ଟି

୪.

ଏକମାତ୍ର ସହାୟ

୫.

ରାମନାମ ଓ ଆତ୍ମଦର୍ଶନ

୬.

ତାଙ୍କରି ଶରଣ ନିଅ

୭.

ଜପର ମାଧୁରୀ

୮.

ଭଗବାନ କିଏ ଓ କେଉଁଠି ?

୯.

ପ୍ରାପ୍ତିପଥ

୧୦.

ରାମ କିଏ ?

୧୧.

ମୋ ରାମ

୧୨.

ଦଶରଥନନ୍ଦନ-ରାମ !

୧୩.

ଅଧ୍ୟାତ୍ମିକ ଅଭ୍ୟାସ

୧୪.

ମୁଁ ୧୨୫ ବର୍ଷ ବଞ୍ଚିବାକୁ କାହିଁକି ଇଚ୍ଛା କରେ ?

୧୫.

ଡାକ୍ତରଙ୍କଠାରୁ ବଇଦ ଭଲ

୧୬.

ମୋ ଜୀବନର ଏକ ସ୍ୱପ୍ନ

୧୭.

ପ୍ରାକୃତିକ ଚିକିତ୍ସା

୧୮.

ରାମନାମହିଁ ଅମୋଘ ଔଷଧ

୧୯.

ପ୍ରାକୃତିକ ଚିକିତ୍ସା କଣ ?

୨୦.

ପ୍ରାକୃତିକ ଚିକିତ୍ସା ଓ ରାମନାମ

୨୧.

ମହୌଷଧି

୨୨.

ଏକ ନିଶ୍ଚିତ ସହାୟ

୨୩.

ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସା

୨୪.

ଡାକ୍ତର କଣ କରିବେ ?

୨୫.

ରାମନାମର ବ୍ୟଙ୍ଗଭେକ

୨୬.

ବିଶ୍ୱାସ-ଆରୋଗ୍ୟ ଓ ରାମନାମ

୨୭.

ପ୍ରକୃତିର ବିଧାନ

୨୮.

ପ୍ରାକୃତିକ ଆରୋଗ୍ୟ-ବିଧି ଓ ଆଧୁନିକ ଚିକିତ୍ସା

୨୯.

ରାମନାମ ବିଷୟରେ ଭ୍ରମଧାରଣା

୩୦.

ରାମନାମ ଓ ଯାଦୁମନ୍ତ୍ର

୩୧.

ଦରିଦ୍ର ଲାଗି ପ୍ରାକୃତିକ ଚିକିତ୍ସା-ବିଧି

୩୨.

କଞ୍ଚନ ଗ୍ରାମରେ ପ୍ରାକୃତିକ ଚିକିତ୍ସା

୩୩.

ଉରୁଳି କଞ୍ଚନ

୩୪.

ଡାକ୍ତର ମେହେଟାଙ୍କର ଚିକିତ୍ସା ଅନୁଷ୍ଠାନ

୩୫.

ପ୍ରାର୍ଥନାନ୍ତିକ ଭାଷଣରୁ ‘ରାମନାମ‘ର ବିଧିବିଧାନ

୩୬.

ଦିନଦିନକର ଭାବନା

୩୭.

ପ୍ରଶ୍ନ ପେଡ଼ି

Image

 

ଅସଲ ମଞ୍ଜିଟିଏ ପଡ଼ିଥିଲା

 

ଛଅ ସାତ ବର୍ଷଠାରୁ ୧୬ ବର୍ଷ ପର୍ଯ୍ୟନ୍ତ ମୁଁ ସ୍କୁଲରେ ପଢ଼ୁଥିଲି । ସେଠାରେ ଧର୍ମ ଛଡ଼ା ଅନ୍ୟ ସମସ୍ତ ପ୍ରକାର ବିଷୟ ଶିକ୍ଷା ଦିଆ ଯାଉଥିଲା । ପ୍ରକୃତରେ ମୁଁ କହିପାରେ ଯେ, ଅନାୟାସରେ ଶିକ୍ଷକମାନେ ମୋତେ ଯେଉଁ ଜ୍ଞାନ ଦେଇ ପାରିଥାନ୍ତେ, ମୁଁ ସେମାନଙ୍କଠାରୁ ତାହା ଆଦାୟ କରିବାରେ କୃତକାର୍ଯ୍ୟ ହୋଇପାରି ନ ଥିଲି । ତଥାପି ମୁଁ ଏଠି ସେଠି ଯେଉଁଠି ଯାହା ପାଉଥିଲି ସେଥିରୁ ଜ୍ଞାନ ସଂଗ୍ରହ କରିବାରେ ଲାଗିଲି । ‘ଧର୍ମ’ ଏହି ଶବ୍ଦଟି କହିଲାବେଳେ ମୁଁ ତାକୁ ଆତ୍ମଦର୍ଶନ ବା ଆତ୍ମଜ୍ଞାନ ଏହି ବିସ୍ତୃତ ଅର୍ଥରେ ବ୍ୟବହାର କରୁଛି ।

 

ବୈଷ୍ଣବ ସଂପ୍ରଦାୟରେ ଜନ୍ମଗ୍ରହଣ କରିଥିବାରୁ ମୁଁ ହାବେଳିକୁ ଯାଉଥିଲି ; କିନ୍ତୁ ଏହା ମୋର ହୃଦୟ ସ୍ପର୍ଶ କରି ନ ଥିଲା । ମୁଁ ଏହାର ଆଡ଼ମ୍ବର ଓ ବିଳାସୀତାକୁ ଭଲ ପାଉ ନ ଥିଲି । ସେଠାରେ ଅନୈତିକତାର କାରବାର ବିଷୟରେ ନାନା ଅପବାଦ ଶୁଣି ମୋର ସେଥିରୁ ଆଗ୍ରହ କମିଥିଲା । ଏଣୁ ମୁଁ ହାବେଳି ଦ୍ୱାରା ବିଶେଷ ଉପକୃତ ହୋଇ ନଥିଲି ।

 

ଯାହା ମୁଁ ସେଠାରେ ପାଇ ନ ଥିଲି, ସେ ସବୁ ପାଇଲି ମୋର ଧାଈମା’ ଠାରୁ । ମୋର ଧାଈମା ଆମ ପରିବାରର ଜଣେ ସେବିକା । ତା’ର ମୋ ପ୍ରତି ଯେଉଁ ଶ୍ରଦ୍ଧା, ତାହା ଏବେ ସୁଦ୍ଧା ମୋର ମନେ ରହିଛି । ଆଗରୁ କହିଛି, ମୋର ଭୂତ ପ୍ରେତଙ୍କୁ ଭାରି ଡର ଥିଲା । ରମ୍ଭା (ମୋ ଧାଈମା’ର ନାଁ) ମୋ ମନରୁ ଭୟ ଦୂର କରିବାପାଇଁ ବାରମ୍ବାର ରାମନାମ ଉଚ୍ଚାରଣ କରିବାକୁ ମୋତେ ପରାମର୍ଶ ଦେଇଥିଲା । ରାମନାମ ଅପେକ୍ଷା ମୋର ତା’ଠାରେ ବେଶି ବିଶ୍ୱାସ ଥିଲା । ଏଣୁ ଭୟମୁକ୍ତ ହେବାପାଇଁ ବାଲ୍ୟକାଳରୁ ମୁଁ ରାମନାମ ଉଚ୍ଚାରଣ କରିବାକୁ ଶିଖିଲି । ଅବଶ୍ୟ ତାହା ବେଶୀକାଳ ସ୍ଥାୟୀ ହେଲା ନାହିଁ । କିନ୍ତୁ ବାଲ୍ୟକାଳରୁ ମୋ ହୃଦୟରେ ଏଇ ଯେଉଁ ମଞ୍ଜିଟି ପୋତାଗଲା, ତାହା କେବେହେଲେ ବୃଥା ହୋଇ ଯାଇ ନାହିଁ । ମୁଁ ତ ମନେ କରୁଛି, ସେହି ମାତୃପ୍ରତିମା ରମ୍ଭା ମୋ ହୃଦୟରେ ଯେଉଁ ମଞ୍ଜିଟି ପୋତିଦେଇ ଯାଇଛି, ତାହାରି ଯୋଗୁଁ ଆଜି ରାମନାମ ମୋ ପକ୍ଷରେ ଅମୋଘ ଔଷଧ ହୋଇଛି ।

 

ଠିକ୍‌ ସେହି ସମୟରେ ରାମାୟଣର ମୂଳଭକ୍ତ, ମୋର ଜଣେ ଜ୍ଞାତିଭାଇ ମୋପାଇଁ ଏବଂ ମୋ ମଝିଆଁ ଭାଇଙ୍କ ପାଇଁ ‘‘ରାମରକ୍ଷା’’ ଶିକ୍ଷାର ବ୍ୟବସ୍ଥା କରିଥିଲେ । ଆମେ ତାକୁ କଣ୍ଠସ୍ଥ କରି ପକାଇଥିଲୁ । ପ୍ରତିଦିନ ସକାଳେ ଗାଧୋଇ ସାରି ବୋଲୁଥିଲୁ । ଆମେ ପୋର-ବନ୍ଦରରେ ରହିଥିବା ପର୍ଯ୍ୟନ୍ତ ଏହିପରି ଅଭ୍ୟାସ ଓ ଆବୃତ୍ତି କରୁଥିଲୁ । ରାଜକୋଟରେ ପହଞ୍ଚିବା ପରେ ଏ ସବୁ ଭୁଲି ଯାଇଥିଲୁ ; କାରଣ ମୋର ଏଥିରେ ବେଶି ବିଶ୍ୱାସ ନ ଥିଲା । କେବେ କେବେ ମୁଁ ଏଥିରୁ କିଛି କିଛି ବୋଲୁଥିଲି । କାରଣ ମୋର ଗୋଟାଏ ଗର୍ବ ଥିଲା ଯେ, ‘‘ରାମରକ୍ଷା’’ କୁ ଶୁଦ୍ଧ ଭାବରେ ଉଚ୍ଚାରଣ କରି ମୁଁ ବୋଲିପାରେ ।

 

ଯାହାହେଉ ବାପାଙ୍କ ଆଗରେ ମୁଁ ଯେଉଁ ରାମାୟଣ ପଢ଼ୁଥିଲି, ତାହା ମୋ ମନରେ ଗଭୀର ଛାୟା ପକାଇ ଦେଇଅଛି । ତାଙ୍କର ରୋଗ ଅବସ୍ଥା ଭିତରେ ସେ କିଛିଦିନ ପାଇଁ ପୋର-ବନ୍ଦରରେ ଥିଲେ । ସେଠାରେ ପ୍ରତିଦିନ ସନ୍ଧ୍ୟାବେଳେ ସେ ରାମାୟଣ ଶୁଣନ୍ତି । ବିଲେଶ୍ୱରର ଲାଧା ମହାରାଜ ଜଣେ ପ୍ରଧାନ ରାମଭକ୍ତ । ସେ ତାଙ୍କୁ ରାମାୟଣ ପଢ଼ି ଶୁଣାଉ ଥିଲେ । ବିଲେଶ୍ୱରରେ ଥିବା ମହାଦେବଙ୍କର ପାଦୁକ, ବେଲପତ୍ରକୁ ନିଜ କୁଷ୍ଠକ୍ଷତ ଉପରେ ଦେଇ ଓ ବରାବର ରାମନାମ ଉଚ୍ଚାରଣ କରି ସେ କୁଷ୍ଠରୋଗରୁ ମୁକ୍ତ ହୋଇଛନ୍ତି ବୋଲି ଲୋକେ କହନ୍ତି । ସେ ତାଙ୍କ ବିଶ୍ୱାସର ପ୍ରତୀକ ଥିଲେ । ଏକଥା ସତ୍ୟ ହୋଇପାରେ ବା ନ ପାରେ, କିନ୍ତୁ ଆମେ ସେଥିରେ ବିଶ୍ୱାସ କରୁଥିଲୁ । ଏକଥା ସତ୍ୟ ଯେ, ଲାଧା ମହାରାଜ ଆମ ଘରେ ରାମାୟଣ ପଢ଼ିବା ସମୟରେ କୁଷ୍ଠ ରୋଗରୁ କୌଣସି ଲକ୍ଷଣ ତାଙ୍କଠାରେ ନ ଥିଲା । ତାଙ୍କର ସ୍ୱର ବଡ଼ ମଧୁର । ସେ ‘ଦୋହା’ ଓ ‘ଚଉପଦୀ’ ଗୁଡ଼ିକୁ ଅତି ସୁନ୍ଦର ଭାବରେ ବୋଲି ପାରୁଥିଲେ । ସେ ଏପରି ତନ୍ମୟ ହୋଇ ସେ ସବୁକୁ ବୁଝାଉଥିଲେ ଯେ, ଯେ କୌଣସି ଶ୍ରୋତା ସେଥିରେ ଆତ୍ମହରା ହୋଇ ପଡ଼ୁଥିଲା । ମୋତେ ସେତେବେଳେ ୧୩ ବର୍ଷ ବୟସ ହୋଇଥିବ । ତାଙ୍କ ରାମାୟଣ ପାଠରେ ମୁଗ୍‌ଧ ହୋଇଯିବା କଥା ଏବେ ବି ମୋର ମନେ ଅଛି । ରାମାୟଣ ପ୍ରତି ମୋର ଅଚଳ ଭକ୍ତିର ମୂଳଦୁଆ ଏହିପରି ଭାବରେ ପଡ଼ିଥିଲା । ଭକ୍ତି ରସାତ୍ମକ ସମସ୍ତ ଗ୍ରନ୍ଥ ମଧ୍ୟରେ ମୁଁ ରାମାୟଣକୁ ଆଜି ମଧ୍ୟ ଶ୍ରେଷ୍ଠସ୍ଥାନ ଦିଏ ।

 

—ଗାନ୍ଧିଜୀଙ୍କ ଆତ୍ମକଥା, ପ୍ରଥମ ଭାଗ–୧୦ମ ଅଧ୍ୟାୟ ।

Image

 

ରାମନାମର ମହତ୍ତ୍ୱ

 

ମୋର ପ୍ରଥମ ଆତ୍ମଶୁଦ୍ଧି *ଆମ୍ଭମାନଙ୍କ ଭିତରୁ କାହାରି ପ୍ରତି କଷ୍ଟକର ହୋଇ ନ ଥିଲା-। ମୁଁ ମୋର ସାଧାରଣ ଦୈନନ୍ଦିନ କୌଣସି କାର୍ଯ୍ୟ ବନ୍ଦ ରଖି ନ ଥିଲି । ମୋର ବର୍ତ୍ତମାନ ଠିକ୍‌ ମନେ ପଡ଼ୁଛି, ସେ ସମୟରେ ମୁଁ ପୂର୍ଣ୍ଣମାତ୍ରାରେ ଏକ ଫଳଭୋଜୀ ଥାଏ । **ଦ୍ୱିତୀୟ ଉପବାସର ଶେଷ ଭାଗଟା ମୋ ପକ୍ଷରେ ଟିକିଏ କଷ୍ଟକର ହେଲା ଅବଶ୍ୟ । ରାମ ନାମର ମହତ୍ତ୍ୱ ମୁଁ ସେତେବେଳ ପର୍ଯ୍ୟନ୍ତ ଭଲ ଭାବରେ ବୁଝି ନ ଥାଏ । ତେଣୁ ତଦନୁପାତରେ କଷ୍ଟଭୋଗ କରିବାର ଶକ୍ତି ମୋର କମ୍‌ ଥିଲା । ତା ଛଡ଼ା ମୁଁ ଉପବାସ ରହିବାର ଉପାୟ ମଧ୍ୟ ଭଲ ଭାବରେ ଜାଣି ନ ଥିଲି । ଏପରି କି ବାନ୍ତି ମାଡ଼ିଲାବେଳେ ମୋତେ ମାଲୁମ ନ ଥିଲା । ପ୍ରଥମ ଉପବାସଟା ସହଜ ହେବା ଫଳରେ ଦ୍ୱିତୀୟ ଉପବାସ ପ୍ରତି ମୁଁ ସେତେ ଆସ୍ଥାବାନ ହେଲିନାହିଁ । ପ୍ରଥମ ଉପବାସରେ ମୁଁ ‘କୁନେ’ ଙ୍କ ଲିଖିତ ମତ ଅନୁସାରେ ପ୍ରତିଦିନ ଗାଧୋଇ ଥିଲି । ମାତ୍ର ଦ୍ୱିତୀୟ ଉପବାସ ବେଳକୁ ୨/୩ ଦିନ ପରେ ମୁଁ ଗାଧୁଆ ଛାଡ଼ିଦେଲି । ପୁଣି ବାନ୍ତି ମାଡ଼ିବାରୁ ଆଉ ସୁଆଦ ନ ଲାଗିବାରୁ ଅତି କମ୍‌ ପାଣି ପିଇଲି । ଫଳରେ ତୋଟି ଏକଦମ୍‌ ଶୁଖିଗଲା ଓ ମୁଁ ଦୁର୍ବଳ ହୋଇ ପଡ଼ିଲି । ତେଣୁ ଉପବାସର ଶେଷ ଆଡ଼କୁ ମୁଁ ଅତି କ୍ଷୀଣ ସ୍ୱରରେ କଥାବାର୍ତ୍ତା କରି ପାରୁଥିଲି । ଏ ସବୁ ସତ୍ତ୍ୱେ ଲେଖିବା ଦରକାର ହେଉଥିବା ବେଳେ ମୁଁ ଶ୍ରୁତଲିଖନ ଡାକି କୌଣସି ପ୍ରକାର ମୋର କାମ ଚଳାଇ ନେଉଥିଲି । ନିୟମିତ ଭାବରେ ରାମାୟଣ ଓ ଅନ୍ୟ ପବିତ୍ର ଗ୍ରନ୍ଥ ପାଠ କରୁଥିଲି । ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ଓ ଉପଦେଶ ପାଇଁ ମୋର ଯଥେଷ୍ଟ ଶକ୍ତି ଥିଲା ।

 

–ଆତ୍ମକଥା, ୪ର୍ଥ ଭାଗ–୩୬ ଅଧ୍ୟାୟ

 

* ଦକ୍ଷିଣ ଆଫ୍ରିକାରେ ‘‘ଫ୍ରୋନିକ୍ସ’’ର ଦୁଇଜଣ ଆଶ୍ରମବାସୀଙ୍କ ନୈତିକ ଅଧୋପତନ ଯୋଗୁଁ ହୋଇଥିବା ସାତଦିନିଆ ଉପବାସ ।

 

** ପ୍ରଥମୋକ୍ତ ଉପବାସ ଯେଉଁ କାରଣରୁ ହୋଇଥିଲା, ଏହାମଧ୍ୟ ସେହି କାରଣରୁ ୧୪ ଦିନ ପାଇଁ କରାଯାଇଥିଲା ।

Image

 

ଜୀବନ ଯଷ୍ଠି

 

ଜାଗ୍ରତ ଥିଲାବେଳେ ମୁଁ ନିଜକୁ ଜଗିଥାଏ । ମୁଁ ଶରୀରକୁ ଆୟତ୍ତ କରି ନେଲିଣି, କଥାବାର୍ତ୍ତାରେ ମଧ୍ୟ ବେଶ୍‌ ସଂଯମ ଆସି ଗଲାଣି । କିନ୍ତୁ ଚିନ୍ତା ବିଷୟରେ ଆହୁରି ଅନେକ କରିବାର ଅଛି । କୌଣସି ଏକ ଚିନ୍ତାରେ ମନୋନିବେଶ କଲେ ଅନ୍ୟ ଭାବନା ସବୁ ଆସି ପହଞ୍ଚି ଯାଆନ୍ତି । ଫଳରେ ଚିନ୍ତା, ଚିନ୍ତା ମଧ୍ୟରେ ଦ୍ୱନ୍ଦ୍ୱ ଲାଗିଯାଏ । ଜାଗ୍ରତ ଅବସ୍ଥାରେ ମୁଁ ଏ ପ୍ରକାର ଦ୍ୱନ୍ଦର ପ୍ରତିରୋଧ କରିପାରେ। ଏକଥା କୁହାଯାଇ ପାରେ, ମୁଁ ଏପରି ଅବସ୍ଥାରେ ପହଞ୍ଚିଲିଣି, ଯେଉଁଥିରେ କି ମୁଁ ଦୁଶ୍ଚିନ୍ତାରୁ ମୁକ୍ତ, ମାତ୍ର ନିଦ୍ରାବସ୍ଥାରେ ଚିନ୍ତାଧାରା ଉପରେ ସେହି ପରିମାଣରେ ମୋର ହାତ ନ ଥାଏ । ନିଦ୍ରାରେ ସବୁ ପ୍ରକାର ଚିନ୍ତା ମନରେ ଆସି ପ୍ରବେଶ କରନ୍ତି । ଆଶାତୀତ ସ୍ୱପ୍ନସବୁ ଦେଖେ । ସମୟ ସମୟରେ ପୂର୍ବରୁ ଭୋଗ କରିଥିବା ସୁଖ ସମ୍ମାନ ପୁଣି ଭୋଗ କରିବା ପାଇଁ ଅଦମ୍ୟ ଲିପ୍ସା ଦେଖାଯାଏ। ଏଭଳି ଭୋଗଲିପ୍‌ସା ଅପବିତ୍ର ହୋଇଥିଲେ ଦୁଃସ୍ୱପ୍ନ ଦେଖିବାକୁ ହୁଏ । ଏଭଳି ଅବସ୍ଥା ପାପମୟ ଜୀବନର ନିଦର୍ଶନ ।

 

ଏଭଳି ପାପ ଚିନ୍ତାକୁ କେବଳ ଚାପି ଦିଆହୋଇଛି ; ମାତ୍ର ତା’ର ମୂଳୋତ୍ପାଟନ ହୋଇନାହିଁ । ଯଦି ମୋର ଚିନ୍ତାଧାରା ଉପରେ ପୂର୍ଣ୍ଣମାତ୍ରାରେ କର୍ତ୍ତୃତ୍ୱ ଥାଆନ୍ତା, ତେବେ ଗତ ୧୦ ବର୍ଷ ଭିତରେ ଭୋଗିଥିବା ଫ୍ଲୁରିସି, ଆମାଶୟ ଓ ଆପେଣ୍ଡି ସାଇଟିସ୍‌ ରୋଗମାନ ମୁଁ ହୁଏତ ଭୋଗି ନ ଥାନ୍ତି । ମୁଁ ପୂର୍ଣ୍ଣ ଜୀବନର ଜଣେ ନିରୀହ ଅଭିଳାଷୀ । ସେହି ଜୀବନ ପାଇଁ ନିର୍ଦ୍ଦିଷ୍ଟ ବାଟ ମଧ୍ୟ ମୋତେ ଜଣା; କିନ୍ତୁ ଖାଲି ବାଟ ଜାଣିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚି ହୁଏ ନାହିଁ । ମୁଁ ଯଦି ଖାଣ୍ଟି ହୋଇ ଥାଆନ୍ତି, ସବୁପ୍ରକାର ପ୍ରବୃତ୍ତି, ଏପରିକି ଚିନ୍ତା ଉପରେ ଯଦି ମୋର ଆୟତ୍ତ ଥାଆନ୍ତା, ତେବେ ଶରୀର ମଧ୍ୟ ମୋର ପୂର୍ଣ୍ଣତା ପ୍ରାପ୍ତ ହୋଇଥାଆନ୍ତା । ଚିନ୍ତାକୁ ଆୟତ୍ତ କରିବାପାଇଁ ପ୍ରତିଦିନ ମୁଁ ବହୁତ ମାନସିକ ଶକ୍ତି ଯେ ଖର୍ଚ୍ଚକରେ ଏହା ମୁଁ ମୁକ୍ତ କଣ୍ଠରେ ସ୍ୱୀକାର କରିବି । ଯଦି ମୁଁ କେବେ ଏ ଦିଗରେ ସଫଳ କାମ ହୁଏ, ଭାବି ଦେଖିଲି, ଶକ୍ତି ରାଜ୍ୟର କେତେ ବଡ଼ ଗନ୍ତାଘର ମୋ ପାଇଁ ସେବାକରିବା ଲାଗି ଖୋଲିଯିବ ! ଆପେଣ୍ଡି ସାଇଟିସ୍‌କୁ ଯେତେବେଳେ ଚିନ୍ତା ବା ମନର ଦୁର୍ବଳତା ବୋଲି ମୁଁ କହେ, ସେପରି ଅବସ୍ଥାରେ ଅପରେସନ୍‌ ପାଇଁ ରାଜି ହେବାଟା ଯେ ମାନସିକ ଦୃଢ଼ତାର ଅଭାବ, ଏହା ମୁଁ ଅବଶ୍ୟ ସ୍ୱୀକାର କରିବି । ମୁଁ ଯଦି ପୂର୍ଣ୍ଣମାତ୍ରାରେ ନିରହଙ୍କାର ହୋଇଥାଆନ୍ତି, ତେବେ ଅଦୃଷ୍ଟ ହାତରେ ସବୁ ଅର୍ପି ଦେଇଥାଆନ୍ତି ; କିନ୍ତୁ ଏହି ଶରୀରରେ ବଞ୍ଚି ରହିବାକୁ ମୁଁ ଇଚ୍ଛା କରୁଥିଲି । ଅନାସକ୍ତ ଭାବ ଯନ୍ତ୍ରଚାଳିତ ପରି ହୁଏ ନାହିଁ, ତହିଁର ବିକାଶ ପାଇଁ ଧୀର ଅଧ୍ୟବସାୟ ଓ ପ୍ରାର୍ଥନା ଲୋଡ଼ା ।

 

ଆତ୍ମା ଯେତେବେଳେ ନିଷ୍ପାପ ବୋଲି ମୁଁ ବିଶ୍ୱାସ କରେ, ତା’ର ଆଧାର ଶରୀର ମଧ୍ୟ ସୁସ୍ଥ ହେବା ଉଚିତ୍‌ । ଅର୍ଥାତ୍‌ ପାପରୁ ମୁକ୍ତ ହେବା ପାଇଁ ଆତ୍ମାର ଅଗ୍ରଗତି ହେଉଥିବା ବେଳେ, ଶରୀର ମଧ୍ୟ କ୍ରମେ ରୋଗମୁକ୍ତ ହୋଇଯିବ । ଏ କ୍ଷେତ୍ରରେ ସୁସ୍ଥ ଶରୀର ଅର୍ଥ ସବଳ ଶରୀର ନୁହେଁ । ଏକ ଶକ୍ତିଶାଳୀ ଆତ୍ମା ଏକ ଦୁର୍ବଳ ଶରୀରରେହିଁ ରହିପାରେ । ଆତ୍ମାର ଶକ୍ତି ବୃଦ୍ଧିହେବା ସଙ୍ଗେ ସଙ୍ଗେ ଶରୀରର ଶକ୍ତି କମିଆସେ । ଏକ ପୂର୍ଣ୍ଣ ସୁସ୍ଥ ଶରୀର ଅତି କ୍ଷୀଣ ମଧ୍ୟ ହୋଇପାରେ ଅଥଚ ଅନେକ ସମୟରେ ଏକ ବଳବାନ୍‌ ଶରୀର ରୋଗମୟ ହୋଇପାରେ ଅଥଚ ଅନେକ ସମୟରେ ଏକ ବଳବାନ୍‌ ଶରୀର ରୋଗମୟ ହୋଇପାରେ । ରୋଗ ନ ଥିଲେ ମଧ୍ୟ ଏଭଳି ଶରୀର ସବୁବେଳେ ରୋଗାକ୍ରାନ୍ତ ହେବାର ସମ୍ଭାବନା ଥାଏ ; କିନ୍ତୁ ପ୍ରକୃତ ସୁସ୍ଥ ଶରୀର ସର୍ବଦା ରୋଗାକ୍ରମଣରୁ ମୁକ୍ତ । ଶୁଦ୍ଧ ରକ୍ତ ଯେ କୌଣସି ପ୍ରକାର ରୋଗ ବୀଜାଣୁକୁ ନିବାରିତ କରିପାରେ......

 

ଆଜିଯାଏ ମୁଁ ବ୍ରହ୍ମଚର୍ଯ୍ୟକୁ ତାର ବିସ୍ତୃତ ଅର୍ଥରେ ବ୍ୟବହାର କରି ଆସିଛି । ସାଧାରଣ ପ୍ରଚଳିତ ଅର୍ଥରେ ବ୍ରହ୍ମଚର୍ଯ୍ୟ କହିଲେ, କାୟମନୋବାକ୍ୟରେ ପାଶବିକ ପ୍ରବୃତ୍ତିର ନିରୋଧକୁ ବୁଝାଏ । ଏଭଳି ଅର୍ଥ ଠିକ୍‌, କାରଣ ଇନ୍ଦ୍ରିୟ ସଂଯମ ବଡ଼ କଷ୍ଟକର । ରସନେନ୍ଦ୍ରିୟର ସଂଯମ ଉପରେ ଏତେ ବେଶୀ ଜୋର୍‌ ଦିଆଯାଏ ନାହିଁ । ଫଳରେ ପ୍ରବୃତ୍ତି ଦମନ ଦୁଃସାଧ୍ୟ ଓ ପ୍ରାୟ ଅସମ୍ଭବ ହୋଇ ପଡ଼େ….

 

–ୟଙ୍ଗ ଇଣ୍ଡିଆ, ତା୩.୪.୧୯୨୪

 

ମୋର ଅଭିଜ୍ଞତାରୁ ମୁଁ ଜାଣେ ଯେ, ଜିହ୍ୱାକୁ ସଂଯତ କରିନାହିଁ, ସେ କଦାପି ପାଶବିକ ପ୍ରବୃତ୍ତିକୁ ଆୟତ୍ତ କରିପାରିବ ନାହିଁ । ଜିହ୍ୱା ସଂଯତ କରିବାର ଗୋଟିଏ ଉପାୟ ହେଉଛି, ସବୁପ୍ରକାର ମସଲା ଓ ବାସନା ଜିନିଷକୁ ଯେତେଦୂର ସମ୍ଭବ ବର୍ଜନ କରିବା । ଜିହ୍ୱାଲାଳସାର ପରିତୃପ୍ତି ପାଇଁ ନୁହେଁ, କେବଳ ଶରୀର ଧାରଣ ପାଇଁ ଖାଦ୍ୟ ଖାଇବାକୁ ହେବ । ଏହିପରି ଭାବ ସର୍ବଦା ପୋଷଣ କରିବା ଆଉ ଗୋଟିଏ ସର୍ବୋତ୍କୃଷ୍ଟ ଉପାୟ । ଆମେ ବଞ୍ଚି ରହିବା ପାଇଁ ବାୟୁ ଗ୍ରହଣ କରୁ, ମାତ୍ର ଭୋଗପାଇଁ ନୁହେଁ । ତୃଷା ନିବାରଣ ପାଇଁ ଆମେ; ଯେମିତି ପାଣି ପିଉ, ଭୋକ ମାରିବାପାଇଁ ସେହିପରି ଖାଇବା ଉଚିତ । ଦୁର୍ଭାଗ୍ୟବଶତଃ ବାପ, ମା’ ମାନେ ପିଲାଦିନରୁ ଠିକ୍‌ ଓଲଟା ଅଭ୍ୟାସ କରାଇ ଦିଅନ୍ତି । ଏକ ଭୁଲ ଶ୍ରଦ୍ଧାର ବଶବର୍ତ୍ତୀ ହୋଇ ସବୁପ୍ରକାର ଲୋଭନୀୟ ଜିନିଷ ଆମକୁ ଦେଇ ବସନ୍ତି । ଏହାଦ୍ୱାରା ଆମେ ବଞ୍ଚିରହୁ ନା ଯେ କଳୁଷିତ ହୋଇଯାଉ । ଏହି ପ୍ରକାର ପ୍ରତିକୂଳ ଗୃହ ପରିସ୍ଥିତି ସଙ୍ଗେ ଆମକୁ ଲଢ଼ିବାକୁ ହେବ ; କିନ୍ତୁ ପାଶବିକ ପ୍ରବୃତ୍ତିକୁ ଜୟ କରିବା ପାଇଁ ‘ରାମନାମ’ ବା ସେହି ଧରଣର ମନ୍ତ୍ର ଆମର ସର୍ବଶକ୍ତିମାନ୍‌ ସହାୟକ । ‘‘ନମୋ ଭଗବତେ ବାସୁଦେବାୟ ।’’ ଏହି ଦ୍ୱାଦଶ ମନ୍ତ୍ର ମଧ୍ୟ ସେହି ଉଦ୍ଦେଶ୍ୟ ସାଧନ କରେ । ଅନ୍ୟ ଯେ କୌଣସି ମନ୍ତ୍ର ଯେ ଭଲପାଏ, ସେ ତାହା ଉଚ୍ଚାରଣ କରିପାରେ । ମୁଁ ପିଲାକାଳରୁ ପରିଚିତ ହୋଇଥିବାରୁ ‘‘ରାମନାମ’’ କଥା କହୁଛି । ମୋ ଜୀବନର ସବୁ ସଂଗ୍ରାମରେ ଏହା ମୋତେ ସହାୟତା କରିଆସିଛି । ଯେ ଯେଉଁ ମନ୍ତ୍ର ଠିକ୍‌ କରିବ, ସେଥିରେ ତା‘ର ପୂର୍ଣ୍ଣ ମାତ୍ରାରେ ତନ୍ମୟ ହୋଇଯିବା ଦରକାର । ଜପ ସମୟରେ ଅନ୍ୟ ଯେ କୌଣସି ଚିନ୍ତା ବିଘ୍ନ ଘଟାଇଲେ ମଧ୍ୟ ସେଥିପ୍ରତି ଭ୍ରୂକ୍ଷେପ ନ କରିବା ଉଚିତ । ବିଶ୍ୱାସରେ ଯେ ବରାବର ଜପରେ ଲାଗି ରହେ. ମୋର ଦୃଢ଼ଧାରଣା, ଶେଷରେ ସେ ନିଶ୍ଚୟ ଜୟଲାଭ କରିବ । ମନ୍ତ୍ର ଜୀବନର ଯଷ୍ଠିଭଳି କାର୍ଯ୍ୟ କରେ ଓ ଯେ କୌଣସି ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଏ ।

 

ବ୍ରହ୍ମଚର୍ଯ୍ୟ ସମ୍ବନ୍ଧରେ ଉପଦେଶ ଦେଇ ଏକ ବ୍ରହ୍ମଚାରୀକୁ ତା ୨୪.୯.୧୯୨୬ ୟଙ୍ଗ ଇଣ୍ଡିଆରେ ଗାନ୍ଧିଜୀ ଲେଖିଥିଲେ–‘‘ପ୍ରାର୍ଥନାହିଁ ଶେଷ ସମ୍ବଳ, ହୃଦୟର ସହିତ ପ୍ରତିଦିନ ନିୟମିତ ଭାବରେ ‘ରାମନାମ’ ଉଚ୍ଚାରଣ କର ଓ ଭଗବତ୍‌ କୃପା ଲାଭ କାରିବା ପାଇଁ ବ୍ୟାକୁଳ ହୁଅ ।’’

 

ଆଉଜଣେ ସାଧକଙ୍କ ପାଖକୁ ଗାନ୍ଧିଜୀ ତା ୨୦.୧୨.୧୯୨୮ ୟଙ୍ଗ୍‌ ଇଣ୍ଡିଆରେ ଲେଖିଛନ୍ତି–‘‘ରାମ ସାହାଯ୍ୟରେ ଦଶାନନ ରାବଣରୂପୀ ପ୍ରବୃତ୍ତି ରାକ୍ଷସକୁ ଆମକୁ ଜୟ କରିବାକୁ ହେବ । ରାମଙ୍କଠାରୁ ଯଦି ଆମର ଅଟଳ ବିଶ୍ୱାସ ରହେ ଏବଂ ତାଙ୍କ ପାଦପଦ୍ମରେ ଯଦି ଆମେ ନିଜକୁ ସମର୍ପି ଦେଉ, ତେବେ ସଫଳତା ସୁନିଶ୍ଚିତ । ସବୁଠାରୁ ବଡ଼କଥା, କେବେ ଆତ୍ମବିଶ୍ୱାସ ହରାଅ ନାହିଁ, ସର୍ବଦା ରସନାକୁ ସଂଯତ କର ।’’

 

ପୁଣି ଇନ୍ଦ୍ରିୟ ବନାମ ଇନ୍ଦ୍ରିୟ ସେବା (ଦ୍ୱିତୀୟ ସଂସ୍କରଣ ୧୯୨୮) ପୁସ୍ତକର ମୁଖବନ୍ଧରେ ଲେଖିଛନ୍ତି– ଯେତେବେଳେ ତୁମର ପ୍ରବୃତ୍ତିଯାକ ପ୍ରବଳ ହୋଇ ଉଠି ତୁମକୁ ଭୟ ଦେଖାନ୍ତି, ସେତେବେଳେ ନତକାନୁ ହୋଇ ଭଗବତ୍‌ ସାହାଯ୍ୟ ପାଇଁ ବ୍ୟାକୁଳଭାବରେ ପ୍ରାର୍ଥନାକର-। ‘ରାମନାମ’ ମୋର ଅତୁଟ ସହାୟକ, ବାହାରର ସାହାଯ୍ୟକାରୀ ରୂପେ କଟିସ୍ନାନ କରାଯାଇ ପାରେ ।’’

 

ପାର୍ଥିବ ସୁଖ ସମୃଦ୍ଧି ପାଇଁ ଏଭଳି ମନ୍ତ୍ରର ଆଶ୍ରୟ ନେବା ଉଚିତ ନୁହେଁ । ଆତ୍ମଶୁଦ୍ଧି ପାଇଁ ଏଭଳି ମନ୍ତ୍ରର ଯେ କି ଶକ୍ତି ଅଛି, ତାହା କୌଣସି ଅଧ୍ୟବସାୟୀ ସାଧକ ସଙ୍ଗେ ସଙ୍ଗେ ଅନୁଭବ କରିପାରିବେ । ଆହୁରି ମନେ ରଖିବାକୁ ହେବ ଯେ, ଶୁଆ ଭଳି ମନ୍ତ୍ର ଉଚ୍ଚାରଣର କୌଣସି ମୂଲ୍ୟ ନାହିଁ । ଏଥିରେ ପୂର୍ଣ୍ଣମାତ୍ରାରେ ତନ୍ମୟ ହୋଇଯିବାକୁ ହେବ । ଶୁଆ ଯନ୍ତ୍ରଚାଳିତ ପରି ମନ୍ତ୍ର ଉଚ୍ଚାରଣ କରେ । ଆମକୁ ଦୁଶ୍ଚିନ୍ତା ଦୂର କରିବା ଆଶାରେ, ମନ୍ତ୍ରଶକ୍ତିକୁ ଏ ଦିଗରେ ସାହାଯ୍ୟ କରିବା ପାଇଁ ଏହାକୁ ଜପ କରିବାକୁ ହେବ ।

 

–ନବଜୀବନ, ତା୫.୬.୧୯୨୪

Image

 

ଏକମାତ୍ର ସହାୟ

 

୧୯୨୫ ମସିହା ଜାନୁୟାରୀ ମଧ୍ୟଭାଗରେ ବର୍ଦ୍ଧୋଳି ନିକଟସ୍ଥ ଭେଡଚିରେ କାଳୀପରାଜ ସମ୍ମେଳନର ବୟସ୍କମାନଙ୍କୁ ଘେନି ହେଉଥିବା ସଭା ବିଷୟରେ ଏଠାରେ କୁହାଯାଇଛି । ସେମାନେ ଖଦୀ ପିନ୍ଧିବା ଓ ମଦ୍ୟପାନ ନ କରିବା ପାଇଁ ଶପଥ ନେଇଥିଲେ ।

 

କୌଣସି ଉତ୍ତେଜନାରେ ପ୍ରଭାବିତ ହୋଇ ଶପଥ ଗ୍ରହଣ କରିବା ବଡ଼ ସହଜ । ବିଶେଷତଃ ପ୍ରଲୋଭନ ମଧ୍ୟରେ ଏପରି ଶପଥ ରକ୍ଷାକରିବା କଷ୍ଟକର । ଏହିଭଳି ପରିସ୍ଥିତିରେ ଭଗବାନହିଁ ଆମର ଏକମାତ୍ର ସହାୟ । ଏଣୁ ମୁଁ ରାମନାମ ବିଷୟରେ ସଭାକୁ ପରାମର୍ଶ ଦେଇଥିଲି । ମୋ ପକ୍ଷରେ ‘ରାମ’, ‘ଆଲ୍ଲା’ ଓ ଈଶ୍ୱରର ଅର୍ଥ ଏକ । ବିପଦବେଳେ ମୁଁ ଆବିର୍ଭାବ ହୁଏ । ଏହିପରି ଅନ୍ଧବିଶ୍ୱାସ ସରଳଲୋକେ ପୋଷଣ କରିଥିବା ମୁଁ ଜାଣିପାରିଛି । ଏଭଳି କୁସଂସ୍କାରକୁ ମୁଁ ଦୂର କରିବାକୁ ଇଚ୍ଛାକରେ । ମୁଁ ଜାଣେ, ମୋର ଆବିର୍ଭାବ ହେବାର କ୍ଷମତା ନାହିଁ-। ମୋଭଳି ମରଣଶୀଳ ଏକ ବ୍ୟକ୍ତି ଉପରେ ନିର୍ଭର କରିବା ନିହାତି ଭୁଲ୍‌ ଧାରଣା-। ମୁଁ ତେଣୁ ସେମାନଙ୍କୁ ସରଳ ସୁପରୀକ୍ଷିତ ଓ ସର୍ବଦା ଫଳପ୍ରଦ ଉପାୟ ଗୋଟିଏ ବତାଇ ଦେଇଛି-। ତା ହେଉଛି ଶପଥକୁ ପାଳନ କରିବା ପାଇଁ ପ୍ରତିଦିନ ସକାଳେ ସୂର୍ଯ୍ୟୋଦୟ ପୂର୍ବରୁ ଓ ରାତିରେ ଶୋଇବା ପୂର୍ବରୁ ଭଗବାନଙ୍କର ଆଶ୍ରୟ ନେବା । କୋଟି କୋଟି ହିନ୍ଦୁ ତାଙ୍କୁ ‘ରାମ’ ବୋଲି ଜାଣନ୍ତି-। ପିଲାଦିନେ ଡର ମାଡ଼ିଲେ ରାମନାମ ଉଚ୍ଚାରଣ କରିବାକୁ ମୁଁ ଶିଖିଥିଲି । ଦରକାରବେଳେ ମୋର ଅନେକ ବନ୍ଧୁଙ୍କୁ ‘ରାମନାମ’ ଶାନ୍ତି ଦାନ କରିଛି । ଧଳା ଓ ଅଦୃଶ୍ୟ ମାନଙ୍କୁ ମୁଁ ମଧ୍ୟ ଏହି ନାମ ବତାଇ ଦେଇଛି । ଅତି ପାଠୁଆ ହିସାବରେ ଯେଉଁମାନଙ୍କର ଦୃଷ୍ଟିକୋଣ ପଙ୍ଗୁ ହୋଇନି ବା ବିଶ୍ୱାସ ମାନ୍ଦାଧରି ଯାଇନି, ସେହିଭଳି ପାଠକମାନଙ୍କୁ ଏହି ନାମକୁ ମଧ୍ୟ ମୁଁ ଉପହାର ଦେଉଛି । ବହିପାଠ ଜୀବନର ଅନେକ ସ୍ତର ଦେଇ ଆମକୁ ନେଇ ଯାଇଥାଏ ସତ, ମାତ୍ର ବିପଦ ଓ ପ୍ରଲୋଭନ ବେଳରେ ଏହା ଆମକୁ ପାରି କରାଇ ପାରେନାହିଁ । ଏକମାତ୍ର ଭଗବତ୍‌ ବିଶ୍ୱାସହିଁ ସେତେବେଳେ ସହାୟ ହୁଏ । ପାର୍ଥିବ ସୁଖ ସମୃଦ୍ଧିର ସହାୟକରୂପେ ଯେଉଁମାନେ ଭଗବାନଙ୍କୁ ଦେଖନ୍ତି ଏବଂ ନାନା ପ୍ରକାର ପ୍ରଲୋଭନ ଦେଖାଇ ତାଙ୍କୁ ପୂଜା କରନ୍ତି, ସେମାନଙ୍କ ପାଇଁ ‘ରାମନାମ’ ଉପଯୁକ୍ତ ନୁହେଁ । ଭଗବତ ଭୀତି ସହିତ ଯେଉଁମାନେ ଜୀବନ ପଥରେ ଗତି କରନ୍ତି, ଯେଉଁମାନେ ନିଜକୁ ସଂଯତ ରଖିବାକୁ ଚାହାନ୍ତି ଏବଂ ଉପାୟାନ୍ତର ଦେଖି ପାରନ୍ତି ନାହିଁ, କେବଳ ସେହିମାନଙ୍କ ପାଇଁ ଏହି ନାମ ଅଭିପ୍ରେତ ।

 

–ୟଙ୍ଗଇଣ୍ଡିଆ, ତା୨୨.୦୧.୧୯୨୫

Image

 

ରାମନାମ ଓ ଆତ୍ମଦର୍ଶନ

 

ପ୍ରଶ୍ନ–ଜାତୀୟ ସେବା-କାର୍ଯ୍ୟ ବିନା କେବଳ ‘ରାମନାମ’ ଉଚ୍ଚାରଣରେ କୌଣସି ପୁରୁଷ ବା ନାରୀ ଆତ୍ମଦର୍ଶନ କରି ପାରିବ କି ? ମୋର କେତେକ ଭଉଣୀ ଘରକାମ ଓ ବେଳେବେଳେ ଗରିବଙ୍କ ପ୍ରତି ଦୟା ପ୍ରଦର୍ଶନ ଛଡ଼ା ଅନ୍ୟ କିଛି କରିବା ଦରକାର ମନେକରୁ ନ ଥିବାରୁ ମୁଁ ଏଭଳି ପ୍ରଶ୍ନ ପଚାରୁଛି ।

 

ଉତ୍ତର–କେବଳ ନାରୀମାନଙ୍କୁ କାହିଁକି, ଅନେକ ପୁରୁଷଙ୍କୁ ମଧ୍ୟ ଏ ପ୍ରଶ୍ନ ଗୋଲକଧନ୍ଦାରେ ପକାଇଛି ଏବଂ ମୋତେ ବଡ଼ ଚିନ୍ତିତ କରାଇଛି । ଏକପ୍ରକାର ଦର୍ଶନ କର୍ମ ବିମୁଖତା ଓ ଚେଷ୍ଟାର ବିଫଳତା ଶିକ୍ଷା ଦିଅନ୍ତି ବୋଲି ମୁଁ ଜାଣେ । ମୌଖିକ ଚୁକ୍ତି ହାସଲ ପାଇଁ ଏହି ଧରଣର ମତବାଦକୁ ମୁଁ ପସନ୍ଦ କରେ ନାହିଁ । ଏସବୁ ମତବାଦର ଅର୍ଥ ମୁଁ ଯେପରି କରେ ତାହାହିଁ ପ୍ରକାଶ କରିଥାଏ । ମୋର ବିନୀତ ମତରେ ମନୁଷ୍ୟର ବିକାଶ ପାଇଁ କର୍ମ ନିତାନ୍ତ ଆବଶ୍ୟକ । ମାତ୍ର ଫଳାଫଳ ଉପରେ ନିର୍ଭର କରିବାକୁ ହେବ ନାହିଁ । କର୍ମର ସହାୟକରୂପେ ଆତ୍ମଶୁଦ୍ଧି ଲାଭ ପାଇଁ ଏବଂ ଉପରୁ ପ୍ରତ୍ୟକ୍ଷ ନିର୍ଦ୍ଦେଶର ସନ୍ଧାନ ପାଇବା ‘ରାମନାମ’ ବା ସେହିପରି ଏକ ମନ୍ତ୍ରର ଆବଶ୍ୟକତା ଅଛି । ମାତ୍ର ଖାଲି ଜପ ପାଇଁ ନୁହେଁ । ସେଇଥିପାଇଁ ଏହା କର୍ମର ଏକ ପ୍ରତିବାଦକ ନୁହେଁ । ଜୋରସୋରରେ ଓ ଠିକଣା ବାଟରେ କର୍ମ କରିବା ପାଇଁ ‘ରାମନାମ’ ର ଆବଶ୍ୟକତା ରହିଚି । ଯଦି ଆମର କର୍ମର କୌଣସି ଫଳ ନାହିଁ, ତେବେ ପରିବାରର ତତ୍ତ୍ୱନେବା ବା ଦରିଦ୍ରମାନଙ୍କୁ ସାମୟିକ ସାହାଯ୍ୟ କରିବାର ଆବଶ୍ୟକତା କ’ଣ ? ଏହିଭଳି କାମରେ ତ ଜାତୀୟ ସେବାର ବୀଜ ନିହିତ । ଜାତୀୟ ସେବା ମୋ ପକ୍ଷରେ ମାନବ ସମାଜର ସେବା ; ଏପରିକି ନିଷ୍କାମ ପରିବାର ସେବା ମଧ୍ୟ ସେଇଆ ସୂଚାଏ । ନିଷ୍କାମ ପରିବାର ସେବା ଆମକୁ ଜାତୀୟ ସେବାର ସ୍ତରକୁ ଘେନିଯାଏ। ରାମନାମ ଆମକୁ ନିଷ୍କାମ କରିଦିଏ ଓ ବିପଦବେଳେ ଆମ ହାତରୁ ରଜ୍ଜୁକୁ ଛଡ଼ାଇ ଦିଏନାହିଁ । ଦୀନାତିଦିନ ସହିତ ସମାନ ହୋଇ ନ ଗଲେ ଓ ଦରିଦ୍ର ନାରାୟଣର ସେବା ବିନା ଆତ୍ମଦର୍ଶନ ଅସମ୍ଭବ ବୋଲି ମୋର ଦୃଢ଼ମତ ।

 

–ୟଙ୍ଗଇଣ୍ଡିଆ, ତା୨୧.୧୦.୧୯୨୬

Image

 

ତାଙ୍କରି ଶରଣ ନିଅ

 

ଭାରତରେ ଚାରିଆଡ଼ୁ ଛାତ୍ରମାନଙ୍କଠାରୁ ଯେଉଁ ଚିଠି ମୁଁ ପାଉଚି, ସେଥିରୁ ମୁଁ ଜାଣୁଚି, ଗଦାଗଦା ବହିରୁ ପଢ଼ିଥିବା ଘଟଣାରେ ସେମାନଙ୍କର ମସ୍ତିଷ୍କ ଭାରାକ୍ରାନ୍ତ ହେବାଦ୍ୱାରା ସେମାନେ କିପରି ନଷ୍ଟ ହୋଇଯାଇଛନ୍ତି । କେତେକ ଅତି ହୁଗୁଳା ହୋଇଯାଇଛନ୍ତି । ଅନେକେ ବାୟା ହୋଇଯାଇଛନ୍ତି । କେତେକ ଅଣଆୟତ୍ତ, ଅପବିତ୍ର ଜୀବନ ଯାପନ କରୁଛନ୍ତି । ସେମାନେ ଯେତେବେଳେ କହନ୍ତି ଯେ, ଯେତେ ଚେଷ୍ଟା କରି ମଧ୍ୟ ସଇତାନକୁ ଆମେ ଆୟତ୍ତ କରିପାରିଲୁ ନାହିଁ, ସେତେବେଳେ ମୋର ହୃଦୟ ସେମାନଙ୍କ ପାଇଁ ବ୍ୟାକୁଳ ହୋଇ ଉଠେ । ‘‘ସଇତାନ କବଳରୁ ଆମେ କେମିତି ରକ୍ଷା ପାଇବୁ । ଅପବିତ୍ରତାର ଖାପଚରୁ ଆମେ କେମିତି ମୁକୁଳିବୁ, ଆମକୁ ଟିକେ ବତାଇ ଦିଅନ୍ତୁ’’ ବୋଲି ସେମାନେ କେତେ ବିକଳ ହୋଇ ମତେ ପଚାରନ୍ତି । ମୁଁ ଯେତେବେଳେ ରାମନାମ ଉଚ୍ଚାରଣ କରିବାକୁ ନତଜାନୁ ହୋଇ ଭଗବାନଙ୍କ ଆଶ୍ରୟ ନେବାକୁ କହେ, ମୋ ପାଖକୁ ଆସି ସେମାନେ କହନ୍ତି—‘‘ଭଗବାନ କେଉଁଠି ଅଛନ୍ତି ଆମେ ତ ଜାଣିନାହୁଁ, ପ୍ରାର୍ଥନା କିପରି କରନ୍ତି ଆମେ ତ ଜାଣିନାହୁଁ ।’’ ସେମାନେ ଏଭଳି ଅବସ୍ଥାରେ ଆସି ପଡ଼ିଛନ୍ତି…..

 

ଏକ ତାମିଲ୍‌ ପ୍ରବଚନ ବରାବର ମୋ ସ୍ମୃତିରେ ଅଛି । ତାର ଅର୍ଥ, ‘‘ନିରାଶ୍ରୟର ଏକମାତ୍ର ଆଶ୍ରୟଦାତା ଭଗବାନ ।’’ ଯେତେବେଳେ ତାଙ୍କର ଆଶ୍ରୟ ପାଇଁ ପ୍ରାର୍ଥନା କରିବାକୁ ହେବ, ସେତେବେଳେ ମନରେ କୌଣସି ଗ୍ଳାନି ନ ରଖି, ଏପରିକି ‘‘ମୋ ଭଳି ପାପୀକୁ କଣ ସତେ ଭଗବାନ ରକ୍ଷାକରିବେ’’ ଏଭଳି ସନ୍ଦେହ ମଧ୍ୟ ମନ ଭିତରେ ନ ଆଣି ଅତି ଖୋଲା ଲଙ୍ଗଳା ଫକୀର ଭଳି, ତାଙ୍କୁ ଡାକିବାକୁ ହେବ । ତାଙ୍କୁ ଡାକୁଥିବା ଅସଂଖ୍ୟ ଲୋକଙ୍କୁ ଯେ ଆଶ୍ରୟ ଦେଇଚନ୍ତି, ସେ ତୁମକୁ ବା ଛାଡ଼ିବେ କିପରି ? ସେ କାହାରି ପ୍ରତି ପାତର ଅନ୍ତର କରନ୍ତି ନାହିଁ । ତୁମେ ଦେଖିପାରିବ, ତୁମର ପ୍ରତ୍ୟେକ ପ୍ରାର୍ଥନାର ଜବାବ ମିଳିବ । ଖାଲି ତୁମର କ’ଣ, ଅତି କଳୁଷିତର ପ୍ରାର୍ଥନାର ମଧ୍ୟ ଜବାବ ମିଳିବ । ମୋର ବ୍ୟକ୍ତିଗତ ଅଭିଜ୍ଞତାରୁ ମୁଁ ଏକଥା କହୁଚି, ମୁଁ ଅଗ୍ନିପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇଛି । ସ୍ୱର୍ଗ ରାଜ୍ୟର ଆଶ୍ରୟ ନିଅ, ଆଉ ସବୁ ଆପଣାଛାଏଁ ହୋଇଯିବ ।

 

–ୟଙ୍ଗ ଇଣ୍ଡିଆ, ତା ୪.୪.୧୯୨୯

 

ପ୍ରାର୍ଥନା କହିଲେ ସୁମଧୁର ସଙ୍ଗୀତ ବା ଗୋଟିଏ ସୂତ୍ରର ବାରମ୍ୱାର ଉଚ୍ଚାରଣ ବା ଖାଲି ପାଟି ପାକୁ ପାକୁ କରିବା ବୁଝାଏ ନାହିଁ । ଯେତେ ରାମନାମ ଉଚ୍ଚାରଣ କଲେ ମଧ୍ୟ ଯଦି ତାହା ଅନ୍ତରକୁ ସ୍ପନ୍ଦିତ ନ କଲା, ତାହେଲେ ସବୁ ନିଷ୍ଫଳ ଜାଣିବ । ହୃଦୟବିହୀନ ସଶବ୍ଦ ପ୍ରାର୍ଥନା ଅପେକ୍ଷା ଶବ୍ଦହୀନ ହୃଦୟର ପ୍ରାର୍ଥନା ସବୁଠାରୁ ଭଲ । ଅନ୍ତରରେ ଜାତ ହେଉଥିବା କ୍ଷୁଧାର ଏହା ପୂର୍ଣ୍ଣପ୍ରକାଶ ହେବା ଉଚିତ । କ୍ଷୁଧାତୁର ଯେପରି ପୂର୍ଣ୍ଣ ଭୋଜନରେ ତୃପ୍ତ ହୁଏ, ଅନ୍ତରର ପ୍ରାର୍ଥନାରେ କ୍ଷୁଧିତ ଆତ୍ମା ସେହିପରି ତୃପ୍ତିଲାଭ କଲେ । ପ୍ରାର୍ଥନାର ଯାଦୁକରୀ ଶକ୍ତିର ଯେ ସନ୍ଧାନ ପାଇଛି, ସେ ବିନା ଖାଦ୍ୟରେ ଦିନ ଦିନ ଧରି ରହିପାରେ କିନ୍ତୁ ପ୍ରାର୍ଥନା ବ୍ୟତୀତ ମୁହୂର୍ତ୍ତେ ସୁଦ୍ଧା ସେ ବଞ୍ଚି ନପାରେ ବୋଲି ଯେତେବେଳେ ମୁଁ କହେ ସେତେବେଳେ ମୁଁ ମୋର ବନ୍ଧୁଙ୍କ ଅଭିଜ୍ଞତାର ଟିକିଏ ସୂଚନା ଦିଏ ମାତ୍ର, କାରଣ ପ୍ରାର୍ଥନା ବିନା ଅନ୍ତର ଜଗତରେ ଶାନ୍ତି ଅସମ୍ଭବ ।

 

–ୟଙ୍ଗ ଇଣ୍ଡିଆ, ତା୨୩.୧.୧୯୩୦

Image

 

ଜପର ମାଧୁରୀ

 

‘‘ସେହି ଗୋଟିଏ ନାମରେ ବାରମ୍ବାର ଉଚ୍ଚାରଣ ମୋତେ ମୋଟେ ଭଲ ଲାଗେ ନାହିଁ । ମୋର ଗାଣିତିକ ମନୋବୃତ୍ତି ଏଭଳି ତ୍ରୁଟିର କାରଣ ହୋଇପାରେ । ଯାହାହେଉ, ମୁଁ ଏପ୍ରକାର ଜପକୁ ଭଲପାଏ ନାହିଁ । ଉଦାହରଣ ସ୍ୱରୂପ ‘ପିତା ! କ୍ଷମା କର । ସେମାନେ କ’ଣ କରିବାକୁ ଯାଉଚନ୍ତି, ତାହା ସେମାନେ ଜାଣନ୍ତି ନାହିଁ ।’ ବାକଙ୍କର ଏହି ଚମତ୍କାର ସଙ୍ଗୀତ ବାରମ୍ୱାର ବୋଲା ହେଲେ ମୋର ହୃଦୟଗ୍ରାହୀ ହୁଏ ନାହିଁ ।’’

 

ଗାନ୍ଧିଜୀ ହସି ହସି କହିଲେ,–‘‘କାହିଁ, ଏପରିକି ଆପଣଙ୍କ ଗଣିତରେ ମଧ୍ୟ ତ ଦଶମିକ ଅଛି ।’’

 

ଗାଣତିକ ଉତ୍ତର ଦେଲେ,–‘‘ମାତ୍ର ପ୍ରତି ଦଶମିକ୍ ଅଙ୍କରେ କୌଣସି ନା କୌଣସି ନୂତନତ୍ୱ ରହିଛି ।’’

 

ଗାନ୍ଧିଜୀ କହିଲେ,–‘‘ସେମିତି ପ୍ରତି ଜପରେ ମଧ୍ୟ ନୂଆ ନୂଆ ଅର୍ଥ ଅଛି । ପ୍ରତି ଜପ ଦ୍ୱାରା ଭଗବାନଙ୍କର ନିକଟରୁ ନିକଟତର ହେବାକୁ ହୁଏ । ଏହା ଗୋଟିଏ ବାସ୍ତବ ଘଟଣା । ମୁଁ ଅବଶ୍ୟ ଏଠି ତୁମକୁ କହିବି, ତୁମେ ଏଇଲା ଯାହା ସାଙ୍ଗରେ କଥାବାର୍ତ୍ତା ହେଉଛି, ସେ ଜଣେ ସୈଦ୍ଧାନ୍ତିକ ନୁହେଁ । ସେ ଜଣେ ନିରାଟ ବାସ୍ତବବାଦୀ, ଯେ କି ତା’ର ଜୀବନର ପ୍ରତି ମୁହୂର୍ତ୍ତରେ ତା’ର ଅଭିଜ୍ଞତା କଥା କହେ । ତା ପକ୍ଷରେ ଜୀବନର ସ୍ପନ୍ଦନ ବନ୍ଦ ହୋଇଯିବା ସହଜ; କିନ୍ତୁ ଏହି ନିରବଚ୍ଛିନ୍ନ ଜପ ବନ୍ଦ କରିବା ସହଜ ନୁହେଁ । ଏହା ଆତ୍ମାର ଏକ ଅତ୍ୟାବଶ୍ୟକ ସମ୍ପଦ ।’’

 

‘‘ବେଶ, ମୁଁ ତାହା ଅନୁଭବ କରି ପାରୁଛି । ସାଧାରଣ ଲୋକ ପକ୍ଷରେ ଏହା ଏକ ନିରର୍ଥକ ସୂତ୍ର ପରି ।’’

 

‘‘ମୁଁ ମାନୁଛି; କିନ୍ତୁ ଉତ୍କୃଷ୍ଟ ଜିନିଷର ମଧ୍ୟ ଖରାପ ହେବାର ସମ୍ଭାବନା ଅଛି । ଭଣ୍ଡାମି ପାଇଁ ଏଥିରେ ଯଥେଷ୍ଟ ସୁବିଧା ଅଛି । ତଥାପି ଭଣ୍ଡାମି ମଧ୍ୟ ଭଲ ଆଡ଼କୁ ଗତି ହୋଇପାରେ । ହଜାର ହଜାର ଭଣ୍ଡ ଥିବା ସତ୍ତ୍ୱେ ବି ଲକ୍ଷ ଲକ୍ଷ ସରଳହୃଦୟ ଲୋକ ତମେ ପାଇବ, ଯେଉଁମାନେକି ଏହି ଜପରୁ ଶାନ୍ତି ପାଇଥାନ୍ତି । ସୁରମ୍ୟ ଭଳି ଅଟ୍ଟାଳିକା ନିର୍ମାଣ ପାଇଁ ଏସବୁ ବନ୍ଧା ହୋଇଥିବା ଭାରା ଭଳି ।’’

 

ପିଏରିକ୍ୟାରିସେଲ କହିଲେ, ‘‘ତୁଳନାଟାକୁ ଆଉ ଟିକେ ଆଗେଇ ଦେଲେ, ଆପଣ ଅବଶ୍ୟ ରାଜି ହେବେ ଯେ, ଅଟ୍ଟାଳିକା ନିର୍ମାଣ ଶେଷ ହେଲେ ବନ୍ଧା ହୋଇଥିବା ଭାରାକୁ ଘୁଞ୍ଚାଇ ଦେବାକୁ ହେବ ?’’

 

‘‘ହଁ, ଶରୀରର ବିନାଶ ପରେହିଁ ଏହା ଘୁଞ୍ଚିଯିବ ।’’

 

‘‘କାହିଁକି ?’’

 

ସବୁ କଥାବାର୍ତ୍ତାକୁ ମନଦେଇ ଶୁଣୁଥିବା ଉଇଲିକିଂସନ କହିଲେ, ‘‘କାରଣ, ଆମେ ନିର୍ମାଣ ଯେ ଚିରନ୍ତନ ।’’

 

ଗାନ୍ଧୀଜୀ କହିଲେ, ‘‘କାରଣ–ପୂର୍ଣ୍ଣତା ପ୍ରାପ୍ତି ପାଇଁ ଆମର ବିରାମ ଚେଷ୍ଟା ଲାଗିଛି । ଏକମାତ୍ର ଭଗବାନହିଁ ପୂର୍ଣ୍ଣ, ମନୁଷ୍ୟ କେବେହେଲେ ପୂର୍ଣ୍ଣ ନୁହେଁ ।’’

 

ମହାଦେବ ଦେଶାଇ, ହରିଜନ, ତା୨୫.୫.୧୯୩୫

Image

 

ଭଗବାନ କିଏ ଓ କେଉଁଠି ?

 

ବ୍ରହ୍ମ ବା ଭଗବାନଙ୍କ ପାଖକୁ ନେଇଯିବା ପାଇଁ ବ୍ରହ୍ମଚର୍ଯ୍ୟ ଯେ ଏକମାତ୍ର ସଫଳ ଜୀବନମାର୍ଗ, ଏକଥା ମୁଁ କହିଚି । ବର୍ତ୍ତମାନ ସ୍ୱତଃ ପ୍ରଶ୍ନ ଉଠୁଚି, ଭଗବାନଙ୍କ ପାଖରେ ପହଞ୍ଚି ପାରିବାର ପଥଟି ଖୋଜି ବାହାର କରିବା ମଧ୍ୟ ସହଜ ହୋଇଯିବ ।

 

ଭଗବାନ କୌଣସି ବ୍ୟକ୍ତିବିଶେଷ ନୁହନ୍ତି । ଯେ ମଧ୍ୟେ ମଧ୍ୟେ ଦେହ ଧରି ଧରାଧାମରେ ଅବତରଣ କରନ୍ତି କହିଲେ ପୂରା ସତ କଥା କୁହାଯିବ ନାହିଁ । ମଣିଷ ନିଜର ସାଧନାବଳରେ ଭଗବାନଙ୍କ ପାଖକୁ ଯାଇ ପାରିବ । ଏଥିରୁ ଏଇ କଥାଟି ବୁଝାଯାଉଚି । ଭଗବାନ ବିଶ୍ୱବ୍ୟାପୀ, ସେସବୁ ମଣିଷ ଭିତରେ ରହିଚନ୍ତି । ତେଣୁ ସବୁ ମଣିଷଙ୍କୁ ତାଙ୍କର ଅବତାର ବୋଲି କୁହାଯାଇପାରିବ । କିନ୍ତୁ ଏତିକି କହିଲେ ଆମ ପ୍ରଶ୍ନର ସମାଧାନ ହୋଇ ପାରିବ ନାହିଁ । ରାମ, କୃଷ୍ଣ ପ୍ରଭୃତିଙ୍କ ଆମେ ଭଗବାନଙ୍କର ଅବତାର ବୋଲି କହୁ । କାରଣ ସେମାନଙ୍କ ନାମ ସହିତ ଆମେ ଐଶ୍ୱରିକ ଗୁଣମାନଙ୍କର କଳ୍ପନା କରିଥାଉଁ । ସତ କହିବାକୁ ଗଲେ, ମଣିଷର କଳ୍ପନାରୁ ହିଁ ସେମାନଙ୍କର ଜନ୍ମ । ସେମାନେ ସତରେ ପୃଥିବୀରେ ଜନ୍ମଗ୍ରହଣ କରିଥିଲେ କି ନାହିଁ; ଏ ପ୍ରଶ୍ନ ଦ୍ୱାରା ସେମାନଙ୍କୁ ମନଭେଦରେ କଳ୍ପନା କରିବାରେ କୌଣସି ଅସୁବିଧା ପହଞ୍ଚୁ ନାହିଁ । ଇତିହାସର ରାମ ଓ କୃଷ୍ଣ ଅନେକ ସମୟରେ ଆମକୁ ଅନେକ ସମସ୍ୟାର ଧନ୍ଦାରେ ପକାନ୍ତି ଓ ସେ ସବୁର ସମାଧାନ ପାଇଁ ଆମକୁ ଅନେକ ଯୁକ୍ତିର ଆଶ୍ରୟ ନେବାକୁ ପଡ଼େ ।

 

ପ୍ରକୃତ କଥା ହେଉଛି, ଭଗବାନ ଶକ୍ତିସ୍ୱରୂପ । ସବୁ ଜୀବନର ମୂଳରେ ଭଗବାନ ରହିଚନ୍ତି । ସେ କେବଳ ଶୁଦ୍ଧପୂତ ଚୈତନ୍ୟ ଛଡ଼ା ଆଉ କିଛି ନୁହନ୍ତି । ସେ ଶାଶ୍ୱତ; କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଯେ, ସମସ୍ତେ ଏଇ ସର୍ବବ୍ୟାପୀ ପ୍ରାଣମୟ ସତ୍ତାରୁ ପୂର୍ଣ୍ଣ ଉପକାର ପାଇପାରନ୍ତି ନାହିଁ ବା ତା’ର କ୍ରୋଡ଼ରେ ଆଶ୍ରୟ ଗ୍ରହଣ କରିପାରନ୍ତି ନାହିଁ ।

 

ବିଦ୍ୟୁତ୍ ଶକ୍ତିର ବଳ ଖୁବ୍ ବେଶୀ; କିନ୍ତୁ ସମସ୍ତେ କ’ଣ ତା’ଠାରୁ ଉପକାର ପା’ନ୍ତି ? ନିର୍ଦ୍ଦିଷ୍ଟ ନିୟମଗୁଡ଼ିକ ପାଳନ କଲେ ଯାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇ ପାରିବ । ଏହା ଏକ ନିର୍ଜିବ ଶକ୍ତି । ଏହାର ନିୟମଗୁଡ଼ିକ ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନଲାଭ କରିବାକୁ କଠିନ ପରିଶ୍ରମ କରିପାରିଲେ ମନୁଷ୍ୟ ଏହାକୁ ନିଜର କାମରେ ଲଗାଇ ପାରିବ ।

 

ଭଗବାନଙ୍କର ବିଧାନ ମାନି ତାଙ୍କୁ ନିଜ ଭିତରେ ପ୍ରତ୍ୟକ୍ଷ କରିପାରିଲେ, ଆମେ ସେହି ଜୀବନ୍ତ ସତ୍ତାର ପରିଚୟ ପାଇ ପାରିବ । କିନ୍ତୁ ଭଗବାନଙ୍କର ବିଧାନ ସବୁ ଜାଣିବା ଲାଗି ଆହୁରି ଅଧିକ ପରିଶ୍ରମ ଦରକାର । ଗୋଟିଏ ଶବ୍ଦରେ ସେହି ବିଧାନକୁ ବ୍ରହ୍ମଚର୍ଯ୍ୟ କୁହାଯାଇ ପାରେ । ରାମନାମ ହେଉଚି ବ୍ରହ୍ମଚର୍ଯ୍ୟ ଅଭ୍ୟାସ କରିବାର ଏକମାତ୍ର ସରଳ ମାର୍ଗ । ମୋ ନିଜ ଅଭିଜ୍ଞତାରୁ ମୁଁ ଏହା କହୁଚି । ତୁଳସୀଦାସ ଆଦି ଭକ୍ତ ଓ ମୁନିଋଷିମାନେ ଆମକୁ ପ୍ରକୃଷ୍ଟ ପନ୍ଥା ଦେଖାଇ ଦେଇ ଯାଇଚନ୍ତି । ମୋ’ନିଜ ଜୀବନର ଅଭିଜ୍ଞତା ଉପରେ ଅତିରିକ୍ତ ମହତ୍ୱ ଦେବା ଉଚିତ ନୁହେଁ । ଉରୁଳିକଞ୍ଚନରେ ଥିଲାବେଳେ ଏଇ ରାମନାମର ମହିମା ମୋ ଆଗରେ ଅତି ସ୍ପଷ୍ଟ ଓ ପ୍ରାଞ୍ଜଳ ହୋଇ ଉଠିଥିଲା । ରାମନାମକୁ ସବୁ ବ୍ୟାଧିର ଅବ୍ୟର୍ଥ ମହୌଷଧି ବୋଲି ସେଇଠି ମୁଁ ପ୍ରଥମେ କହିଥିଲେ । ଯେ ଏହାକୁ ପୂର୍ଣ୍ଣଭାବେ କାର୍ଯ୍ୟରେ ଲଗାଇ ପାରିବ, ସେ ବାହାରର କୌଣସି ସାହାଯ୍ୟ ନ ନେଇ ଅଦ୍ଭୁତ ଶକ୍ତିର ପରିଚୟ ଦେଇପାରିବ ।

 

ଏଇ ପ୍ରସଙ୍ଗରେ ମୁଁ ଦୃଢ଼ଭାବରେ କହି ରଖୁଚି ଯେ, ନିଷ୍ଠାପର ଭାବରେ ରାମନାମକୁ ହୃଦୟ ଭିତରେ ପ୍ରତିଷ୍ଠିତ କରିପାରିଲେ, ତା’ ଆଗରେ ବ୍ରହ୍ମଚର୍ଯ୍ୟ ସାଧନାର ଅନ୍ୟାନ୍ୟ ଉପାୟମାନ ପାସଙ୍ଗରେ ପଡ଼ିବ ନାହିଁ । ସେତିକିବେଳେ କେବଳ ଆମେ ରାମନାମର ଅଦ୍ଭୁତ ସୌନ୍ଦର୍ଯ୍ୟ ଓ ଶକ୍ତିର ପରିଚୟ ପାଇପାରିବା । ଏଇ ଅପୂର୍ବ ଓ ଅବ୍ୟର୍ଥ ସାଧନର ଅନୁସନ୍ଧାନ କଲେ ଆମେ ଜାଣିପାରିବା ଯେ, ସାଧ୍ୟ ଓ ସାଧନ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏଣୁ ଏଗାରଟିଯାକ ସଦାଚାରର ନିୟମ ଆମକୁ ଭଗବାନଙ୍କର ନିକଟବର୍ତ୍ତୀ କରାଇ ଦିଅନ୍ତି । ଏଇ ଏଗାରଟି ଭିତରୁ ସତ୍ୟ ହେଉଚି ସାଧନ ଏବଂ ଭଗବାନ ବା ରାମ ହେଉଚନ୍ତି ସାଧ୍ୟ । ଏହାକୁ ଓଲଟେଇ ଦେଇ ରାମନାମକୁ ସାଧନ ଓ ସତ୍ୟକୁ ସାଧ୍ୟ ବୋଲି କହିଲେ କୌଣସି ଭୁଲ ହେବ କି ?

 

ପୁଣି ପ୍ରଥମ କଥାକୁ ଫେରିଯିବା । ଯୌନ ଅଙ୍ଗର ବ୍ୟବହାରକୁ ପୂରାପୂରି ନିଜର ଆୟତ୍ତରେ ରଖିବାକୁ ବ୍ରହ୍ମଚର୍ଯ୍ୟର ଅର୍ଥ ବୋଲି ସାଧାରଣତଃ ସମସ୍ତେ ବୁଝିଥାନ୍ତି । ଏଇ ଲକ୍ଷ୍ୟରେ ଉପନୀତ ହେବାଲାଗି ରାମନାମ ଏକ ଅମୋଘ ଅସ୍ତ୍ର ।

 

–ହରିଜନ, ତା ୨୨.୬.୧୯୪୭

Image

 

ପ୍ରାପ୍ତିପଥ

 

ରାମନାମ ଯେ ଅନ୍ତରଭିତରେ ଗାର ହୋଇ ରହିଲାଣି, ଏହା ଜାଣିବାର ଲକ୍ଷଣ କ’ଣ-? ଏଇ ଲକ୍ଷଣଟି ନ ଜାଣିଲା ଯାଏ ରାମନାମର ଭୁଲ ଅର୍ଥ କରିବାର ଆଶଙ୍କା ରହିଥିବ । ଅନେକ ଏହାର ନାନା ଭୁଲ ଅର୍ଥ କରୁଚନ୍ତି । ଅନେକ ପୁଣ ଚିତା କାଟି ମାଳା ଗଡ଼ାଇ ରାମନାମ ଚିତ୍କାର କରି ବୃଥା ଆଡ଼ମ୍ୱର ଦେଖାନ୍ତି । ରାମନାମ ଉପରେ ସବୁବେଳେ ଏତେ ଜୋର ଦେଇ ମୁଁ ହୁଏତ ଆଗରୁ ଥିବା କପଟ ଭେକର ଆଉ ଗୋଟିଏ ସଂଖ୍ୟା ବଢ଼ାଇ ଦେଉଚି, ଏପରି ସନ୍ଦେହ ଅନେକ କରିପାରନ୍ତି । ଯିଏ ଯାହା ଭାବିଲେ ମଧ୍ୟ ମୁଁ ଯାହା କହିଚି, ତାକୁ ଅପସରାଇ ନେବି ନାହିଁ । ଲୋକଙ୍କ ସମାଲୋଚନାରେ ଚୁପ୍ ହୋଇ ରହିଗଲେ ମଧ୍ୟ ଅନେକ କ୍ଷତି ହେବ । ମୌନବ୍ରତର ଜୀବନ୍ତ ବାଣୀ ପଛରେ ସମସ୍ତ ଅନ୍ତରର ସତତ ସାଧନା ରହିବା ଉଚିତ । ଏପରି ସ୍ୱଭାବଗତ ମୌନବ୍ରତର ଅଭାବ ଥିଲେ ରାମନାମକୁ ଆଧାର କରିଥିବା ଲୋକର ଲକ୍ଷଣମାନ ଆମକୁ ଜାଣି ରଖିବାକୁ ହେବ ।

 

ରାମଙ୍କର ଉପାସକୁ ଗୀତାର ଭାଷାରେ ସ୍ଥିତପ୍ରଜ୍ଞା କୁହାଯାଇପାରେ । ଟିକିଏ ଗଭୀର କରି ବିଚାରି ଦେଖିଲେ ଆମେ ଜାଣି ପାରିବା ଯେ, ଭଗବାନଙ୍କର ପ୍ରକୃତ ଉପାସକ କେବଳ ପଞ୍ଚମହାଭୂତ ଉପରେ ନିର୍ଭର କରି ରହିବ । ସେପରି କଲେ ସେ କଦାପି ରୋଗରେ ପଡ଼ିବ ନାହିଁ । ଦୈବାତ୍ କୌଣସି ରୋଗରେ ପଡ଼ିଲେ ମଧ୍ୟ ସେହି ପଞ୍ଚଭୂତର ସାହାଯ୍ୟରେ ହିଁ ସେ ଆରୋଗ୍ୟ ଲାଭ କରିବ । ଯେ କୌଣସି ଉପାୟରେ ଶରୀରର ରୋଗ ଭଲ କରିବା ଦେହଧାରୀର କାର୍ଯ୍ୟ ନୁହେଁ, କେବଳ ଯେ ନିଜକୁ ନିଜର ଦେହ ପିଣ୍ଡଛଡ଼ା ଆଉ କିଛି ଅଧିକ ବୋଲି ଜାଣି ନ ଥିବ, ସେହି ନିଜ ରୋଗର ଆରୋଗ୍ୟପାଇଁ ସଂସାର ସାରା ଧାଇଁବାକୁ ଯିବ । ଶରୀରରେ ବାସ କରୁଥିଲେ ମଧ୍ୟ ଅକ୍ଷୟ ଆତ୍ମା ଯେ ଭଙ୍ଗୁର ଶରୀରଠାରୁ ଭିନ୍ନ । ଏ ବିଶ୍ୱାସ ଯାହାର ଅଛି, ପଞ୍ଚଭୂତର ଚିକିତ୍ସା ଆତ୍ମା ଯେ ଭଙ୍ଗୁର ଶରୀରଠାରୁ ଭିନ୍ନ । ଏ ବିଶ୍ୱାସ ଯାହାର ଅଛି, ପଞ୍ଚଭୂତର ଚିକିତ୍ସା ବିଫଳ ହେଲେ ସେ କଦାପି ଶୋଚନା କରିବ ନାହିଁ । ଓଲଟି ସେ ମରଣକୁ ନିଜର ମଙ୍ଗଳକାମୀ ବୋଲି ବରଣ କରି ଆଣିବ । ଡାକ୍ତରଙ୍କ ପାଖକୁ ଦଉଡ଼ିବାଠାରୁ ସେ ନିଜେ ନିଜର ଡାକ୍ତର ହେବା ଉଚିତ ବୋଲି ମଣିବ-। ଆମର ହାଡ଼ ମାଂସର ଆଧାର ଭିତରେ ଯେ ଆତ୍ମା ବିଦ୍ୟମାନ ରହିଚି, ଏ କଥା ସର୍ବଦା ମନେ ରଖିଥିବ ଏବଂ ଯେ କୌଣସି ବିପଦ ପଡ଼ିଲେ ମଧ୍ୟ ସେ ପ୍ରଥମେ ନିଜ ଅନ୍ତରର ସାହାଯ୍ୟ ଲୋଡ଼ିବ-

 

ଏପରି ମନୁଷ୍ୟର ପ୍ରତି ନିଶ୍ୱାସରେ ରାମନାମ ବିଦ୍ୟମାନ ଥିବ । ନିଦ୍ରାବସ୍ଥାରେ ମଧ୍ୟ ତା’ର ରାମ ଜାଗ୍ରତ ରହିଥିବ । ନିରନ୍ତର ଯାବତୀୟ କାର୍ଯ୍ୟରେ ରାମଙ୍କୁ ସେ ହୃଦୟ ପାଖରେ ଧରି ରଖିଥିବ । ସେଇ ରାମଙ୍କର ସାନ୍ନିଧ୍ୟରୁ ବଞ୍ଚିତ ହେବାକୁ ହିଁ ସେ ପ୍ରକୃତ ମରଣ ବୋଲି ବିଚାରିବ ।

 

ରାମଙ୍କୁ ଚିରସାଥୀ କରି ରଖିବାଲାଗି କେବଳ ସେ ପଞ୍ଚଭୂତର ସାହାଯ୍ୟ ବ୍ୟତୀତ ଆଉ କିଛି ଗ୍ରହଣ କରିବ ନାହିଁ । କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମ ଏଇ ପାଞ୍ଚୋଟି ଉପାଦାନରୁ ଅତି ସରଳ ଓ ସହଜ ଉପାୟରେ ସେ ଯଥାସମ୍ଭବ ଉପକାର ପାଇବାକୁ ଚେଷ୍ଟା କରିବ । ଅବଶ୍ୟ ଏହାକୁ ରାମନାମର ସହଚିକିତ୍ସା ବୋଲି କୁହାଯାଇ ପାରିବନାହିଁ । ରାମନାମର ଉପଲବଧି ଲାଗି ଏହା କେବଳ ସାଧନ ମାତ୍ର । ରାମନାମର କୌଣସି ସାହାଯ୍ୟ ଲୋଡ଼ା ନାହିଁ । କିନ୍ତୁ ଏଣେ ରାମନାମରେ ବିଶ୍ୱାସ ଅଛି ବୋଲି ସମସ୍ତଙ୍କୁ କହିବ, ତେଣେ ଡାକ୍ତରଙ୍କ ପାଖକୁ ଦଉଡ଼ିବାରେ ଲାଗିଥିବ, ଦି’କଥା ଏକାଠି ଚଳିବ କେମିତି ?

 

ଜଣେ ବନ୍ଧୁ ରାମନାମ ବିଷୟରେ ମୋର ମତାମତ ପଢ଼ି ମୋ ପାଖକୁ ଲେଖିଥିଲେ ଯେ ଶରୀରର ନୂଆ କଳେବର ପାଇଁ ରାମନାମ ଯାଦୁ ପରି କାମ ଦିଏ । ସେ ବନ୍ଧୁ ନାନା ଧର୍ମଶାସ୍ତ୍ରରେ ପାରଦର୍ଶିତା ଲାଭ କରିଚନ୍ତି, ବ୍ରହ୍ମଚର୍ଯ୍ୟ ପାଳନକୁ ଅନେକ ସଞ୍ଚିତ ସମ୍ପଦ ସଙ୍ଗରେ ତୁଳନା କରିଚନ୍ତି; କିନ୍ତୁ କେବଳ ରାମନାମହିଁ ଏହାକୁ ହ୍ରାସହୀନ ଆଧ୍ୟାତ୍ମିକ ଶକ୍ତିର ସତତ ବହମାନ ଉତ୍ସରେ ପରିଣତ କରିପାରିବ ଓ ଜୀବନକୁ ଯେ କୌଣସି ପତନ ମୁଖରୁ ମଧ୍ୟ ରକ୍ଷା କରିପାରିବ ।

 

ରକ୍ତ ନଥିଲେ ଯେମିତି ଶରୀରରକ୍ଷଣ ଅସମ୍ଭବ, ସେହିପରି ବିଶ୍ୱାସର ଅପୂର୍ବ ଓ ଶୁଦ୍ଧ ଶକ୍ତିହିଁ ଆତ୍ମାକୁ ଜାଗ୍ରତ ରଖିପାରିବ । ଏଇ ଶକ୍ତି ଦ୍ୱାରାହିଁ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ନୂତନ ବଳରେ ସତେଜ ହୋଇ ଉଠିବ । ସେଥିଲାଗି ରାମନାମକୁ ହୃଦୟରେ ରଖିପାରିଲେ ମନୁଷ୍ୟର ପୁନର୍ଜନ୍ମ ହୁଏ ବୋଲି ଅନେକ କହିଥାନ୍ତି । ଆବାଳବୃଦ୍ଧବନିତା ସମସ୍ତଙ୍କ ଲାଗି ଏହି ପୁନର୍ଜନ୍ମ ସମ୍ଭବ ହୋଇ ପାରିବ ।

 

ପାଶ୍ଚାତ୍ୟରେ ମଧ୍ୟ ଏପରି ବିଶ୍ୱାସ ରହିଆସିଚି । ଖ୍ରୀଷ୍ଟୀୟ ବିଜ୍ଞାନମାନ ଏସବୁର ସୂଚନା ଅନେକ ସମୟରେ ଦେଇଥାଏ ।

 

ସନାତନକାଳରୁ ଭାରତବର୍ଷରେ ଏଇ ବିଶ୍ୱାସର ପ୍ରୟୋଗ ହୋଇ ଆସିଚି । ତେଣୁ ସେଥିପାଇଁ ସେ ପାଶ୍ଚାତ୍ୟଜଗତର ସମର୍ଥନ ଖୋଜିବାକୁ ଯିବ କାହିଁକି ?

 

–ହରିଜନ, ତା୨୯.୦୬.୧୯୪୭

Image

 

ରାମ କିଏ ?

 

ପ୍ରଶ୍ନ-‘ରାମ’ କହିଲେ ରାଜା ଦଶରଥଙ୍କ ପୁଅକୁ ବୁଝାଏ ନାହିଁ । ମାତ୍ର ଜଗତ୍‍କର୍ତ୍ତା ପରମେଶ୍ୱରଙ୍କୁ ବୁଝାଏ, ଏ କଥା ଆପଣ ଅନେକ ବାର କହିଚନ୍ତି । କିନ୍ତୁ ଆପଣଙ୍କର ରାମଧୂନ ଭଜନରେ ତ ‘ସୀତାରାମ’ ଓ ‘ରାଜାରାମ’ର ବ୍ୟବହାର ହୋଇଚି । ଭଜନ ଶେଷରେ ମଧ୍ୟ ସୀତାପତି ରାମଚନ୍ଦ୍ରଙ୍କର ଜୟକାର କରାଯାଇଚି। ଦଶରଥଙ୍କର ପୁଅ ନ ହେଲେ ଏ ରାମ ଆଉ କିଏ ହୋଇପାରନ୍ତି?

 

ଉତ୍ତର–ଆଗରୁ କେତେଥର ଏ ପ୍ରଶ୍ନର ଆଲୋଚନା ହୋଇଯାଇଚି । ବର୍ତ୍ତମାନ ପ୍ରଶ୍ନଟିର ବୈଶିଷ୍ଟ୍ୟ ଏହି ଯେ, ଏଥିରେ ଉତ୍ତର ଲାଗି ଦାବୀ କରାଯାଇଚି । ରାମଧୂନ ଭଜନରେ ରାଜାରାମ ଓ ସୀତାରାମ ଶବ୍ଦ ବାରବାର ବ୍ୟବହାର ହୁଏ । ଏ ରାମ କ’ଣ ଦଶରଥଙ୍କ ପୁଅ ରାମଚନ୍ଦ୍ରଙ୍କଠାରୁ ଅଲଗା ? ତୁଳସୀ ଦାସ ଏହାର ଜବାବ ଦେଇଚନ୍ତି । ଏଠି ମୋର ମତ ମଧ୍ୟ ମୁଁ ଲେଖୁଚି । ମଣିଷ ରାମଙ୍କଠାରୁ ରାମନାମର ମାହାତ୍ମ୍ୟ ବେଶି । ହିନ୍ଦୁଧର୍ମର ଅଗାଧ ସାଗରଭିତରେ ଅସରନ୍ତି ମଣିମୁକ୍ତା ରହିଚି । ଯିଏ ଯେତେ ଗଭୀରକୁ ବୁଡ଼ିପାରିବ, ସିଏ ସେତେ ରତ୍ନର ଅଧିକାରୀ ହେବ । ହିନ୍ଦୁ ଧର୍ମରେ ଭଗବାନଙ୍କର ଅନେକ ନାମ ଅଛି । ହଜାର ହଜାର ଲୋକ ରାମ ଓ କୃଷ୍ଣଙ୍କୁ ଇତିହାସର ମଣିଷ ବୋଲି ମଣନ୍ତି । ଦଶରଥଙ୍କ ପୁଅ ହୋଇ ରାମଚନ୍ଦ୍ର ଇହଧାମରେ ଅବତରଣ କରିଥିଲେ ଓ ତାଙ୍କୁ ହିଁ ପୂଜିଲେ ଯେ ମୁକ୍ତି ପାଇପାରିବ, ଏପରି ଦୃଢ଼ବିଶ୍ୱାସ ସେମାନଙ୍କର ଅଛି । କୃଷ୍ଣଙ୍କ ବିଷୟରେ ମଧ୍ୟ ଅବିକଳ ଏଇକଥା କୁହାଯାଇପାରେ । କାକର ଗତି ଅନୁସାରେ ଇତିହାସ, କଳ୍ପନା ଓ ସତ୍ୟ ଘଟଣା ସବୁ ଗୋଳେଇ ଘାଣ୍ଟି ହୋଇ ଯାଇଚି । ବର୍ତ୍ତମାନ ତାକୁ ସବୁ ପରସ୍ପରଠାରୁ ଅଲଗା କରିବା କାହାରି ପକ୍ଷରେ ସମ୍ଭବ ନୁହେଁ । ଭଗବାନଙ୍କୁ କାଳେ କାଳେ ଯେତେ ନାମ ଓ ଯେତେ ରୂପରେ ଭଜନ କରାଯାଇଚି, ଏଇ ନିରାକାର ଓ ନିଖିଳବ୍ୟାପୀ ରାମଙ୍କୁ ବୁଝାଇବା ପାଇଁ ମୁଁ ସବୁଗୁଡ଼ିକୁ ଗ୍ରହଣ କରି ନେଇଚି । ତେଣୁ ସୀତାପତି ରାମ ବା ଦଶରଥଙ୍କର ପୁତ୍ର ରାମ ବୋଲି କହିଲେ ମୁଁ କେବଳ ସେହି ସର୍ବଶକ୍ତିମାନ୍‍ ମୂଳସତ୍ତାକୁ ବୁଝେ । ସେଇ ସତ୍ତାର ନାମକୁ ହୃଦୟ ଭିତରେ ଗାରପରି ଖୋଦି ପାରିଲେ ଜୀବର ମାନସିକ, ନୈତିକ ଓ ଶାରୀରିକ ସମସ୍ତ ଦୁଃଖ ଦୂର ହୋଇଯାଏ ।

 

–ହରିଜନ, ତା୦୨.୦୬.୧୯୪୬

Image

 

ମୋ ରାମ

 

ଦିଲ୍ଲୀର ଏକ ପ୍ରାର୍ଥନା ପର ବକ୍ତୃତାରେ ‘ରାମଧୂନ’ ବିଷୟରେ କହିଲେ—

 

ଗୀତା ଶ୍ଳୋକ ସବୁ ସଂସ୍କୃତରେ ଲେଖାଯାଇଥିବାରୁ ସମସ୍ତେ ହୁଏ ତ ତାହା ଉଚ୍ଚାରଣରେ କଷ୍ଟବୋଧ କରିପାରନ୍ତି; କିନ୍ତୁ ‘ରାମଧୂନ’ ବୋଲିବାରେ ସମସ୍ତେ ଭାଗ ନେଇପାରିବେ । ତାଳ ସହିତ ‘ରାମଧୂନ’ର ଗୁଣଗାନ ପ୍ରାର୍ଥନାର ସବୁଠାରୁ ସରଳ ପ୍ରଣାଳୀ ।

 

ଅହିନ୍ଦୁମାନେ ଏଥିରେ କିପରି ଭାଗ ନେଇପାରିବେ ଏହି ପ୍ରଶ୍ନର ଉତ୍ତରରେ କହିଲେ—

 

‘ରାମ’ ବା ‘ରାମନାମ’ର ଉଚ୍ଚାରଣ କେବଳ ହିନ୍ଦୁମାନଙ୍କ ପାଇଁ । ମୁସଲମାନମାନେ ସେଥିରେ ଭାଗ ନେଇ ପାରିବେ କିପରି ? ଏହି ଆପତ୍ତି ଶୁଣିଲେ ମନେ ମନେ ମୁଁ ହସେ । ପ୍ରକୃତରେ କ’ଣ ମୁସଲମାନମାନଙ୍କ ପାଇଁ ଏକ ଈଶ୍ୱର ଏବଂ ହିନ୍ଦୁ, ପାର୍ସୀ ବା ଖ୍ରୀଷ୍ଟିୟାନମାନଙ୍କ ପାଇଁ ଆଉ ଏକ ଈଶ୍ୱର ? ନା, ତାହା ହୋଇ ନପାରେ । ସର୍ବ ଶକ୍ତିମାନ୍ ସର୍ବଦା ବିଦ୍ୟମାନ କେବଳ ଏକ ଈଶ୍ୱର ରହିଚନ୍ତି । ସେ ବହୁ ନାମରେ ଅଭିହିତ । ଯେଉଁ ନାମଟା ଆମକୁ ଭଲ ଲାଗିଥାଏ ସେହି ନାମରେ ଆମେ ତାଙ୍କୁ ସ୍ମରଣ କରିଥାଉ । *ମୋ ‘ରାମ’ ଅର୍ଥ ଆମ ପ୍ରାର୍ଥନାବିଷୟୀ ଭୂତ ‘ରାମ’ ଅଯୋଧ୍ୟାର ରାଜା ଦଶରଥଙ୍କର ପୁତ୍ର ସେହି ଐତିହାସିକ ‘ରାମ’ ନୁହନ୍ତି-। ସେ ହେଉଛନ୍ତି ଶାଶ୍ୱତ, ଅଯୋନିସମ୍ଭୁତ, ଅଦ୍ୱିତୀୟ । କେବଳ ତାଙ୍କୁ ହିଁ ମୁଁ ପୂଜା କରେ, ତାଙ୍କରି ସହାୟ ଲୋଡ଼େ ଆଉ ଆପଣମାନଙ୍କର ଏହାହିଁ କରିବା ଉଚିତ । ସେ ସମାନ ଭାବରେ ସମସ୍ତଙ୍କର-। ତାଙ୍କର ନାମ ଉଚ୍ଚାରଣ କରିବା ପାଇଁ ମୁସଲମାନ ବା ଆଉ କେହି କାହିଁକି ଯେ ଆପତ୍ତି କରିବେ ତା’ର କାରଣ ମୁଁ ବୁଝି ପାରୁନାହିଁ । କିନ୍ତୁ ଏହା ବୋଲି ମୁଁ ତାଙ୍କୁ ‘ରାମନାମ’ ସାହାଯ୍ୟରେ ଈଶ୍ୱରଙ୍କୁ ଚିହ୍ନିବାକୁ କହୁନାହିଁ । ପ୍ରାର୍ଥନା ସଭାର ମାଧୁରିକୁ ନଷ୍ଟ ନ କରି ସେ ମନେ ମନେ ଆଲ୍ଲା ବା ଖୁଦା ଯେ କୌଣସି ନାମ ମନେ ମନେ ନେଇପାରନ୍ତି ।

 

–ହରିଜନ, ତା୨୮.୦୪.୧୯୪୬

 

ମାସିମ୍‍ପୁର (ପୂର୍ବବଙ୍ଗ) ଏକ ପ୍ରାର୍ଥନା ସଭା ବକ୍ତୃତାରେ ଗାନ୍ଧିଜୀ କହିଲେ :–

 

‘ରାମନାମ’ ଈଶ୍ୱର ବା ‘ଖୁଦା’ଙ୍କର ଅନ୍ୟ ଏକ ନାମ । ମୋର ମୁସଲମାନ ଭାଇମାନେ ଏହା ଭଲରୂପେ ବୁଝନ୍ତୁ ଯେ, ହିନ୍ଦୁ ମୁସଲମାନ, ଖ୍ରୀଷ୍ଟୀଆନ, ପାର୍ସୀ ବା ପୃଥିବୀର ଅନ୍ୟ ଯେ କୌଣସି ସଂପ୍ରଦାୟର ଈଶ୍ୱର ଏକ । ମୋ ପକ୍ଷରେ ସବୁ ଧର୍ମର ସମାନ ସ୍ତରର । ବିଭିନ୍ନ ଧର୍ମ ଗୋଟିଏ ଗଛର ବିଭିନ୍ନ ପତ୍ର ପରି । –ପ୍ରକାଶିତ ସମ୍ୱାଦ, ତା ୦୮.୦୧.୧୯୪୭ର ।

 

ତୁମର ତାଙ୍କଠାରେ ବିଶ୍ୱାସ ନାହିଁ ବୋଲି କହିପାର । ତାଙ୍କର ଇଚ୍ଛା ବିନା ଥରେ ହେଲେ ନିଶ୍ୱାସ ଗ୍ରହଣ କରି ଯେ ପାରିବ ନାହିଁ, ଏ କଥା ତୁମେ ଜାଣନା । ଈଶ୍ୱର, ଆଲ୍ଲା, ଗଡ଼ ଯାହାବୋଲି ତାଙ୍କୁ ଡାକ ଅଗଣିତ ମାନବ ସମାଜ ପରି ତାଙ୍କର ବଡ଼ ଆଉ କେହି ନାହିଁ । ସେ କାଳହୀନ ନିରାକାର ଓ ନିଷ୍ପାପ । ଏହିଭଳି ହେଉଛନ୍ତି ମୋ ‘ରାମ’ । ସେ ଏକାକେ ହିଁ ମୋ ସ୍ୱାମୀ, ମୋର ପ୍ରଭୁ ।

 

–ହରିଜନ, ତା୨୪.୧୧.୧୯୪୬

Image

 

ଦଶରଥନନ୍ଦନ-ରାମ

 

ଜଣେ ଆର୍ଯ୍ୟ-ସମାଜବାଲା ଲେଖିଚନ୍ତି–ରାମଙ୍କୁ ଆପଣ ଅମର ବୋଲି କହୁଚନ୍ତି । ତେବେ ଅମର ରାମ କିପରି ଦଶରଥଙ୍କ ପୁଅ ବା ସୀତାଙ୍କର ପତି ହୋଇ ପାରିବେ ? ଆପଣଙ୍କର ପ୍ରାର୍ଥନାସଭାରେ ବସିଲାବେଳେ ମୋ ମନରେ ସବୁବେଳେ ଏଇ ଦ୍ୱନ୍ଦଟି ଲାଗିଥାଏ ଏବଂ ଏଇ କାରଣରୁ ମୁଁ ରାମଧୂନରେ ଯୋଗ ଦେଇପାରେ ନାହିଁ । ଏହାଦ୍ୱାରା ମୋ ମନରେ ବଡ଼ ଆଘାତ ଲାଗେ । କାରଣ ଆପଣଙ୍କ ସହିତ ମୁଁ ଏକମତ ଯେ, ପ୍ରାର୍ଥନାସଭାରେ ଉପସ୍ଥିତ ସମସ୍ତଙ୍କର ରାମଧୂନରେ ଯୋଗଦେବା ଉଚିତ । ସମସ୍ତେ ନିର୍ଦ୍ଦ୍ୱନ୍ଦରେ ଯୋଗ ଦେଇପାରିବା ପାଇଁ ଆପଣ ରାମଧୂନକୁ ଟିକିଏ ବଦଳାଇ ଦେଲେ ଭଲ ହୁଅନ୍ତା ନାହିଁ ?

 

ଏ ବିଷୟରେ ଆଗରୁ ମୁଁ ବିଶଦ ଜବାଦ ଦେଇ ସାରିଚି । ନିଜର ଅନ୍ତରକୁ ନିର୍ମଳ କରି ଯିଏ ତାଳ ଧରି ଗାଇ ପାରିବ, କେବଳ ସିଏ ରାମଧୂନ ବୋଲି ପାରିବ । ଅନ୍ୟମାନଙ୍କର ସେତେବେଳେ ନୀରବ ରହିବା ଉଚିତ; କିନ୍ତୁ ଏଇଟା ସେତେ ବଡ଼ କଥା ନୁହେଁ । ଅସଲ ପ୍ରଶ୍ନ ହେଉଚି ଦଶରଥ ପୁତ୍ର ରାମଚନ୍ଦ୍ରଙ୍କୁ ଅମର ବୋଲି କୁହାଯାଇପାରିବ କି ନାହିଁ । ତୁଳସୀ ଦାସ ମଧ୍ୟ ଏଇ ପ୍ରଶ୍ନର ଆଲୋଚନାକରି ତା’ର ଉତ୍ତର ଦେଇଚନ୍ତି । ସେ ଉତ୍ତରକୁ ହୁଏ ତ କେବଳ ତର୍କଶୁଦ୍ଧ ବୁଦ୍ଧି ଦ୍ୱାରା ବୁଝିହେବ ନାହିଁ । ସେଠି ନିଜର ଅନ୍ତର ଡେରି ଆଉ ଗୋଟିଏ ଅନ୍ତରର କଥା ଶୁଣିବାକୁ ପଡ଼ିବ । ପ୍ରଥମ ଜୀବନରେ ମୁଁ ରାମଙ୍କୁ ସୀତାପତି ଭାବରେ ପୂଜିଥିଲି । କିନ୍ତୁ ମୋର ଜ୍ଞାନ ଓ ପୃଥିବୀର ଅନ୍ୟ ଯେ କୌଣସି ସଂପ୍ରଦାୟର ଈଶ୍ୱର ଏକ । ମୋ ପକ୍ଷରେ ସବୁ ଧର୍ମର ସମାନ ସ୍ତରର । ବିଭିନ୍ନ ଧର୍ମ ଗୋଟିଏ ଗଛର ବିଭିନ୍ନ ପତ୍ର ପରି ।–ପ୍ରକାଶିତ ସମ୍ୱାଦ, ତା ୦୮.୦୧.୧୯୪୭ର ।

 

ତୁମର ତାଙ୍କଠାରେ ବିଶ୍ୱାସ ନାହିଁ ବୋଲି କହିପାର । ତାଙ୍କର ଇଚ୍ଛା ବିନା ଥରେ ହେଲେ ନିଶ୍ୱାସ ଗ୍ରହଣ କରି ଯେ ପାରିବ ନାହିଁ, ଏ କଥା ତୁମେ ଜାଣନା । ଈଶ୍ୱର, ଆଲ୍ଲା, ଗଡ଼ ଯାହାବୋଲି ତାଙ୍କୁ ଡାକ ଅଗଣିତ ମାନବ ସମାଜ ପରି ତାଙ୍କର ନାମ ମଧ୍ୟ ଅସଂଖ୍ୟ । ସେ ଏକ ଓ ଅଦ୍ୱିତୀୟ । ସେ ହିଁ କେବଳ ମହାନ୍ । ତାଙ୍କଠାରୁ ବଡ଼ ଆଉ କେହି ନାହିଁ । ସେ କାଳହୀନ ନିରାକାର ଓ ନିଷ୍ଠାପ । ଏହିଭଳି ହେଉଛନ୍ତି ମୋ ‘ରାମ’ । ଯେ ଏକାକେ ହିଁ ମୋର ସ୍ୱାମୀ, ମୋର ପ୍ରଭୁ ।

 

–ହରିଜନ, ତା ୨୪.୧୧.୧୯୪୬

 

ଅନୁଭୂତି ବଢ଼ିବା ସଙ୍ଗେ ସଙ୍ଗେ ମୁଁ ତା ଅମର ଓ ଅନନ୍ତବ୍ୟାପୀ ବୋଲି ଜାଣିଲି । ଏ ଉତ୍ତରଜ୍ଞାନ ଦ୍ୱାରା ଯେ ରାମ ଆଉ ସୀତାପତି ହୋଇ ରହିଲେ ନାହିଁ, ତା’ନୁହେଁ; କେବଳ ରାମଙ୍କ ବିଷୟରେ ମନର ଦୃଷ୍ଟି ବଢ଼ିବା ସଙ୍ଗେ ସଙ୍ଗେ ସୀତାପତିର ଅର୍ଥ ଅଧିକ ବିସ୍ତୃତ ହୋଇଗଲା । ଏହପରି ପୃଥିବୀର ପରିସର ମଧ୍ୟ ଦିନୁଁ ଦିନ ବିସ୍ତୃତ ହୋଇ ଚାଲିଚି । ଯିଏ ରାମଙ୍କୁ କେବଳ ଦଶରଥ ନନ୍ଦନ ବୋଲି ଦେଖିବ, ସେ କଦାପି ତାଙ୍କୁ ବିଶ୍ୱବ୍ୟାପୀ ବୋଲି ବୁଝିପାରି ନାହିଁ । କିନ୍ତୁ ରାମଙ୍କୁ ପରମେଶ୍ୱର ବୋଲି ଦେଖିବା ଲୋକର ଆଖିରେ ସର୍ବବ୍ୟାପୀ ରାମଙ୍କର ପିତା ଦଶରଥ ମଧ୍ୟ ସର୍ବବ୍ୟାପୀ ହୋଇଯିବେ । ପିତା ଓ ପୁତ୍ରର ସମନ୍ୱୟ ହୋଇଯିବ । ଅବଶ୍ୟ ଏ ସବୁକୁ କେବଳ କଳ୍ପନା ବୋଲି କୁହାଯାଇପାରେ । ଯାହାର ମନ ଯେଡ଼େ, ତା’ର ପ୍ରଭୁ ସେଡ଼େ–ମୁଁ କେବଳ ଏତିକି କହୁଚି । ସବୁ ଧର୍ମର ଆଦିମୂଳ ଏକବୋଲି ବିଶ୍ୱାସ କଲେ ଆମକୁ ସବୁ ଧର୍ମର ସମନ୍ୱୟ କରିବାକୁ ହେବ । ଆଜି ଆମେ ବିଭିନ୍ନ ଧର୍ମକୁ ଭିନ୍ନ ଭିନ୍ନ କରି ଦେଖୁଚୁ ବୋଲି ମଣିଷ ମଣିଷରେ ହଣାହଣି ଲାଗିଚି । ଧର୍ମବାଟରେ ଥକି ପଡ଼ିଲେ ଆମ ଭଗବାନଙ୍କଠାରେ ବିଶ୍ୱାସ ହରାଇ ବସୁ । ସେତେବେଳେ ଭଗବାନ ଆମ ମନରୁ ପାସୋରି ଯାଆନ୍ତି । କେବଳ ସ୍ୱାର୍ଥହିଁ ଆମକୁ ଚଉଦ ଭୁବନ ପରି ଦିଶେ । କିନ୍ତୁ ଧର୍ମର ସାର ବୁଝିବାର ଶକ୍ତି ହାସଲ କରି ପାରିଲେ ଆମ୍ଭର ଛୋଟ ସ୍ୱାର୍ଥର ବନ୍ଧ ସର୍ବସାର ଆଦିମୂଳ ଈଶ୍ୱରଙ୍କ ଆଗରେ କୁଆଡ଼େ ମିଳେଇ ଯାଏ । ସେତେବେଳେ ଅନାଗତ ଅବିନଶ୍ୱର ଭଗବାନଙ୍କ ଭିତରେ ଆମେ ସମସ୍ତଙ୍କୁ ପ୍ରତ୍ୟକ୍ଷ କରୁ । ସେଇ ଦଶରଥନନ୍ଦନ, ସେଇ ସୀତାପତି, ସେଇ ଭରତ ଓ ଲକ୍ଷ୍ମଣଙ୍କର ବଡ଼ ଭାଇ-ସେଇ ପୁଣି କେହି ନୁହନ୍ତି, କେବଳ ଭଗବାନ-। ତେଣୁ ରାମଚନ୍ଦ୍ରଙ୍କୁ ଦଶରଥ ତନୟ ବୋଲି ବିଶ୍ୱାସ ନ କରି ମଧ୍ୟ ଯେଉଁମାନେ ସମୂହ ପ୍ରାର୍ଥନାରେ ଯୋଗ ଦେବାକୁ ଆସନ୍ତି, ସେମାନେ ମଧ୍ୟ ଉଚିତ ଭକ୍ତିର ନିଦର୍ଶନ ଦେଖାନ୍ତି । ଏଇ ରାମପ୍ରସଙ୍ଗ ନିରୋକା ବୁଦ୍ଧିର ଅଗମ୍ୟ । ମୁଁ କେବଳ ମା’ର ବିଶ୍ୱାସକୁ ଏଠି ପାଠକଙ୍କୁ ବୁଝାଇବାର ଚେଷ୍ଟା କରିଚି ମାତ୍ର ।

 

–ହରିଜନ, ତା୨୨.୦୯.୧୯୪୬

Image

 

ଆଧ୍ୟାତ୍ମିକ ଅଭ୍ୟାସ

 

ଗାନ୍ଧିଜୀ କୌଣସି ଅଧାତ୍ମିକ ଅଭ୍ୟାସ କରନ୍ତି କି ନାହିଁ ଜଣେ ମିସନାରୀ ବନ୍ଧୁଙ୍କ ଏହି ପ୍ରଶ୍ନର ଉତ୍ତରରେ ସେ କହିଲେ—

 

ଯୋଗାଭ୍ୟାସ ପଥରେ ମୁଁ ଜଣେ ଆଗନ୍ତୁକ ଭଳି । ମୁଁ ଯେଉଁ ଅଭ୍ୟାସ କରେ, ତାହା ପିଲାଦିନରୁ ମୋ ଧାଈମାଠାରୁ ଶିଖିଥିବା ଅଭ୍ୟାସ । ମୋର ପିଲାଦିନେ ଭୂତ ପ୍ରେତର ଭୟ ଥିଲା । ମୋର ଧାଈମା ମତେ କହେ, ‘‘ଭୂତ ପ୍ରେତ କିଛି ନାହିଁ । ତୁ ଯଦି ଭୟ କରୁଛୁ, ତେବେ ବାପ, ‘ରାମନାମ’ ଜପ କର ।’’ ମୁଁ ଯାହା ପିଲାଦିନେ ଶିଖିଥିଲି ତାହା ଆଜି ମୋ ମନରାଜ୍ୟର ଏକ ବିରାଟ ବସ୍ତୁ ହୋଇ ପଡ଼ିଛି । ମୋ ଜୀବନର ଅମା ଅନ୍ଧକାରକୁ ଏହା ସୂର୍ଯ୍ୟପରି ଆଲୋକିତ କରିଚି-। ଯୀଶୁଙ୍କ ନାମ ଜପକରି ଜଣେ ମୁସଲମାନ ମଧ୍ୟ ଏହି ଶାନ୍ତି ପାଇ ପାରେ । ଏସବୁ ସମାନ ଅର୍ଥ ପ୍ରକାଶ କରନ୍ତି ଓ ସମ ପରିସ୍ଥିତିରେ ସମାନ ଫଳ ଦେଇଥା’ନ୍ତି । କିନ୍ତୁ ଜପ କେବଳ ମୁହଁର ଉଚ୍ଚାରଣ ହେବା ଉଚିତ ନୁହେଁ । ଏହା ଅନ୍ତରାତ୍ମାରେ ଅଂଶ ବିଶେଷ ହେବା ଉଚିତ-

 

–ହରିଜନ, ତା୦୫.୧୨.୧୯୩୬

Image

 

ମୁଁ ୧୨୫ ବର୍ଷ ବଞ୍ଚିବାକୁ କାହିଁକି ଇଚ୍ଛାକରେ ?

 

ସେ କାହିଁକି ୧୨୫ ବର୍ଷ ବଞ୍ଚିବାକୁ ଇଚ୍ଛା କରନ୍ତି, ଭାରତର ୟୁନାଇଟେଡ଼୍ ପ୍ରେସ୍‍ର ପ୍ରତିନିଧି ଶ୍ରୀ ଶୈଳେନ୍ଦ୍ରନାଥ ଚଟ୍ଟେପାଧ୍ୟାୟଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗାନ୍ଧିଜୀ କହିଲେ–

 

୧୯୪୨ ମସିହା ଅଗଷ୍ଟ ୮ ତାରିଖରେ ବମ୍ବେଠାରେ ନିଖିଳ ଭାରତ କଂଗ୍ରେସ କମିଟିର ବୈଠକରେ ବକ୍ତୃତା ଦେଉଥିବା ବେଳେ ୧୨୫ ବର୍ଷ ବୟସ ବଞ୍ଚିବାର ଧାରଣା ମୋ ମନକୁ ପ୍ରଥମେ ଆସିଥିଲା । ଘରୋଇ ଭାବରେ କଥାବାର୍ତ୍ତା କରୁଥିବା ସମୟରେ ପୂର୍ବରୁ ହୁଏ ତ ମୁଁ କେବେ ଏହା କାହାରିକୁ କହିଥିଲି, ତାହା କିନ୍ତୁ ମୋର ମନେ ନାହିଁ ।

 

ମୋଟେ ୧୮ଟି ମନ୍ତ୍ର ଥିବା ‘ଈଶୋପନିଷଦ’ର ମୁଁ ଗୋଟିଏ ସବୁଦିନିଆ ଛାତ୍ର । ପ୍ରଥମ ୯ଟି ମନ୍ତ୍ରରେ ଯାହା ଲେଖାଅଛି, ତାହାର ସାର ମର୍ମ୍ମ ହେଉଛି, ଦୁନିଆରେ ସେବାପରାୟଣ ବ୍ୟକ୍ତି କେବଳ ୧୨୦ ବା ୧୨୫ ବର୍ଷ ବଞ୍ଚିବାକୁ ଇଚ୍ଛା କରିବା ଉଚିତ୍ । ମୂଳଲେଖାରେ ଯେଉଁ ଶବ୍ଦଟି ଅଛି ତା’ର ଅର୍ଥ ‘ଶତ’; କିନ୍ତୁ ମୁଁ ଅନ୍ୟ ଏକ ଭାଷ୍ୟରୁ ସେହି ଶବ୍ଦର ୧୨୦ ବା ୧୨୫ ବୋଲି ଜାଣି ପାରିଛି । ମୋ ଜୀବନର ନିରୂପିତ କର୍ତ୍ତବ୍ୟକୁ ଶେଷ କରିବା ପାଇଁ ସବୁଠାରୁ ଯେଉଁ ବେଶୀ ସମୟ ଦରକାର ସେତିକି ବର୍ଷ ବଞ୍ଚିବା ପାଇଁ ମୋର ଏକାନ୍ତ ଇଚ୍ଛା ଥିବାରୁ ମୁଁ ଜାଣି ଶୁଣି ଉକ୍ତ ସଭାରେ ବେଶୀ ବର୍ଷ ବଞ୍ଚିବା ପାଇଁ ମୋର ଏକାନ୍ତ ଇଚ୍ଛା ଥିବାରୁ ମୁଁ ଜାଣି ଶୁଣି ଉକ୍ତ ସଭାରେ ବେଶୀ ବର୍ଷ ବଞ୍ଚିବା କଥା କହିଥିଲି । ଏଭଳି ଇଚ୍ଛା ପ୍ରକାଶ କରିବାଟା ମୋର ବିଶ୍ୱାସ ଅନୁଯାୟୀ କାମ କରିବାର ପୁରୁଣା ଅଭ୍ୟାସର ଅଭିବ୍ୟକ୍ତି ମାତ୍ର ।

 

ଜଣେ ପ୍ରାକୃତିକ ଚିକିତ୍ସାବିତ୍ ହିସାବରେ ପୂର୍ଣ୍ଣ ଜୀବନକାଳ ବଞ୍ଚିବାର ସମ୍ଭାବନାରେ ମୋର ବିଶ୍ୱାସ ଅଛି । ମୁଁ ଜାଣେ ଡାକ୍ତର ଦୃଷ୍ଟିରୁ ବିଚାର କଲେ ଆଶା ଅବଶ୍ୟ ଖୁବ୍ କମ । କାରଣ ମୁଁ ପ୍ରକୃତିର ପଥ ସବୁ ସମୟରେ ଅନୁସରଣ କରି ନାହିଁ । ଦକ୍ଷିଣ ଆଫ୍ରିକାରେ ପ୍ରାୟ ୧୯୦୩ ମସିହାରେ ମୁଁ ଏହି ପନ୍ଥାକୁ ଦୃଢ଼ ଭାବରେ ପାଳନ କରିବାପାଇଁ ଆରମ୍ଭ କଲି । ବାଲ୍ୟ ବିବାହ ହେତୁ ବ୍ରହ୍ମଚର୍ଯ୍ୟହୀନ ଜୀବନ ପୂର୍ଣ୍ଣ ଜୀବନକାଳ ବଞ୍ଚିବାର ଗୋଟିଏ ପ୍ରତିବନ୍ଧକ । ଅନ୍ୟ ସବୁ ବିଷୟ ପରି ପ୍ରାକୃତିକ ଚିକିତ୍ସା ବିଷୟରେ ମୋର ଧାରଣା ଏକ ବିକାଶମୂଳକ ବିବର୍ତ୍ତନ ମଧ୍ୟ ଦେଇ ଗତି କରିଛି । ବହୁବର୍ଷ ଧରି ମୋର ବିଶ୍ୱାସ ହୋଇ ଆସିଛି ଯେ, ଯଦି କେହି ନରନ୍ତର ନିଜ ଭିତରେ ଭଗବତ୍‍ସତ୍ତା ଅନୁଭବ କରେ ଓ ତଦନୁସାରେ ସ୍ଥିତଧୀ ଅବସ୍ଥାକୁ ଯାଏ, ସେ ଦୀର୍ଘ ଜୀବନର ଯାବତୀୟ ବାଧାକୁ ଏଡ଼ିଦେଇ ପାରିବ । ପ୍ରତ୍ୟକ୍ଷ ଅନୁଭୂତି ଓ ଧର୍ମଗ୍ରନ୍ଥ ପାଠଦ୍ୱାରା ମୁଁ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ, ଅଦୃଷ୍ଟ ଶକ୍ତିରେ ପୂର୍ଣ୍ଣ ବିଶ୍ୱାସ ରହିଲେ ଓ କାମନାକୁ ମୁକ୍ତ କଲେ ଶରୀର ଭିତରେ ମଧ୍ୟ ପରିବର୍ତ୍ତନ ଆସିବ । ଖାଲି ଇଚ୍ଛା କରିଦେଲେ ଏହା ହୁଏ ନାହିଁ । ଏଥିଲାଗି ବରାବର ସତର୍କତା ଓ ଅଭ୍ୟାସ ଦରକାର । ଏସବୁ ସତ୍ତ୍ୱେ ଭଗବତ୍ କୃପା ନ ହେଲେ ମନୁଷ୍ୟର ଚେଷ୍ଟା ନିଷ୍ଫଳ ହୋଇଯାଏ ।

 

କାମନା (କାମନା ଦ୍ୱାରା ଏଠାରେ କେବଳ ପାଶବିକ କାମ ପ୍ରବୃତ୍ତିକୁ ବୁଝାଉ ନାହିଁ । ଏହା ବ୍ୟାପକ ଅର୍ଥରେ ବ୍ୟବହାର କରାଯାଉଛି। ପାଶବିକ ପ୍ରବୃତ୍ତିକୁ ଦମନ ମଧ୍ୟ ତା’ରି ଅନ୍ତର୍ଗତ) କୁ ଜୟ କରିବା ଅତି କଷ୍ଟ ସାଧ୍ୟ । ତାହା ହୋଇ ନ ଥିଲେ ପୂର୍ଣ୍ଣ ଅହିଂସ ହେବା ଖୁବ୍ ସହଜ ହୋଇଥାଆନ୍ତା । ଅହିଂସା ହେବା ବିଷୟରେ ମୋର ସମସ୍ତ ବୁଦ୍ଧି ଓ ଚେଷ୍ଟାକୁ ପ୍ରୟୋଗ କରି ମୁଁ କେବଳ କାମନାକୁ ଦମନ କରିବା ଅବସ୍ଥାକୁ ଆସିଛି, ମାତ୍ର ପୂର୍ଣ୍ଣ କରି ପାରି ନାହିଁ । ଏହି ଶରୀର ଓ ମନ ଉପରେ ଖୁବ୍ ଚାପ ପକାଇଛି । ଦମନ ପ୍ରକୃତରେ ଦରକାର । ଏହାଦ୍ୱାରା ଅନୁଭୂତି ଯେ ନ ରହିବ, ଏପରି ନୁହେଁ । ଜୀବନ୍ତ ପ୍ରାଣୀ ସଙ୍ଗରେ ଯେ ନିଜକୁ ସମାନ ବୋଲି ମନେ କରିବ ସେ ଅବଶ୍ୟ ସମସ୍ତ ଦୁଃଖ ଯନ୍ତ୍ରଣା ଅନୁଭବ କରିବ; କିନ୍ତୁ ସେଥିରେ ଆବିଷ୍ଟ ହୋଇ ଯିବନାହିଁ ।

 

ଏହିପରି ସ୍ଥିତଧୀ ଅବସ୍ଥାରେ ଥାଇ ଯେଉଁ କାର୍ଯ୍ୟ ସବୁ କରାଯାଏ, ତାହାର ଫଳ ଯେପରି ବ୍ୟାପକ ଓ ବହୁଦୂର-ପ୍ରସାରୀ ସେହିପରି ମଧ୍ୟ ଆଶୁ ଫଳପ୍ରଦ । ସ୍ୱଭାବତଃ ଏ ଧରଣର କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଅହିଂସ । ଏହିପରି ଅବସ୍ଥା ଲାଭ କରିବା ଦୁଃସାଧ୍ୟ ହେଲେ ମଧ୍ୟ ଦୁଃଖ କରିବାର କାରଣ ନାହିଁ । ଠିକ୍ ବାଟରେ ଗତି କରୁଥିବାରୁ ମନୁଷ୍ୟ ଲକ୍ଷ୍ୟର ନିକଟବର୍ତ୍ତୀ ହେଉଥାଏ-। ତେଣୁ ମୁଁ ୧୨୫ ବର୍ଷ ବଞ୍ଚିବାକୁ ଇଚ୍ଛା କରୁଥିଲେ ତଥା ଆଶା କରୁଥିଲେ ମଧ୍ୟ ଯଦି କାଲି ଭରିଯାଏ, ତେବେ ସେଥିରେ ଯାଏ ଆସେ କଣ ? ମୋ ଭିତରେ ସେଇଥିପାଇଁ କୌଣସି ଦୁଃଖ ବା ବିଚଳିତ ଭାବ ନାହିଁ । ତେଣୁ ଶୀଘ୍ର ମୃତ୍ୟୁ ଆସି ପହଞ୍ଚିଯିବ ବୋଲି ମୁଁ ଚିନ୍ତିତ ନୁହେଁ-

 

ଦୀର୍ଘ ଜୀବନ ଲାଭ କରିବାର ସମ୍ଭାବନା ଅଛି ବୋଲି ମୋର ତାହା ଲାଭ କରିବାର ଇଚ୍ଛା କରିବା ଦ୍ୱାରା କାର୍ଯ୍ୟର ଗତିରେ ଯେ ଶିଥିଳତା ଆସୁଛି, ତା ନୁହେଁ । ବରଂ ଏଭଳି ଅଭିଳାଷ ପୂରଣ କରିବା ପାଇଁ କ୍ଷମତାଶାଳୀ ହୋଇଥିବାରୁ କାଳବିଳମ୍ୱ ନ କରି ସର୍ବଦା ଏ ମରଦେହକୁ ତ୍ୟାଗ କରିବାର ଅର୍ଥ ଏହାଦ୍ୱାରା ପ୍ରକାଶ ପାଉଛି । ଦୈନନ୍ଦିନ କର୍ତ୍ତବ୍ୟପାଳନ ଦ୍ୱାରା ଏହି ଅଭିଳାଷର ପରିପୂରଣ ଯେ ସହଜ ହେଉଅଛି, ଏହା ମଧ୍ୟ ପ୍ରକାଶ ପାଏ । ସବୁ ପ୍ରକାର ଉଦ୍ୟମ ମୃତ୍ୟୁର ସୂଚକ; କିନ୍ତୁ ମୃତ୍ୟୁ ସବୁ ପ୍ରକାର ଉଦ୍ୟମର ସମାପ୍ତି ବୁଝାଏ ନାହିଁ । ମୃତ୍ୟୁ ଯଦି ସବୁପ୍ରକାର ଉଦ୍ୟମର ସମାପ୍ତି ହେଉଥାନ୍ତା ତେବେ ଯେଉଁ ଶାଶ୍ୱତ ନିୟମକୁ ଆମେ ଈଶ୍ୱର ଆଖ୍ୟା ଦେଉଥାଉ, ତାହା ଏକ ଉପହାସର ବସ୍ତୁ ହୋଇଥାନ୍ତା । ପରଲୋକର ରହସ୍ୟ କେହି ଭେଦ କରିପାରି ନାହାନ୍ତି-। ଆମର ବିଶ୍ୱାସ ରହିବା ଉଚିତ ଯେ ଯଥାର୍ଥ ଜୀବନ ଯାପନ କରି ମରଣର ସମ୍ମୁଖୀନ ହୋଇ ପାରିଲେ, ଆମେ ମରଣ ପରେ ଏକ ଉତ୍କୃଷ୍ଟତର ଜୀବନର ଅଧିକାରୀ ହୋଇପାରିବା-

 

–ପ୍ରେସ ସମ୍ୱାଦ, ତା୧୨.୦୬.୧୯୪୫

Image

 

ଡାକ୍ତରଙ୍କଠାରୁ ବଇଦ ଭଲ

 

ଆଜିକାଲି ଡାକ୍ତରୀ ବ୍ୟବସାୟକୁ ମୁଁ ଦିନେ ଭାରି ଭଲ ପାଉଥିଲି । ଦେଶବାସୀଙ୍କ ସେବା କରିବାପାଇଁ ଏକ ଡାକ୍ତର ହେବାକୁ ମୋର ଅଭିଳାଷ ଥିଲା । ଏବେ ମୋର ଆଉ ସେ ମତ ନାହିଁ । ଆମ ବୈଦ୍ୟମାନେ ନାହିଁକି ଏଇ ସମ୍ମାନଜନକ ଅବସ୍ଥା ଲାଭ କରି ନାହାନ୍ତି ତାହା ମୁଁ ବର୍ତ୍ତମାନ ବୁଝି ପାରୁଛି ।

 

ଆମକୁ ପରାଧୀନ କରି ରଖିବା ପାଇ ଡାକ୍ତରୀ ବ୍ୟବସାୟକୁ ଠିକଣାଭାବରେ ଇଂରେଜମାନେ ପ୍ରୟୋଗ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଇଂରେଜୀ ଚିକିତ୍ସକମାନେ ଏସିଆର ନରପତିମାନଙ୍କ ପ୍ରତି ତାଙ୍କର ବ୍ୟବସାୟ ପ୍ରୟୋଗ କରିଥିବା ଜଣାଶୁଣା ।

 

ଡାକ୍ତରମାନେ ପ୍ରକୃତରେ ଆମକୁ ବାଟବଣା କରି ଦେଇଅଛନ୍ତି ବେଳେବଳେ ମୁଁ ଭାବେ ଯେ, ଖୁବ୍ ଉଚ୍ଚ ଶିକ୍ଷିତ ଡାକ୍ତରଙ୍କ ଅପେକ୍ଷା କଥାକଥିତ ଗାଁ ଗହଳର ମୂର୍ଖ ବୈଦ୍ୟ ଆହୁରି ଭଲ । ବିଚାର କରାଯାଉ–ଜଣେ ଡାକ୍ତରଙ୍କ କାମ ହେଉଛି, ଶରୀରର ଯତ୍ନ ନେବା ବା ଠିକ୍ କରି କହିଲେ ତା ବି ନୁହେଁ । ଯେଉଁସବୁ ରୋଗ ଶରୀର ପକ୍ଷରେ ଯନ୍ତ୍ରଣାଦାୟକ, ସେହିସବୁ ରୋଗରୁ ଶରୀରକୁ ମୁକ୍ତ କରିବା ହେଉଛି ସେମାନଙ୍କର କାମ । ଏସବୁ ରୋଗର ଉତ୍ପତ୍ତି କିପରି ହୁଏ ? ପ୍ରକୃତରେ ଆମର ଅସାବଧାନତା ବା ଅସଂଯତ ଆଚରଣ ଯୋଗୁଁ । ମୁଁ ବେଶୀ ଖାଇଦିଏ, ମୋର ଅଜୀର୍ଣ୍ଣ ହୁଏ, ଡାକ୍ତର ପାଖକୁ ଯାଏ, ସେ କିଛି ଔଷଧ ଦେଇଦେଲେ ମୁଁ ଭଲ ହୋଇଯାଏ । ପୁଣି ବେଶୀ ଖାଏ, ପୁଣି ଡାକ୍ତରର ବଟିକା ଗିଳିବାକୁ ପଡ଼େ । ପ୍ରଥମରୁ ଯଦି ଏଭଳି ବଟିକା ଖାଇ ନ ଥାନ୍ତି, ମୋର ଅତି ଭୋଜନ ଦୋଷର ଦଣ୍ଡ ଅବଶ୍ୟ ମୋତେ ଭୋଗିବାକୁ ପଡ଼ିଥାନ୍ତା । ଯାହା ଫଳରେ କି ମୁଁ ଆଉ କେବେ ବେଶୀ ଖାଆନ୍ତି ନାହିଁ । କିନ୍ତୁ ଡାକ୍ତର ଆସି ପହଞ୍ଚିଲେ ମୋର ଅସଂଯତ ଆଚରଣରେ ସେ ପୁଣି ସାହାଯ୍ୟ କରେ । ଶରୀର ଅବଶ୍ୟ କ୍ଷଣକାଳ ପାଇଁ ସୁସ୍ଥ ବୋଧକଲା; କିନ୍ତୁ ମୋର ମନ ଯେ ଦୁର୍ବଳ ହୋଇଗଲା । ଏଣୁ ଔଷଧ ବରାବର ଖାଇବାର ଫଳ ସ୍ୱରୂପ ଆମେ ଆମ ମନକୁ ଆୟତ୍ତ କରି ରଖିବାର କ୍ଷମତା ହରାଇବସୁ । ମୋର ଡାକ୍ତରୀ ବ୍ୟବସାୟ ସାଙ୍ଗରେ ମତଭେଦର କଥା ଏହି ଯେ, ଏହା ଆତ୍ମାପ୍ରତି ଆଦୌ ଦୃଷ୍ଟି ନଦେଇ ଏହି କ୍ଷଣଭଙ୍ଗୁର ଶରୀର ଯନ୍ତ୍ରକୁ ଖାଲି ମରାମତ କରିବାରେ ଲାଗିଥାଏ । ଅନ୍ତରାତ୍ମା ପ୍ରତି ଦୃଷ୍ଟି ନ ଦେବା ଦ୍ୱାରା ମଣିଷକୁ ସର୍ବଦା ଏଭଳି ବ୍ୟବସାୟର ଦୟା ଉପରେ ନିର୍ଭର କରିବାପାଇଁ ଏହା ଶିଖାଏ । ମନୁଷ୍ୟ ଜୀବନର ଗୌରବ ଓ ଆତ୍ମସଂଯମ କ୍ରମେ କମିଯାଏ ।

 

ବର୍ତ୍ତମାନ ପାଶ୍ଚାତ୍ୟ ଜଗତରେ ଯେଉଁ ଚିନ୍ତାଧାରାର ଲୋକେ ଧୀର ମନ୍ଥର ଗତିରେ ହେଲେ ମଧ୍ୟ ନିଶ୍ଚିତ ଭାବରେ ଆତ୍ମାକୁ ପ୍ରଥମସ୍ଥାନ ଦେଇ ଶରୀରରୁ ରୋଗ ନିବାରଣର ଚେଷ୍ଟା କରୁଚନ୍ତି ଓ ସେଇଥିପାଇଁ ଔଷଧ ଉପରେ କମ୍ ନିର୍ଭର କରି ସର୍ବଶକ୍ତିଶାଳୀ ରୋଗନିବାରକ ‘‘ପ୍ରକୃତି’’ ଉପରେ ନିର୍ଭର କରୁଚନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି ।

 

ମୁଁ ଏକ ଖରାପ କାମରେ ମତ୍ତ ହେଲି, ଫଳରେ ମୋର ଏକ ରୋଗ ସଙ୍ଗରେ ଚୁକ୍ତି ହେଲା । ଡାକ୍ତର ଜଣେ ମୋତେ ଭଲ କଲେ । ଏଥିରୁ ଏହି ଲାଭ ହେଲା ଯେ, ମୁଁ ପୁଣି ଥରେ ସେହି ଖରାପ କାମ କଲି । ଡାକ୍ତର ଏଠି ଉପସ୍ଥାପିତ ନ ହୋଇଥିଲେ ପ୍ରକୃତି ଅବଶ୍ୟ ତା’ କାମ କରିଥାନ୍ତା ଯାହା ଫଳରେ କି ମୁଁ ମୋର ପ୍ରଭୁ ହୋଇ ପାରିଥାନ୍ତି ଏବଂ ଖରାପ ପ୍ରବୃତ୍ତିରୁ ନିବର୍ତ୍ତିବା ଦ୍ୱାରା ସୁଖମୟ ଜୀବନ ଯାପନ କରିଥାନ୍ତି । ଡାକ୍ତରଯାକ ସବୁ ଗୋଟିଏ ଗୋଟିଏ ମନୁଷ୍ୟ ଶରୀରକୁ ରକ୍ଷା କରିବା ବାହାନାରେ ପ୍ରତିବର୍ଷ ହଜାର ହଜାର ଅନ୍ୟ ଜୀବ ନାଶ କରନ୍ତି । ଶରୀରକୁ ଖିନଭିନ କରି କାଟି ଦେଖିବା ସେମାନଙ୍କର ଚିକିତ୍ସା ନୀତିରେ ଅଛି । ଏହା କୌଣସି ଧର୍ମାନୁମୋଦିତ ନୁହେଁ । ଆମରି ନିଜର ଶରୀର ରକ୍ଷା କରିବା ପାଇଁ ଅନ୍ୟାନ୍ୟ ବହୁ ଜୀବର ପ୍ରାଣନାଶ ବରାବର ଅନାବଶ୍ୟକ ବୋଲି ସବୁ ଶାସ୍ତ୍ର ସ୍ୱୀକାର କରନ୍ତି ।

 

ଏହି ଡାକ୍ତରମାନେ ଆମର ଧର୍ମଗତ ବୃତ୍ତିର ବିରୁଦ୍ଧାଚରଣ କରନ୍ତି । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଅଧିକାଂଶ ଔଷଧ ଜୀବ ଚର୍ବି ବା ମଦରେ ପ୍ରସ୍ତୁତ । ଏହି ଉଭୟ ବିଧ ପ୍ରଣାଳୀ ହିନ୍ଦୁ ତଥା ମୁସଲମାନ ଧର୍ମବିରୋଧୀ । ନିଜେ ଖୁବ୍ ସଭ୍ୟ ବୋଲି ଛଳନା କରୁଁ । ଧର୍ମଗତ ବାରଣମାନଙ୍କୁ କୁସଂସ୍କାର ଆଖ୍ୟା ଦେଇ ମନଇଚ୍ଛା କାମ କରିଯାଉ । ଯଥେଚ୍ଛାଚାରୀ ହେବାକୁ ଡାକ୍ତରମାନେ ପ୍ରବର୍ତ୍ତନା ଦିଅନ୍ତି । ଫଳତଃ ଆତ୍ମସଂଯମ ହରାଇ ଆମେ ଇନ୍ଦ୍ରିୟାସକ୍ତ ହୋଇପଡ଼ୁ ଏବଂ ଦେଶସେବା କରିବା ପାଇଁ ଅଯୋଗ୍ୟ ହୋଇପଡ଼ୁ । ୟୁରୋପୀୟ ଔଷଧ ବିଷୟରେ ଗବେଷଣା କରିବା ଅର୍ଥ ଦାସତ୍ୱକୁ ବଦ୍ଧମୂଳ କରିବା ।

 

ଆମେ ଔଷଧ ବ୍ୟବସାୟ କାହିଁକି କରିବା, ଏହା ପ୍ରକୃତରେ ଭଲ ଭାବରେ ବିଚାରିବାର କଥା । ମାନବସମାଜର ସେବା ମନୋଭାବ ଘେନି ଏହାକୁ କେହି ଗ୍ରହଣ କରେନାହିଁ । ଧନ ଓ ମାନ ପାଇଁ ଆମେ ଡାକ୍ତର ହୋଇଥାଉ । ଏଭଳି ବ୍ୟବସାୟ ଦ୍ୱାରା ଯେ ଜନସମାଜର ସେବା ହୋଇପାରିବ ନାହିଁ ଓ ଏହା ଜନସମାଜ ପ୍ରତି ଯେ କ୍ଷତିକାରକ, ଏହା ଦର୍ଶାଇବାକୁ ମୁଁ ଚେଷ୍ଟା କରିଛି । ନିଜ ବୁଦ୍ଧିର ବାହାଦୂରୀ ଦେଖାଇ ଡାକ୍ତରମାନେ ଅଧିକ ଜରସମନ ନେଇଥାନ୍ତି । ଯେଉଁ ଔଷଧ ତିଆରି କରିବାରେ କେଇଟା ପଇସା ଖର୍ଚ୍ଚ ହୁଏ, ସେଥିପାଇଁ ସେମାନେ ମୁଠାଏ ମୁଠାଏ ଟଙ୍କା ନେଇଯାନ୍ତି । ଲୋକେ ରୋଗମୁକ୍ତ ହୋଇଯିବେ ବୋଲି ସରଳ ବିଶ୍ୱାସ କରି ଠକାମିରେ ପଡ଼ନ୍ତି । ଯେଉଁ ବୈଦ୍ୟମାନଙ୍କୁ ଆମେ ଭଲ ଭାବରେ ଜାଣୁ, ଯେଉଁମାନଙ୍କର ଟିକିଏ ହେଲେ ମାନବିକତାର ସତ୍ତା ଅଛି, ସେମାନେ ଏହି ଡାକ୍ତରମାନଙ୍କଠାରୁ ଭଲ ନୁହନ୍ତି କି ?

 

–ଇଣ୍ଡିଆନ୍ ହୋମରୁଲ, ୧୨ଶ ଅଧ୍ୟାୟ

Image

 

ମୋ ଜୀବନର ଏକ ସ୍ୱପ୍ନ

 

ପୁନାରେ ଥିବା ଡାକ୍ତର ଦୀନଶାହ ମେହେଟାଙ୍କର ପ୍ରାକୃତିକ ଚିକିତ୍ସାଳୟରେ ତିନିମାସ ନୀରବ ଅବସ୍ଥାନ ପରେ ତା ୨୧.୧୧.୧୯୪୫ ରେ ଗାନ୍ଧିଜୀ ସେବାଗ୍ରାମକୁ ଖୁବ୍ ତାଜା ହୋଇ ଫେରି ଆସିଲେ….ସେ ଯେ ସେହି ଅଦୃଶ୍ୟ ଶକ୍ତିର ବିଶ୍ୱାସରେ ପରିଚାଳିତ, ତାଙ୍କର ଏଥର ପୁନାଯାତ୍ରା ତା’ର ଏକ ପ୍ରମାଣ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ପୁରୁଣା ରୋଗର ନିବାରଣ ପାଇଁ ପ୍ରାକୃତିକ ଚିକିତ୍ସା ଆବଶ୍ୟକ ହେବାରୁ ସେ ପ୍ରଧାନତଃ ସେଇଥିପାଇଁ ପୁନା ଯାଇଥିଲେ । ଗାନ୍ଧିଜୀଙ୍କ ଉପସ୍ଥିତି ସର୍ଦ୍ଦାରଜୀଙ୍କୁ ପ୍ରାକୃତିକ ଭାବରେ ଚିକିତ୍ସିତ ହେବାପାଇଁ ପ୍ରେରଣା ଦେଇଥିଲା ।

 

ଗାନ୍ଧିଜୀଙ୍କର ଏଭଳି ଅପ୍ରତ୍ୟାଶିତ ପୁନାଯାତ୍ରାର ଏହିଫଳ ହେଲା ଯେ, ସେ ଏକ ‘‘ପ୍ରାକୃତିକ ଆରୋଗ୍ୟବିଧାନ ବିଶ୍ୱବିଦ୍ୟାଳୟ’’ ର ଧାରଣା ଘେନି ସେବାଗ୍ରାମକୁ ଫେରି ଆସିଲେ । …..ଜାତି ପାଇଁ ଗାନ୍ଧିଜୀଙ୍କର ସ୍ୱାସ୍ଥ୍ୟ ଓ ଜୀବନକୁ ରକ୍ଷା କରିବା ଯେଉଁ ସର୍ଦ୍ଦାରଙ୍କର ଏକ ବଡ଼ ଚିନ୍ତାର ବିଷୟ, ସେ ଯେତେବେଳେ ଦେଖିଲେ ଯେ ଗାନ୍ଧିଜୀ ଦୁନିଆର ବୋଝ ବୋହିବା ସତ୍ୱେ ପୁଣି ତାଙ୍କର ନିଜର ଦାୟିତ୍ୱ ନେଲେଣି ସେତେବେଳେ ସେ ଆହୁରି ଚିନ୍ତିତ ହୋଇ ପଡ଼ିଲେ । ସେ ଗାନ୍ଧିଜୀଙ୍କୁ ବାରଣ କଲେ । ‘‘୬୭ ବର୍ଷ ବୟସରେ ଲୋକେ ନିଜର ଦାୟିତ୍ୱକୁ ମଧ୍ୟ ଅନ୍ୟ ଉପରେ ଦେଇ ସନ୍ନ୍ୟାସ ନେଉଥିବା ବେଳେ ଆପଣ ପୁଣି ଅନ୍ୟର ଦାୟିତ୍ୱ ନେଉଛନ୍ତି ।’’ କିନ୍ତୁ ଗାନ୍ଧିଜୀ କୌଣସି କଥା ଶୁଣିଲେ ନାହିଁ ।

 

ସେବାଗ୍ରାମକୁ ଫେରିବା ପରେ ଆଶ୍ରମର ପ୍ରାର୍ଥନା ଶେଷରେ କଥା ପ୍ରସଙ୍ଗରେ ଯେଉଁ କେତେକ ବିଷୟ ତାଙ୍କ ହୃଦୟକୁ ସ୍ପନ୍ଦିତ କରିଥିଲା, ସେ ତା’ରି ସୂଚନା ଦେଇଥିଲେ :–

 

‘‘ପିଲାଦିନୁ ପ୍ରାକୃତିକ ଚିକିତ୍ସା ପାଇଁ ମୋର ପ୍ରଗାଢ଼ ଅନୁରାଗ ରହି ଆସିଛି । ବିଲାତରେ ଥିବାବେଳେ ମୋର ବ୍ରୋଙ୍କାଇଟିସ୍ (କ୍ଷୟକାଶ) ହୋଇଥିଲା । ସେତେବେଳେ ବି ଏଲୋପାଥିକ ଔଷଧର ଆଶ୍ରୟ ନ ଘେନି ମୁଁ ଜଣେ ପ୍ରାକୃତିକ ଚିକିତ୍ସାବିତ୍‍ଙ୍କ ପାଖକୁ ଗଲି । ସେ ମୋଠାରୁ ୫ ଶିଲିଂ ନେଇ କେତେକ ବ୍ୟାୟାମ ଓ ଖାଦ୍ୟ ପରିବର୍ତ୍ତନର ବ୍ୟବସ୍ଥା ଦେଲେ । ତା’ ଦ୍ୱାରା ମୋର ରୋଗ ଭଲ ହୋଇଗଲା । ପ୍ରାକୃତିକ ଚିକିତ୍ସାର ଉନ୍ନତି ପାଇଁ ସେହି କାଳରୁ ମୋର ଇଚ୍ଛା ଜାତ ହୋଇଛି । ମୋତେ ସେତେବେଳେ ଲୋକେ ଗୋଟାଏ ବୋକା ବୋଲି କହୁଥିଲେ । ମୋର ନିଜର ମଧ୍ୟ ମୋ ସମ୍ୱନ୍ଧରେ ସେହିପରି ଧାରଣା ଥିଲା । ମୋର ବୟସ ହେବା ସମୟକୁ ନାନା କାର୍ଯ୍ୟରେ ଲିପ୍ତ ରହି ମୁଁ ଏ ଦିଗକୁ ବିଶେଷ ଦୃଷ୍ଟି ଦେଇ ନ ଥିଲି । କିନ୍ତୁ ଯେତେବେଳେ ସୌଭାଗ୍ୟରୁ ପୁନାରେ ଏ ସୁଯୋଗ ମିଳିଗଲା, ମୁଁ ତାକୁ ଭଗବତ୍ କୃପା ବୋଲି ଆଗ୍ରହରେ ଗ୍ରହଣ କଲି ।’’

 

–ପ୍ରେସ ସମ୍ୱାଦ, ତା୩୦.୧୧.୧୯୪୫

Image

 

ପ୍ରାକୃତିକ ଚିକିତ୍ସା

 

ପ୍ରାକୃତିକ ଚିକିତ୍ସାହିଁ ମନୁଷ୍ୟ ପକ୍ଷରେ ଉପଯୁକ୍ତ ଚିକିତ୍ସା । ‘ମାନବ’ ଏହି ଶବ୍ଦଦ୍ୱାରା ଗୋଟାଏ ପଶୁକୁ ବୁଝାଏ ନାହିଁ; କିନ୍ତୁ ଏହିଭଳି ଏକ ପ୍ରାଣୀକୁ ବୁଝାଏ, ଯାହାର ଏକ ଶରୀର ସଙ୍ଗେ ସଙ୍ଗେ ମନ ଓ ଆତ୍ମା ରହିଛି । ଏହିଭଳି ଏକ ପ୍ରାଣୀ ପାଇଁ ‘ରାମନାମ’ ହେଉଛି ସର୍ବୋତ୍କୃଷ୍ଟ ପ୍ରାକୃତିକ ଚିକିତ୍ସା । ଏହା ଏକ ସୁଫଳପ୍ରଦ ଔଷଧ । ପ୍ରକୃତି ମଧ୍ୟ ଏହା ସମର୍ଥନ କରେ ମନୁଷ୍ୟ ଯେ କୌଣସି ରୋଗ ଭୋଗୁ ଥାଉନା କାହିଁକି ‘ରାମନାମ’ ପୂର୍ଣ୍ଣପ୍ରାଣରେ ଉଚ୍ଚାରଣ କଲେ ତାହା ନିଶ୍ଚୟ ଆରୋଗ୍ୟ ହୋଇଯିବ । ଈଶ୍ୱରଙ୍କର ବହୁ ନାମ ଅଛି । ଯେଉଁ ନାମରେ ଯାହାର ଶ୍ରଦ୍ଧା ସେ ସେହି ନାମ ଉଚ୍ଚାରଣ କରୁ । ଈଶ୍ୱର, ଆଲ୍ଲା, ଖୁଦା, God ଏକ ଅର୍ଥ ପ୍ରକାଶ କରନ୍ତି *। କିନ୍ତୁ ଏହା ଶୁଆ ଉଚ୍ଚାରଣ ଭଳି ହେବା ଉଚିତ ନୁହେଁ । ଏହା ଏପରି ବିଶ୍ୱାସ ମୂଳକ ହୋଇଥିବ ଯା’ର ପ୍ରମାଣ କାର୍ଯ୍ୟମାନଙ୍କରୁ ପ୍ରତୀତ ହେବ । କି କି ଜିନିଷ ଏ ଉଦ୍ୟମରେ ଅନ୍ତର୍ଗତ ? କ୍ଷିତି, ଅପ, ତେଜ, ମରୁତ, ବ୍ୟୋମ ଏହି ଯେଉଁ ପଞ୍ଚ ମହାଭୂତରେ ଶରୀର ଗଠିତ ହୋଇଚି ଆରୋଗ୍ୟ ଲାଭ କରିବା ପାଇଁ ମନୁଷ୍ୟ ତାରି ଉପରେ ନିର୍ଭର କରି ସନ୍ତୁଷ୍ଟ ହେବା ଉଚିତ । ଅବଶ୍ୟ ‘ରାମନାମ’ ଏହା ସଙ୍ଗେ ନିବିଷ୍ଟ ଭାବରେ ସଂଯୁକ୍ତ ରହିବ । ଏହା ସତ୍ତ୍ୱେ ଯଦି ମୃତ୍ୟୁ ହୁଏ, ସେଥିପାଇଁ ବ୍ୟସ୍ତ ହେବାର ନୁହେଁ-। ପକ୍ଷାନ୍ତରେ, ଏଭଳି ମୃତ୍ୟୁକୁ ସ୍ୱାଗତ କରିବା ଉଚିତ । ଶରୀରକୁ ଅମର କରିବା ପାଇଁ ବିଜ୍ଞାନ ଏପର୍ଯ୍ୟନ୍ତ ସେଭଳି କିଛି ଆବିଷ୍କାର କରିନି । ଅମୃତତ୍ୱ କେବଳ ଆତ୍ମାର ଗୁଣବିଶେଷ । ତାହା ପ୍ରକୃତରେ ଅବିନାଶୀ; ତା’ର ପବିତ୍ରତାକୁ ପ୍ରକାଶ କରିବା ମନୁଷ୍ୟର କର୍ତ୍ତବ୍ୟ ହେବା ଉଚିତ-

 

ଉକ୍ତ ଯୁକ୍ତିକୁ ମାନି ନେଲେ ପ୍ରାକୃତିକ ଚିକିତ୍ସାର ବିହିତ ବ୍ୟବସ୍ଥାକୁ ଗ୍ରହଣ କରିନେବା କଥା ବଳେ ବଳେ ଆସିଯିବ । ସଙ୍ଗେ ସଙ୍ଗ ମଣିଷ ମଧ୍ୟ ବିରାଟ ବିରାଟ ଡାକ୍ତରଖାନା ଓ ବଡ଼ ବଡ଼ ଡାକ୍ତର ଏହି ପ୍ରଲୋଭନ ମାନଙ୍କରୁ ରକ୍ଷା ପାଇଯିବ । ପ୍ରକୃତ ପକ୍ଷରେ ଦୁନିଆର ଅଧିକାଂଶ ଲୋକ ଏସବୁକୁ କେବେହେଲେ ତୁଲାଇ ପାରନ୍ତେ ନାହିଁ । ଯାହାକି ସମସ୍ତଙ୍କ ପକ୍ଷରେ ଲାଭ କରିବା ସମ୍ଭବ ନୁହେଁ ଅଳ୍ପ କେତେ ଜଣ ସେଥିପାଇଁ ବା ଇଚ୍ଛୁକ ହେବେ କାହିଁକି ?

 

–ହରିଜନ, ତା୦୩.୦୩.୧୯୪୬

 

*ଈଶ୍ୱରଙ୍କର ଅସଂଖ୍ୟ ନାମ । ଅନ୍ୟ କଥାରେ କହିଲେ ସେ ନାମହୀନ । ଯେ ନାମ ଆମର ଅତି ପ୍ରିୟ, ସେହି ନାମରେ ତାଙ୍କୁ ପୂଜା ବା ଆରାଧନା ଆମେ କରିପାରୁ । କେତେକ ତାଙ୍କୁ ରାମ, କେହି ବା କୃଷ୍ଣ ଅନ୍ୟ କେତେକ ତାଙ୍କୁ ରହିମ ଓ ଆଉ କେହି ବା ତାଙ୍କୁ ଗଡ୍ ବୋଲି ଡ଼ାକନ୍ତି-। ସେହି ଏକ ଶକ୍ତିର ସମସ୍ତେ ପୂଜା କରନ୍ତି । ମାତ୍ର ଗୋଟାଏ ଖାଦ୍ୟ ସମସ୍ତଙ୍କୁ ଭଲ ନ ଲାଗିଲା ଭଳି ସବୁ ନାମ ସମସ୍ତଙ୍କୁ ଭଲ ଲାଗେନା । ନିଜ ନିଜର ସଂହତିଯୋଗେ ରୁଚି ଅନୁଯାୟୀ ପ୍ରତ୍ୟେକ ସ୍ୱତନ୍ତ୍ର ନାମ ପସନ୍ଦ କରନ୍ତି ସେ ଅନ୍ତର୍ଯ୍ୟାମୀ, ସର୍ବ ଶକ୍ତିମାନ, ସର୍ବଜ୍ଞ ହୋଇ ଥିବାରୁ ଆମର ଅନ୍ତରର ବେଦନା ବୁଝି ସେହି ଅନୁସାରେ ଆମର ପ୍ରାର୍ଥନା ପୂରଣ କରନ୍ତି ।

 

–ୟଙ୍ଗଇଣ୍ଡିଆ, ତା ୨୪.୦୯.୧୯୨୫

Image

 

Unknown

ରାମନାମହିଁ ଅମୋଘ ଔଷଧ

 

ଗତ ତା ୩.୩.୧୯୪୬ ହରିଜନରେ ପ୍ରାକୃତିକ ଚିକିତ୍ସା ସମ୍ୱନ୍ଧରେ ମୋର ଲେଖା ପଢ଼ି ବୈଦ୍ୟ ଶ୍ରୀ ଗଣେଶ ଶାସ୍ତ୍ରୀ ଯୋଶୀ ମୋତେ କହିଲେ ଯେ, ‘ରାମନାମ’ ସର୍ବରୋଗନିବାରିକ ବୋଲି ଆୟୁର୍ବେଦରେ ତା’ର ଯଥେଷ୍ଟ ପ୍ରମାଣ ଅଛି । ପ୍ରାକୃତିକ ଚିକିତ୍ସାର ଏକ ସମ୍ମାନାର୍ହ ସ୍ଥାନ ସେଥିରେ ଅଛି । ଆଉ ‘ରାମନାମ’ ପ୍ରାକୃତିକ ଚିକିତ୍ସାରେ ସର୍ବପ୍ରଧାନ ବିଷୟ । ଚରକ, ଭାଗଭଟ ପ୍ରଭୃତି ପ୍ରାଚୀନ ଭାରତୀୟ ଚିକିତ୍ସାବିତ୍‌ ମହା ପଣ୍ଡିତମାନଙ୍କର ଗ୍ରନ୍ଥ ପ୍ରଣୟନ-କାଳରେ ଈଶ୍ୱରଙ୍କର ‘ରାମ’ ନାମ ଅପେକ୍ଷା ‘ବିଷ୍ଣୁ’ ନାମର ଅଧିକ ପ୍ରଚଳନ ଥିଲା । ବାଲ୍ୟକାଳରୁ ମୁଁ ତୁଳସୀ ଦାସଙ୍କର ଭକ୍ତ ଥିବାରୁ ଈଶ୍ୱରଙ୍କୁ ‘ରାମ’ ହିସାବରେ ପୂଜାକରି ଆସିଛି । କିନ୍ତୁ ମଁ ଭଲକରି ଜାଣେ ଯେ ଦେଶ, କାଳ, ପାତ୍ର ନିର୍ବିଶେଷରେ ଈଶ୍ୱରଙ୍କର ଯେ କୌଣସି ନାମର ମୂଳରେ ‘ଓ’କାର ବସାଇ ଉଚ୍ଚାରଣ କଲେ ସେହି ଏକ ଫଳ ମିଳିବ । ସେ ଆଉ ତାଙ୍କ ବିଧାନ ଏକ କଥା । ତାଙ୍କର ବିଧାନକୁ ପାଳନ କରିବା ହେଉଛି ତାଙ୍କର ଅସଲ ପୂଜା । ଯେ ବିଧିର ବିଧାନ ସହିତ ମିଶିଯାଇ ଏକ ହୋଇଯାଏ, ତାହାର ମୌଖିକ ଉଚ୍ଚାରଣର ଆବଶ୍ୟକତା ପଡ଼େ ନାହିଁ । ଅନ୍ୟକଥାରେ କହିଲେ, ଯେଉଁ ବ୍ୟକ୍ତି ପକ୍ଷରେ ଈଶ୍ୱର ଆରାଧନା ଶ୍ୱାସ ପ୍ରଶ୍ୱାସ ଗ୍ରହଣ ଭଳି ସ୍ୱଭାବିକ ହୋଇ ପଡ଼େ, ସେ ଈଶଭାବରେ ଏପରି ନିମଜ୍ଜିତ ହୋଇ ରହେ ଯେ, ବିଧିର ବିଧାନ ସଂପର୍କୀୟ ଜ୍ଞାନ ବା ତା ସବୁ ମାନିବା ତା ପକ୍ଷରେ କହିବାକୁଗଲେ ଦ୍ୱିତୀୟ ପ୍ରକୃତି ଭଳି ହୋଇଯାଏ । ତା ପକ୍ଷରେ ଚିକିତ୍ସା ଆଦୌ ଆବଶ୍ୟକ ହୁଏ ନାହିଁ ।

 

ଏହି ପ୍ରସଙ୍ଗରେ ସ୍ୱତଃ ଏହି ପ୍ରଶ୍ନ ମନକୁ ଆସେ । ମଣିଷ ନିଜ ହାତେ ହାତେ ଏଭଳି ଏକ ଅମୋଘ ଔଷଧ ଥାଉଁ ଥାଉଁ ସେ କିପରି ସେ ସମ୍ୱନ୍ଧରେ କିଛି ଜାଣେ ନାହିଁ ? ଆଉ କେତେକ ସେହି ପରମାତ୍ମାଙ୍କୁ ଜାଣି ମଧ୍ୟ, ନ ଜାଣିବାଭଳି ତାଙ୍କ ଜାଣିବାଟା ଖାଲି ମୌଖିକ, ଆନ୍ତରିକ ନୁହେଁ-। ଶୁଆ ଭଳି ଉଚ୍ଚାରଣ ଯେଉଁମାନେ କରନ୍ତି ସର୍ବରୋଗର ନିବାରୁକରୂପେ ଈଶ୍ୱରଙ୍କୁ ସେମାନେ ମୋଟେ ଜାଣନ୍ତି ନାହିଁ ।

 

ପ୍ରକୃତରେ ସେମାନେ ବା କିପରି ଜାଣନ୍ତେ ? କୌଣସି ଡାକ୍ତର, ବୈଦ୍ୟ, ହାକିମ ବା ଅନ୍ୟ କୌଣସି ଚିକିତ୍ସକ ଏହି ମହୌଷଧିର ବ୍ୟବସ୍ଥା ତ କେବେ କରନ୍ତି ନାହିଁ । ସେମାନଙ୍କର ଏଥିରେ ବିଶ୍ୱାସ ନଥାଏ । ତା ଛଡ଼ା ସେମାନେ ଯଦି ସେହି ପବିତ୍ର ଗଙ୍ଗାର ଉତ୍ସ ପ୍ରତି ଘରେ ଅଛି ବୋଲି ସ୍ୱୀକାର କରିଯିବେ, ତେବେ ସେମାନଙ୍କର ବ୍ୟବସାୟ ବା ଜୀବିକା ଯେ ବୁଡ଼ିଯିବ । ତେଣୁ ସେହି ପାଉଡ଼ର ଆଉ ଓଷଧପାଣି ଉପରେ ଅମୋଘ ଔଷଧ ବୋଲି ସେମାନଙ୍କୁ ବାଧ୍ୟହୋଇ ଆସ୍ଥା ସ୍ଥାପନ କରିବାକୁ ହେବ । ଏହା ଯେ ଖାଲି ଡାକ୍ତରଙ୍କୁ ଜାଣିବା ଯୋଗାଏ ତାହା ନୁହେଁ, ରୋଗୀକୁ ମଧ୍ୟ ହଠାତ୍ ଆରାମ ଦେଇଥାଏ । ଯେବେ ଜଣେ ଡାକ୍ତର ଏମିତିକା କେତେ ଜଣଙ୍କୁ ପାଇବେ, ଯେଉଁମାନେ ତାଙ୍କ ପାଇଁ କହିବେ, ‘‘ଅମୁକ ମୋତେ ପାନେ ଓଷଦ ଦେଲେ ଯେ ମୁଁ ଭଲ ହୋଇଗଲି’’ ତେବେ ତ ତାଙ୍କ ବ୍ୟବସାୟ ସୁପ୍ରତିଷ୍ଠିତ ହୋଇଯିବ ।

 

ତା ଛଡ଼ା ଆଉ ଏକ କଥା ମନେ ରଖିବାକୁ ହେବ ଯେ, ଡାକ୍ତରମାନେ ଈଶ ନାମର ଯାଦୁକାରୀ ଶକ୍ତିର ସନ୍ଧାନ ନିଜେ ନ ପାଇ କିପରି ବା ରୋଗୀକୁ ତାହା ଉପରେ ନିର୍ଭର କରିବାକୁ କହିବେ ? ‘ରାମନାମ’ କିଛି ଗୋଟାଏ ସୂତ୍ର ନୁହେଁ । ଅଭିଜ୍ଞତା ସାହାଯ୍ୟରେ ତାହା ଅନୁଭବ କରିବାକୁ ହେବ । ଯାହାର କେବଳ ଅଭିଜ୍ଞତା ଥିବ ସେହି କେବଳ ଏହାକୁ ପ୍ରୟୋଗ ପାଇଁ ବତାଇ ଦେଇପାରିବ, ଅନ୍ୟ କେହି ନୁହେଁ ।

 

ବୈଦ୍ୟରାଜ ମୋ ପାଇଁ ଚାରିଗୋଟି ଶ୍ଳୋକର ଉଦ୍ଧାର କରିଛନ୍ତି । ତା ମଧ୍ୟରୁ ଚରକଙ୍କର ଶ୍ଳୋକଟି ସରଳ ଓ ହୃଦୟଗ୍ରାହୀ । ଏହାର ଅର୍ଥ ଏହି ଯେ, ଯଦି କେହି ବିଷ୍ଣୁଙ୍କର ସହସ୍ର ନାମ ମଧ୍ୟରୁ ଗୋଟିକୁ ଆୟତ୍ତ କରିପାରେ, ତେବେ ସେ ସବୁ ରୋଗରୁ ମୁକ୍ତ ହୋଇ ପାରିବ ।

 

ବିଷ୍ଣୁଂସହସ୍ର ମୁର୍ଧାନଂ ଚରାଚରପତିଂ ବିଭୁଂ ।

ତବନ୍ନାମ ସହସ୍ରେଣ ଜ୍ୱରାନ୍ ସର୍ବାନ୍ ବ୍ୟାପୋହତି ।

 

–ହରିଜନ, ତା ୨୪.୦୧.୧୯୪୬

Image

 

ପ୍ରାକୃତିକ ଚିକିତ୍ସା କଣ ?

 

ଗାନ୍ଧିଜୀ ବମ୍ୱେରେ ଯେଉଁ ପାଞ୍ଚଦିନ ରହିଥିଲେ, ତାଙ୍କର ଅଧିକାଂଶ ସମୟ ସେ କଂଗ୍ରେସ କାର୍ଯ୍ୟକାରୀ ସମିତିରେ କଟାଇଥିଲେ ମଧ୍ୟ ଦରିଦ୍ର ଜନସାଧାରଣଙ୍କ ପାଇଁ ପ୍ରାକୃତିକ ଚିକିତ୍ସାଳୟ ବିଷୟକ ତାଙ୍କ ସଦ୍ୟ ପ୍ରସୂତ କଳ୍ପନା କଥା ବମ୍ବେବାସୀଙ୍କୁ ଜଣାଇବା ପାଇଁ ସେ ସମୟ ପାଇଥିଲେ ।

 

‘‘ଗତ ପଚାଶ ବର୍ଷ ଧରି ମୋ ପକ୍ଷରେ ଯାହା ଏକ ମାମୁଲି କଥା ହୋଇ ରହିଥିଲା, ତାହା ବର୍ତ୍ତମାନ ମୋର ଏକ ଅଭିଳାଷରେ ପରିଣତ ହେଲାଣି ।’’ ଏହି କଥା ସେ ସର୍ଦ୍ଦାର ପଟେଲଙ୍କ ପାଖକୁ ଏକ ଚିଠିରେ ଲେଖିଥିଲେ । ଆଉ ଜଣେ ବଂଧୁଙ୍କୁ କହିଥିଲେ, ‘‘ଦରିଦ୍ର ସେବା କରିବାପାଇଁ ମୋର ଏକ ବିଶେଷ ଶକ୍ତି ଅଛି । ଜାଣିପାରି ମଧ୍ୟ ମୁଁ ଯଦି ସେମାନଙ୍କ ପାଇଁ କିଛି ନ କରିପାରେ, ମୁଁ ଅବଶ୍ୟ ଗୋଟାଏ ବୋକା ବୋଲି ନିନ୍ଦିତ ହେବି ।’’ ତେଣୁ ୭୬ ବର୍ଷ ବୟସରେ ଜୀବନର ସାୟଂକାଳରେ ମଧ୍ୟ ତାଙ୍କର ବହୁମୁଖୀ କାର୍ଯ୍ୟ ମଧ୍ୟରେ ଆଉ ଏକ ନୂତନ କାର୍ଯ୍ୟ ସଂଯୋଜିତ କରିବାକୁ ମନସ୍ଥ କଲେ ।

 

ଏ ଦିଗରେ ତାଙ୍କର ଏତେ ଝୁଙ୍କ କାହିଁକି ? ବିରଳା ଭବନକୁ ସାମୟିକ ଆସୁଥିବା ଜଣେ ପରିଦର୍ଶକଙ୍କୁ ସେ ପ୍ରାକୃତିକ ଚିକିତ୍ସାନୁସାରେ ତ୍ୟାଗୀ ଡାକ୍ତରଙ୍କ ପାଖକୁ ଔଷଧ ଖାଇ ଭଲ ହେବାକୁ ଆସେ । ଡାକ୍ତରମାନେ ଔଷଧ ବ୍ୟବସ୍ଥା କରନ୍ତି । ବାହାରକୁ ଜଣାପଡ଼ୁଥିବା କେତୋଟି ଅଧିକା ଲକ୍ଷଣର ଉପଶମ କରିବା ସେମାନଙ୍କର କାମ । ସେହି ଅନୁସାରେ ମଧ୍ୟ ରୋଗୀ ସହିତ ତାଙ୍କର ସଂପର୍କ । ପ୍ରାକୃତିକ ଚିକିତ୍ସକ ରୋଗୀକୁ ‘ଆରୋଗ୍ୟ’ ବିକେ ନାହିଁ । ସେ ରୋଗୀକୁ ଉପଯୁକ୍ତ ଜୀବନ ଧାରଣର ପ୍ରଣାଳୀ ବତାଇ ଦିଏ । ଫଳରେ ସେ ରୋଗରୁ ମୁକ୍ତହେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଆଉ ରୋଗରେ ପଡ଼ିବାର ବି ଆଶଙ୍କା ନ ଥାଏ । ସାଧାରଣ ଡାକ୍ତର ବା ବୈଦ୍ୟ କେବଳ ରୋଗର ଗବେଷଣା କରେ । ମାତ୍ର ପ୍ରାକୃତିକ ଚିକିତ୍ସକ ସ୍ୱାସ୍ଥ୍ୟର ଗବେଷଣା କରେ-। ସାଧାରଣ ଡାକ୍ତରଙ୍କର କାମ ଯେଉଁଠି ଶେଷ ହୁଏ, ତାଙ୍କର କାମ ସେଇଠୁ ଆରମ୍ଭ ହୁଏ-। ‘‘ପ୍ରାକୃତିକ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ଆରୋଗ୍ୟ ହେବା ପରେ ଏକ ନୀରୋଗ ଜୀବନର ଆରମ୍ଭ ହୁଏ-। ଏଣୁ ପ୍ରାକୃତିକ ଚିକିତ୍ସା ପ୍ରକୃତରେ ଜୀବନ ଧାରଣର ଏକ ପନ୍ଥା । କେବଳ ‘ଚିକିତ୍ସା’ ନୁହେଁ-।’’

 

–ପ୍ୟାରେ ଲାଲ, ହରିଜନ, ତା ୦୭.୦୪.୧୯୪୬

Image

 

ପ୍ରାକୃତିକ ଚିକିତ୍ସା ଓ ରାମନାମ

 

ବମ୍ବେର ‘‘ରଙ୍ଗଟାଭବନ’’ରେ ପ୍ରାର୍ଥନା ପରେ ଉପସ୍ଥିତ ଜନତାକୁ ପ୍ରାକୃତିକ ଚିକିତ୍ସାରେ ‘ରାମନାମ’ ର ମହତ୍ତ୍ୱ ବିଷୟ ବୁଝାଇବାକୁ ଯାଇ ଗାନ୍ଧିଜୀ କହିଲେ–

 

ପ୍ରାକୃତିକ ଚିକିତ୍ସା ଦ୍ୱାରା ସବୁ ରୋଗ ନିବାରଣ କରାଯାଇ ପାରିବ ବୋଲି ଦାବୀ କରାଯାଉ ନାହିଁ । ଯେ କୌଣସି ଔଷଧର ଏହି ଦଶା । ତାହା ନ ହୋଇଥିଲେ ଜଗତରେ ଆଉ କେହି ମରୁ ନ ଥାନ୍ତେ । କିନ୍ତୁ ପ୍ରାକୃତିକ ଚିକିତ୍ସା ସାହାଯ୍ୟରେ ମନୁଷ୍ୟ ଧୀରସ୍ଥିର ମନରେ ଅନିବାର୍ଯ୍ୟ ରୋଗର ସମ୍ମୁଖୀନ ହେବା ପାଇଁ କ୍ଷମ ହୁଏ । ଯେଉଁ ଚିକିତ୍ସା ଲାଗି ଲୋକସାଧାରଣଙ୍କର ସାମର୍ଥ ନାହିଁ, ତାକୁ ଗ୍ରହଣ କରିବାକୁ ଯଦି ଆମେ ଅଧର୍ମ ବୋଲି ମାନିଯାଉଁ, ତେବେ ଧନୀ ଗରିବ ନିର୍ବିଶେଷରେ ଆମକୁ ପ୍ରାକୃତିକ ଚିକିତ୍ସାକୁ ହିଁ ଗ୍ରହଣ କରିବାକୁ ହେବ ।

 

ପ୍ରାକୃତିକ ଚିକିତ୍ସାର ଅସ୍ତ୍ରାଗାରରେ ରାମନାମହିଁ ସର୍ବୋତ୍‌କୃଷ୍ଟ ଶକ୍ତିଶାଳୀ ଅସ୍ତ୍ର । ଏଥିରେ ଯେପରି କେହି ଆଶ୍ଚର୍ଯ୍ୟ ନ ହୁଅନ୍ତି । ସେଦିନ ଜଣେ ପ୍ରସିଦ୍ଧ ଆୟୁର୍ବେଦୀ ଚିକିତ୍ସକ କହିଥିଲେ, ମୋର ଜୀବନ ସାରା ମୁଁ ଔଷଧ ବ୍ୟବସ୍ଥାମାନ ଦେଇ ଆସିଛି । ଆପଣ ଶାରୀରିକ ରୋଗ ନିବାରକ ରୂପେ ରାମନାମ ପ୍ରୟୋଗ କରିବା ପାଇଁ କହିବା ଦିନରୁ ବାଗଭଟ ଓ ଚରକଙ୍କର ଠିକ୍‌ ଏହି କଥା ପ୍ରତି ମୋର ଦୃଷ୍ଟି ଫେରିଛି ।

 

ଆଧ୍ୟାତ୍ମିକ ରୋଗର ନିବାରକ ରୂପେ ‘ରାମନାମ’ ର ପ୍ରୟୋଗ ତ ପାହାଡ଼ ପର୍ବତ ପରି ପୁରୁଣା କଥା । ବଡ଼ରେ ସାନ ମିଳାଇ ଗଲା ପରି ଶାରୀରିକ ରୋଗନିବାରଣ ପାଇଁ ମଧ୍ୟ ‘ରାମନାମ’ ପ୍ରୟୋଗ କରିବାକୁ ମୁଁ ଦାବୀ କରେ । ମୋତେ ଡାକିଲେ ଯାଇ ମୁଁ ରୋଗ ଭଲ କରିବି-। ପ୍ରାକୃତିକ ଚିକିତ୍ସକ ରୋଗୀକୁ ଏପରି କହିବା ଅନୁଚିତ । ସବୁ ବ୍ୟକ୍ତିଠାରେ କିପରି ସର୍ବରୋଗନିବାରକ ନୀତି ବିଦ୍ୟମାନ ରହିଛି, ତାକୁ ଜାଗ୍ରତ ଓ ସକ୍ରୀୟଶକ୍ତି ରୂପେ ନିଜ ଜୀବନରେ ପରିଚାଳିତ କରିବାର ବାଟ ରୋଗୀକୁ ବତାଇ ଦେବାକୁ ହେବ । ସେହି ମହନୀୟ ନୀତିରେ ଯେଉଁ ଶକ୍ତି ନିହିତ ରହିଛି ତା’ରି ସନ୍ଧାନ ପାଇ ପାରିଲେ ଆମ ଯେ ଖାଲି ଦାସତ୍ୱରୁ ମୁକ୍ତ ହେବୁ ତାହା ନୁହେଁ, ଆଜି ଆମର ଯେଉଁ ଦେଶ ସଂକ୍ରାମକ ରୋଗୀ ଓ ହୀନ ସ୍ୱାସ୍ଥ୍ୟଙ୍କର ବାସଭୂମି ହୋଇଛି, ତାହା ସୁସ୍ଥକାୟମାନଙ୍କର ଆବାସସ୍ଥଳୀରେ ପରିଣତ ହେବ ।

 

‘ରାମନାମ’ର ଶକ୍ତି କେତେକ ସର୍ତ୍ତଦ୍ୱାରା ସୀମାବଦ୍ଧ । ‘ରାମନାମ’ ଭୋଜବିଦ୍ୟା ନୁହେଁ । ଅତି ଭୋଜନ ବା ପାନର ମନ୍ଦ ଫଳରୁ ସଙ୍ଗେ ସଙ୍ଗେ ମୁକ୍ତି ଲାଭ କରି ପୁଣି ଭୋଜନ ବା ପାନରେ ଭଲ ରକମ ଆସକ୍ତ ହେବା ପାଇଁ ଇଚ୍ଛୁକ ପେଟୁ ବା ପାନାସକ୍ତଙ୍କ ପାଇଁ ‘ରାମନାମ’ ନିରୂପିତ ନୁହେଁ-। ଅସତ୍ ଉଦ୍ଦେଶ୍ୟରେ ନୁହେଁ; କେବଳ ସତ ଉଦ୍ଦେଶ୍ୟ ସାଧନ ପାଇଁ ହିଁ ‘ରାମନାମ’ କୁ ବ୍ୟବହାର କରାଯିବ ତାହା ନହେଲେ ଚୋର ଓ ଡକାୟତମାନେ ତ ‘ରାମନାମ’ର ଅସଲ ଭକ୍ତ ହୋଇ ପଡ଼ନ୍ତେ । ଯେଉଁମାନେ ପବିତ୍ର ହୃଦୟ ବା ପବିତ୍ରତା ପ୍ରାପ୍ତି ପାଇଁ ଇଚ୍ଛୁକ ‘ରାମନାମ’ କେବଳ ତାଙ୍କରି ପାଇଁ । ଇନ୍ଦ୍ରିୟାସକ୍ତ ହେବାର ଏହା ଉପାୟ ନୁହେଁ । ପେଟୁ ଓ ପାନାସକ୍ତ ପାଇଁ ପ୍ରତିକାରର ଏକମାତ୍ର ବାଟ ଉପବାସ, ପ୍ରାର୍ଥନା ନୁହେଁ । ଉପବାସର କ୍ରିୟା ଫଳପ୍ରଦ ହେଲେ ପ୍ରାର୍ଥନାର ବେଳ ଆସେ । ଏହା ଉପବାସକୁ ସହଜ ଓ ସହନ ସାଧ୍ୟ କରେ । ଏଣେ ଔଷଧ ଖାଉଥିଲେ ତେଣେ ରାମନାମ ନେଉଥିବ–ଏହା ଏକ ନିରର୍ଥକ ପ୍ରହସନ । ଯେଉଁ ଡାକ୍ତର ରୋଗୀକୁ ଇନ୍ଦ୍ରିୟାସକ୍ତ କରିବାରେ ନିଜର ବିଚକ୍ଷଣତା ଦେଖାଇ ଥା’ନ୍ତି, ସେ ରୋଗୀର ତଥା ନିଜର ଅଧଃପତନ ଘଟାଇଥାନ୍ତି* । ଶରୀରକୁ ତାର ନିର୍ମାତାର ଉପାସନାର କ୍ଷେତ୍ର କରିବା ପରିବର୍ତ୍ତେ ତାକୁ ନାମ ବେଶଭୂଷା ଓ ସୌଖିନ ସାମଗ୍ରୀରେ ଭୂଷିତ କରିବା ପାଇଁ ପାଣିପରି ପଇସା ଖର୍ଚ୍ଚ କରିବାଠାରୁ ଅଧିକ ଅଧୋଗତିର ଚିହ୍ନ ମଣିଷ ପକ୍ଷରେ ଆଉ କଣ ହୋଇପାରେ ? ରାମନାମ ଯେ ରୋଗମୁକ୍ତ କରିବା ସଙ୍ଗେ ସଙ୍ଗେ ମନୁଷ୍ୟକୁ ପବିତ୍ର କରେ । ଫଳରେ ସେ ଉନ୍ନତ ହୁଏ । ଏହିଠାରେ ହିଁ ତାର ପ୍ରୟୋଗ ଓ ପ୍ରୟୋଗର ସୀମା ନିହିତ ।

 

–ହରିଜନ, ତା୦୭.୦୪.୧୯୪୬

 

* ଆହାର ଉନ୍ନତି ପାଇଁ ଚିକିତ୍ସକ ଲୋଡ଼ା, ମାତ୍ର ଶରୀର ପାଇଁ ନୁହେଁ । ସମାଜରେ ବହୁସଂଖ୍ୟକ ହାସପାତାଳ ଓ ଡାକ୍ତର ସଭ୍ୟତାର ପରିଚାୟକ ନୁହେଁ । ଶରୀରର ଫୁର୍ତ୍ତି ପାଇଁ ଯେତେ କମ କାମ ହୁଏ ସେତେ ଆମ ପକ୍ଷରେ ଓ ଦୁନିଆ ପକ୍ଷରେ ମଙ୍ଗଳ ।

 

–ୟଙ୍ଗଇଣ୍ଡିଆ, ୨୯.୦୯.୧୯୨୭

Image

 

ମହୌଷଧି

 

‘‘ଆପଣଙ୍କ କଲମରୁ ନିଃସୃତ ପ୍ରତି ଶବ୍ଦକୁ ମୁଁ ଆଗ୍ରହର ସହିତ ପଢ଼େ । ନବ କଳେବର ଧରି ବାହାରୁଥିବା ‘ହରିଜନ’କୁ ମୋ ପାଖରେ ପହଞ୍ଚିବାକ୍ଷଣି ପଢ଼ି ଶେଷ ନ କରିବା ପର୍ଯ୍ୟନ୍ତ ମୋର ତର ସହେ ନାହିଁ । ସେଗୁଡ଼ିକ ପଢ଼ିବାଦ୍ୱାରା ମୋ ଭିତରେ ଏକ ବିଚିତ୍ର ଆତ୍ମଶ୍ଳାଘାର ସୂତ୍ରପାତ ହୋଇଛି, ଯାହା ଫଳରେ ମୋ ନିଜ ବାଟରେ ପୂର୍ଣ୍ଣତା ପ୍ରାପ୍ତି ପାଇଁ ଏକ ପ୍ରେରଣା ଆସୁଛି । ତେଣୁ ମୋତେ ଯାହାସବୁ ସେହି ସେହି ଲେଖାରୁ ଅସମୀଚୀନ ବୋଧ ହେଉଛି, ସେସବୁ ବିଷୟ ନ ବୁଝିବା ପର୍ଯ୍ୟନ୍ତ ସ୍ଥିର ରହି ପାରୁନି ।

 

ପ୍ରାକୃତିକ ଚିକିତ୍ସା ସମ୍ୱନ୍ଧରେ ଆପଣ ଯେଉଁ ନୂଆ କଥା ଏବେ ଲେଖିଛନ୍ତି–‘‘ରାମନାମ’’ ଜପ ସୁଫଳପ୍ରଦ ଔଷଧ ବୋଲି; ତାହା ମୋତେ ସଂପୂର୍ଣ୍ଣ ଆଚମ୍ୱିତ କରିଛି-। ଆଧୁନିକ ଯୁଗର ଯୁବକ ସହନଶୀଳତା ଦେଖାଇ ଆପଣଙ୍କର କେତେକ ମତର ବିରୁଦ୍ଧାଚରଣ କରେନା ।’’ ତଳ ଲିଖିତ ଭାବରେ ସେମାନଙ୍କର ମତିଗତିକୁ ଉଲ୍ଲେଖ କରାଯାଇପାରେ :–

 

‘‘ଆଚ୍ଛା, ଗାନ୍ଧିଜୀ ତ ଆମକୁ କେତେ କଥା ଶିଖାଇଛନ୍ତି । ସେ ତ ଆମକୁ କଳ୍ପନାତୀତ ଭାବରେ କେତେ ଉପରକୁ ଉଠାଇ ଦେଇଛନ୍ତି। ସବୁଠୁଁ ବଡ଼ କଥା ସ୍ୱରାଜକୁ ଆମ ପାଖକୁ ଆଣି ଦେଇଛନ୍ତି । ଏଣୁ ‘ରାମନାମ’ ଭଳି ଏକ ପାଗଳାମିକୁ ନ ସହିବା ବା କାହିଁକି ?’’

 

ଏ କଥା ସାଙ୍ଗକୁ ଆପଣ ବି ପ୍ରକୃତରେ କହିଛନ୍ତି :–

 

‘ଲୋକ ଯେ କୌଣସି ରୋଗ ଭୋଗୁ ନା କାହିଁକି ଅନ୍ତରଭରି ‘ରାମନାମ’ ଜପରେ ତାହା ଅବଶ୍ୟ ଆରୋଗ୍ୟ ହୋଇଯିବ ।’

 

–ହରିଜନ, ତା୦୩.୦୩.୧୯୪୬

 

‘‘କ୍ଷତି, ଅପ, ତେଜ, ମରୁତ ଓ ବ୍ୟୋମ ଏହି ଯେଉଁ ପଞ୍ଚ ମହାଭୂତରେ ଶରୀର ଗଠିତ, ମଣିଷ ଆରୋଗ୍ୟ ଲାଭ ପାଇଁ ଏହାରି ଉପରେ ନିର୍ଭର କରିବା ଉଚିତ ଓ ସେଥିରେ ସନ୍ତୁଷ୍ଟ ରହିବା ଉଚିତ ।’’

 

–ହରିଜନ, ତା ୦୩.୦୩.୧୯୪୬

 

‘‘ଶାରୀରିକ ସମସ୍ତ ପ୍ରକାର ରୋଗର ପ୍ରତିକାର ପାଇଁ ‘ରାମନାମ’ ହିଁ ମହୌଷଧି ବୋଲି ମୁଁ ଦାବୀ କରେ ।’’

–ହରିଜନ, ତା୦୭.୦୪.୧୯୪୬

 

ପ୍ରଥେମ ପ୍ରଥମେ ଆପଣଙ୍କର ପ୍ରାକୃତିକ ଚିକିତ୍ସା ବିଷୟରେ ‘ରାମନାମ’ ସଂପର୍କୀୟ ଲେଖା ପଢ଼ି ମୁଁ ଭାବୁଥିଲି ଆପଣଙ୍କର ଲେଖାସବୁ ବିଶ୍ୱାସ ଉପରେ ପ୍ରତିଷ୍ଠିତ । ‘ଖ୍ରୀଷ୍ଟୀୟ ବିଜ୍ଞାନ’ ଭଳି ଏହା ଏକ ମାନସିକ ଚିକିତ୍ସା । ପ୍ରତ୍ୟେକ କିସମର ଔଷଧ ବ୍ୟବସ୍ଥାରେ ଏସବୁର ସ୍ଥାନ ଅଛି । ମୋର ଉପର ଲିଖିତ ପ୍ରଥମ ଉଦ୍ଧୃତାଂଶକୁ ସେହି ଅର୍ଥରେ ଗ୍ରହଣ କରିଥିଲି । ୨ୟ ଉଦ୍ଧୃତାଂଶ ବୁଝିବା କଷ୍ଟକର । ରୋଗ ନିରାକରଣ ପାଇଁ ଯେଉଁ ପାଞ୍ଚୋଟି ଉପାଦାନର କଥା ଉଲ୍ଲେଖ କରିଛନ୍ତି, ଯେ କୌଣସି ପ୍ରକାର ଔଷଧ ତାହା ଛଡ଼ା ଅନ୍ୟ ଉପାଦାନରେ କେବେହେଲେ ତିଆର ହୋଇ ନପାରେ ।

 

‘ଆପଣ ଯାହା ଉପରେ ଏତେ ଜୋର ଦେଇ କହୁଛନ୍ତି, ତାହାହିଁ ଯଦି ବିଶ୍ୱାସ ହୁଏ; ତେବେ ମୋର କହିବାର କିଛି ନାହିଁ । ବିଶ୍ୱାସ ସାହାଯ୍ୟରେ ଆରୋଗ୍ୟଲାଭ କରିବା ବିଷୟରେ ରୋଗୀର ସହଯୋଗ ଅବଶ୍ୟ ଦରକାର । କିନ୍ତୁ ’ଆମର ସବୁ ଶାରୀରିକ ରୋଗର ଆରୋଗ୍ୟ କର୍ତ୍ତା’ ରୂପେ ବିଶ୍ୱାସକୁ ଗ୍ରହଣ କରିବା କଷ୍ଟକର । ଦୁଇବର୍ଷ ପୂର୍ବେ ମୋର ଛୋଟ ଝିଅଟିକୁ ପକ୍ଷାଘାତ ରୋଗ ଧରି ପକାଇଲା । କେବଳ ଆଧୁନିକ ଧରଣ ଚିକିତ୍ସା ଦ୍ୱାରାହିଁ ସେ ଜୀବନସାରା ପଙ୍ଗୁହୋଇ ବସିବାରୁ ରକ୍ଷା ପାଇଗଲା । ଗୋଟିଏ ଅଢ଼େଇ ବର୍ଷର ପିଲାକୁ ପକ୍ଷାଘାତରୁ ରକ୍ଷା ପାଇବା ପାଇଁ ରାମନାମ ଜପିବା ଲାଗି କହିବା ଯେ ଅସମୀଚୀନ ଏହା ଅବଶ୍ୟ ଆପଣ ସ୍ୱୀକାର କରିବେ । ଅବଶ୍ୟ କୌଣସି ମାଆକୁ ତା’ର ଛୁଆପାଇଁ ଜପ କରିବାକୁ ଆପଣ କହିଲେ, ମୁଁ ପସନ୍ଦ କରିବି ।’’

 

‘‘ଯେତେ ପ୍ରାଚୀନ ଓ ବିଶେଷଜ୍ଞଙ୍କର ସମର୍ପିତ ହେଲେ ମଧ୍ୟ ନିଜର ଅନ୍ତରକୁ ସ୍ପର୍ଶକରି ନ ପାରିଲେ କୌଣସି ବିଷୟ ଆଗ୍ରହ୍ୟ ବୋଲି ଆପଣଙ୍କ ଲେଖାରୁ ଶିଖିଛି । ଏଣୁ ଗତ ତା ୨୪.୦୩.୪୬ର ଲେଖାରେ ବିଶେଷଜ୍ଞ ହିସାବରେ ଚରକଙ୍କ କଥା ଯାହା ଉଦ୍ଧାର କରାଯାଇଛି, ତାହା ମୁଁ ଗ୍ରହଣ କରି ପାରୁଚି ।’’

 

ଏହିଭଳି ଭାବରେ ଜଣେ ଯୁବକ ଶିକ୍ଷକ ଲେଖିଛନ୍ତି–‘‘ମୁଁ ଛାତ୍ର ଜଗତର ପ୍ରୀତିଭାଜନ ହେବାକୁ ଆଗ୍ରହୀ ହେଲେହେଁ ତା’ର ମଧ୍ୟ ଗୋଟାଏ ସୀମା ଅଛି । କାରଣ ସେମାନଙ୍କୁ ସନ୍ତୁଷ୍ଟ ରଖିବା ସଙ୍ଗେ ସଙ୍ଗେ ଅବଶିଷ୍ଟ ବୃହତ୍ତର ଜଗତ କଥା ମଧ୍ୟ ମୋର ବିଶେଷ ବ୍ୟକ୍ତି ବା ଗୋଷ୍ଠୀର ପ୍ରୀତିଭାଜନ ହେବାର ଉଦ୍ଦେଶ୍ୟ ରଖିବା ଆଦୌ ଉଚିତ ନୁହେଁ ।’’

 

ପତ୍ର ପ୍ରେରକଙ୍କ ଭଳି ଅନ୍ୟ ଯେଉଁମାନେ ମନେ କରନ୍ତି ଯେ ମୋର କୌଣସି କାର୍ଯ୍ୟଦ୍ୱାରା ଭାରତ କଳ୍ପନାତୀତ ଉନ୍ନତ ସୋପାନକୁ ଉଠି ଯାଇଛି, ସେମାନେ ଖାଲି ଉଦାରଭାବରେ ମୋର କହିବାକୁ କଥାକୁ ମାନି ନ ନେଇ ତାହାର ପ୍ରସାର ନିମନ୍ତେ କିଛି କାର୍ଯ୍ୟ କରିବା ଉଚିତ । ଖାଲି ଉଦାରଭାବରେ ମାନିଯିବା ଦ୍ୱାରା ତାଙ୍କର ବା ମୋର କିଛି ଉପକାର ହେବନି । ବରଂ ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଆଳସ୍ୟ ଓ ମୋ ମଧ୍ୟରେ ଅଳୀକ ଆତ୍ମପ୍ରତ୍ୟୟ ବଢ଼ିବାହିଁ ସାର ହେବ । ଏପରିକି ଗୋଟାଏ କଳ୍ପନାକୁ ପ୍ରତ୍ୟାହାର କରିବା ପୂର୍ବରୁ ମଧ୍ୟ ଭଲ କରି ଭାବିବା, ଚିନ୍ତିବା ଉଚିତ । ସବୁବେଳେ କଳ୍ପନାପ୍ରବଣ ଲୋକମାନଙ୍କୁ ଖରାପ ଦୃଷ୍ଟିରେ ଦେଖିବା ଉଚିତ୍‌ ନୁହେଁ । ଏଇ କଳ୍ପନା କରିବାର ଜିଦରେ ଇତିହାସର କେତେ କେତେ ବିଖ୍ୟାତ ଲୋକ ଫାସୀକାଠରେ ଝୁଲିଛନ୍ତି ।

 

ପ୍ରତ୍ୟୟ-ଆରୋଗ୍ୟ ଓ ଖ୍ରୀଷ୍ଟୀୟ-ବିଜ୍ଞାନର ଗନ୍ଧ ‘ରାମନାମ’ (୧)ରେ ରହିଛି; ହେଲେ ବି ତାହା ସଙ୍ଗେ ରାମନାମର ପାର୍ଥକ୍ୟ ଅଛି ।

 

(୧) ଲର୍ଡ ଲେଖିଆନ ସହ କଥାବାର୍ତ୍ତାର ଶେଷ ଦିବସରେ ସେ ଖ୍ରୀଷ୍ଟୀୟ-ବିଜ୍ଞାନ ସମ୍ବନ୍ଧରେ କହିଥିଲେ ଏବଂ ସେ ସଂପର୍କରେ ଗାନ୍ଧିଜୀଙ୍କ ମତ ପଚାରିଥିଲେ । ସେ କହିଲେ, ‘‘ମନୁଷ୍ୟ ସହ ଭଗବାନଙ୍କର ଅଚ୍ଛେଦ୍ୟ ସଂପର୍କ ଥିବାରୁ ମନୁଷ୍ୟ ଭଗବତ ସତ୍ତାର ସନ୍ଧାନ ଯେତିକି ପାଉଥାଏ, ସେତିକି ସେ ପାପ ତଥା ରୋଗମୁକ୍ତ ହେଉଥାଏ ।’’

 

‘‘ଏହାହିଁ ପ୍ରତ୍ୟୟଆରୋଗ୍ୟ । ଭଗବାନ ହେଉଛନ୍ତି ସତ୍ୟ, ସ୍ୱାସ୍ଥ୍ୟ ଓ ପ୍ରେମ ।’’ ଗାନ୍ଧିଜୀ କହିଲେ, ‘‘ସେ (ଭଗବାନ) ମଧ୍ୟ ଜଣେ ଚିକିତ୍ସକ । ଖ୍ରୀଷ୍ଟୀୟ-ବିଜ୍ଞାନ ସହ ମୋର କୌଣସି ବିରୋଧ ନାହିଁ । ମୁଁ ତାହାର ନୀତିସବୁକୁ ପୂର୍ଣ୍ଣରୂପେ ଗ୍ରହଣ କରେ କିନ୍ତୁ ଅନେକ ଖ୍ରୀଷ୍ଟୀୟ ବୈଜ୍ଞାନିକଙ୍କୁ ମୁଁ ବିଶ୍ୱାସ କରେନା । ବୌଦ୍ଧିକ ବିଶ୍ୱାସ ସ୍ଥାପନ ଏକ କଥା । ଆଉ ସତ୍ୟକୁ ହୃଦୟରେ ବୋଧ କରିବା ସ୍ୱତନ୍ତ୍ର କଥା । ସବୁ ରୋଗ ଯେ ପାପରୁ ଜାତ ମୁଁ ସଂପୂର୍ଣ୍ଣ ମାନି ନେଉଛି; ଏପରିକି କାଶ ମଧ୍ୟ ପାପରୁ ଜାତ । ମୋର ରକ୍ତଚାପ ଅତ୍ୟଧିକ ପରିଶ୍ରମ ଓ ମାନସିକ ଉଦବେଗର ଫଳ; କିନ୍ତୁ ମୁଁ କାହିଁକି ଏତେ ପରିଶ୍ରମ କରେ ? ସବୁପ୍ରକାର ଅତି ଶ୍ରମ ଓ ଉଦବେଗ ଅବଶ୍ୟ ପାପ ବୋଲି କୁହାଯିବ । କୌଣସି ଡାକ୍ତରର ସାହାଯ୍ୟ ମୋଟେ ନ ନେଇ ମଧ୍ୟ ମୁଁ ଚଳି ପାରନ୍ତି ବୋଲି ମୁଁ ମଧ୍ୟ ଜାଣେ । ଖ୍ରୀଷ୍ଟୀୟ ବୈଜ୍ଞାନିକଗଣ ଯେ କାହିଁକି ଶାରୀରିକ ସୁସ୍ଥତା ଓ ରୋଗ ପ୍ରତି ଏତେ ଦୃଷ୍ଟି ଦିଅନ୍ତି ତାହା ବୁଝିପାରେନା ।’’

 

‘ରାମନାମ’ ର ଉଚ୍ଚାରଣ ପ୍ରକୃତ ବସ୍ତୁ ଉପଲବ୍‌ଧିର ପ୍ରତୀକ ମାତ୍ର । ଯଦି ଜଣେ ନିଜ ଭିତରେ ଈଶସତ୍ତା ଅନୁଭବ କରିପାରେ, ସେହି ମୁହୂର୍ତ୍ତରେ ସେ ଶାରୀରିକ, ମାନସିକ ଓ ନୈତିକ ସବୁ ରୋଗରୁ ମୁକ୍ତ ହୁଏ । ସେପରି ଲୋକ ଜୀବନରେ ଆମେ ସଚରାଚର ଦେଖି ପାରିବା ନାହିଁ ବୋଲି ଯେ ଏଭଳି ବାକ୍ୟ ଅମୁଳକ ଏହା ନୁହେଁ । ଯେଉଁମାନଙ୍କର ଈଶ୍ୱର ବିଶ୍ୱାସ ନାହିଁ, ସେମାନଙ୍କ ପକ୍ଷରେ ମୋର କଥାର ଅବଶ୍ୟ କୌଣସି ମୂଲ୍ୟ ନାହିଁ ।

 

‘ଖ୍ରୀଷ୍ଟୀୟ-ବୈଜ୍ଞାନିକ, ପ୍ରତ୍ୟୟାରୋଗ୍ୟକାରୀ ଏବଂ ମନୋଚିକିତ୍ସାବିତ୍‌ମାନେ ‘ରାମନାମ’ ରେ କି ସତ୍ୟ ନିହିତ ଅଛି, ତାହାର ସାକ୍ଷ୍ୟଦାନ କରିପାରନ୍ତି । ଖାଲି ତର୍କ ସାହାଯ୍ୟରେ ପାଠକଙ୍କୁ ମୁଁ ତାହା ବୁଝାଇ ଦେଇ ପାରିବି ନାହିଁ ।’

 

‘ଯେଉଁ ଲୋକ କେବେ ଚିନି ନ ଚାଖିଛି, ତାକୁ ନିଜେ ଖାଅ ଜାଣିପାରିବ ଏହା କହିବା ଛଡ଼ା ଚିନିର ମିଠା ବିଷୟ ଖାଲି କଥାରେ ବୁଝାଇ ହେବ କେମିତି ?’

‘ଅନ୍ତର ଭରି କିପରି ରାମନାମ ଉଚ୍ଚାରଣ କରାଯାଏ, ତାହାର ସର୍ତ୍ତମାନ ଏଠାରେ ମୁଁ କହି ପାରିବି ନାହିଁ ।’

‘ରାମନାମ’ ରେ ଯେଉଁମାନଙ୍କର ଟିକିଏ ହେଲେ ବିଶ୍ୱାସ ଅଛି, ସେମାନଙ୍କ ପକ୍ଷରେ ଚରକଙ୍କ ବାଣୀ ଶ୍ରେୟ । ଅନ୍ୟମାନେ ତାଙ୍କୁ ନିଜ ଦୃଷ୍ଟିରୁ ପ୍ରତ୍ୟାଖ୍ୟାନ କରିପାରନ୍ତି ।’

‘‘ଶିଶୁମାନେ ସ୍ୱଭାବତଃ ଦାୟିତ୍ୱହୀନ । ସେମାନଙ୍କ ପାଇଁ ଯେ ‘ରାମନାମ’ ଉଦ୍ଦିଷ୍ଟ ନୁହେଁ ଏହା ନିଃସନ୍ଦେହ । ସେମାନେ ନିଃସହାୟ-ପିତାମାତାଙ୍କର ଦୟାର ପାତ୍ର । ସେମାନଙ୍କ ପ୍ରତି ତଥା ସମାଜ ପ୍ରତି ପିତାମାତାଙ୍କର କେତେଦୂର ଦାୟିତ୍ୱଜ୍ଞାନ ଲର୍ଡ ଲେଖିଆନ କହିଲେ, ‘‘ଯେତେବେଳେଯାଏ ଲୋକ ବୁଝୁଛି ଯେ ରୋଗହିଁ ପାପ, ସେ ପର୍ଯ୍ୟନ୍ତ ସେ ବେଶ ଅଛି । ଏପରିକି ଗୀତାରେ ମଧ୍ୟ ଅଛି ଯେ ପଞ୍ଚ ଇନ୍ଦ୍ରିୟଲବ୍‌ଧ ଫଳକୁ ତ୍ୟାଗ କରିବାକୁ ହେବ । କାରଣ ତାହା ମାୟା-। ଈଶ୍ୱରହିଁ ଜୀବନ, ପ୍ରେମ ଓ ସ୍ୱାସ୍ଥ୍ୟ ।’’

ଗାନ୍ଧିଜୀ କହିଲେ, ‘‘ମୁଁ ଏହାକୁ ଅନ୍ୟ ପ୍ରକାରେ ବିଚାର କରେ । ଭଗବାନହିଁ ସତ୍ୟ, ଭଗବାନହିଁ ଜୀବନ; ଏକ କଥା । ତା’ ପରେ ମୁଁ କହେ ଯେ, ସତ୍ୟ ଓ ପ୍ରେମ ଗୋଟିଏ ମୁଦ୍ରାର ଦୁଇପାଖ ଭଳି । ସତ୍ୟ ହେଉଛି ଲକ୍ଷ୍ୟ, ଆଉ ପ୍ରେମ ଏହି ଲକ୍ଷ୍ୟ ଲାଭର ଉପାୟ ।’’

ମହାଦେବ ଦେଶାଇ, ତା୨୯.୦୧.୧୯୩୮,–ହରିଜନ

 

ଅଛି, ତା’ର ପରିଚୟ ସେହିମାନେ ଦେଇଥାନ୍ତି । ଏପରି କେତେକ ବାପା ମା’ଙ୍କୁ ମୁଁ ଜାଣେ, ଯେଉଁମାନେ ନିଜର ‘ରାମନାମ’ ଜପ ଉପରେ ପିଲାଛୁଆଙ୍କ ଆରୋଗ୍ୟକୁ ନିର୍ଭର କରି ରୋଗକୁ ତୁଚ୍ଛ ମନେକରନ୍ତି । ଶେଷରେ ସବୁକଥା ଏପରିକି ଔଷଧଯାକ ତ ସେହି ପାଞ୍ଚ ମହାଭୂତରୁ ଘଟିତ, ଏହିପରି ଯୁକ୍ତି ତରବରିଆ ଚିନ୍ତାର ଫଳ । ଏ ଭଳି ଚିନ୍ତା ତ୍ୟାଗ କରିବା ପାଇଁ ମୁଁ ଏଠାରେ ଟିକିଏ ସୂଚାଇ ଦେଇଛି ।’’

 

–ହରିଜନ, ତା୨୮.୦୪.୧୯୪୬

Image

 

ଏକ ନିଶ୍ଚିତ ସହାୟ

 

ଜଣେ ପତ୍ରପ୍ରେରକ ଆତ୍ମସଂଯମ ପାଇଁ ତିନୋଟି ସହାୟକର ବିଷୟ ପରାମର୍ଶ ଦେଇଛନ୍ତି । ସେଥିମଧ୍ୟରୁ ଦୁଇଟି ବାହାରର, ଗୋଟିଏ ଭିତରର । ଭିତର ସାହାଯ୍ୟକାରୀକୁ ସେ ତଳଲିଖିତରୂପେ ବର୍ଣ୍ଣନା କରିଚନ୍ତି–

 

‘‘ଆତ୍ମସଂଯମ ଦିଗରେ ୩ୟ ସାହାଯ୍ୟକାରୀ ହେଉଛି ‘ରାମନାମ’ । ଜଣକର କାମ ବାସନାକୁ ବଦଳାଇ ଈଶଦର୍ଶନରୂପୀ ସ୍ୱର୍ଗୀୟ ବାସନାରେ ପରିଣତ କରିବାର ଅସାଧାରଣ ଶକ୍ତି ଏହି ‘ରାମନାମ’ ରେ ଅଛି । ପ୍ରକୃତରେ ମୋର ନିଜ ଅଭିଜ୍ଞତାରୁ ମୁଁ ଜାଣିପାରିଛି ଯେ, ପ୍ରାୟ ସବୁ ମଣିଷଠାରେ ଯେଉଁ କାମବାସନା ବିଦ୍ୟମାନ ଅଛି, ତାହା ପ୍ରାକୃତିକ ଉପାୟରେ ବର୍ଦ୍ଧିତ ଓ ବିକସିତ ହେବାପାଇଁ ଅବସ୍ଥିତ କୁଣ୍ଡଳିନୀ ଶକ୍ତିର ରୂପାନ୍ତର ମାତ୍ର । ସୃଷ୍ଟିର ପ୍ରାକ୍‌କାଳରୁ ଯେପରି ମଣିଷ ପ୍ରକୃତି ବିରୁଦ୍ଧରେ ସଂଗ୍ରାମ କରି ଆସିଚି, ଏହି କୁଣ୍ଡଳିନୀ ଶକ୍ତି ବିରୁଦ୍ଧରେ ତାହାକୁ ନିମ୍ନଗାମୀ ନ କରାଇ ଉର୍ଦ୍ଧ୍ୱଗାମୀ କରାଇବା ପାଇଁ ସେହିପରି ସଂଗ୍ରାମ କରିବା ଉଚିତ । ଥରେ ଉପରକୁ ଉଠିବାକୁ ଆରମ୍ଭ କଲେ, ଏହାର ଗତି ମସ୍ତିଷ୍କ ଅଭିମୁଖୀ ହୁଏ ଏବଂ କ୍ରମେ ମନୁଷ୍ୟକୁ ଏହା ଏପରି ଉଦ୍‌ଭାସିତ କରେ ଯେ, ମଣିଷ ନିଜକୁ ଓ ନିଜ ଚାରିପାଖରେ ଦେଖୁଥିବା ବସ୍ତୁକୁ ଏକ ଈଶସତ୍ତାର ବିଭିନ୍ନ ଅଭିବ୍ୟକ୍ତ ବୋଲି ସେ ଉପଲବ୍‌ଧି କରିପାରେ ।’’

 

‘ରାମନାମ’ ଯେ ନିଶ୍ଚିତ ଭାବରେ ଏକ ସହାୟକ ଏହା ନିଃସନ୍ଦେହ । ଅନ୍ତର ସହିତ ଉଚ୍ଚାରଣ କଲେ ସବୁ ଦୁଶ୍ଚିନ୍ତାକୁ ଏହା ଅସମର୍ଥ କରିଦିଏ । ଆଉ ଦୁଶ୍ଚିନ୍ତା ଗଲେ, ଆନୁସଙ୍ଗିକ କ୍ରିୟାର ମଧ୍ୟ ସମ୍ଭାବନା ନଥାଏ ।

 

ଦୁଶ୍ଚିନ୍ତାର ପଥରୂଦ୍ଧ କରିବାପାଇଁ ଯେ ଏକ ଚାବି ଅଛି ଏହା ନିଃସନ୍ଦେହ; କିନ୍ତୁ ତାହା ନିଜେ ନିଜେ ଖୋଜି ବାହାର କରିବାକୁ ହେବ । ମୁନି ଋଷିଗଣ ସେମାନଙ୍କ ଅଭିଜ୍ଞାନମାନ ଆମ ପାଇଁ ରଖିଯାଇଚନ୍ତି; ହେଲେହେଁ ସେଗୁଡ଼ିକ ଅତୁଟ, ସାର୍ବଜନୀନ ବ୍ୟବସ୍ଥାପତ୍ର ନୁହେଁ । କାରଣ କୃପାଲାଭ କଲେ ଯାଇ ପୂର୍ଣ୍ଣତା ବା ଦୋଷଶୂନତା ସମ୍ଭବ । ଏଣୁ ଈଶସନ୍ଧାନୀଗଣ ସେମାନଙ୍କ କଠୋର ସଂଯତ ଜୀବନଦ୍ୱାରା ଶକ୍ତିମନ୍ତ୍ର ଓ ତାଙ୍କ ଜୀବନର ପବିତ୍ରତା ଦ୍ୱାରା ପବିତ୍ରତ ‘ରାମନାମ’ ଭଳି ମନ୍ତ୍ରମାନଙ୍କୁ ଆମ ପାଇଁ ଦେଇ ଯାଇଚନ୍ତି । ଅନନ୍ତ ଶକ୍ତିର କୃପାଲାଭ ପାଇଁ ଅକପଟ ଚିତ୍ତରେ ନିଜକୁ ସମର୍ପଣ କରି ନଦେଲେ ଚିନ୍ତାକୁ ପୂର୍ଣ୍ଣରୂପେ ଆୟତ୍ତ କରିବା ଅସମ୍ଭବ ହେବ । (ଆତ୍ମଚରିତ ୪ର୍ଥ ଭାଗ ୨୫ ଅଧ୍ୟାୟ) ।

 

ମନ ଦୁର୍ବଳ ଥିଲେ ବାହାର ସାହାଯ୍ୟର କିଛି ମୂଲ୍ୟ ନାହିଁ । ମନ ଯଦି ଶୁଦ୍ଧ ରହିଚି, ତେବେ ଆଉ ସବୁ କେବଳ ଆଡ଼ମ୍ବର ମାତ୍ର । ଏପରି କହିବାର ଅର୍ଥ ଏହା ନୁହେଁ ଯେ ଶୁଦ୍ଧମନସଂପନ୍ନ ମନୁଷ୍ୟ ନିଜର ମନଇଚ୍ଛା ଯାହା କିଛି କରି ମଧ୍ୟ କୌଣସି ବିପଦରେ ପଡ଼େ ନାହିଁ । ଏ ଧରଣର ଲୋକ ଏଭଳି ସ୍ୱାଧୀନତା ମଧ୍ୟ ନିଅନ୍ତି ନାହିଁ । ତାଙ୍କର ସମଗ୍ର ଜୀବନ ଅନ୍ତଃକ୍ରିର ଅତୁଟ ନିଦର୍ଶନ । ସେଥିପାଇଁ ଗୀତାରେ ଯଥାର୍ଥରେ ଅଛି, ମନ ମଣିଷକୁ ତିଆରି କରେ । ସେଇ ମନ ପୁଣି ତା’କୁ ଧ୍ୱଂସ କରେ । ‘‘ମନ ସ୍ୱସ୍ଥାନରେ ରହି ମଧ୍ୟ ସ୍ୱର୍ଗକୁ ନରକ ଓ ନରକକୁ ସ୍ୱର୍ଗ କରିପାରେ ।’’ ମିଲ୍‌ଟନଙ୍କର ଏହି କଥା ସେହି ଏକ ଭାବର ପ୍ରକାଶ କରୁଚି ।

 

–ହରିଜନ, ତା୧୨.୦୫.୧୯୪୬

Image

 

ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସା

 

ଆୟୁର୍ବେଦ ଓ ବନସ୍ପତି ଶାସ୍ତ୍ରର ଅଧ୍ୟାପକ ବୈଦ୍ୟ ବଲ୍ଲଭରାମ ଲେଖିଚନ୍ତି :– ଆୟୁର୍ବେଦକୁ ଏଲୋପାଥି ସହିତ ମିଶାଇଦେଇ ଏକାବେଳକେ ନଷ୍ଟ କରି ଦିଆ ହୋଇଚି । ଆୟୁର୍ବେଦର ଆରୋଗ୍ୟବିଧି ପଞ୍ଚଭୂତ ଉପରେ ପ୍ରତିଷ୍ଠିତ । ବାୟୁର ଅପବ୍ୟବହାରରେ ବାତର ବୃଦ୍ଧି ହୁଏ । ସେହିପରି ଅଗ୍ନିର ଅପବ୍ୟବହାରରେ ପିତ୍ତ ଓ ଜଳର ଅପବ୍ୟବହାରରେ କଫିର ବୃଦ୍ଧି ହୁଏ । ରୋଗ ନିର୍ଣ୍ଣୟରେ ଏଇସବୁ ନିଦାନର ଜ୍ଞାନଉପରେ ଆୟୁର୍ବେଦର ଅଗ୍ରଗତି ନିର୍ଭର କରେ । ଉପରେ ଦିଆଯାଇଥିବା ବାତ, ପିତ୍ତ, ଓ କଫର ବୃଦ୍ଧି ଯେ ବାୟୁ, ଅଗ୍ନି ଓ ଜଳର ଉଚିତ ବ୍ୟବହାର ଦ୍ୱାରା ଆରୋଗ୍ୟ କରାଯାଇପାରେ, ଏହା ଆୟୁର୍ବେଦର ମତ । ବିଶ୍ୱପ୍ରକୃତିର ନିୟମକୁ ଠିକ୍‌ଭାବରେ ଜାଣିବା ପାଇଁ ଆୟୁର୍ବେଦରେ ଧର୍ମର ବି ସ୍ଥାନ ରହିଚି । ଏଇ ଶାସ୍ତ୍ରରେ ପଥ୍ୟକୁ ଅତି ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଚି । ପଥ୍ୟର ପ୍ରକୃତ ଅର୍ଥ ହେଉଚି ଯେ, କେବଳ ପ୍ରକୃତିର ସ୍ୱାଭାବିକ ନିୟମପାଳନ ଦ୍ୱାରାହିଁ ଶରୀରକୁ ନୀରୋଗ ରଖାଯାଇପାରିବ । ଭାଗବତରେ ଅଛି–‘ପଥ୍ୟ ଠିକ୍‌ ନ ଥିଲେ ଓଷଦ କ’ଣ କରିବ ? ପଥ୍ୟ ଠିକ୍‌ ଥିଲେ ବି ଓଷଦ କଣ କରିବ ?’

 

ରାମନାମ ଓ ଶୁଦ୍ଧ ଜୀବନଯାପନ ଯେ ସବୁ ରୋଗର ସବୁଠାରୁ ସହଜ ଓ ଶ୍ରେଷ୍ଠ ଔଷଧ, ଏଥିରେ ମୋର ତିଳେ ସନ୍ଦେହ ନାହିଁ । ଅତି ଦୁଃଖର କଥା ଆଜିକାଲି ଡାକ୍ତର, ବୈଦ୍ୟ ବା ହାକିମମାନେ ରାମନାମକୁ ଆଉ ଔଷଧ ବୋଲି ମାନୁ ନାହାନ୍ତି । ବର୍ତ୍ତମାନର ଆୟୁର୍ବେଦ ଶାସ୍ତ୍ରରେ ରାମନାମର ସ୍ଥାନ ନାହିଁ, ବରଂ ଯାଗାଏ ଯାଗାଏ ତାକୁ ଯାଦୁ ବୁଟିପରି ବ୍ୟବହାର କରାଯାଇ ଲୋକଙ୍କୁ ଆହୁରି ଅନ୍ଧବିଶ୍ୱାସ ଶିକ୍ଷା ଦିଆଯାଉଚି । ଅନ୍ଧବିଶ୍ୱାସ ସହିତ ରାମନାମର କୌଣସି ସମ୍ବନ୍ଧ ନାହିଁ । ଏହା ସୃଷ୍ଟିର ଶ୍ରେଷ୍ଠ ଓ ପ୍ରଥମ ନିୟମ । ଯିଏ ତାକୁ ଆଶ୍ରାକରି ରହେ, ସେ ସମସ୍ତ ରୋଗରୁ ମୁକ୍ତ ହୁଏ; ଯିଏ ସେ ପଥରୁ ହୁଡ଼ିଯାଏ, ସିଏ ନାନା ଦୁଃଖ କଷଣରେ ଘାଣ୍ଟି ହେଉଥାଏ । ରୋଗର ପ୍ରତିକାର ପରି ରୋଗର ଆରୋଗ୍ୟରେ ମଧ୍ୟ ରାମନାମ ଲୋଡ଼ା । ପ୍ରଶ୍ନ ଉଠିବ, ଯିଏ ନିୟମିତ ରାମନାମ ଜପୁଚି ଓ ଶୁଦ୍ଧ ଜୀବନ ଯାପନ କରୁଚି, ସେ କାହିଁକି ଆଦୌ ରୋଗବୈରାଗରେ ପଡ଼ିବ ? କିନ୍ତୁ ମଣିଷ ତ ଦେବତା ନୁହେଁ; ବିବେକୀ ମଣିଷ କେବଳ ଦେବତା ହେବାର ଆକାଙ୍‌କ୍ଷା ରଖେ ଓ ସେଥିଲାଗି ସାଧନା କରେ ; କିନ୍ତୁ ଦେବତା ହୋଇପାରେ ନାହିଁ । ଅନେକବାର ଅଜାଣତରେ ସେ ଅଧବାଟରେ ଝୁଣ୍ଟି ପଡ଼େ । ଶୁଦ୍ଧ ଜୀବନ ଯାପନରେ ଭଗବାନଙ୍କର ସବୁ ନିୟମ ସଂବଦ୍ଧ ରହିଚି । ଆମ ଜୀବନର ସୀମାରେଖାକୁ ଆମକୁ ପ୍ରଥମେ ସ୍ଵିକାର କରିନେବାକୁ ପଡ଼ିବ ସେସୀମାରେଖା ଡେଇଁଲେ ଆମେ ରୋଗରେ ପଡ଼ିବା । ତେଣୁ ଆବଶ୍ୟକ ଓ ପରିମିତ ଆହାର ଦ୍ୱାରା ମଣିଷ ଚିରସ୍ୱାସ୍ଥ୍ୟ ଲାଭ କରିବ । ନିଜର ଯଥାର୍ଥ ଖାଦ୍ୟ କ’ଣ, ଏକଥା ଆମେ କିପରି ଜାଣିବା ? ଏମିତି ଅନେକ ଦ୍ୱନ୍ଦ୍ୱର କଳ୍ପନା କରାଯାଇ ପାରିବ । କିନ୍ତୁ ସାରକଥା ଏତିକି ଯେ, ପ୍ରତ୍ୟେକ ଲୋକ ତା’ର ନିଜର ଶ୍ରେଷ୍ଠ ଡାକ୍ତର ହୋଇ ପାରିବ ଏବଂ ତା’ର ସୀମାରେଖା ଜାଣି ପାରିବ । ଏଇପରି କରି ପାରିଲେ ସେ ୧୨୫ ବର୍ଷ ପର୍ଯ୍ୟନ୍ତ ସୁସ୍ଥଭାବେ ବଞ୍ଚି ରହିପାରିବ ।

 

ଘରୋଇ ଟୁଣୁକାଟୁଣୁକି ଓ ମସଲା ପ୍ରଭୃତିକୁ ପ୍ରାକୃତିକ ଚିକିତ୍ସା କୁହାଯାଇ ପାରିବ କି ନାହିଁ ବୋଲି ବୈଦ୍ୟ ବଲ୍ଲଭରାମ ପଚାରିଚନ୍ତି । ଡାକ୍ତରୀ ବନ୍ଧୁମାନେ ମଧ୍ୟ କହିଥାନ୍ତି ଯେ ସେମାନେ କେବଳ ପ୍ରକୃତିର ନିୟମଗୁଡ଼ିକୁ ସମ୍ୟକ୍‌ଭାବରେ ଗବେଷଣା କରି ସେଇ ଅନୁସାରେ ରୋଗର ଚିକିତ୍ସା କରନ୍ତି । ତେଣୁ ସେମାନଙ୍କ ଶାସ୍ତ୍ରକୁ ବି ପ୍ରାକୃତିକ ଚିକିତ୍ସା କୁହାଯାଇ ପାରିବ । ଯୁକ୍ତିଦ୍ୱାରା ସବୁ କଥାକୁ ଏମିତି ଉଡ଼ାଇ ଦିଆଯାଇପାରିବ । ମୋର କହିବା କଥା ହେଉଚି ଯେ ଶୁଦ୍ଧ ପ୍ରାକୃତିକ ଚିକିତ୍ସା ଲାଗି ରାମନାମରୁ ଅଧିକ କିଛି ଦରକାର ନାହିଁ । ଏଇ ମୂଳନୀତିରୁ ଯିଏ ଯେତିକି ଅଧିକ ହୁଡ଼େ, ସେ ପ୍ରାକୃତିକ ଚିକିତ୍ସାର ସେତିକି ଦୂରକୁ ଚାଲିଯାଏ । ଏଇ ମୂଳସୂତ୍ରକୁ ଅବଲମ୍ବନ କରି ରଖିବି । କିନ୍ତୁ ଜଣେ ଯଦି ଆଉ ପହୁଣ୍ଡେ ଆଗକୁ ଯାଇ ବ୍ୟବସାୟ ବଢ଼ାଇବାକୁ ନୁହେଁ, କେବଳ ରୋଗୀର ସେବା କରିବାର ମନୋଭାବ ରଖି ଆଖପାଖରୁ ସଂଗ୍ରହ କରାଯାଉଥିବା ଜଡ଼ିବୁଟୀ ବ୍ୟବହାର କରନ୍ତି, ତେବେ ତାଙ୍କୁ ମୁଁ ଜଣେ ପ୍ରାକୃତିକ ଚିକିତ୍ସକ ବୋଲି କହିପାରିବି । କିନ୍ତୁ ଏଭଳି ବୈଦ୍ୟ ଆଜି ନାହାନ୍ତି ? ଆଜି ପ୍ରାୟ ସମସ୍ତେ ପଇସା ପାଇଁ ବାଉଳା ହୋଇ ପଡ଼ିଚନ୍ତି । ଶୁଦ୍ଧ ଆୟୁର୍ବେଦ ଶାସ୍ତ୍ରପ୍ରତି ସେମାନଙ୍କର ଆଉ ଅନୁରାଗ ନାହିଁ ତ ସେମାନଙ୍କର ଅର୍ଥ ଲୋଭ ଓ ଆଳସ୍ୟ ହେତୁରୁ ଆୟୁର୍ବେଦ ବି ମାନ୍ଦା ପଡ଼ିଗଲାଣି । ନିଜର ଦୁର୍ବଳତାଟି ସ୍ୱୀକାର ନ କରି ସେମାନେ ଖାଲି ସରକାର ଓ ସାଧାରଣଙ୍କ ଉପରେ ଦୋଷ ଲଦି ଦେଉଚନ୍ତି । ଯିଏ ନିଜର ଅପାରୁଆ ପଣରୁ ଅସଂହାତି ହୋଇ ବସିବ ଓ ଆୟୁର୍ବେଦର ନାଁ ବୁଡ଼ାଇବ, କେଉଁ ସରକାର ତାକୁ କି ସାହାଯ୍ୟ କରିପାରିବ ?

 

–ହରିଜନ–ତା୧୯.୦୫.୧୯୪୬

Image

 

ଡାକ୍ତର କଣ କରିବେ ?

 

ପ୍ରଶ୍ନ–ଶରୀର ପରୀକ୍ଷା ଓ ରୋଗନିର୍ଣ୍ଣୟ ପାଇଁ ଆପଣ ବୈଦ୍ୟର ପାଖକୁ ନ ଯାଇ ଡାକ୍ତର ଲୋଡ଼ନ୍ତି କାହିଁକି ?

 

ଉତ୍ତର–ଡାକ୍ତରମାନଙ୍କ ପରି ବୈଦ୍ୟମାନଙ୍କର ଶରୀର ବିଷୟରେ ଭଲ ଜ୍ଞାନ ନାହିଁ । ତ୍ରିଦୋଷ ନିର୍ଣ୍ଣୟ ହେଉଚି ଆୟୁର୍ବେଦରେ ରୋଗ ଜାଣିବାର ଏକମାତ୍ର ପନ୍ଥା । ବୈଦ୍ୟମାନେ ସେଇ ତ୍ରିଦୋଷ ବିଷୟରେ ମଧ୍ୟ ଏ ପର୍ଯ୍ୟନ୍ତ ବିଶଦ ଜ୍ଞାନଲାଭ କରି ପାରିନାହାନ୍ତି । କିନ୍ତୁ ଡାକ୍ତରମାନେ ସବୁବେଳେ ଏଥିରେ ଗବେଷଣା ଚଳାଇଛନ୍ତି ଓ ନୂଆ ତଥ୍ୟମାନ ପାଉଚନ୍ତି । ଆଗକୁ ବଢ଼ିବା ବା ପଛକୁ ହଟିବା ହେଉଚି ଜଗତର ନିୟମ । ଏଠି କିଛି ସ୍ଥାଣୁଭାବରେ ରହିପାରିବ ନାହିଁ । ଯାହାର ଗତି ବନ୍ଦ ହେବ, ସେ ଜଡ଼ ହୋଇଯିବ । ଏକମାତ୍ର ଭଗବାନ ହେଉଛନ୍ତି ଚିର ସ୍ଥିର ; କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଯେ ତାଙ୍କୁ ସ୍ଥିର ଓ ଗତିଶୀଳ ଉଭୟ ରୂପରେ ବର୍ଣ୍ଣନା କରାଯାଇଚି ।

 

ଡାକ୍ତର ଓ ବୈଦ୍ୟମାନେ ମୋର ବନ୍ଧୁ । ଡାକ୍ତରମାନେ ମୋତେ ସେମାନଙ୍କର ଆପଣାର କରି ରଖିଚନ୍ତି । ଜଣେ ଡାକ୍ତରଙ୍କୁ ମୁଁ ନିଜର କନ୍ୟାଠାରୁ ଅଧିକ କରି ପାରିଚି । ଝିଅ ହୁଏ ତ ଦିନେ ନିଜ ବାପାଙ୍କୁ ଛାଡ଼ି ଚାଲିଯିବ ; କିନ୍ତୁ ଯିଏ ବଳେ ବଳେ ଝିଅ ହୋଇ ରହିବାର ବ୍ରତ ନେଇଚି, ସେ ସେକଥା କିପରି କହିପାରିବ ? ରୋଗ ନିର୍ଣ୍ଣୟ କଲାବେଳେ ବୈଦ୍ୟମାନେ ମଧ୍ୟ ଅଳ୍ପ ବହୁତ ଡାକ୍ତର ମାନଙ୍କର ନୀତି ଅନୁସରଣ କରନ୍ତି ବା ରୋଗୀକୁ ଡାକ୍ତର ପାଖକୁ ନେଇଯିବାର ପରାମର୍ଶ ଦିଅନ୍ତି । ଅନେକ ବୈଦ୍ୟ ନାନା ଡାକ୍ତରୀ ଔଷଧର ବ୍ୟବହାର ଜାଣନ୍ତି ଓ ସେଗୁଡ଼ିକର ବ୍ୟବହାର ମଧ୍ୟ କରନ୍ତି ।

 

ଡାକ୍ତର, ବୈଦ୍ୟ ବା ହାକିମ ସମସ୍ତେ ପଇସା ଲାଗି ଔଷଧ ବ୍ୟବସାୟ କରନ୍ତି । ସେବାର ମନୋଭାବ ରଖି ସେମାନେ ଡାକ୍ତର, ବୈଦ୍ୟ ବା ହାକିମ ହୁଅନ୍ତି ନାହିଁ । ହୁଏତ କେତେକ ଚିକିତ୍ସକଙ୍କର ସେ ସେବାଭାବ ରହିଚି, ତଥାପି ତଦ୍ଦ୍ୱାରା ମୋର କଥା ମିଛ ପ୍ରମାଣିତ ହୋଇପାରିବ ନାହିଁ । କେବଳ ପ୍ରାକୃତିକ ଚିକିତ୍ସା ଶୁଦ୍ଧ ଓ ନିସ୍ୱାର୍ଥ ସେବାଭାବ ଉପରେ ପ୍ରତିଷ୍ଠିତ । ଆଜି ପ୍ରାକୃତିକ ଚିକିତ୍ସାକୁ ମଧ୍ୟ ରୋଜଗାରର ଏକ ଫନ୍ଦାଭାବରେ ବ୍ୟବହାର କରାଗଲାଣି । ପରମେଶ୍ୱରଙ୍କ ସ୍ଥାନ ପଇସା ଅଧିକାର କଲାଣି । ଡାକ୍ତରମାନେ ମୋତେ ପରୀକ୍ଷା କରନ୍ତି ସତ, କିନ୍ତୁ ମୁଁ କେବଳ ସେଇ ପରମେଶ୍ୱରଙ୍କ ଉପରେ ନିର୍ଭର ରଖିଥାଏ । ସେ ମୋର ପ୍ରତ୍ୟେକଟି ଶ୍ୱାସ ପ୍ରଶ୍ୱାସର ଆତଯାତ କରାଉଚନ୍ତି । ସେଇ କେବଳ ଇଚ୍ଛାକଲେ ମୋତେ ୧୨୫ ବର୍ଷ ଜୀଆଇ ରଖିପାରିବେ । ନ ହେଲେ ଯେ କୌଣସି ମୁହୂର୍ତ୍ତରେ ସେ ମୋତେ ଇହଧାମରୁ ଅପସରାଇ ନେବେ । ମୋର ଡାକ୍ତର ବନ୍ଧୁମାନେ କେବଳ ଅକିଞ୍ଚନ ସାକ୍ଷୀପରି ଚାହିଁ ରହିଥିବେ ।

 

–ହରିଜନ, ତା୦୨.୦୬.୧୯୪୬

Image

 

ରାମନାମର ବ୍ୟଙ୍ଗଭେକ

 

ପ୍ରଶ୍ନ:–ଆମ୍ଭେମାନେ କେଡ଼େ ଅଶିକ୍ଷିତ ଓ ନିର୍ବୋଧ, ସେକଥା ଆପଣ ଜାଣନ୍ତି । ମହାପୁରୁଷମାନଙ୍କର ମହତ୍‌ ବାଣୀକୁ ମାନି ଚଳିବା ଆଗରୁ ଆମେ ସେମାନଙ୍କର ମୂର୍ତ୍ତି ଗଢ଼ି ଦେବତାପରି ପୂଜା କରୁ । ରାମଲୀଳା, କୃଷ୍ଣଲୀଳା ପୁଣି ନଗଦ ଗଢ଼ା ହୋଇଥିବା ଗାନ୍ଧୀଦେଉଳରୁ ତା’ର ପ୍ରମାଣ ମିଳିବ । କାଶୀର ରାମନାମ ବ୍ୟାଙ୍କ୍‌ ଓ ରାମନାମ ଛପା ହୋଇଥିବା ଅଙ୍ଗବସ୍ତ୍ରମାନ ରାମନାମକୁ ଉପହାସ, ଏପରିକି ଅପମାନ କରାଯାଉଚି । ଲୋକଙ୍କର ଚିନ୍ତାଧାରା ଏତେ ତଳେ ଥିବା ଅବସ୍ଥାରେ ଆପଣ ଯେ ରାମନାମକୁ ସବୁ କଷ୍ଟ ଓ ଯନ୍ତ୍ରଣାର ମହୌଷଧି ବୋଲି ପ୍ରଚାର କରୁଚନ୍ତି; ଏହାଦ୍ୱାରା ଲୋକଙ୍କ ଭିତରେ ଅଶିକ୍ଷା ଓ କପଟ ଭକ୍ତିର ପ୍ରସାର ହେଉନାହିଁ କି ? ଅନ୍ତର ଭିତରୁ ଉଚ୍ଚାରଣ କରିପାରିଲେ ରାମନାମ ମହୌଷଧିର କାମ ଦେଇପାରେ; କିନ୍ତୁ ମୋ ମତରେ କେବଳ ଯଥାର୍ଥ ଧର୍ମଶିକ୍ଷାଦ୍ୱାରାହିଁ ତାହା ସମ୍ଭବ ହୋଇପାରିବ ।

 

ଉତ୍ତର–ଆପଣ ଠିକ୍‌ କହିଛନ୍ତି । ସଂସାରରେ ଅନ୍ଧବିଶ୍ୱାସ ଓ କପଟଭକ୍ତି ଏତେ ପ୍ରବଳ ହୋଇଯାଇଚି ଯେ, କୌଣସି ସାଧୁପ୍ରଚାର କରିବାରେ ମଧ୍ୟ ପ୍ରମାଦ ଗଣିବାକୁ ହେଉଚି । କିନ୍ତୁ ଏପରି ପ୍ରମାଦ ଗଣି ଚୁପ୍‌ ହୋଇରହିଲେ ସତ୍ୟ ମଧ୍ୟ ଚାପି ହୋଇ ରହିଯିବ । ନିଜେ ଯାହାକୁ ଠିକ୍‌ ବୋଲି ବିଚାରୁଚ, ନିର୍ଭୟରେ ସେହି ମାର୍ଗରେ କାମ କରିଯିବା ହେଉଛି ଶ୍ରେଷ୍ଠପନ୍ଥା ଛନ୍ଦ କପଟ ଓ ମିଥ୍ୟା ତ ସଂସାରରେ ନିତି ଲାଗି ରହିଥିବ । ଆମେ ଧର୍ମଲାଗି କାମ କଲେ ସେସବୁ କମିବ; କିନ୍ତୁ କେବେ ବଢ଼ିବ ନାହିଁ । ଚତୁର୍ଦ୍ଦିଗରୁ ମିଥ୍ୟାର ବିହ୍ୱଭିତରେ ପଡ଼ି ହୁଏତ ଆମେ ନିଜେ ଦିନେ ସେଇ ଜାଲରେ ପଡ଼ିଯିବା ଓ ନିଜକୁ ଠକିବାକୁ ଆରମ୍ଭ କରିବା, ଅସଲ ଭୟଟି ଏଇଠି ରହିଚି । ଆମର ଆଳସ୍ୟ ଓ ଅଶିକ୍ଷାର ଶିକାର ହୋଇ ଯେପରି ଆମେ କୌଣସି ଭୁଲ କରିବା ନାହିଁ । ସେଥିପାଇଁ ଆମକୁ ସାବଧାନ ରହିବାକୁ ପଡ଼ିବ । ଯେ କୌଣସି ପରିସ୍ଥିତିରେ ଆମେ ସର୍ବଦା ସତର୍କ ଥିବା, ଏହାହିଁ ଦରକାର । ସତ୍ୟର ସେବକ ପାଇଁ ଅନ୍ୟ ରାସ୍ତା ଆଉ ନାହିଁ । ମନକୁ ସଜାଗ ଓ ସତର୍କ ରଖି ନ ପାରିଲେ ରାମନାମ ପରି ଅତୁଟ ମହୌଷଧି ମଧ୍ୟ ଅକାମୀ ହୋଇଯିବ ଓ ଅନ୍ଧବିଶ୍ୱାସରେ ପରିଣତ ହୋଇ ରହିଥିବ ।

 

–ହରିଜନ, ତା୦୨.୦୬.୧୯୪୬

Image

 

ବିଶ୍ୱାସ-ଆରୋଗ୍ୟ ଓ ରାମନାମ

 

ଜଣେ ବନ୍ଧୁ ଉପହାସ କରି ଲେଖିଚନ୍ତି–ତା ୧୭.୦୩.୧୯୪୬ର ‘ହରିଜନ’ରୁ ମୁଁ ଆପଣଙ୍କର ଦୋଷସ୍ୱୀକାର ଓ ଆରୋଗ୍ୟ ଲେଖାଟି ପଢ଼ିଚି । ବିଶ୍ୱାସ-ଆରୋଗ୍ୟ ସହିତ ଏଇ ପ୍ରାକୃତିକ ଆରୋଗ୍ୟର କି ସମ୍ବନ୍ଧ ଅଛି ମୁଁ ଜାଣିପାରୁ ନାହିଁ । ଅବଶ୍ୟ ଚିକିତ୍ସା ଉପରେ ବିଶ୍ୱାସ ରଖିବା ରୋଗର ଆରୋଗ୍ୟ ଲାଗି ନିତାନ୍ତ ଆବଶ୍ୟକ । କିନ୍ତୁ ବସନ୍ତ ଓ ପେଟବ୍ୟଥା ପ୍ରଭୃତି କେତେକ ରୋଗ ଅଛି, ଯେଉଁଗୁଡ଼ାକ କି ବିଶ୍ୱାସ ଆରୋଗ୍ୟ ଦ୍ୱାରା ଭଲ ହୋଇ ପାରିବ । ଆପଣ ଜାଣନ୍ତି ବିଶେଷତଃ ଦକ୍ଷିଣ ଭାରତରେ ବସନ୍ତକୁ ଲୋକେ ଠାକୁରାଣୀ ବୋଲି କହନ୍ତି ଓ ସେଥିରେ କୌଣସି ଚିକିତ୍ସା କରନ୍ତି ନାହିଁ । ଠାକୁରାଣୀଙ୍କୁ ପୂଜା ପଣା ଦେଲେ ରୋଗ ଆଶ୍ଚର୍ଯ୍ୟଭାବେ ଭଲ ହୋଇଯାଏ । ଯେତେ ଦିନର ପେଟକୁ ମାରିବା ବେମାରି ଥାଉ ପଛକେ, ତିରୁପତି ମନ୍ଦିରରେ କିଛି ମାନସିକ କଲେ ବେମାରି କୁଆଡ଼େ ଛାଡ଼ି ପଳାଏ । ରୋଗ ଭଲ ହେବା ପରେ ମାନସିକ ପୂରଣ କରିବାକୁ ହୁଏ । ମୋ ବୋଉଙ୍କର ମଧ୍ୟ ପେଟମରା ବେମାରୀ ଥିଲା । ତିରୁପତି ମନ୍ଦିରକୁ ଯିବାପରେ ସେ ବିଲକୁଲ ଭଲ ହୋଇଗଲେ ।

 

ଏ ବିଷୟରେ ଆପଣଙ୍କର ମତ ଲେଖିବେ । ପ୍ରାକୃତିକ ଚିକିତ୍ସା ଉପରେ ଲୋକଙ୍କର ଏଇପରି ବିଶ୍ୱାସ ରହିଲେ କି କ୍ଷତି ହୁଅନ୍ତା / ଏହାଦ୍ୱାରା କେତେ ଡାକ୍ତର ଖର୍ଚ୍ଚ କମି ଯାଆନ୍ତା । ଚମର୍‌ଙ୍କର କଥାରେ କହିବାକୁ ଗଲେ ଡାକ୍ତରମାନେ ରୋଗୀ ରୋଗ ଭଲ କରନ୍ତି ନାହିଁ ଯେ ତାକୁ ଚିର ରୋଗୀ କରି ଛାଡ଼ନ୍ତି ।’’

 

ଉପରେ ଯେଉଁ ଉଦାହରଣମାନ ଦିଆହୋଇଛି, ତାକୁ ପ୍ରାକୃତିକ ଚିକିତ୍ସା କୁହାଯାଇ ପାରିବ ନାହିଁ । ମୋର ‘ରାମନାମ’ ଚିକିତ୍ସାଠାରୁ ମଧ୍ୟ ଏହା ଆହୁରି ବେଶୀ ଦୂରରେ । ତଥାପି ସେ ସବୁରୁ ଜଣାପଡ଼ୁଚି, କିପରି ଅନେକ କ୍ଷେତ୍ରରେ କୌଣସି ଔଷଧ ନ ଖାଇ ମଧ୍ୟ ରୋଗ ଆପେ ଆପେ ଭଲ ହୋଇ ଯାଇପାରେ । ଅବଶ୍ୟ ଭାରତୀୟ ସମାଜରେ କେତେ ଦୂର ଅନ୍ଧବିଶ୍ୱାସ ରହିଚି, ସେଥିରୁ ତା’ର ପ୍ରମାଣ ମିଳୁଚି ।

 

‘ରାମନାମ’ ପ୍ରାକୃତିକ ଚିକିତ୍ସାର ନିଦାନ ସ୍ୱରୂପ; ସେଥିରେ ଅନ୍ଧବିଶ୍ୱାସର ସ୍ଥାନ ନାହିଁ । ଅବିବେକୀ ମଣିଷମାନେ ହୁଏତ ‘ରାମନାମ’ ର ଅପବ୍ୟବହାର କରିପାରନ୍ତି । ତୁଣ୍ଡରେ ଖାଲି ‘ରାମନାମ’ ଲେଉଟାଇଲେ ଆରୋଗ୍ୟ ହୋଇପାରେ ନାହିଁ । ବିଶ୍ୱାସଆରୋଗ୍ୟକୁ ମୁଁ ଅନ୍ଧ-ଆରୋଗ୍ୟ ବୋଲି କହିବି । ଏହାଦ୍ୱାରା ସାକ୍ଷାତ ଭଗବାନଙ୍କର ଜୀବନ୍ତ ନାମକୁ ଅସ୍ୱୀକାର କରାଯାଉଚି। ଭଗବାନ କେବଳ ମଣିଷର କଳ୍ପନାପ୍ରସୂତ ପ୍ରତୀକ ନୁହନ୍ତି–ସେ ଅନ୍ତରର ସାଧନାର ଫଳ । ସଚେତ ସଜାଗ ରହି ଭଗବାନଙ୍କ ଉପରେ ବିଶ୍ୱାସ ରଖିବାକୁ ହେବ ଓ ତାଙ୍କର ଶାଶ୍ୱତ ବିଧାନମାନ ହୃଦୟଙ୍ଗମ କରିବାକୁ ହେବ । ଏତିକି କରିପାରିଲେ ଆରୋଗ୍ୟ ଲାଗି ଆଉ ଅନ୍ୟ ଔଷଧ ଆବଶ୍ୟକ ପଡ଼ିବ ନାହିଁ । ଶରୀରର ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ସୁସ୍ଥ ମନ ଆବଶ୍ୟକ । ଏହାହିଁ ତାଙ୍କର ବିଧାନ ସୁସ୍ଥ ଓ ନିର୍ମଳ ହୃଦୟ ଦ୍ୱାରାହିଁ ସୁସ୍ଥ ମନର ଅନୁଶୀଳନ କରାଯାଇ ପାରେ । ହୃଦୟ କହିଲେ ଏଠି ଡାକ୍ତରମାନେ ଷ୍ଟେଥେସ୍କୋପ ଦେଇ ଯାହାକୁ ପରୀକ୍ଷା କରନ୍ତି, ତାକୁ ବୁଝାଉନାହିଁ । ଏଠି ହୃଦୟର ଅର୍ଥ ହେଉଚି, ଭଗବାନଙ୍କର ଯଥାର୍ଥ ସିଂହାସନ । ହୃଦୟର ସିଂହାସନରେ ଭଗବାନଙ୍କୁ ଆସୀନଭାବେ ପାଇ ପାରିଲେ ମନରେ କୌଣସି ପ୍ରକାରର ଅଶୁଦ୍ଧ ଓ ଅଳସ ଭାବନା ସ୍ଥାନ ପାଇପାରେ ନାହିଁ । ଭାବନା ଶୁଦ୍ଧ ଥିଲା ପର୍ଯ୍ୟନ୍ତ ରୋଗ ମଧ୍ୟ ଦେହରେ ପଶି ପାରେ ନାହିଁ । ଏପରି ଏକ ଅବସ୍ଥାରେ ଉପନୀତ ହେବା ବଡ଼ କଷ୍ଟକର କଥା-। କିନ୍ତୁ ଏଇ ଆରୋଗ୍ୟରୀତିରେ ଆସ୍ଥା ସ୍ଥାପନ କରିପାରିଲେ ଆମେ ପ୍ରଥମ ପାହାଚ ଅତିକ୍ରମ କରିଯାଉ । ତା’ପରେ ସେହିପରି ଉଦ୍ୟମ ଆରମ୍ଭ କଲେ ଦ୍ୱିତୀୟ ପାହାଚ ମଧ୍ୟ ଅତିକ୍ରାନ୍ତ ହୋଇଯାଏ । ଜୀବନରେ ଏଇ ଅପୂର୍ବ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ଏପର୍ଯ୍ୟନ୍ତ ମଣିଷର ଜ୍ଞାନସୀମା ଭିତରକୁ ଆସିଥିବା ପ୍ରାକୃତିକ ନିୟମଗୁଡ଼ିକୁ ପାଳନ କରିବା ମଧ୍ୟ ଆପେ ଆପେ ଶିଖି ହୋଇଯାଏ । ଖାଲି ସେ ସବୁ ନିୟମ ସହିତ ଖେଳି ବସିଲେ କେହି ହୃଦୟକୁ ଶୁଦ୍ଧ କରି ପାରିବ ନାହିଁ । ହୁଏତ ରାମନାମର ଆଶ୍ରୟ ନ ନେଇ ମଧ୍ୟ ଅନେକ ନିଜ ନିଜର ହୃଦୟକୁ ଶୁଦ୍ଧ କରିପାରନ୍ତି-। ମୁଁ କିନ୍ତୁ ରାମନାମ ଛଡ଼ା ଅନ୍ୟ ଉପାୟ ଜାଣେନା । ସାରା ପୃଥିବୀର ସବୁ ମୁନି ଋଷି ମଧ୍ୟ ଏଇ ମାର୍ଗରେ ଯାଇଚନ୍ତି । ସେମାନେ ଯଥାର୍ଥରେ ଭଗବାନଙ୍କର ସନ୍ତାନ ଥିଲେ । ମାତ୍ର ଅନ୍ଧବିଶ୍ୱାସ ବା କପଟ-ଧର୍ମରେ ନିଜର ପ୍ରାପ୍ତିପଥକୁ କଳୁଷିତ କରିଦେଇ ନଥିଲେ ।

 

ଯଦି ଏଇୟାକୁ ଆପଣ ଖ୍ରୀଷ୍ଟୀୟ-ବିଜ୍ଞାନ ବୋଲି କହିବେ, ତେବେ ତା’ ଠାରୁ ଦ୍ୱିମତ ହେବାର କୌଣସି କାରଣ ମୋର ନାହିଁ । ରାମନାମର ମାର୍ଗକୁ ମୁଁ ନୂଆ କରି ଭିଆଇ ନାହିଁ । ଖ୍ରୀଷ୍ଟ ଜନ୍ମହେବାର ଅନେକ ବର୍ଷ ଆଗରୁ ପୃଥିବୀର ଅନେକ ସାଧକ ଏହାକୁ ଅବଲମ୍ବନ କରିଚନ୍ତି ।

 

ରାମନାମର ଆଶ୍ରୟ ନେଲେ ଅସ୍ତ୍ରୋପଚାରର ଆବଶ୍ୟକତା ରହିବ କି ନାହିଁ ବୋଲି ଜଣେ ବନ୍ଧୁ ମୋତେ ପଚାରିଚନ୍ତି । ଆବଶ୍ୟକତା ରହିବ ବୋଲି ମୁଁ ଉତ୍ତର ଦେବି । ଆକସ୍ମିକ ଦୁର୍ଘଟଣା ଆଣିବ ନାହିଁ । ଅନେକ ସମୟରେ ଅବଶ୍ୟ ଅସ୍ତ୍ରୋପଚାରର ଆବଶ୍ୟକତା ନ ଥାଏ । ଯେଉଁଠି ଆବଶ୍ୟକ, ସେଠି ନିଶ୍ଚୟ ତା’ର ସାହାଯ୍ୟ ନେବା ଉଚିତ । କିନ୍ତୁ ଯିଏ ନିଜକୁ ପୂରାପୂରି ଭଗବାନଙ୍କ ହାତରେ ସମର୍ପଣ କରିଦେଇଚି, ସେ ହାତଟାଏ ବା ଗୋଡ଼ଟାଏ ଚାଲିଗଲେ ତା’ ପାଇଁ ଝୁରି ହେବନାହିଁ । ରାମନାମକୁ ସବୁସ୍ଥଳରେ ହଠାତ୍‌ ଫଳ ହେଲା ଭଳି କେବଳ ଏକ ସାଧନ ବୋଲି କହିଲେ ଭୁଲ ହେବ ।

 

–ହରିଜନ, ତା୦୯.୦୬.୧୯୪୬

Image

 

ପ୍ରକୃତିର ବିଧାନ

 

ପ୍ରଶ୍ନ:–‘ଆପଣଙ୍କର’ ଉପଦେଶ ମାନି ମୁଁ ରାମନାମ ଜପୁଚି ଓ ତଦ୍ଦ୍ୱାରା ଉପକାର ମଧ୍ୟ ପାଉଚି । ରାମନାମ ସଙ୍ଗେ ସଙ୍ଗେ କ୍ଷୟରୋଗର ଡାକ୍ତରୀ ଚିକିତ୍ସା ମଧ୍ୟ ଚାଲିଚି । ଆପଣ କହିଚନ୍ତି ଯେ, ଅଳ୍ପ ଓ ପରିମିତ ଯଥାର୍ଥ ଆହାର ଦ୍ୱାରା ଲୋକ ସ୍ୱାସ୍ଥ୍ୟବାନ୍ ଓ ଦୀର୍ଘାୟୁ ହୋଇ ପାରିବ । ଗଲା ପଚିଶ ବର୍ଷ ଅବଧି ମୁଁ ଅଳ୍ପ ଆହାର ଅଭ୍ୟାସ କରି ଆସିଲେଣି । ତେବେ ମୁଁ କାହିଁକି କ୍ଷୟରୋଗରେ ପଡ଼ିଲି ? ଏହାର କାରଣ ସ୍ୱରୂପ ମୁଁ ଏ ଜନ୍ମରେ ବା ଗତ ଜନ୍ମରେ କୌଣସି ପାପକାର୍ଯ୍ୟ କରିଚି ବୋଲି ଆପଣ କହିବେ କି ?

 

ଆପଣଙ୍କ ମତରେ ମଣିଷ ୧୨୫ ବର୍ଷ ବଞ୍ଚିପାରିବ । ତେବେ ଭଗବାନ ମହାଦେବ ଭାଇଙ୍କୁ ଏଡ଼େ ଚଞ୍ଚଳ ନେଇଗଲେ କାହିଁକି ? ସେ ତ ଆପଣଙ୍କର କେତେ ସାହାଯ୍ୟ କରୁଥିଲେ । ସେ ଅଳ୍ପ ଓ ପରିମିତ ଆହାର କରିଥିଲେ ଏବଂ ଆପଣଙ୍କୁ ଈଶ୍ୱର ବୋଲି ମାନି ସେବା କରୁଥିଲେ । ତାଙ୍କର କାହିଁକି ଉର୍ଦ୍ଧ୍ଵ ରକ୍ତଚାପ ହେଲା ? ରାମକୃଷ୍ଣ ପରମହଂସ ଭଗବାନଙ୍କର ଏକ ଅବତାର ପରି ଥିଲେ, ସେ କାହିଁକି କ୍ୟାନସର୍ ପରି ଏକ ମାରାତ୍ମକ ରୋଗ ଭୋଗିଲେ ? ସେ କାହିଁକି ନିଜର ରୋଗ ଭଲ କରିପାରିଲେ ନାହିଁ ?

 

ଉତ୍ତର :– ସ୍ୱାସ୍ଥ୍ୟର ନିୟମମାନ ମୁଁ ଯେଉଁପରି ବୁଝିଚି, ସେହିପରି ଭାବରେ ସେ ସବୁ ବୁଝାଇବାକୁ ଚେଷ୍ଟା କରିଚି । ହୁଏତ ଅଳ୍ପ ଓ ପରିମିତ ଆହାର ସମସ୍ତଙ୍କ ପକ୍ଷରେ ଉପକାରୀ ହୋଇ ନ ପାରେ । ଆରୋଗ୍ୟ ଶାସ୍ତ୍ରର ନିୟମମାନ ପଢ଼ି ଓ ସେ ବିଷୟରେ ଗଭୀରଭାବେ ଚିନ୍ତା କରି ପ୍ରତ୍ୟେକ ଲୋକ ତା’ ନିଜପାଇଁ ସ୍ୱାସ୍ଥ୍ୟର ନିୟମ ତିଆରି କରିପାରିଲେ ତାହା ସବୁଠୁଁ ଭଲ ଫଳ ଦେବ । ମାତ୍ର ଏହାଦ୍ୱାରା ମୁଁ କହୁନି ଯେ ମଣିଷର ମୋଟେ ଭୁଲ ହେବନାହିଁ ଓ ସେ ସବୁ ବିଷୟରେ ପଣ୍ଡିତ ହୋଇଯିବ । ସେଥିଲାଗି ଜୀବନକୁ ଏକ ପରୀକ୍ଷାଗାର ବୋଲି କୁହାଯାଇଚି । ଅନ୍ୟର ଅଭିଜ୍ଞତାରୁ ଶିଖି ପ୍ରତ୍ୟେକକୁ ନିଜପାଇଁ ବିଧାନ ତିଆରି କରିବାକୁ ହେବ; କିନ୍ତୁ ସେ ବିଧାନରୁ ଉପକାର ନ ମିଳିଲେ ସେ ପରକୁ ବା ନିଜକୁ ସୁଦ୍ଧା ନିନ୍ଦା କରିପାରିବ ନାହିଁ । ହଠାତ୍ ଅନ୍ଧଙ୍କ ପରି ବିଧାନକୁ ଭୁଲ ବୋଲି କହିବା ମଧ୍ୟ ଉଚିତ କଥା ହେବ ନାହିଁ । ଅନେକ ଭାବି ଚିନ୍ତି ସାରିବା ପରେ ଯଦି କୌଣସି ବିଶେଷ ବିଧାନକୁ ଆମେ ଭୁଲ ବୋଲି ଜାଣିବା, ତେବେ ଯାଇ ଆମେ ଗୋଟିଏ ନିର୍ଭୁଲ ବିଧାନ ଖୋଜି ବାହାର କରିପାରିବା ।

 

ଆପଣଙ୍କ ବିଷୟରେ ମୁଁ ଏତିକି କହିପାରିବି ଯେ, ଆପଣଙ୍କର ରୋଗର ଆହୁରି ଅନ୍ୟ କାରଣମାନ ଥାଇପାରେ । ଆପଣ ଯେ ପଞ୍ଚଭୂତର ଯଥାର୍ଥ ସଦବ୍ୟବହାର କରିଚନ୍ତି, ତାହା କିଏ କହିପାରିବ ? ପ୍ରକୃତିର ବିଧାନ ଉପରେ ମୋର ଯଥେଷ୍ଟ ବିଶ୍ୱାସ ଅଛି । ତେଣୁ ମୋ’ ମତରେ ଆପଣଙ୍କର ହୁଏତ କୌଣସି ଜାଗାରେ ବ୍ୟତିକ୍ରମ ହୋଇଯାଇଛି ।

 

ମହାଦେବ ଓ ରାମକୃଷ୍ଣ ପରମହଂସଙ୍କ ପ୍ରସଙ୍ଗରେ ପ୍ରକୃତିର ବିଧାନକୁ ଭୁଲ୍ ବୋଲି କହିବା ଅପେକ୍ଷା ବରଂ ମୁଁ କହିବି ଯେ ସେମାନଙ୍କର ନିଜର ହୁଏତ କେଉଁଠି ଗଲତି ରହିଯାଇଚି । ପ୍ରକୃତିର ବିଧାନକୁ ମୁଁ ସୃଷ୍ଟି କରିନାହିଁ ବଡ଼ ବଡ଼ ଜ୍ଞାନୀ ଓ ଅଭିଜ୍ଞତାପାପ୍ତ ଲୋକମାନେ ସେ ସବୁ ନିୟମକୁ ସ୍ୱୀକାର କରି ଯାଇଚନ୍ତି । ମୁଁ ସେ ସବୁ ନିୟମକୁ ବିଶ୍ୱାସ କରେ ଓ ତାହାରି ଅନୁସାରେ ଜୀବନକୁ ନିୟନ୍ତ୍ରିତ କରେ । ମଣିଷ ଦେବତା ନୁହେଁ, ତା ଭିତରେ ଅନେକ ଗଲତି ରହିଚି । ସେ କିପରି ସମସ୍ତ ସତ୍ୟ ଉପରେ ନିଜର ଜ୍ଞାନହାସଲ କରି ପାରିବ ? ଡାକ୍ତରମାନେ ଏଇ ପ୍ରାକୃତିକ ବିଧାନକୁ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ସେଥିରେ ମୋର ଯାଏ ଆସେ ନାହିଁ । ମୁଁ ଏଠି ଯାହା ସବୁ କହିଲି ତଦ୍ଦ୍ୱାରା ଯେପରି କେହି ଉଲ୍ଲିଖିତ ବ୍ୟକ୍ତିମାନଙ୍କର ମହତ୍ୱକୁ ହାନି କରାଯାଇଚି ବୋଲି ନ ବୁଝେ ।

 

–ହରିଜନ, ତା ୦୪.୦୮.୧୯୪୬

Image

 

ପ୍ରାକୃତିକ ଆରୋଗ୍ୟ–ବିଧି ଓ ଆଧୁନିକ ଚିକିତ୍ସା

 

ପ୍ରଶ୍ନ:– ‘ଆପଣଙ୍କର ପ୍ରାକୃତିକ ଆରୋଗ୍ୟ–ବିଧିରେ ଅନୁବୀକ୍ଷଣ ଯନ୍ତ୍ର, ରଞ୍ଜନରଶ୍ମି ପ୍ରଭୃତି ରୋଗ ନିର୍ଣ୍ଣାୟକ ଉପକରଣର ସ୍ଥାନ ଅଛି କି ? ସେଲେରିଆରେ କୁଇନାଇନ୍, ନାଳଝାଡ଼ାରେ ଏମିଟିନ୍, ନିମୋନିୟାରେ ପେନସିଲିନ୍ ପ୍ରଭୃତି ନିଶ୍ଚିତ ଫଳପ୍ରଦ ଯେଉଁସବୁ ବିଶେଷ ଔଷଧମାନ ଅଛି, ସେ ସବୁ ଆପଣ ସ୍ୱୀକାର କରିବେ କି ? ବ୍ୟକ୍ତିଗତ ପରିଚ୍ଛନ୍ନତା ସ୍ୱାସ୍ଥ୍ୟରକ୍ଷା ଓ ରୋଗର ପ୍ରତିକାର ସମ୍ୱନ୍ଧରେ ଲୋକମାନଙ୍କୁ ଶିକ୍ଷାଦେବା ଆପଣ ଅନୁମୋଦନ କରିବେ ନାହିଁ କି-?’

 

ଉତ୍ତର :– ଗାଁରେ ଗାଉଁଲୀ ଲୋକମାନଙ୍କର ସେବା କରିବା ଲାଗି ମୋର ପ୍ରାକୃତିକ ଚିକିତ୍ସାବିଧିର ଉଦ୍ଭବ ହୋଇଚି । ତେଣୁ ସେଥିରେ ଅଣୁବୀକ୍ଷଣ, ରଞ୍ଜନରଶ୍ମି ବା ସେଭଳି ଉପକରଣ ସ୍ଥାନ ନାହିଁ । କୁଇନାଇନ୍, ଏମିଟିନ୍ ଓ ପେନସିଲିନ୍ ପ୍ରଭୃତିକୁ ମଧ୍ୟ ମୁଁ ଅନୁମୋଦନ କରିପାରିବି ନାହିଁ । କିନ୍ତୁ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଓ ସୁସ୍ଥ ଜୀବନଯାପନ ପ୍ରାକୃତିକ ଚିକିତ୍ସାର ଏକ ମହତ୍ତ୍ୱ ପୂର୍ଣ୍ଣ ଅଙ୍ଗ । କେବଳ ଏତିକି ଛଡ଼ା ପ୍ରାକୃତିକ ଚିକିତ୍ସାରେ ଆଉ କିଛି ଲୋଡ଼ା ନାହିଁ । ଏଇଥିରେ ପୂର୍ଣ୍ଣ ସଫଳତା ପାଇ ପାରିଲେ ଆଉ ରୋଗର ସମ୍ଭାବନା ନ ଥିବ । ଆଉ ରୋଗମୁକ୍ତ ହେବାଲାଗି ପ୍ରକୃତିର ସମସ୍ତ ନିୟମ ପାଳନ କରିବା ସଙ୍ଗେ ସଙ୍ଗେ ମଧ୍ୟ ରାମନାମକୁ ସମସ୍ତଙ୍କ ଲାଗି ମହୌଷଧି କରି ହେବନାହିଁ । ପ୍ରଥମେ ରୋଗୀ ମନରେ ଅଟଳ ଆସ୍ଥା ଆଣିବାକୁ ହେବ । ନିଜେ ଡାକ୍ତରଙ୍କୁ ରାମନାମର ଏକ ଜୀବନ୍ତ ପ୍ରତିମୂର୍ତ୍ତି ହେବାକୁ ପଡ଼ିବ । ତା’ ସଙ୍ଗେ ସଙ୍ଗେ ପ୍ରକୃତିର ପଞ୍ଚଭୂତରୁ ଯଥାସମ୍ଭବ ସାହାଯ୍ୟ ନେବାକୁ ହେବ। ପଞ୍ଚଭୂତ ହେଉଚି-କ୍ଷତି, ଅପ, ତେଜ, ମରୁତ ଓ ବ୍ୟୋମ । ଏ ପ୍ରାକୃତିକ ଚିକିତ୍ସାବିଧିର ଏହି ହେଉଚି ସୀମା । ତେଣୁ ଉଛୁଳି କାଞ୍ଚନଠାରେ ଗାଁର ଲୋକମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ହୋଇ ରହିବାକୁ ଓ ପଞ୍ଚଭୂତ ସାହାଯ୍ୟରେ ସବୁ ରୋଗର ଚିକିତ୍ସା କରିବାକୁ ଶିକ୍ଷା ଦେଇ ମୁଁ ମୋର ପ୍ରାକୃତିକ ଚିକିତ୍ସା କାର୍ଯ୍ୟ ଆରମ୍ଭ କରିଚି । ଦରକାର ପଡ଼ିଲେ ଆଖପାଖରେ ମିଳୁଥିବା ଚେରମୂଳ ମଧ୍ୟ ସେଠି ବ୍ୟବହାର କରାଯାଇଚି । ଯଥେଷ୍ଟ ଓ ଯଥାର୍ଥ ଖାଦ୍ୟ ମଧ୍ୟ ପ୍ରାକୃତିକ ଚିକିତ୍ସାର ଏକ ଅପରିହାର୍ଯ୍ୟ ନିୟମ ହୋଇ ରହିଚି ।

 

–ହରିଜନ, ତା ୧୧.୦୮.୧୯୪୬

Image

 

ରାମନାମ ବିଷୟରେ ଭ୍ରମଧାରଣା

 

ଜଣେ ବନ୍ଧୁ ଲେଖିଚନ୍ତି :– ‘ମେଲେରିଆ ଭଲ କରିବାପାଇଁ ଆପଣ ରାମନାମକୁ ଆଧାର କରିବାର ଉପଦେଶ ଦେଇଚନ୍ତି । କିନ୍ତୁ ଶରୀରର ରୋଗ ଭଲ କରିବାକୁ କିପରି ଏକ ଅଶରୀରୀ ଶକ୍ତି ଉପରେ ନିର୍ଭର କରାଯାଇ ପାରିବ; ଏ ବିଶ୍ୱାସ ମୋର ଆଦୌ ହେଉନାହିଁ । ଦେଶବାସୀ ଦୁଃଖ ଯନ୍ତ୍ରଣାରେ ଘାଣ୍ଟି ହେଉଥିବା ବେଳେ ମୋର ଆରୋଗ୍ୟ ହେବା ଓ ନିଜର ମୁକ୍ତିଲାଗି ପ୍ରାର୍ଥନା କରିବା ଯେ କେତେଦୂର ଯୁକ୍ତିଯୁକ୍ତ, ତାହା ମୁଁ ବୁଝି ପାରୁନାହିଁ । ଯେଉଁଦିନ ମୁଁ ରାମନାମକୁ ବୁଝିପାରିବି, ସେଦିନ ଆଗ ମୁଁ ସେମାନଙ୍କ ମୁକ୍ତିଲାଗି ପ୍ରାର୍ଥନା କରିବି । ନ ହେଲେ ବର୍ତ୍ତମାନ ଅପେକ୍ଷା ସେତେବେଳେ ମୁଁ ନିଜକୁ ଆହୁରି ସ୍ୱାର୍ଥପର ବୋଲି ମନେ କରିଚି ।’

 

ସତ୍ୟଜ୍ଞାନ ପ୍ରତି ବନ୍ଧୁଙ୍କ ଯଥେଷ୍ଟ ନିଷ୍ଠା ରହିଚି ବୋଲି ମୋର ବିଶ୍ୱାସ । ମୁଁ ତାଙ୍କ ଚିଠି ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଚି । ତାଙ୍କର ସମସ୍ୟାଟି ମଧ୍ୟ ଆହୁରି ଅନେକଙ୍କର ସମସ୍ୟା ହୋଇ ରହିଥିବ ।

 

ଅନ୍ୟାନ୍ୟ ଶକ୍ତିପରି ଐଶୀଶକ୍ତିକୁ ମଧ୍ୟ ମଣିଷର ସେବାରେ ନିଯୁକ୍ତ କରାଯାଇ ପାରିବ । ଶାରୀରିକ ରୋଗ ଦୂର କରିବାଲାଗି ଯୁଗ ଯୁଗ ଧରି ଏହାର ବ୍ୟବହାର ହୋଇ ଆସିଚି । ତା’ ଛଡ଼ା ଶାରୀରିକ ଆରୋଗ୍ୟ ଲାଗି ଐଶୀଶକ୍ତିକୁ ଫଳପ୍ରଦ ବୋଲି ଜାଣି ମଧ୍ୟ ତାର ସଦୁପଯୋଗ ନ କଲେ ଆମେ ମସ୍ତ ଭୁଲ କରିବା । ମଣିଷ ଭିତରେ ଜଡ଼ ଯେମିତି ଅଛି ଆତ୍ମା ବି ସେମିତି ରହିଚି । ଦୁହେଁ ଦୁହିଁଙ୍କ ଉପରେ ପ୍ରଭାବ ପକାଉଚନ୍ତି । ମେଲେରିଆ ପାଇଁ କୁଇନାଇନ୍‌ ଖାଇଲାବେଳେ ଯଦି କୁଇନାଇନ୍‌ କିଣିବାକୁ ପଇସା ନ ପାଉଥିବା ଲକ୍ଷ ଲକ୍ଷ ଦରିଦ୍ରଙ୍କ କଥା ମନେ ନ ପଡ଼େ, ତେବେ ଲକ୍ଷ ଲକ୍ଷ ଅଶିକ୍ଷିତ ବ୍ୟବହାର କରିପାରୁ ନାହାନ୍ତି ବୋଲି ଆପଣ ନିଜ ହୃଦୟ ଭିତରେ ନିହିତ ଥିବା ମହୌଷଧିକୁ ବ୍ୟବହାର ନ କରିବେ କାହିଁକି ? ଅଶିକ୍ଷା ହେତୁ ହେଉ ବା ଅବସ୍ଥା କ୍ରମେ ହେଉ, ଲକ୍ଷ ଲକ୍ଷ ଲୋକ ପରିଷ୍କାର ପରିଚ୍ଛନ୍ନ ହେଉ ନାହାନ୍ତି ବୋଲି ଆପଣ କଣ ପରିଷ୍କାର ପରିଚ୍ଛନ୍ନ ହେବେ ନାହିଁ ? ଏସବୁ ଭ୍ରାତୃପ୍ରୀତିର ଭ୍ରାନ୍ତ ଧାରଣା ରଖି ଆପଣ ଯଦି ପରିଷ୍କାର ହେବାକୁ ନ ଶିଖିବେ, ତେବେ ନିଜେ ମଇଳା ଓ ରୋଗଣା ରହି ସେଇ ଲକ୍ଷ ଲକ୍ଷ ଲୋକଙ୍କର ସେବା କରିବାର ଗୁରୁ ଦାୟିତ୍ୱକୁ ଠକିବାହିଁ ଆପଣଙ୍କ ପକ୍ଷରେ ସାର ହେବ । ଶାରୀରିକ ପରିଷ୍କାର ପରିଚ୍ଛନ୍ନତା ଅପେକ୍ଷା ଆଧ୍ୟାତ୍ମିକ ପରିଷ୍କାର ପରିଚ୍ଛନ୍ନତାକୁ ଅସ୍ୱୀକାର କରି ବସିବା ଆହୁରି ଅଧିକ ଦୋଷାବହ ।

 

ମୁକ୍ତି କହିଲେ ନିଜ ସର୍ବାଙ୍ଗୀନ ଉନ୍ନତି ଛଡ଼ା ଆଉ କିଛି ବୁଝାଏ ନାହିଁ । ନିଜେ ମୁକ୍ତି ପାଇ ଆପଣ ଅନ୍ୟକୁ ମୁକ୍ତି ପାଇବାର ବାଟ ଦେଖାଇଦେଇ ପାରିବେ ଏବଂ ମୁକ୍ତ ହୋଇ ଅନ୍ୟର ସେବା କରିବାର ଯୋଗ୍ୟତା ହାସଲ କରି ପାରିବେ ।

 

କିନ୍ତୁ ଅନ୍ୟମାନେ ପେନ୍‌ସିଲିନ୍‌ ବ୍ୟବହାର କରିପାରିବେ ନାହିଁ ବୋଲି ଜାଣି ସୁଦ୍ଧା ଆପଣ ନିଜର ଆରୋଗ୍ୟ ଲାଗି ତାହା ବ୍ୟବହାର କଲେ ଆପଣଙ୍କୁ ପୂରା ସ୍ୱାର୍ଥପର ବୋଲି କୁହାଯିବ ।

 

ପତ୍ରପ୍ରେରକ ଯେଉଁ ଭ୍ରମରେ ପଡ଼ିଛନ୍ତି, ତାହା ସ୍ୱାଭାବିକ । ସତ କଥା ହେଉଚି ସେ କୁଇନାଇନ୍‌ ବଟୀ ପାଟିକୁ ପକେଇଦେବା ଅପେକ୍ଷା ରାମନାମର ସଦୁପଯୋଗ କରି ଶିଖିବା ଅଧିକ କଷ୍ଟସାଧ୍ୟ । କୁଇନାଇନ୍‌ କିଣିବାର ପାଇସାଠାରୁ ଏହାଲାଗି ଆହୁରି ଅଧିକ ପରିଶ୍ରମ ଦରକାର । ଯେଉଁ ଲକ୍ଷ ଲକ୍ଷ ଜନଗଣଙ୍କ ଲାଗି ମୋର ପତ୍ରପ୍ରେରକ ରାମନାମକୁ ଅନ୍ତରରୁ ପରିହାର କରିବାକୁ ଚାହାନ୍ତି, ସେଇ ଲକ୍ଷ ଲକ୍ଷ ଜନଗଣଙ୍କ ଲାଗିହିଁ ରାମନାମ ଅବଲମ୍ବନର ଯୋଗ୍ୟତା ହାସଲ କରିବାକୁ ହେବ ।

 

–ହରିଜନ, ତା୦୧.୦୯.୧୯୪୬

Image

 

ରାମନାମ ଓ ଯାଦୁମନ୍ତ୍ର

 

ପ୍ରଶ୍ନ–‘ମୋର ପୁତୁରା ଥରେ ବେମାର ପଡ଼ିଥିଲା । ତା’ର ଆତ୍ମସ୍ୱଜନ କୌଣସି ଔଷଧ ବ୍ୟବହାର ନ କରି ଗୁଣୀ ଗାରେଡ଼ି ମନ୍ତ୍ରର ଉପଯୋଗ କଲେ । ଏହାଦ୍ୱାରା କିଛି ଫଳ ଫଳିଲା ବୋଲି କହି ଦେବ ନାହିଁ । ଆପଣଙ୍କର ମା’ ମଧ୍ୟ ଏଇ ସବୁ ଯାଦୁ ମନ୍ତ୍ରର ଆଶ୍ରୟ ନେଇଥିବେ । ଏବେ ଆପଣ ରାମନାମ କଥା କହୁଚନ୍ତି । ଏହା କ’ଣ ଯାଦୁମନ୍ତ୍ରର ସମାନ ନୁହେଁ ?’

 

ଉତ୍ତର–ପ୍ରକାରନ୍ତରେ ମୁଁ ଆଗରୁ ଏ ପ୍ରଶ୍ନର ଉତ୍ତର ଦେଇଚି । ଏଠାରେ ଆଉ ଥରେ ତା’ର ପୁନରାବୃତ୍ତି କରିବାହିଁ ଭଲ । ମୋର ବୋଉ ମୋତେ ଔଷଧ ଖାଇବାକୁ ଦେଉଥିଲେ ବୋଲି ମୋର ମନେ ପଡ଼ୁଚି । ତଥାପି ତାଙ୍କର ଗୁଣି ଗାରେଡ଼ିରେ ବିଶ୍ୱାସ ଥିଲା । ଅନେକ ଜାଣିବା ଶୁଣିବା ଲୋକ ମଧ୍ୟ ସେ ସବୁରେ ବିଶ୍ୱାସ କରନ୍ତି । ମୁଁ କିନ୍ତୁ ସେସବୁ ମାନେନା । ମୁଁ ସାଫ୍‌ ସାଫ୍‌ କହିଦେଉଛି ଯେ, ମୋର କଳ୍ପିତ ରାମନାମ ସହିତ ଗୁଣିଗାରେଡ଼ିର କୌଣସି ସମ୍ବନ୍ଧ ନାହିଁ । ନିର୍ମଳ ହୃଦୟରେ ରାମନାମ ଜପିବା ଅର୍ଥ ଏକ ଅମିତ ମହାନ୍‌ ଶକ୍ତିର ଆଶ୍ରୟ ନେବା ବୋଲି ମୁଁ କହିଚି । ଏହି ଶକ୍ତି ଆଗରେ ପରମାଣୁ ବୋମା ଅତି ତୁଚ୍ଛ । ଏହା ଆମର ସମସ୍ତ କଷଣ ଘୁଞ୍ଚାଇ ନେବ । ରାମନାମ ହୃଦୟ ଭିତରୁ ଆସିବା ଉଚିତ ବୋଲି କହିଦେବା ଅତି ସହଜ; କିନ୍ତୁ ସେତକ କରି ପାରିବା ଅତି କଷ୍ଟସାଧ୍ୟ । କଷ୍ଟସାଧ୍ୟ ହେଲେ ମଧ୍ୟ ଏହାହିଁ ସବୁ ମଣିଷର ଶ୍ରେଷ୍ଠ ସମ୍ପଦ ।

 

–ହରିଜନ, ତା୧୩.୧୦.୧୯୪୮

Image

 

ଦରିଦ୍ର ଲାଗି ପ୍ରାକୃତିକ ଚିକିତ୍ସା-ବିଧି

 

ପ୍ରଶ୍ନ–ଭଲ କରି ମୁଠାଏ ଖାଇବାର ସାମର୍ଥ୍ୟ ନ ଥିଲାବେଳେ ଗାଁର ଦରିଦ୍ର ଳୋକଙ୍କୁ କମଳାରସ ଖାଇବାକୁ କହିବା ଅର୍ଥ ସେମାନଙ୍କୁ ଉପହାସ କରିବା ନୁହେଁ କି ? ପରିବାର ମୁହଁରେ ପେଜ ପାଣି ଦେବାକୁ ସେ ସାରାଦିନ ଖଟୁଥାଏ । ଜୀବନଠାରୁ ଜମି ଓ ପିଲାପିଲିଙ୍କୁ ସେ ବଡ଼ ଆଖିରେ ଦେଖେ । ଯେଉଁମାନଙ୍କ ହାତରେ ଅତି ବେଶି ପଇସା ଅଛି ଓ ପାଖରେ ଅତି ବେଶି ଫୁରସତ୍‌ ଅଛି, ସେହି ଭଳି ଧନୀ ଲୋକଙ୍କ ପାଇଁ ପ୍ରାକୃତିକ ଚିକିତ୍ସା ଉପଯୁକ୍ତ ହୋଇପାରେ ।

 

ପ୍ରାକୃତିକ ଚିକିତ୍ସା ସାହାଯ୍ୟରେ ଗ୍ରାମର ସେବା କରିବାକୁ ପ୍ରକୃତରେ ଯଦି ଆପଣ ଚାହୁଥାନ୍ତି, ତେବେ ଯଥାର୍ଥ ପ୍ରାକୃତିକ ଚିକିତ୍ସା କେନ୍ଦ୍ରମାନ ଯେପରି ଖୋଲାଯିବ ସେଥିପ୍ରତି ଆପଣଙ୍କର ଦୃଷ୍ଟି ରଖିବା ଉଚିତ । ଏସବୁ କେନ୍ଦ୍ରରୁ ରୋଗୀମାନେ ମାଗଣା ପଥି, ଲୁଗା ଓ ବିଛଣା ପାଇବେ । ଆଉ ରୋଗୀ ଯଦି ଖଟି ପାଇଲା ମଜୁରିଆ ହୋଇଥାଏ, ତେବେ ତା’ର ପରିବାର ପୋଷିବାର ବ୍ୟବସ୍ଥା ମଧ୍ୟ କରି ଦିଆଯିବ ।

 

‘ପ୍ରାକୃତିକ ଚିକିତ୍ସା କହିଲେ ଜୀବନ ଯାପନ ପ୍ରଣାଳୀରେ ଅଭିନବ ପରିବର୍ତ୍ତନକୁ ବୁଝାଏ ବୋଲି ଆପଣ କହିଚନ୍ତି । ତେଣୁ ପ୍ରାକୃତିକ ଚିକିତ୍ସା ସମ୍ବନ୍ଧରେ ଶିକ୍ଷାଦେବା ପ୍ରାକୃତିକ ଚିକିତ୍ସାର ଏକ ପ୍ରଧାନ ଅଙ୍ଗ ହେବା ଉଚିତ ନୁହେଁ କି ?’

 

ଉତ୍ତର–ପ୍ରଶ୍ନଟିରୁ ପ୍ରଶ୍ନକର୍ତ୍ତାଙ୍କର ଅଜ୍ଞାନତା ଧରା ପଡ଼ି ଯାଉଚି । ମୁଁ ପ୍ରାକୃତିକ ଚିକିତ୍ସା ସମ୍ବନ୍ଧରେ ଯାହାସବୁ ଲେଖିଚି, ତାକୁ ସେ ମନଦେଇ ପଢ଼ି ନାହାନ୍ତି । ପ୍ରାକୃତିକ ଚିକିତ୍ସାର ପ୍ରଥମ ଯୁକ୍ତି ହେଉଚି ଯେ, ଏହା ସବୁଠାରୁ ସହଜ ଓ ଶସ୍ତା ଚିକିତ୍ସା । ଆଦର୍ଶ ପ୍ରାକୃତିକ ଚିକିତ୍ସା କେବଳ ଗାଁ ଗହଳରେ କରାଯାଇ ପାରିବ । ଏହି ଚିକିତ୍ସାର ଆବଶ୍ୟକ ସାମଗ୍ରୀମାନ ଗାଁ’ ର ଲୋକମାନେ ସହଜରେ ପାଇ ପାରିବା ଦରକାର । ଯାହା ଗାଁରେ ନ ମିଳିବ, ସେତିକି କେବଳ ବାହାରୁ ଆସିବ । ଜୀବନକୁ ସାଧାରଣତଃ ଆମେ ଯେଉଁ ଚକ୍ଷୁରେ ଦେଖୁ, ସେହି ଦୃଷ୍ଟୀଭଙ୍ଗୀରେ ଏକ ଉତ୍କୃଷ୍ଟ ପରିବର୍ତ୍ତନ ଆଣିବା ହେଉଚି ପ୍ରାକୃତିକ ଚିକିତ୍ସାର ମୂଳ କଥା । ସ୍ୱାସ୍ଥ୍ୟର ନିୟମ ଅନୁସାରେ ନିଜର ଜୀବନକୁ ନିୟନ୍ତ୍ରିତ କରିବାପାଇଁ ଏହା ଆମକୁ ଶିକ୍ଷା ଦିଏ । ପଇସା ଦେଇ ବା ମାଗଣା ଡାକ୍ତଖାନାକୁ ଆସି ଖାଲି ଔଷଧ ନେଇଗଲେ ତାକୁ ପ୍ରାକୃତିକ ଚିକିତ୍ସା କୁହାଯିବ ନାହିଁ । ଡାକ୍ତରଖାନାରୁ ମାଗଣା ଔଷଧ ନେବାଟାକୁ ଭିକ୍ଷା କରିବା ଛଡ଼ା ଆଉ କ’ଣ ହୋଇପାରେ । କିନ୍ତୁ ଯେ ପ୍ରାକୃତିକ ଚିକିତ୍ସାକୁ ଗ୍ରହଣ କରେ, ସେ କଦାପି କାହାରି ଦୁଆରକୁ ଭିକ୍ଷା ଆଣିବାକୁ ଯାଏ ନାହିଁ । ଆତ୍ମନିର୍ଭରଶୀଳତା ଦ୍ୱାରାହିଁ ଆତ୍ମସମ୍ମାନ ବଢ଼େ । ଶରୀରରୁ ବିଷମୟ ଉପାଦାନମାନ ଦୂର କରି ଦେଇ ସେ ନିଜକୁ ରୋଗମୁକ୍ତ କରାଏ ଏବଂ ଭବିଷ୍ୟତରେ ଆଉ ରୋଗରେ ନ ପଡ଼ିବା ଲାଗି ମଧ୍ୟ ସତର୍କ ହୋଇଯାଏ-

 

ରାମନାମ ହେଉଚି ପ୍ରାକୃତିକ ଚିକିତ୍ସାର ନାହାକା ଚେର ପରି; କିନ୍ତୁ ତଦ୍ଦ୍ୱାରା ସମସ୍ତ ରୋଗରୁ ମୁକ୍ତ ହେବାକୁ ହେଲେ ତାହା ହୃଦୟ ଭିତରୁ ଉଚ୍ଚାରିତ ହେବା ଉଚିତ ।

 

କମଳାଲେମ୍ବୁର ରସ ପ୍ରାକୃତିକ ଚିକିତ୍ସା ଶାସ୍ତ୍ରରେ ଖୁବ୍‌ ବେଶି ଆବଶ୍ୟକ ହୁଏ ନାହିଁ । ଯଥାର୍ଥ ପରିମିତ ଆହାର ସ୍ୱାସ୍ଥ୍ୟରକ୍ଷା ଲାଗି ଯଥେଷ୍ଟ । ଆଜିକାଲି ଆମ୍ଭମାନଙ୍କ ପରି ଗାଁର ଲୋକେ ମଧ୍ୟ ସର୍ବସ୍ୱାନ୍ତ ହେବାକୁ ବସିଲେଣି । ଗାଁରେ ଯଥେଷ୍ଟ ପନିପରିବା ଓ ଫଳ ଉପୁଜିବା, ଗାଈକୁ ଅଧିକ ଦୁଧିଆଳୀ କରାଇବା ମଧ୍ୟ ପ୍ରାକୃତିକ ଚିକିତ୍ସା ଯୋଜନାର ଗୋଟିଏ କାର୍ଯ୍ୟକ୍ରମ । ଏଥିରେ ଯେଉଁ ସମୟତକ ଖରଚ ହୁଏ, ତାହା କଦାପି ନିଷ୍ଫଳ ହୋଇଯିବ ନାହିଁ । ଏହାଦ୍ୱାରା ସମୂହ ଗ୍ରାମର ଓ ବସ୍ତୁତଃ ସମଗ୍ର ଦେଶର କଲ୍ୟାଣ ସାଧିତ ହୋଇ ପାରିବ ।

 

ସହର ଓ ଗ୍ରାମମାନଙ୍କରେ ଆଦର୍ଶ ପ୍ରାକୃତିକ ଚିକିତ୍ସା ଗୃହ ସ୍ଥାପନ କରିବା ବିଷୟରେ ମୁଁ କେବଳ ତା’ର ନିଜ କର୍ତ୍ତବ୍ୟ କରି ଚାଲିଯିବ; ସେତିକିରେ ସନ୍ତୁଷ୍ଟ ରହି ଅନ୍ୟ ସବୁ ସେ ଭଗବାନଙ୍କ ଉପରେ ଛାଡ଼ିଦେବ ।

 

–ହରିଜନ, ତା୦୨.୦୬.୧୯୪୬

Image

 

କଞ୍ଚନ ଗ୍ରାମରେ ପ୍ରାକୃତିକ ଚିକିତ୍ସା

 

ଉରୁଳିକଞ୍ଚନର ଅଧିବାସୀମାନଙ୍କର ଅନୁରୋଧ ରକ୍ଷା କରି ମୁଁ ସେଇଠି ପ୍ରଥମେ ସ୍ଥାୟୀଭାବରେ କାର୍ଯ୍ୟ ଆରମ୍ଭ କରିଦେଲି । ସେଠିକାର ଅନୁଷ୍ଠାନଟିକୁ ଭାରତର ଗାଁଗୁଡ଼ିକ ପାଇଁ ଏକ ଆଦର୍ଶ ପ୍ରାକୃତିକ ଚିକିତ୍ସା ସଦନରେ ପରିଣତ କରିବା ମୋର ଅଭିଲାଷ ଥାଏ । ସେ ଗାଁର ଲୋକେ ମଧ୍ୟ ମୋ’ ସହିତ ସବୁପ୍ରକାର ସହଯୋଗ କରିବେ ବୋଲି ରାଜି ହୋଇଥିଲେ । ସେମାନେ ନିଜେ ଜମି ଦେଇ ସେହି ଜମିରେ ଘରବାଡ଼ି ତିଆରି କରିବାର ଭାର ନିଜ ଉପରକୁ ନେଇଥିଲେ; କିନ୍ତୁ ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ । ସେମାନେ କେବଳ ଆବଶ୍ୟକ ଅର୍ଥ ସଂଗ୍ରହ କରି ସାରିଚନ୍ତି । କିନ୍ତୁ ଜମି କିଣି ଘର ତିଆରି କରିବାକୁ ହେଲେ ଖାଲି ଟଙ୍କା କିପରି ଯଥେଷ୍ଟ ହୋଇ ପାରିବ ? ସେମାନଙ୍କୁ ଜମି ଠିକ୍‌ କରି ନିଜ ପରିଶ୍ରମରେ ସେହି ଜମିରେ ଘର ତିଆରି କରିବାକୁ ହେବ । ଏହି କାର୍ଯ୍ୟଟି ପାଇଁ କେବଳ ଅର୍ଥ ସାହାଯ୍ୟ ଛଡ଼ା ସେମାନଙ୍କର ସପ୍ରାଣ ଆଗ୍ରହ ଓ ଉତ୍ସାହ ସବୁଠାରୁ ବେଶି ଦରକାର ।

 

ସେଠିକାର ସହକର୍ମୀମାନଙ୍କଠାରୁ ଯେଉଁ ବିବରଣୀ ମୁଁ ପାଇଚି, ସେଥିରୁ ଜଣାପଡ଼ୁଚି ଯେ ଉରୁଳିକଞ୍ଚନର ଅଧିବାସୀମାନେ ପ୍ରାକୃତିକ ଚିକିତ୍ସାର ସାର ମର୍ମ ବୁଝିବାକୁ ଆରମ୍ଭ କଲେଣି । ସେଠାର କର୍ମୀମାନଙ୍କର ଏତେଦୂର ଆତ୍ମବିଶ୍ୱାସ ବଢ଼ିଯାଇଛି ଯେ, ମୁଁ ଜୁନ୍ ପୂର୍ବରୁ ସେଠାକୁ ନ ଗଲେ ମଧ୍ୟ ସେମାନେ ମୋର ଅଭାବ ଅନୁଭବ କରିବେ ନାହିଁ । ଲୋକମାନେ ପୂର୍ଣ୍ଣପ୍ରାଣରେ ସେମାନଙ୍କ ସହିତ ସହଯୋଗ କରୁଛନ୍ତି । ମହାବଳେଶ୍ୱର ଓ ପଞ୍ଚଗନିରେ ସମସ୍ତ ଗ୍ରୀଷ୍ମକାଳଟି କଟାଇ ଫେରିବା ପର୍ଯ୍ୟନ୍ତ ସେମାନେ ସବୁ କାମ ସୁରୁଖୁରୁରେ ଚଳାଇ ପାରିବେ ବୋଲି ମୋତେ ନିର୍ଭର ଜବାବ ଦେଇଚନ୍ତି । ସେମାନଙ୍କର ବିବରଣୀ ପଢ଼ି ମୁଁ ଖୁବ୍‌ ଆଶାନ୍ୱିତ ହୋଇପଡ଼ିଚି ।

 

ପ୍ରାକୃତିକ ଚିକିତ୍ସାର ଦୁଇଟି ଭାଗ ଅଛି । ପ୍ରଥମଟି ହେଉଚି ରାମନାମ ବା ଭଗବାନଙ୍କ ନାମ ନେଇ ରୋଗ ଆରୋଗ୍ୟ କରିବା; ଦ୍ୱିତୀୟରେ ଲୋକମାନଙ୍କୁ ସ୍ୱାସ୍ଥ୍ୟକର ଜୀବନଯାପନ କରିବାର ମାର୍ଗ ଶିଖାଇ ଦେଇ ରୋଗର ସ୍ଥାୟୀ ପ୍ରତିକାର କରିବା । ବିବରଣୀରୁ ଜଣାପଡ଼ୁଚି ଯେ, ଗ୍ରାମର ପରିଚ୍ଛନ୍ନତା ରକ୍ଷା କରିବାରେ ଗ୍ରାମର ଲୋକେ ଖୁବ୍‌ ସାହାଯ୍ୟ କରୁଛନ୍ତି । ଯେଉଁଠାରେ ବ୍ୟକ୍ତିଗତ ଜୀବନରେ, ପରିବାରରେ ଓ ସମୂହ କ୍ଷେତ୍ରରେ ସ୍ୱାସ୍ଥ୍ୟର ନିୟମଗୁଡ଼ିକୁ ଠିକ୍‌ଭାବେ ପାଳନ କରାଯାଇ ପାରିବ ଏବଂ ଖାଦ୍ୟ ଓ ବ୍ୟାୟାମ ବିଷୟରେ ସୁଯୋଗ୍ୟ ବ୍ୟବସ୍ଥା ହୋଇ ପାରିବ, ସେଠାରେ କଦାପି କୌଣସି ବ୍ୟାଧି ବେମାରି ରହି ପାରିବ ନାହିଁ ବୋଲି ମୋର ବିଶ୍ୱାସ । ଭିତର ଓ ବାହାର ଉଭୟକୁ ବିଶୁଦ୍ଧ ରଖି ପାରିଲେ ରୋଗ କୁଆଡ଼େ ଛାଡ଼ି ପଳାଇବ । ଗାଁର ଲୋକେ ଖାଲି ଯଦି ଏତିକି କଥା ବୁଝନ୍ତେ, ତେବେ ସେମାନଙ୍କୁ ଆଉ ଡାକ୍ତର, ହାକିମ ବା ବୈଦ୍ୟ ପାଖକୁ ଦଉଡ଼ିବାକୁ ପଡ଼ନ୍ତା ନାହିଁ ।

 

କଞ୍ଚନ ଗ୍ରାମରେ ଗାଈ ନାହାନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ବଡ଼ ଦୁର୍ଭାଗ୍ୟର କଥା । ଅବଶ୍ୟ କେତେକ ଲୋକ ମାଈ ମଇଁଷି ପାଳିଚନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ମୁଁ ଯେତେଦୂର ଜାଣିଚି, ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଇଁଷି ଦୁଧ ଗାଈ ଦୁଧର ସମକକ୍ଷ ହୋଇ ପାରିବ ନାହିଁ। ବୈଦ୍ୟମାନେ ବିଶେଷତଃ ପଥି ଲାଗି ଗାଈ ଦୁଧର ପରାମର୍ଶ ଦିଅନ୍ତି । ତେଣୁ ମୁଁ ଆଶା କରୁଚି ଯେ, ଗାଁରେ ଗାଈଦୁଧ ଯୋଗାଇବା ପାଇଁ ଉରୁଳି କଞ୍ଚନର ବାସିନ୍ଦାମାନେ ଗୋଠେ ଗୋରୁ ରଖିବେ । ସ୍ୱାସ୍ଥ୍ୟପାଇଁ ଦୁଧ ନିତାନ୍ତ ଆବଶ୍ୟକ ।

 

ଚିକିତ୍ସା ଗୃହ ପାଇଁ ଯେତେ ଶୀଘ୍ର ଘର ତିଆରି ହୋଇପାରେ ସେତେ ଭଲ । ପ୍ରଥମ କଥା ହେଉଚି, ଶ୍ରୀ ଦାତାଙ୍କର ବଙ୍ଗଳାଟିକୁ ଆମେ ଆଉ କେତେଦିନ ଯାଏଁ ବ୍ୟବହାର କରୁଥିବା ? ଦ୍ୱିତୀୟରେ ଯଥେଷ୍ଟ ଘର ତିଆରି ନ ହେଲା ପର୍ଯ୍ୟନ୍ତ ରୋଗୀମାନଙ୍କ ଲାଗି ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରାଯାଇ ପାରିବ ନାହିଁ । କଞ୍ଚନ ଗ୍ରାମ ଏକ ଆଦର୍ଶ ଗାଁ ହୋଇ ପାରିବ ବୋଲି ଅନେକ ଆଶା କରିଚି । ଆଦର୍ଶ ଜୀବନଯାପନ ପ୍ରଣାଳୀ ଉପରେ ପ୍ରାକୃତିକ ଚିକିତ୍ସା ସବୁଠାରୁ ବେଶୀ ମହତ୍ତ୍ୱ ଦେଇଥାଏ ଏବଂ ସହର ବା ଗ୍ରାମ ସବୁଠାରେ ଆଦର୍ଶ ବାସସ୍ଥାନର ବ୍ୟବସ୍ଥା ଦ୍ୱାରାହିଁ ଆଦର୍ଶ ଜୀବନଯାପନ ପ୍ରଣାଳୀ ସମ୍ଭବ ହୋଇପାରେ । ଅବଶ୍ୟ ଏ କଥା ମନେ ରଖିବାକୁ ହେବ ଯେ, ପ୍ରାକୃତିକ ଚିକିତ୍ସାବିଧିରେ ଭଗବାନଙ୍କର ନାମ ସୂର୍ଯ୍ୟ ପରି । ତାକୁଇ କେନ୍ଦ୍ରକରି କେବଳ ତା’ର ସବୁ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ପାରିବ ।

 

–ହରିଜନ, ତା୨୬.୦୫.୧୯୪୬

Image

 

ଉରୁଳି କଞ୍ଚନ

 

ବମ୍ବେ ଫେରନ୍ତି ପୁନାରେ ଥିବା ପ୍ରାକୃତିକ ଚିକିତ୍ସାଳୟରେ ଗାନ୍ଧିଜୀ ବେଶୀଦିନ ରହି ନ ଥିଲେ । ସୋଲାପୁର ପୁନା ରେଲରାସ୍ତାରେ ଉରୁଳି କଞ୍ଚନ ଏକ ଛୋଟ ଷ୍ଟେସନ, ଜନବସତି ପ୍ରାୟ ୩୦୦୦ । ଚଳିତ ମାସ ୨୨ ତାରିଖ ଉପରବେଳା ଗାନ୍ଧିଜୀ ସେଠାକୁ ଯାଇଥିଲେ । ଏଠାରେ ଟେଲିଫୋନ ଛଡ଼ା ଟେଲିଗ୍ରାଫ ଓ ଡାକଘର ଅଛି । ଡାକ କି ଏକ୍‌ସପ୍ରେସ୍‌ ଗାଡ଼ି ଏଠାରେ ରହେନା-। ଜଳବାୟୁ ସ୍ୱାସ୍ଥ୍ୟକର ଓ ବଳଦାୟକ । ନିକଟରେ ଥିବା ସେନା ଶିବିରରୁ ପ୍ରଚୁର ପରିଷ୍କୃତ ପାଣି ଯୋଗାଯାଏ । ଅଙ୍ଗୁର, କମଳା, ପପେୟା ପ୍ରଭୃତି ଫଳମାନ ପ୍ରଚୁର ପାରିମାଣରେ ଏହି ଅଞ୍ଚଳରେ ଉତ୍ପନ୍ନ ହୁଏ ।

 

ତାଙ୍କ କଳ୍ପିତ ଦରିଦ୍ର ପ୍ରାକୃତିକ ଚିକିତ୍ସାଳୟକୁ ଏଠାରେ ସ୍ଥାପନ କରିବାପାଇଁ କିଛିଦିନ ପୂର୍ବେ ଏହି ସ୍ଥାନର ସବୁ ମୁଖିଆ ଲୋକେ ଗାନ୍ଧିଜୀଙ୍କୁ ପୁନାଠାରେ ଭେଟିଥିଲେ । ଉରୁଳିଠାରେ ଏହି ଅନୁଷ୍ଠାନ ଅବସ୍ଥାପିତ ହେଲେ ସେମାନେ ପ୍ରାକୃତିକ ଚିକିତ୍ସାଟ୍ରଷ୍ଟକୁ ଆବଶ୍ୟକୀୟ ଭୂମି ଓ ସହଯୋଗ ଦେବା ସଙ୍ଗେ ସଙ୍ଗେ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶୁତି ଦେଇଥିଲେ । ଅବସରପ୍ରାପ୍ତ ରେଲବାଇ ଠିକାଦାର ଶ୍ରୀଯୁକ୍ତ ଦାତାର ଗାନ୍ଧିଜୀଙ୍କର ଅସ୍ଥାୟୀ ବାସସ୍ଥାନ ପାଇଁ ତାଙ୍କର ବଙ୍ଗଳାକୁ ଛାଡ଼ି ଦେଇଥିଲେ ।

 

ଗାଁ ବାହାରେ ପ୍ରଥମଦିନ ମିଳିତ ପ୍ରାର୍ଥନା ହୋଇଥିଲା । ଅନ୍ୟାନ୍ୟ ସ୍ଥାନ ଭଳି ଏଠାରେ ମଧ୍ୟ ରାମଧୁନ ସମସ୍ତେ ଗାଇଥିଲେ । ଶାରୀରିକ ଯନ୍ତ୍ରଣାର ନିବାରଣ ପାଇଁ ‘ରାମନାମ’ ପହିଲା ନମ୍ବର ପ୍ରାକୃତିକ ଔଷଧ ବୋଲି ଉପସ୍ଥିତ ଗ୍ରାମବାସୀଙ୍କୁ ଦର୍ଶାଇ ସେଦିନ ବୋଲାଯାଇ ଥିବା ସ୍ତୋତ୍ର ସମ୍ବନ୍ଧରେ ଗାନ୍ଧିଜୀ କହିଲେ—‘‘ଆମେ ଏଇନା ଯେଉଁ ଗୀତ ଗାଇଲେ ସେଥିରେ ଭକ୍ତ କହୁଛି, ‘ହେ ହରି, ତୁମେହିଁ ମାନବର ସର୍ବଦୁଃଖର ଉପଶମକାରୀ ।’ ଏଠାରେ ‘ଦୁଃଖ’କୁ ସାଧାରଣ ଅର୍ଥରେ ପ୍ରୟୋଗ କରାଯାଇଛି–ନିର୍ଦ୍ଦିଷ୍ଟ କୌଣସି ରୋଗକୁ ଲକ୍ଷ୍ୟ କରାଯାଇ ନାହିଁ । ସଫଳତା ସର୍ତ୍ତମାନ ସେମାନଙ୍କୁ ଗାନ୍ଧିଜୀ ବୁଝାଇଥିଲେ । ‘ରାମନାମ’ ର ସାର୍ଥକତା ଜୀବନ୍ତ ବିଶ୍ୱାସ ଉପରେ ନିର୍ଭର କରେ । ତୁମେ ଯଦି କ୍ରୋଧପରାୟଣ ହୁଅ, ଜୀବନ ଧାରଣପାଇଁ ଭୋଜନ ଓ ଶୟନ ନ କରି ଇନ୍ଦ୍ରିୟ ପରିତୃପ୍ତ ପାଇଁ ସେସବୁ କର, ତେବେ ‘ରାମନାମ’ ର ଅର୍ଥ ତୁମେ ଜାଣିନାହଁ । ତମର ଉଚ୍ଚାରଣ କେବଳ ମୌଖିକ । ‘ରାମନାମ’ ର ମହିମା ପ୍ରତିପାଳିତ ହେବାପାଇଁ ଉଚ୍ଚାରଣ କେବଳ ସମସ୍ତ ଅନ୍ତର ପ୍ରଦେଶକୁ ପ୍ରଭାବିତ କରି ଏହା ଉତ୍‌ଥିତ ହେବା ଦରକାର ଓ ସମଗ୍ର ଜୀବନକୁ ପ୍ରକାଶିତ କରିବା ଉଚିତ ।’’

Image

 

ପ୍ରଥମ ରୋଗୀଦଳ

 

ପରଦିନ ସକାଳୁ ରୋଗୀମାନେ ଆସିବାକୁ ଆରମ୍ଭ କଲେ । ସେମାନଙ୍କର ସଂଖ୍ୟା ପ୍ରାୟ ତିରିଶ । ସେମାନଙ୍କ ମଧ୍ୟରୁ ଗାନ୍ଧିଜୀ ପାଞ୍ଚ ଛ’ଜଣଙ୍କୁ ପରୀକ୍ଷା କରି ପ୍ରତି ରୋଗକୁ ଚାହିଁ ସାମାନ୍ୟ ପରିବର୍ତ୍ତନ ପ୍ରାୟ ଏକପ୍ରକାର ବ୍ୟବସ୍ଥା କରିଦେଲେ । ବ୍ୟବସ୍ଥାମାନ ଯଥା :– ‘ରାମନାମ’ ଜପ, ରୌଦ୍ରସ୍ଥାନ ଘର୍ଷଣ ଓ କଟିସ୍ନାନ, ଦୁଧ, ଲହୁଣୀ, ମିଶାଦୁଧ, ଫଳ ଓ ଫଳରସ, ପ୍ରଚୁର ପରିଷ୍କୃତ ସଜ ପାଣି ପିଇବା ବ୍ୟବସ୍ଥା ସହ ସାମାନ୍ୟ ଖାଦ୍ୟ ପରିବର୍ତ୍ତନ । ସେହିଦିନ ସନ୍ଧ୍ୟା ପ୍ରାର୍ଥନା ସଭାରେ ବୁଝାଇ କହିଲେ, ‘‘ସବୁପ୍ରକାର ମାନସିକ ଓ ଶାରୀରିକ ବିକାରର ଏକ ସାଧାରଣ କାରଣ ଅଛି ବୋଲି ପ୍ରତ୍ୟକ୍ଷ ଭାବରେ ଦେଖାଯାଇଚି । ସ୍ୱଭାବତଃ ସେମାନଙ୍କର ପ୍ରତିକାର ସେଥିପାଇଁ ଏକ ସାଧାରଣ ଉପାୟରେହିଁ ହେବା ସମ୍ଭବ । ରୋଗ ପରି ପ୍ରତିକାରରେ ମଧ୍ୟ ଐକ୍ୟ ଅଛି । ଶାସ୍ତ୍ର ସବୁ ଏ ବିଷୟରେ ଏକମତ । ତେଣୁ ଆଜି ସକାଳେ ଯେତେ ରୋଗୀ ଆସିଥିଲେ । ସମସ୍ତଙ୍କ ପାଇଁ ‘ରାମନାମ’ ଓ ଏକ ପ୍ରକାର ବ୍ୟବସ୍ଥା କରି ଦେଇଥିଲି । ସୁବିଧା ନ ହେଲେ କୌଣସି ନା କୌଣସି ପ୍ରକାର କାରଣ ଦର୍ଶାଇ ଶାସ୍ତ୍ରମାନଙ୍କୁ ଏଡ଼ି ଦେବାର ଖୋଇ ଆମ୍ଭମାନଙ୍କର ଅଛି । ଶାସ୍ତ୍ରର ଉଦ୍ଦେଶ୍ୟ ପର ଜୀବନରେ ଆତ୍ମାର ଉନ୍ନତି ଓ ଧର୍ମଦ୍ୱାରା ମୃତ୍ୟୁପରେ ସଦ୍‌ଗତି ଲାଭକରିବା । ଏହିସବୁ ଭ୍ରାନ୍ତ ଧାରଣାର ଆମେ ବଶବର୍ତ୍ତୀ ମୁଁ ଏପରି ମତ ପୋଷଣ କରେ ନା । ଇହ ଜୀବନରେ ଯଦି ଧର୍ମର କୌଣସି ବାସ୍ତବ ମୂଲ୍ୟ ନାହିଁ, ପର ଜୀବନରେ ମଧ୍ୟ ମୋତେ କୌଣସି ଫଳ ଦେଇପାରିବ ନାହିଁ ।’’

 

‘‘ପୂର୍ଣ୍ଣଭାବରେ ଶାରୀରିକ ତଥା ମାନସିକ ବିକାରରୁ ମୁକ୍ତ, ଏଭଳି ଲୋକ ଦୁନିଆରେ ପ୍ରାୟ କେହି ନାହାନ୍ତି । କେତେକଙ୍କ ପାଇଁ ମଧ୍ୟ କୌଣସି ପାର୍ଥିବ ପ୍ରତିକାର ନାହିଁ । ଉଦାହରଣ ସ୍ୱରୂପ ‘ରାମନାମ’ ର ସେପରି କୌଣସି ଯାଦୁକରି ଶକ୍ତି ନାହିଁ, ଯଦ୍ୱାରା କି ଜଣେ ତାର ନଷ୍ଟଅଙ୍ଗ ଲାଭକରି ପାରିବ । କିନ୍ତୁ ‘ରାମନାମ’ର ଏହାଠାରୁ ବଳି ଏଭଳି ଏକ ଯାଦୁକରୀ ଶକ୍ତି ଅଛି, ଯାହା ସାହାଯ୍ୟରେ ତାହା ଜୀବିତାବସ୍ଥାରେ ସେହି ଅଙ୍ଗ ନ ଥିବା ସତ୍ତ୍ୱେ ତୁମକୁ ଅନିର୍ବଚନୀୟ ଶାନ୍ତି ଦେଇ ପାରିବ । ପୁଣି ଯାତ୍ରା ଶେଷରେ ଆଉ ମରଣର ଉତ୍ପୀଡ଼ନ ନ ଥିବ । ଚଞ୍ଚଳ ହେଉ ବା ଡେରି ହେଉ ମୁଁ ଯେମିତି ହେଲେ ଦିନେ ଆସି ପହଞ୍ଚିଯିବି । କାଳର ତାରତମ୍ୟ ପାଇଁ ମଣିଷ ଏତେ ବିବ୍ରତ ହେବ କାହିଁକି ?’’

Image

 

ଏଇ ମୋର ଭାରତ

 

ତୃତୀୟ ଦିବସରେ ରୋଗୀସଂଖ୍ୟା ୩୦ ରୁ ବଢ଼ି ୪୩ ହୋଇଥିଲା । ଗାନ୍ଧିଜୀ କହିଲେ, ‘‘ବେଶ ଭଲ, ଯେଉଁମାନେ ବାସ୍ତବିକ ପ୍ରାକୃତିକ ଚିକିତ୍ସା ଦରକାର କରୁଥିଲେ ସେମାନେ ଏହାଦ୍ୱାରା ପାଇ ପାରିବେ ।’’ ତାଙ୍କର କଳ୍ପନାନୁଯାୟୀ କାର୍ଯ୍ୟହେଲେ ସେ ହୁଏତ ବର୍ଷରେ ଚାରିମାସ ସେଠାରେ ରହି ପାରିବେ ବୋଲି କହିଥିଲେ । ତାଙ୍କ ଅନୁପସ୍ଥିତିରେ ତାଙ୍କର ସହଯୋଗୀଗଣ ତାଙ୍କରି ବିଶେଷ ପଢ଼ା, ଯୋଗ୍ୟତା ବା ପାଣ୍ଡିତ୍ୟର ଆବଶ୍ୟକତା ନାହିଁ । ସାର୍ବଜନୀନତ୍ୱର ନିର୍ଯାସ ସରଳତାରେ ହିଁ ରହିଛି । କୋଟି କୋଟିଙ୍କ ପାଇଁ ଅଭିପ୍ରେତ ବିଷୟରେ ବିଶେଷ ପାଣ୍ଡିତ୍ୟ ଦରକାର ନାହିଁ । ପାଣ୍ଡିତ୍ୟ ଅତି ଅଳ୍ପ ଲୋକ ହାସଲ କରନ୍ତି । ତେଣୁ ତାହା ବଡ଼ ଲୋକଙ୍କ ଉପକାରରେ ଆସେ । ସେହି ଅଜଣା ଅଶୁଣା, ଗୋଷ୍ପଦ ଭଳି ସାନ, କାହିଁ କେଉଁ ଅବାଟରେ ଅବସ୍ଥିତ, କେତେଶହ ବା କେତେ କୋଡ଼ି ଲୋକସଂଖ୍ୟା ବିଶିଷ୍ଟ ସାତଲକ୍ଷ ଗାଁରେ ରହିଛି ଭାରତର ପ୍ରାଣ । ମୁଁ ଏମିତିକା କେତେ ଗାଁକୁ ଯାଇ ସେଠାରେ ରହିବାକୁ ଇଚ୍ଛାକରେ । ଏହା ହେଉଛି ପ୍ରକୃତ ଭାରତ, ମୋର ଭାରତ, ଏହାରି ପାଇଁ ମୁଁ ପ୍ରାଣ ଧରି ରହିଛି । ସେହିମାନଙ୍କ ପାଇଁ ଖୁବ୍‌ ଯୋଗ୍ୟତାସମ୍ପନ୍ନ ନାମଜାଦା ଡାକ୍ତର ଓ ବିରାଟ ହାସପାତାଳର ଘଟାଟୋପ ବ୍ୟବସ୍ଥା କେହି କରିପାରିବ ନାହିଁ । ସରଳ ପ୍ରାକୃତିକ ପ୍ରତିକାର ଓ ‘ରାମନାମ’ ହିଁ ସେମାନଙ୍କର ଏକମାତ୍ର ଭରସା ।’’

 

ଉରୁଳିରେ ସେପରି ପ୍ରାୟ କିଛି ରୋଗ ନାହିଁ ବୋଲି ସେ ଶୁଣିବାକୁ ପାଇଲେ । ରୋଗ କହିଲେ ଲୋକେ ସଂକ୍ରାମକ ରୋଗକୁହିଁ ବୁଝନ୍ତି । ତେଣୁ ଗାନ୍ଧିଜୀ ଶୁଣିଥିବା ଖବରର ଅର୍ଥ ସେହି ଦୃଷ୍ଟିରୁ ବୁଝିବାକୁ ହେବ । ଗତ ଦୁଇଦିନ ଧରି ଯେଉଁସବୁ ରୋଗୀ ତାଙ୍କ ନିକଟକୁ ଆସିଥିଲେ ସେଥିରୁ ବେଶ୍‌ ବୁଝାଯିବ ଯେ ଉରୁଳିରେ ହୀନସ୍ୱାସ୍ଥ୍ୟ ବ୍ୟକ୍ତି ବହୁତ । ଗାଁ ଲୋକଙ୍କୁ ଗାନ୍ଧିଜୀ କହିଲେ, ‘‘ମୋ କହିବାନୁସାରେ ତୁମେ ସବୁ କାମ କଲେ ଉରୁଳି ଏକ ଆଦର୍ଶ ଗାଁ ହୋଇଯିବ । ଯାହାକୁ ଦେଖିବାପାଇଁ ବହୁ ଦୂରରୁ ଲୋକେ ଆସିବେ ।’’ ତା’ପରେ ପ୍ରାକୃତିକ ଚିକିତ୍ସାର ନୀତି ବିଷୟରେ ସେ ତାଙ୍କର ପ୍ରଥମ ଉପଦେଶ ବାଣୀ ଶୁଣାଇଥିଲେ । ତା’ର ସାରାଂଶ ତଳେ ଦିଆଗଲା-:–

Image

 

ପ୍ରାକୃତିକ ଚିକିତ୍ସା ବ୍ୟାଖ୍ୟାନ

 

‘‘ମାନବର ଜଡ଼ ଶରୀର କ୍ଷିତି, ଅପ୍‌, ତେଜ (ଶକ୍ତିଦାୟକ ମୂଳତତ୍ତ୍ୱ), ମରୁତ (ବାୟୁ), ବ୍ୟୋମ (ଶୂନ୍ୟ) ଏହି ପାଞ୍ଚ ପ୍ରାକୃତିକ ଉପାଦାନରେ ଗଠିତ । ଆତ୍ମା ଏସବୁର ନିୟନ୍ତ୍ରିତ ବା ଚାଳକ-।’’

 

‘‘ଏସବୁ ଭିତରେ ସବୁଠାରୁ ଦରକାରୀ ହେଉଛି ବାୟୁ । ଖାଦ୍ୟବିନା ମନୁଷ୍ୟ କେତେ ସପ୍ତାହ ବଞ୍ଚିପାରେ, ପାଣି ନ ପିଇ କେତେକାଳ ରହିଯାଇ ପାରେ; ମାତ୍ର ବାୟୁ ବିନା କେତେ ମିନିଟରୁ ବେଶୀ ରହି ପାରିବ ନାହିଁ । ଏଣୁ ଈଶ୍ୱର ବାୟୁକୁ ସବୁଠାରେ ମଳିବା ଭଳି ରଖିଛନ୍ତି । କେବେ କେବେ ଖାଦ୍ୟ ପାନୀୟର ଅଭାବ ପଡ଼ିପାରେ, ମାତ୍ର ବାୟୁପକ୍ଷରେ ତାହା ଅସମ୍ଭବ । ଏସବୁ ସତ୍ୱେ ଆମେ ଘର ଭିତରେ, ପୁଣି ଝରକା କବାଟକୁ ବନ୍ଦ ରଖି, ନିର୍ମଳ ମୁକ୍ତବାୟୁ ସେବନରୁ ବଞ୍ଚିତ ହୋଇ ବୋକାଙ୍କ ଭଳି ଶୋଉ । ଚୋର ଡକାୟତଙ୍କ ଭୟରେ ଜଣେ ହୁଏତ ଦୁଆର ଝରକା ବନ୍ଦ ରଖିପାରେ ; କିନ୍ତୁ ନିଜେ କାହିଁକି ବନ୍ଦ ହୋଇ ରହିବ ?’’

 

‘‘ମୁକ୍ତବାୟୁ ସେବନ ପାଇଁ ଖୋଲାସ୍ଥାନରେ ଶୋଇବା ଉଚିତ । କିନ୍ତୁ ଯେଉଁଠାରେ ବାୟୁ ଧୂଳି ଓ ଦୁର୍ଗନ୍ଧମୟ ସେଠାରେ ଶୋଇବା ଠିକ୍‌ ନୁହେଁ । ତୁମେ ଯେଉଁଠି ଶୋଇବ ତାହା ଉଭୟରୁ ମୁକ୍ତହେବା ଉଚିତ । ଧୂଳି ଓ ଥଣ୍ଡାରୁ ରକ୍ଷା ପାଇବା ପାଇଁ କେତେକେ ମୁହଁ ଘୋଡ଼ାଇ ଶୁଅନ୍ତି । ରୋଗ ଅପେକ୍ଷା ଏଭଳି ପ୍ରତିକାର ଆହୁରି ମାରାତ୍ମକ । ମୁହଁବାଟେ ବାୟୁ ସେବନ ପରି ଖରାପ ଅଭ୍ୟାସ ମଧ୍ୟ କେତେକଙ୍କର ଅଛି । ମୁହଁଟା ଖାଇବା ପାଇଁ, ନିଶ୍ୱାସ ଗ୍ରହଣପାଇଁ ନୁହେଁ । ନାକବାଟ ଦେଇ ଯେଉଁ ବାୟୁ ଆମେ ଗ୍ରହଣ କରୁ ତାହା ପରିଷ୍କୃତ, ଛଣା ଓ ଉଷୁମ ହୋଇ ଫୁସ ଫୁସ ଭିତରକୁ ଯାଇଥାଏ ।

 

‘‘ଯେଉଁ ବ୍ୟକ୍ତି ଏଣେ ତେଣେ ଛେପ ଖଙ୍କାର ପକାଇ, ମଇଳା ଆବର୍ଜନା ବା ଅନ୍ୟ କିଛି ଖରାପ ପଦାର୍ଥ ରଖି ବାୟୁକୁ ଦୂଷିତ କରେ, ସେ ମଣିଷ ଓ ପ୍ରକୃତି ବିରୁଦ୍ଧରେ ପାପ କରେ । ମନୁଷ୍ୟର ଦେହ ଈଶ୍ୱରଙ୍କର ମନ୍ଦିର । ଯେଉଁ ବ୍ୟକ୍ତି ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ଯାଉଥିବା ବାୟୁକୁ ଦୂଷିତ କରେ, ସେ ତଦ୍ଦ୍ୱାରା ମନ୍ଦିରକୁ ଅପବିତ୍ର କରେ । ତା’ ପକ୍ଷରେ ‘ରାମନାମ’ ଉଚ୍ଚାରଣ ବୃଥା ।’’

 

ତାଙ୍କ ଭଳି ଜଣେ ନୀରସ କାମ ଆଦାୟକାରୀ ହାବୁଡ଼ରେ ପଡ଼ିବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ଗାନ୍ଧିଜୀ ସେମାନଙ୍କୁ ସତର୍କ କରାଇ ଦେଇଥିଲେ । ସେମାନଙ୍କ ପାଖରେ ରହିଲେ ନିଜକୁ, କି ସେମାନଙ୍କୁ କାହାରିକୁ ସେ ଚୁପହୋଇ ବସି ରହିବାକୁ ଦେବେ ନାହିଁ । ସେମାନଙ୍କ ଦୁଆରକୁ ଯାଇ ବାଟ ଘାଟ, ନଳା, ରୋଷେଇଘର, ପାଇଖାନା ସବୁ ଦେଖିବେ । ସେ ଧୂଳି ମଇଳା କିଛି ହେଲେ ବରଦାସ୍ତ କରି ପାରିବେ ନାହିଁ ।

 

–ପ୍ୟାରେଲାଲ, ହରିଜନ ତା୦୭.୦୪.୧୯୪୬

Image

 

ଡାକ୍ତର ମେହେଟାଙ୍କର ଚିକିତ୍ସା ଅନୁଷ୍ଠାନ

 

ଡାକ୍ତର ଦୀନଶାହା ମେହେଟାଙ୍କର ଅନୁଷ୍ଠାନ ବିଷୟରେ ମୋତେ ଅନେକ ପ୍ରଶ୍ନ ପଚରା ଯାଇଚି । ତା’ ଭିତରୁ ଦିଓଟି ପ୍ରଶ୍ନର ଉଲ୍ଲେଖ ମୁଁ ଏଇଠି କରୁଚି–

 

‘‘ଏଇ ଅନୁଷ୍ଠାନଟିକୁ ଅଧିକ ବୈଜ୍ଞାନିକ ଓ ଆଧୁନିକ ଉପାୟରେ ଗଢ଼ି ଲୋକ ଲାଗି ତାକୁ ଅଧିକ ଉପକାରୀ କରିବାକୁ ହେଲେ କେତେକ ଉତ୍ସାହୀ ଓ ସୁଦକ୍ଷ କର୍ମୀଙ୍କୁ ପ୍ରାକୃତିକ ଚିକିତ୍ସାରେ ବିଶେଷ ଶିକ୍ଷାଲାଭ କରିବାକୁ ବିଦେଶକୁ ପଠାଇବା ଉଚିତ । ସେମାନେ ଚିକିତ୍ସା ବିଧାନ ତିଆରି କରି ପାରିବେ ଏବଂ ତାହାଦ୍ୱାରା ଏଇ ଚିକିତ୍ସା ଅଧିକ ଲୋକପ୍ରିୟ ଓ ନିର୍ଭରଯୋଗ୍ୟ ହୋଇ ପାରିବ ।’’

 

‘‘ଭାରତର ଗାଁ ଗଣ୍ଡା ଲାଗି ଆପଣ ଶସ୍ତା ଓ ସହଜ ପ୍ରାକୃତିକ ଚିକିତ୍ସାର ବ୍ୟବସ୍ଥା କରିବାକୁ ଚାହାନ୍ତି । ଆଚ୍ଛା କୁନେ, ଜଷ୍ଟ ଓ ନିପ୍‌ ପ୍ରଭୃତି ଚିକିତ୍ସକମାନେ ଯେଉଁ ଚିକିତ୍ସା ପ୍ରଣାଳୀ ବାହାର କରିଚନ୍ତି, ସେସବୁ କ’ଣ ଆପଣଙ୍କର ଉଦ୍ଦେଶ୍ୟ ମୁତାବକ ହୋଇ ପାରିବ ? ସେସବୁ କ’ଣ ଗାଁ କାମପାଇଁ ଉପଯୋଗୀ ଓ ଉପକାରୀ ହୋଇ ପାରିବ ?’’

 

ଟ୍ରଷ୍ଟିମାନେ କହିଲେ ଯେ ପୁନାର ଚିକିତ୍ସା ଅନୁଷ୍ଠାନ ଗ୍ରାମର ଚିକିତ୍ସା ବିଧାନର ଉଦ୍ଦେଶ୍ୟ ପୂରଣ କରିପାରି ନଥାନ୍ତା । ସେଥିଲାଗି ତାକୁ ବନ୍ଦ କରିଦେଇ ଉରୁଳି କଞ୍ଚନଠାରେ ଗାଁ ଗହଳ ପାଇଁ ଏକ ପ୍ରାକୃତିକ ଚିକିତ୍ସା-ଅନୁଷ୍ଠାନ ଖୋଲା ଯାଇଚି। ଅଳ୍ପ ହେଲେ ମଧ୍ୟ ସେଠି ବେଶ୍‌ ସନ୍ତୋଷଜନକ କାମ ଚାଲିଚି । ଅବଶ୍ୟ ଦେଖିଲାଭଳି ବଡ଼ କାମ ସେଠି ଏପର୍ଯ୍ୟନ୍ତ କିଛି ହୋଇନାହିଁ । ଏପରିକି ସେଠି ଆଜିଯାଏ ଜମି କିଣାହୋଇ ପାରିନାହିଁ ଓ ତା’ ଉପରେ ଘରବାଡ଼ି ତିଆରି ହୋଇନାହିଁ ।

 

ବର୍ତ୍ତମାନ ଅସଲ ପ୍ରଶ୍ନର ବିଚାର କରାଯାଉ । ଟିକିଏ ଆଗକୁ ଯିବାକୁ ହେଲେ ଆମେ ଆଗ ପାଶ୍ଚାତ୍ୟ ଦେଶମାନଙ୍କୁ ଆମର ଆଦର୍ଶ କରି ଧରୁ, ଏଭଳି ମନୋବୃତ୍ତି ଆମକୁ ଦୂର କରିଦେବାକୁ ହେବ । ପ୍ରାକୃତିକ ଚିକିତ୍ସା ଶିଖିବାପାଇଁ ୟୁରୋପ ବା ଆମେରିକା ଗଲେ ଆମ ବିଦ୍ୟା ଭାରତବର୍ଷର କୌଣସି କାମରେ ଆସିବ ନାହିଁ । ଇଚ୍ଛାକଲେ ଘରେ ବସି ପ୍ରାକୃତିକ ଚିକିତ୍ସା କରାଯାଇ ପାରିବ । ଏଥିରେ ବିଶେଷଜ୍ଞ ମାନଙ୍କର ଉପଦେଶ ବା ପରାମର୍ଶ ବିଶେଷ ଲୋଡ଼ାନାହିଁ-। ଏହା ଶିଖିବା ଭାରି ସହଜ, ସମସ୍ତେ ସହଜରେ ଶିଖି ପାରିବେ । ରାମନାମ ଜପିବାକୁ ଆମକୁ ୟୁରୋପ ଯିବାକୁ ହେଲେ କେବଳ ଆମର ପଣ୍ଡଶ୍ରମ ହିଁ ସାର୍ଥକ ହେବ । ରାମନାମ ହେଉଚି ମୋର ପ୍ରାକୃତିକ ଚିକିତ୍ସାର ମୂଳମନ୍ତ୍ର । ମାଟି, ପାଣି, ବ୍ୟୋମ, ସୂର୍ଯ୍ୟ ଓ ବାୟୁର ବ୍ୟବହାର ଶିଖିବାକୁ ହେଲେ ଦରିଆରେ ଯିବାର କି ଦାରକାର ଅଛି ? ଏ ଜ୍ଞାନ ତ ଆପେ ଆପେ ଆସିଯିବ । ଅନ୍ୟାନ୍ୟ ଆବଶ୍ୟକ ଜ୍ଞାନ ସେଇ ଗାଁରେ ରହି ମଧ୍ୟ ହାସଲ କରାଯାଇ ପାରିବ । ବୁଝିବାପାଇଁ ଗୋଟାଏ ଉଦାହରଣ ମୁଁ ଦେଉଚି । ଚିକିତ୍ସା ଲାଗି ଚେର ମୂଳ ଦରକାର ହେଲେ ସେସବୁ ଗାଁରୁ ହିଁ ସଂଗ୍ରହ କରାଯାଇ ପାରିବ । ଗାଁରେ ତ ଆୟୁର୍ବେଦ ଜାଣିଥିବା ଅନେକ ବୈଦ୍ୟ ଅଛନ୍ତି । ହୁଏତ ଏଇ ବୈଦ୍ୟମାନଙ୍କ ମଧ୍ୟରେ ଅନେକେ ଶଠ ଥାଇ ପାରନ୍ତି; କିନ୍ତୁ ସେମାନଙ୍କୁ ବିଦେଶ ପଠାଇ ଦେଲେ କ’ଣ ସେମାନେ ଭଲ ଲୋକ ଓ ସଚ୍ଚା ସେବକ ହୋଇଯିବେ ? ଶରୀର ଓ ଶରୀର ଗଠନ ବିଷୟକ ବିଦ୍ୟା ପାଶ୍ଚାତ୍ୟ ଦେଶରୁ ଆସିଚି । ସବୁ ଡାକ୍ତରଙ୍କ ପାଇଁ ଏ ଦୁଇଟି ବିଦ୍ୟା ଅତି ଦରକାରୀ । ତାକୁ ମଧ୍ୟ ଆମ ନିଜ ଦେଶରେ ପଢ଼ିବାର ଯଥେଷ୍ଟ ସୁବିଧା ରହିଚି । ମୋଟଉପରେ କହିବାକୁ ଗଲେ ପାଶ୍ଚାତ୍ୟ ଦେଶରେ ଯେ କୌଣସି ବିଦ୍ୟାର ଉଦ୍ଭାବନ ହୋଇଚି, ବର୍ତ୍ତମାନ ସେ ସମସ୍ତ ପୃଥିବୀରେ ପ୍ରସାର ଲାଭ କରିଚି ଓ ଯେ କୌଣସି ଦେଶରେ ତାହା ଶିକ୍ଷା କରାଯାଇ ପାରିବ-। ଆଉ ମଧ୍ୟ ପ୍ରାକୃତିକ ଚିକିତ୍ସାରେ ପାରଗତା ଅର୍ଜ୍ଜନ କରିବାପାଇଁ ଶରୀର ଓ ଶରୀର ଗଠନ ବିଷୟକ ବିଦ୍ୟାର ଖୁବ୍‌ ବେଶୀ ଆବଶ୍ୟକତା ନାହିଁ ।

 

କୁନେ, କଷ୍ଟ୍‌ ଓ ନିପ୍‌ଙ୍କର ଲେଖାମାନ ଅତି ସରଳ, ଲୋକପ୍ରିୟ ଓ ସମସ୍ତଙ୍କ ଲାଗି ଅତି ଉପକାରୀ । ସେସବୁ ଭଲକରି ପଢ଼ିବା ଉଚିତ । ବିଶେଷ କରି ପ୍ରାକୃତିକ ଚିକିତ୍ସାରେ ପ୍ରତ୍ୟେକ କର୍ମୀର ସେମାନଙ୍କର ଲେଖା ବିଷୟରେ ଜ୍ଞାନ ଥିବା ଚାହି । ଆଜିଯାଏ ଗାଁ ଗହଳରେ ପ୍ରାକୃତିକ ଚିକିତ୍ସାର ପ୍ରସାର ହୋଇନାହିଁ । ଏ ବିଷୟରେ ଆଗରୁ ଆମେ ବିଶେଷ ଚିନ୍ତା କରିନାହୁଁ ଓ କିପରି ଏହା ଜନସାଧାରଣଙ୍କର ସେବା କରି ପାରିବ ସେ ଦିଗରେ ବିଶେଷ ଦୃଷ୍ଟି ଦିଆହୋଇ ନାହିଁ । ଏବେ ଏଇ କାମରେ ମୋଟେ ଶ୍ରୀଗଣେଶ ହୋଇଚି । ଏତିକିବେଳକୁ ଶେଷଫଳ ଠିକ୍‌ଭାବରେ ଅନ୍ଦାଜକରି ହେଉନାହିଁ । ସବୁ ଭଲ ଓ ଲୋକୋପଯୋଗୀ କାମକୁ ସଫଳ କରିବାକୁ ହେଲେ ଅଧିକରୁ ଅଧିକ ତ୍ୟାଗ ଓ ଆତ୍ମୋତ୍ସର୍ଗ ଲୋଡ଼ା । ତେଣୁ ପାଶ୍ଚାତ୍ୟ ଦେଶ ଉପରକୁ ଆଖି ଦଉଡ଼ାଇ ନେବା ଆଗରୁ ଆମକୁ ଆଗ ନିଜ ଭିତରକୁ ଅନାଇବାକୁ ହେବ ।

 

–ହରିଜନ, ତା୦୨.୦୬.୧୯୪୬

Image

 

ପ୍ରାର୍ଥନାନ୍ତିକ ଭାଷଣରୁ ‘ରାମନାମ’ ର ବିଧିବିଧାନ

 

ଆଜିକା ପ୍ରାର୍ଥନା ସଭା ସରିଗଲା ପରେ ଗାନ୍ଧିଜୀ ପ୍ରାକୃତିକ ଚିକିତ୍ସା ଯେ ଭାରତର ଗାଁ ଗହଳ ପାଇଁ କେତେ ଉପୋଯୋଗୀ ସେ କଥା ବୁଝାଇଥିଲେ । ସେ କହିଲେ ଯେ, ଅନେକ ଲେଖାଲେଖି କରିଥିଲେ ମଧ୍ୟ ଏହି ଚିକିତ୍ସା ଦିଗରେ ସେ ବିଶେଷ କିଛି କରି ପାରିନାହାନ୍ତି । ପ୍ରାକୃତିକ ଚିକିତ୍ସା ଏମିତି ହୋଇନାହିଁ ଯେ ତୁମେ ଶିଶି ଦେଖାଇଲେ ଡାକ୍ତର ତୁମଲାଗି ଓଷଦ ଢାଳିଦେବେ । ଏଥିଲାଗି ଜୀବନଯାପନ ପ୍ରଣାଳୀକୁ ଏକାବେଳେକେ ବଦଳାଇବାକୁ ପଡ଼ିବ । ଯାହାଦ୍ୱାରା କି ଆମେ ଚିର ସୁଖ ଶାନ୍ତି ଓ ଚିର ସ୍ୱାସ୍ଥ୍ୟ ଲାଭ କରିପାରିବା । କଥାଟା ହୁଏତ ପ୍ରଥମେ କେମିତିଆ ପରି ଲାଗୁଥିବ । ତଥାପି ସେ ଜୋର ଦେଇ କହିଲେ ଯେ ପ୍ରାକୃତିକ ଚିକିତ୍ସାରେ ରାମନାମ ହେଉଚି ଏକ ପ୍ରଧାନ ଅଙ୍ଗ । ଡାକ୍ତର, ବୈଦ୍ୟ ଓ ହାକିମ ତାଙ୍କର ସବୁ ରକମର ବନ୍ଧୁ ଅଛନ୍ତି । ତାଙ୍କର ଆୟୁର୍ବେଦୀ ବନ୍ଧୁ ଗଣେଶ ଶାସ୍ତ୍ରୀ ଯୋଷୀ ଥରେ ତାଙ୍କୁ କହିଥିଲେ ଯେ ‘ରାମନାମ’ ସଂଜୀବନୀ ପରି କାମ ଦିଏ ବୋଲି ମଧ୍ୟ ଆୟୁର୍ବେଦରେ ଉଲ୍ଲେଖ ଅଛି । ଚିତ୍ତଶୁଦ୍ଧି କରି ପରମେଶ୍ୱରଙ୍କର ଶକ୍ତିକୁ ନିଜଭିତରେ ପ୍ରତିଫଳିତ କରିବାପାଇଁ ରାମନାମ ଅସଲ ଔଷଧର କାମ ଦେଇ ପାରିବ ।

 

ଭାରତର ସମସ୍ତ ସତ୍ୟାଗ୍ରହର ନୀତିଶାସ୍ତ୍ର ଶିକ୍ଷା କରିପାରିଲେ ସ୍ୱାଧୀନତା ଆସିଯିବ ବୋଲି ସେ ସମସ୍ତଙ୍କୁ କହି ଆସିଚନ୍ତି । ସେତିରେ ତାଙ୍କର ଦୃଢ଼ ବିଶ୍ୱାସ ରହିଚି, ଏପରିକି ସାରା ସଂସାରର ଲୋକେ ନାହିଁ ନାହିଁ କଲେ ମଧ୍ୟ ସେ କେବେ ମୁଣ୍ଡ ନୁଆଁଇବେ ନାହିଁ । ମଣିଷକୁ ନୀରୋଗ କରିବା ଦିଗରେ ରାମନାମର ଉପଯୋଗୀତା ବିଷୟରେ ମଧ୍ୟ ତାଙ୍କର ସେହିପରି ଅଟଳ ବିଶ୍ୱାସ ରହିଚି; କିନ୍ତୁ ରାମନାମ ଜପି ଏଣେ ପେଟ କଣ ହେଲା ବୋଲି ଗାନ୍ଧିକୁ ଗାଳିଦେଲେ ଚଳିବ କପରି ? ରାମନାମର ମଧ୍ୟ ବ୍ୟବହାର ପ୍ରଣାଳୀ ରହିଚି । ରାମନାମ ନେଇ ଚୋରୀ ବ୍ୟବସାୟ କରିବ, ଏଣେ ମୋକ୍ଷ ପାଇବାର ଆଶା ବାନ୍ଧି ବସିବ କେମିତ ? ଆତ୍ମଶୁଦ୍ଧି ପାଇଁ ଯେଉଁମାନେ ଉପଯୁକ୍ତ ନୀତି ବିଧାନ ମାନି ଚଳିପାରିବେ, କେବଳ ସେଇମାନେ ରାମନାମରୁ ଉପକାର ପାଇପାରିବେ ।

 

ଗାନ୍ଧିଜୀ କହିଲେ ଯେ ବାରିଷ୍ଟର ଥିଲାବେଳଠୁଁ ମଧ୍ୟ ସେ ପ୍ରାକୃତିକ ଚିକିତ୍ସା ଅଭ୍ୟାସ କରି ଆସିଚନ୍ତି । କିନ୍ତୁ ଗରିବ ଜନସାଧାରଣଙ୍କ ଲାଗି ଗାଁ ଗହଳରେ ଯେ ସେଇ ଚିକିତ୍ସାର ପ୍ରସାର ହୋଇପାରିବ, ଏ ହୃଦବୋଧ ତାଙ୍କର ଅଳ୍ପଦିନ ହେଲା ଆସିଚି ।

 

–ବମ୍ବେ, ତା୧୫.୦୩.୧୯୪୬

Image

 

ତା’ ଠୁଁ କାଟୁକାରୀ କିଏ ?

 

ଉରୁଳିକଞ୍ଚନର ପ୍ରାର୍ଥନା ସଭାରେ ଗାନ୍ଧିଜୀ କହିଲେ ଯେ ଶରୀର ଓ ମନକୁ ସୁସ୍ଥ ସବଳ ରଖିବାପାଇଁ ରାମଧୂନ ସବୁଠାରୁ ବେଶୀ ଉପକାରୀ । କୌଣସି ବୈଦ୍ୟ ବା ଡାକ୍ତର କେବଳ ଔଷଧ ଦେଇ ରୋଗ ଭଲ କରିବାର ନିର୍ଭର ଜବାବ ଦେଇ ପାରିବ ନାହିଁ । କିନ୍ତୁ ଭଗବାନଙ୍କୁ ପ୍ରାର୍ଥନା କଲେ ସେ ନିଶ୍ଚୟ ତୁମର ଦୁଃଖ ଯନ୍ତ୍ରଣା ହରଣ କରନେଇ ପାରିବେ । ପ୍ରାର୍ଥନାରୁ ଯଥାର୍ଥ ଫଳ ପାଇବାକୁ ହେଲେ ସମସ୍ତ ଆନ୍ତରିକତା ସହକାରେ ରାମଧୂନ ଭଜନରେ ଯୋଗ ଦେବାକୁ ପଡ଼ିବ । ତେବେ ଯାଇ ଅନ୍ତରଭିତରେ ଶାନ୍ତି ଓ ସ୍ୱସ୍ତିର ସ୍ୱାଦ ମିଳି ପାରିବ ।

 

ରାମଧୂନର ଅନ୍ୟ କେତୋଟି ସର୍ତ୍ତ ବି ରହିଚି । ଉଚିତ ଆହାର, ପରିମିତ ନିଦ୍ରା ଅଭ୍ୟାସ କରିବାକୁ ହେବ; କ୍ରୋଧକୁ ନିଜର ଆୟତ୍ତରେ ରଖିବାକୁ ହେବ । ସବୁଠୁଁ ମୂଳକଥା ହେଉଚି ପ୍ରକୃତିର ନିୟମ ଅନୁସାରେ ନିଜ ଜୀବନର ସମସ୍ତ କାର୍ଯ୍ୟକଳାପ ନିୟନ୍ତ୍ରିତ କରିବାକୁ ପଡ଼ିବ ।

 

ଗାନ୍ଧିଜୀ ପୁଣି କହିଲେ ଯେ ଦରିଦ୍ରର ସେବା କରିବାକୁ ସେ ଉରୁଳି ଆସିଚନ୍ତି । ପ୍ରାକୃତିକ ଚିକିତ୍ସାକୁ ଦରିଦ୍ରର ଦୁଆରକୁ ଆଣିବାକୁ ହେଲେ ତାଙ୍କୁ ଗାଁ ଗହଳରେ କୁଡ଼ିଆ କୁଡ଼ିଆ ବୁଲିବାକୁ ପଡ଼ିବ । ଗଲା ପଚାଶବର୍ଷ ହେଲା ସେ ପ୍ରାକୃତିକ ଚିକିତ୍ସାର ଅଭ୍ୟାସ କଲେଣି; କିନ୍ତୁ ତାହା ଖାଲି ନିଜପାଇଁ ଓ ନିଜର ବନ୍ଧୁବାନ୍ଧବମାନଙ୍କ ପାଇଁ । ଆଜିପର୍ଯ୍ୟନ୍ତ ସେ ପ୍ରାକୃତିକ ଚିକିତ୍ସାର ପ୍ରସାର ସମ୍ବନ୍ଧରେ ଆଦୌ ଭାବି ନ ଥିଲେ । କିନ୍ତୁ ଠିକ୍‌ ସଂସାରରୁ ଯିବାକୁ ବସିଲାବେଳକୁ ଦରିଦ୍ରଲାଗି ଏଇ ଚିକିତ୍ସାର ବ୍ୟବସ୍ଥା କରିଯିବାର ଦାୟିତ୍ୱକୁ ସେ ଗ୍ରହଣ କରିଚନ୍ତି । ଧନୀମାନଙ୍କ ପରି ଦରିଦ୍ରମାନେର ମଧ୍ୟ ଏଇ ଚିକିତ୍ସାରୁ ଯେ ଉପକାର ପାଇ ପାରିବେ, ଏ ବିଶ୍ୱାସ ତାଙ୍କର ବଳବତ୍ତର ରହିଚି ।

 

–ପୁନା, ତା୨୨.୦୩.୧୯୪୬

Image

 

ରାମ, ଆଲ୍ଲା ଓ ଭଗବାନ

 

‘ରାମ’ କହିଲେ ସେ କଣ ବୁଝନ୍ତି, ଏହାର ଉତ୍ତର ଦେବାକୁ ଯାଇ ଗାନ୍ଧିଜୀ କହିଲେ ଯେ, ତାଙ୍କ ରାମ ଇତିହାସର ରାଜା ଦଶରଥଙ୍କ ପୁଅ ରାମଚନ୍ଦ୍ର ନୁହନ୍ତି । ସେ ସବୁଦିନ ଜୋର ଦେଇ କହିଚନ୍ତି ଯେ, ତାଙ୍କର ରାମ ଯିଏ, ଆଲ୍ଲା ସିଏ, ଭଗବାନ ମଧ୍ୟ ସେଇ । ରାମଙ୍କର ନାମ ଯେପରି ଲକ୍ଷ ଲକ୍ଷ ହିନ୍ଦୁମାନଙ୍କର ପ୍ରିୟ; ଆଲ୍ଲାଙ୍କର ନାମ ସେହିପରି ଲକ୍ଷ ଲକ୍ଷ ମୁସଲମାନଙ୍କର ମଧ୍ୟ ପ୍ରିୟ । ତାଙ୍କ ପ୍ରାର୍ଥନା ସଭାରେ ସେ ସର୍ବଦା ସବୁ ଧର୍ମର ଲୋକଙ୍କୁ ସ୍ୱାଗତ କରିଚନ୍ତି ।

 

–ନୂଆଦିଲ୍ଲୀ, ତା୦୩.୦୪.୧୯୪୬

Image

 

ସବୁ ରୋଗର ଅମୋଘ ଔଷଧ

 

ଆଜିକାଲି ପ୍ରାର୍ଥନା ସଭାରେ ଗାନ୍ଧିଜୀ ପ୍ରାକୃତିକ ଚିକିତ୍ସା ବିଷୟରେ କହିଥିଲେ । ଏଥିରେ ସେ ଅନେକ ବର୍ଷହେଲା ବିଶ୍ୱାସ ରଖି ଆସିଚନ୍ତି । ଆଜିଯାଏ ଯାହାକୁ ଯେ ନିଜ ଭିତରେ ଓ ନିଜର ବନ୍ଧୁବାନ୍ଧବଙ୍କ ଭିତରେ ସୀମାବଦ୍ଧ ରଖିଥିଲେ; ତାକୁ ଦରିଦ୍ର ଜନଗଣଙ୍କ ଭିତରେ ପ୍ରସାର କରାଇବାର ଆବଶ୍ୟକତା ଯେ ଅନୁଭବ କରିଚନ୍ତି ।

 

ଅନେକ ଟଙ୍କା ଖରଚ ନ କଲେ ଆଜିକାଲି ଭଲ ଡାକ୍ତର ବା ଭଲ ଔଷଧ କାହାକୁ ମିଳୁଚି ? ଯାହାର ଟଙ୍କା ଅଛି ସେଇ ଡାକ୍ତର ପାଖକୁ ଯାଇ ଇଂରାଜୀରେ ଔଷଧବିଧି ଲେଖାଇ ଆଣୁଚି । ତା’ପରେ ଔଷଧ ଦୋକାନରେ ସେଇ ଟିପା ଖଣ୍ଡିକ ଦେଖାଇ ଔଷଧ ଆଣୁଚି ଓ ତାକୁଇ ଖାଇ ଭଲ ହେବାର ଭରସା ବାନ୍ଧୁଚି । ଏପରି ତିନିଥାକିଆ ଚିକିତ୍ସା ବ୍ୟବସ୍ଥାରେ ସେତେ ଭଲ ଫଳ ହେଉନାହିଁ କି ଦରିଦ୍ର ସାଧାରଣ ଲୋକେ ଏ ଚିକିତ୍ସା ଲାଗି ପଇସା ମଧ୍ୟ ପାଉ ନାହାନ୍ତି ।

 

ଏବେ ସେ ମାନ୍ଦ୍ରାଜ ଓ ବଙ୍ଗଳା ପ୍ରଦେଶରୁ ଫେରିଚନ୍ତି । ସେଠି ଶହ ଶହ ଲୋକ ତାଙ୍କ ପ୍ରାର୍ଥନା ସଭାକୁ ଆସି ରାମଧୂନ ଭଜନରେ ଯୋଗ ଦେଇଚନ୍ତି । ସେଇ ଦିନଠାରୁ ରାମଧୂନକୁ ତାଙ୍କର ପ୍ରାକୃତିକ ଚିକିତ୍ସାବିଧିର ଅନ୍ତର୍ଗତ କରି ଦେଇଚନ୍ତି । ଏହାରି ଦ୍ୱାରା ଶରୀର, ମନ ବା ଆତ୍ମାର ସମସ୍ତ ବିକାର ସୁଧାରି ହେବ ବୋଲି ତାଙ୍କର ବିଶ୍ୱାସ ।

 

ଶରୀରର ଯନ୍ତ୍ରଣା ସବୁବେଳେ ସବୁଠାରୁ ବିପଜ୍ଜନକ ନୁହେଁ । କାମ, କ୍ରୋଧ, ଲୋଭ ଓ ମଦ ପ୍ରଭୃତିରୁ ଯେଉଁ ଯନ୍ତ୍ରଣା ଭୋଗିବାକୁ ହୁଏ, ତାହା ଆହୁରି କଷ୍ଟକର । ହାତଟାଏ କି ଗୋଡ଼ଟାଏ ଚାଲିଗଲେ ମଣିଷ କଷ୍ଟପାଏ; କିନ୍ତୁ ବିବେକ ଚାଲିଗଲେ ଦୁର୍ଗତିର ଆଉ ସୀମା ଥାଏ କି ? ଖାଲି ତୁଣ୍ଡର ନୁହେଁ, ଅନ୍ତର ଭିତରୁ ଯେତେବେଳେ ରାମଧୂନ ଉଚ୍ଚାରଣ କରି ପାରିବା ସାମର୍ଥ୍ୟ ଆସେ, ସେତେବେଳେ ମଣିଷର ଶାରୀରିକ, ମାନସିକ ଓ ନୈତିକ ସବୁ ବିଷ ଓ ବିକାର କୁଆଡ଼େ ଛାଡ଼ି ପଳାଏ । ଯାହାର ହୃଦୟ ସବଳ ରହିଚି, ତା’ର ବିବେକ ମଧ୍ୟ ନିଶ୍ଚୟ ସବଳ ରହିବ । ତେଣୁ କେବଳ ମାନସିକ ସ୍ୱାସ୍ଥ୍ୟ ଲାଗି ନୁହେଁ, ଶରୀରର ସ୍ୱାସ୍ଥ୍ୟପାଇଁ ମଧ୍ୟ ହୃଦୟକୁ ଶୁଦ୍ଧ ଓ ପବିତ୍ର ରଖିବା ଦରକାର । କେବଳ ଭଗବାନଙ୍କର ଶରଣ ପଶି ରାମନାମ ଜପି ପାରିଲେ ସେହି ଶୁଦ୍ଧତା ହାସଲ କରାଯାଇ ପାରିବ ।

 

ଶରୀରର ଯାବତୀୟ ରୋଗ ଭଲ କରିପାରିବ, ପୃଥିବୀ ସାରା ଖୋଜି ଆସିଲେ ବି ଏପରି ଗୋଟାଏ ଔଷଧ ମିଳିବ ନାହିଁ । କିନ୍ତୁ ରୋଗକୁ ଭଲ କରି ନ ପାରିଲେ ମଧ୍ୟ ସବଳ ଓ ସୁଶାନ୍ତ ଭାବରେ ରୋଗ ଯନ୍ତ୍ରଣାର ସମ୍ମୁଖୀନ ହେବାର ଶିକ୍ଷା କେବଳ ରାମନାମରୁ ମିଳିପାରିବ । ରାମନାମର ବାଟ ହେଉଚି ଯଥାର୍ଥ ଓ ସ୍ୱାଭାବିକ ଜୀବନଯାପନର ବାଟ । ସେଥିଲାଗି ଜୀବନର ଏ ଶେଷଦଶାରେ ସେ ପ୍ରାକୃତିକ ଚିକିତ୍ସାର ଦାୟିତ୍ୱ ନିଜ ଉପରକୁ ନେଇଚନ୍ତି ।

 

–ନୂଆଦିଲ୍ଲୀ, ତା ୧୯.୦୪.୧୯୪୬

Image

 

ରାମନାମ ହଟିବା ଔଷଧ ନୁହେଁ

 

ଆଜିକାର ପ୍ରାର୍ଥନା ସଭାରେ ଗାନ୍ଧିଜୀ ରାମନାମ ବିଷୟରେ ଜୋର ଦେଇ କହିଲେ ଯେ, ପ୍ରକୃତ ନିଷ୍ଠାରେ ଏହାକୁ ଜପି ପାରିଲେ ଶରୀର, ମନ ଓ ଆହାର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ । ସମସ୍ତେ ତ ସଭାରେ ରାମଧୂନ ଭଜନ କରୁଚନ୍ତି; କିନ୍ତୁ ପ୍ରକୃତ ଅନ୍ତର ଭିତରୁ କାହାର ଭଜନ ବାହାରୁଚି ସେ କଥା କେବଳ ସେଇ ଭଗବାନଙ୍କୁ ଗୋଚର । ପ୍ରତ୍ୟେକ ନିଜେ ମଧ୍ୟ ନିଜ କଥା ଜାଣିପାରୁ ଥିବେ । ନିଜକୁ ଠକିବା ଭାରି ସହଜ । ଗୋଟାଏ କଥା କିନ୍ତୁ ମନେ ରଖିବାକୁ ହେବ । ଜଣେ ଏଣେ ହୃଦୟରୁ ରାମନାମ ଜପୁଚି ବୋଲି କହୁଥିବ; କିନ୍ତୁ ଯଦି ତେଣେ ତା’ର ଦେହ କେତେବେଳେ ଭଲ ରହୁ ନଥିବ ବା ଯଦି ସେ ଟିକକ କଥାରେ ସବୁବେଳେ ରାଗି ଯାଉଥିବ, ତେବେ ସେତିକିର ତା’ର ରାମନାମ ଜପିବା ଧରା ପଡ଼ିଯିବ ।

 

ଟଲଷ୍ଟୟ କହିଚନ୍ତି ଯେ ଭଗବାନଙ୍କୁ କବାଟ କିଳିଦେଇ ରାକ୍ଷସ ଆସି ହୃଦୟ ଭିତରେ ପଶିବ । କେବଳ ରାମନାମ ସେଇ ରାକ୍ଷସକୁ ବାହାର କରିଦେଇ ପାରିବ । ଅନେକ ଲୋକ ତାଙ୍କୁ କହିଚନ୍ତି ଯେ, ଯେତେ ଚେଷ୍ଟା କଲେ ମଧ୍ୟ ରାମନାମ ସେମାନଙ୍କର ଅନ୍ତର ଭିତରୁ ଉଚ୍ଚାରିତ ହୋଇ ପାରୁନାହିଁ । ସେ ସେମାନଙ୍କୁ ଧୈର୍ଯ୍ୟ ଅବଲମ୍ୱନ କରିବାର ପରାମର୍ଶ ଦେଉଚନ୍ତି । ଡାକ୍ତର ହେବାପାଇଁ ଜଣେ ଛାତ୍ରକୁ ଷୋଳବରଷ କାଳ କଠିନ ଅଧ୍ୟୟନ କରିବାକୁ ପଡ଼ିଚି । ରାମନାମକୁ ହୃଦୟରେ ସ୍ଥାପନ କରିବାପାଇଁ ଏପରି ଚଞ୍ଚଳ ହେଲେ ଚଳିବ କିପରି ?

 

ଭଗବାନଙ୍କୁ ହୃଦୟରେ ପ୍ରତିଷ୍ଠିତ କରି ପ୍ରକୃତିର ବିଧାନରେ ଯିଏ ଆସ୍ଥା ରଖିବ, ସେ ପଞ୍ଚଭୂତ ଛଡ଼ା ଅନ୍ୟ କୌଣସି ଔଷଧ ଲୋଡ଼ିବାକୁ ଯିବନାହିଁ । ବିଶୁଦ୍ଧ ବାୟୁ ସବୁଠୁଁ ବେଶୀ ଦରକାର । ଏହା ନ ଥିଲେ ଦଣ୍ଡେ ବଞ୍ଚିବା କଷ୍ଟକର । ଏଇ ବିଶୁଦ୍ଧ ବାୟୁ ପାଇବା ଲାଗି ନିଜର ବାସସ୍ଥାନ ଓ ସାମାଜିକ ବାତାବରଣକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ହେବ । କାଠବାୟୁପରି ତିଆରି ହୋଇଥିବା ଅମୁହାଁ ଗୁମ୍ଫା ଘରେ ରହିଲେ ପ୍ରାକୃତିକ ଚିକିତ୍ସା ହୋଇ ପାରିବ ନାହିଁ ପ୍ରାର୍ଥନା ସଭାରେ ସେମାନେ ଯେପରି ମୁକ୍ତଭାବରେ ବସିଚନ୍ତି, ନିଜ ଘରେ ମଧ୍ୟ ସେଇପରି ବାସକରିବାର ବ୍ୟବସ୍ଥା କରିବାକୁ ହେବ ।

 

–ନୂଆଦିଲ୍ଲୀ, ତା ୨୦.୦୪.୧୯୪୬

Image

 

ଜଳର ଉପଯୋଗ

 

ଗାନ୍ଧିଜୀ ଦେଖିପାରିଲେ ଯେ କେବଳ ଲୋକ ରାମଧୂନ ଭଜନ ସାଙ୍ଗରେ ତାଳ ଦେଉନାହାନ୍ତି । ପ୍ରାର୍ଥନା ପରେ ସେଇମାନଙ୍କ କଥା ଭାଷଣର ବିଷୟ ହୋଇଥିଲା । ଭଗବାନଙ୍କର ନାମ ଜପି କରତାଳ ଦେବାରେ ଲଜ୍ଜାର କଥା କଣ ଅଛି ? ଭଦ୍ରତା ଅବଶ୍ୟ ଭଲ ଜିନିଷ, କିନ୍ତୁ ଆସ୍ଥାନରେ ଭଦ୍ରତା କଲେ ତାହା ଦୁର୍ଗୁଣ ପରି ମଣିଷର ଖରାପ କରେ ।

 

ଗତ ସନ୍ଧ୍ୟାର ପ୍ରସଙ୍ଗ ପକାଇ ଗାନ୍ଧିଜୀ ବିଶୁଦ୍ଧ ଜଳ ବିଷୟରେ କହିବାକୁ ଆରମ୍ଭ କଲେ-। ବିଶୁଦ୍ଧବାୟୁ ପରେ ବିଶୁଦ୍ଧଜଳ ହେଉଚି ଆମର ସବୁଠାରୁ ବଡ଼ ଦରକାରୀ ଜିନିଷ । ଏ ଦେଶରେ ଅନେକ ଲୋକ ମଇଳାପାଣି ପିଅନ୍ତି ଏବଂ ମଇଳା ପାଣିରେ ଗାଧୁଆନ୍ତି ଓ ଲୁଗାପଟା ଧୁଅନ୍ତି । ସେ ପଚାରିଲେ, ‘‘ନଳପାଣିରେ ଗାଧୋଇବାକୁ ବା ଲୁଗା ଧୋଇବାକୁ କଣ କାହାରିକୁ ଭଲ ଲାଗିବ-? କିନ୍ତୁ ଗାଁର ଗଡ଼ିଆ ପୋଖରୀ ସବୁ ନଳାଠାରୁ ବଳି ପଡ଼ିଲାଣି । ତଥାପି ସେଇଠି ଗାଧୁଆ ଓ ଲୁଗାଧୁଆ ଚାଲିଚି । ପ୍ରକୃତି ଅତି ଉଦାର, ଆମର କୁକର୍ମ ଲାଗି ସେ ଆମକୁ ସଙ୍ଗେ ସଙ୍ଗେ ଶାସ୍ତି ଦିଏନାହିଁ । ସେଥିଲାଗି ଅଭ୍ୟସ୍ତ ଭାବରେ ମଇଳା ପବନ ନିଶ୍ୱାସ ନେଉଥିଲେ ଓ ମଇଳା ପାଣି ପିଉଥିଲେ ମଧ୍ୟ ଆମେ ହଠାତ୍ କୌଣସି ମାରାତ୍ମକ ରୋଗରେ ପଡ଼ୁନାହିଁ; କିନ୍ତୁ ତଦ୍ଦ୍ୱାରା ଯେ ଆମର ଜୀବନଶକ୍ତିର ହ୍ରାସ ହୁଏ ଏବଂ ଦିନକୁ ଦିନ ଆମେ ରୋଗର ଅଧିକ ଶିକାର ହୋଇ ବସୁ, ଏ କଥାରେ ଲେଶମାତ୍ର ସନ୍ଦେହ ନାହିଁ ।’’

 

ଗାନ୍ଧିଜୀ ଥରେ ହରିଦ୍ୱାରରେ ଥିଲାବେଳେ ଗଙ୍ଗାଘାଟକୁ ଯାଇଥିଲେ ବୋଲି କହିଲେ । ଲୋକେ ସେଠିକି ପାପ ପଖାଳିବାକୁ ସିନା ଯାଆନ୍ତି; କିନ୍ତୁ ସେଠାକୁ ଯାଇ ସ୍ଥାନଟିକୁ ଏପରି ମଇଳା କରିପକାନ୍ତି ଯେ ପାଦ ପଖାଳିବାକୁ ମଧ୍ୟ ସପା ଯାଗା ଟିକିଏ ପାଇପାରନ୍ତି ନାହିଁ । ଟିକିଏ ଡେରିରେ ପହଞ୍ଚିଲେ ହର-କି-ଗଉରୀ ଘାଟରେ ଗାଧୋଇବା ତାଙ୍କ ପକ୍ଷରେ ଅସାଧ୍ୟ ହୋଇ ପଡ଼ୁଥିଲା । ନଈବାଲିଯାକ ଖାଲି ମଳରେ ପୁରୁଥିଲା । ଏପରିକି ମଳକୁ ବାଲିପକାଇ ଘୋଡ଼ାଇ ଦେବାକୁ ମଧ୍ୟ କାହାରି ବିବେକ କହୁ ନ ଥିଲା । ନିତି ଗଦା ଗଦା ଫୁଲ ଯାତ୍ରୀଙ୍କ ପାଦରେ ଘଣ୍ଟା ଚକଟା ହୋଇ ଘଟଟା ମଧ୍ୟ ବଡ଼ ଅସନା ହୋଇଯାଇଥିଲା । ଏସବୁ ଦେଖିଲେ ପ୍ରକୃତରେ ବଡ଼ କଷ୍ଟ ଲାଗୁଥିଲା । ଭାରତୀୟମାନଙ୍କ ପକ୍ଷରେ ଏ କଣ କମ ଲାଜର କଥା ?

 

ଏବେ ସେ କେତେ ଦନହେଲା ଲୋକଙ୍କୁ ପ୍ରାକୃତିକ ଚିକିତ୍ସା ବିଷୟରେ ବୁଝାଉଚନ୍ତି । ରୋଗୀକୁ ଚିକିତ୍ସା କରିବା ଆଗରୁ ଡାକ୍ତରକୁ ପାଞ୍ଚବର୍ଷ କଠିନ ପାଠ ପଢ଼ିବାକୁ ପଡ଼େ । କିନ୍ତୁ ପ୍ରାକୃତିକ ଚିକିତ୍ସାରେ ଏତେ ସମୟ ନଷ୍ଟ ହୁଏ ନାହିଁ । ନିଜର ଉଦାହରଣ ଦେଇ ସେ କହିଲେ ଯେ, ଅଳ୍ପ କେତୋଟି ବହି ପଢ଼ି ଏବଂ କେତେକ ପ୍ରବୀଣ ପ୍ରାକୃତିକ ଚିକିତ୍ସକଙ୍କ ସହିତ କଥାବାର୍ତ୍ତା କରି ସେ ଏଇ ଚିକତ୍ସା ଶିଖିପାରିଚନ୍ତି । ନିଜର ଅଭିଜ୍ଞତା ଓ ପରୀକ୍ଷାଦ୍ୱାରା ତାଙ୍କର ଜ୍ଞାନ ଧୀରେ ଧୀରେ ବୃଦ୍ଧି ପାଇଚି । ପ୍ରତ୍ୟେକ ଏହିପରି ସହଜ ଶିକ୍ଷାର ସୁବିଧା ନେଇ ନିଜେ ନିଜର ଡାକ୍ତର ହୋଇପାରିବେ । ଯେଉଁ ଜିନିଷଟା ଅତି ସହଜ, ତାହା ସେତେ ଫଳ ଦେବନାହିଁ ବୋଲି ଲୋକଙ୍କର ଗୋଟାଏ ଭୁଲ ଧାରଣା ରହିଚି । ଚରଖାଟା ତ ଅତି ସହଜ ଜିନିଷ, ସେଇ କାରଣରୁ ଅନେକେ ତାକୁ ମରହଟ୍ଟିଆ କହି ଉଡ଼ାଇ ନିଅନ୍ତି । ଲୁଗା କଳଟିଏ ବସାଇଲେ ଅନେକେ ଟଙ୍କା ଖରଚ ହୁଏ ଓ ଅନେକ କାରବାର ବଢ଼ିଯାଏ । ତେଣୁ ତାହା ଦ୍ୱାରା ସମାଜରେ ଉନ୍ନତି ହୁଏ ବୋଲି ସମସ୍ତେ ଧାରଣାକରି ନିଅନ୍ତି । ପ୍ରାର୍ଥନାସଭାର ସମସ୍ତେ ଯଦି ଏଇପରି ଭାବୁଥାନ୍ତି, ତେବେ ସେ ସେମାନଙ୍କର କୌଣସି ଉପକାର କରିପାରିବେ ନାହିଁ । ସେ ନିଜେ ସରଳମନା ଗାଉଁଲୀ ଲୋକ ଓ ସରଳତାର ଜୀବନଦର୍ଶନ ଉପରେ ତାଙ୍କର ଅସାଧ୍ୟ ବିଶ୍ୱାସ ରହିଚି । ତାଙ୍କର ଆଶା ଯେ, ସହରରେ ରହିଲେ ମଧ୍ୟ ପ୍ରାର୍ଥନାସଭାରେ ବସିଥିବା ଅନେକଙ୍କର ମନ ଅତି ସରଳ ଓ ଗାଁ ଗହଳ ସାଙ୍ଗରେ ସେମାନଙ୍କର ଏପର୍ଯ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଚି । ସେଥିଲାଗି ସେମାନଙ୍କୁ ପ୍ରାକୃତିକ ଚିକିତ୍ସା ସମ୍ବନ୍ଧରେ ପଦେ କହିବାକୁ ଦମ୍ଭ ବାନ୍ଧିଚନ୍ତି ।

 

ଶୁଦ୍ଧ ବାୟୁ ଓ ବିଶୁଦ୍ଧ ଜଳ ଜୀବନପାଇଁ ମହୋପକାରୀ । ତାହା ସହିତ ରାମନାମକୁ ମଧ୍ୟ ମନେରଖିବାକୁ ହେବ । ରାମନାମ ଉଚ୍ଚାରଣ କରି ଯିଏ ନିଜର ଅନ୍ତରକୁ ନିର୍ମଳ ରଖିପାରିବ, ସେ କଦାପି ବାହାରର ମଇଳା ସହିପାରିବ ନାହିଁ । ଜନସାଧାରଣ ଯଦି ନିଷ୍ଠାର ସହିତ ରାମନାମର ଦୀକ୍ଷା ନିଅନ୍ତି, ତେବେ ଦେହରେ ବା ସମାଜରେ କୌଣସି ରୋଗ ହେବନାହିଁ । ଦଙ୍ଗାହାଙ୍ଗାମା, ମାରପିଟ ଆଦି ସମାଜର ସବୁ ରୋଗ କୁଆଡ଼େ ଦୂର ହୋଇଯିବ । ମଞ୍ଚଭୂଇଁରେ ସରଗର ଥାପନା ହେବ ।

 

–ନୂଆଦିଲ୍ଲୀ, ତା୨୧.୦୪.୧୯୪୬

Image

 

ଈଶ୍ୱରଙ୍କ ସୃଷ୍ଟିକୁ ଦୂଷିତ କରନାହିଁ

 

ଆଜିକା ପ୍ରାର୍ଥନାସଭାରେ ଗାନ୍ଧିଜୀ ମାଟିର ଉପକାରିତା ବିଷୟରେ କହିଲେ । ‘‘ଆମର ପିଣ୍ଡ ମାଟିରେ ତିଆରି, ଶେଷରେ ସେ ସେହି ମାଟିରେ ମିଶିବ । ମୁର୍ଦ୍ଦାରକୁ ଆମେ ପୋଡ଼ୁ ବା ପୋତୁ ଧୂଳିର ପିଣ୍ଡ ଶେଷରେ ସେହି ଧୂଳିରେ ହିଁ ମିଶିଯାଏ । ପବନ ଓ ପାଣିପରି ମାଟିକୁ ମଧ୍ୟ ଭଗବାନ ସୃଷ୍ଟି କରିଚନ୍ତି ଓ ତାକୁ ଆମେ କଦାପି ଦୂଷିତ କରିବା ନାହିଁ । ଲୋକେ ଯେଉଁଠି ଇଚ୍ଛା ସେଠି ଛେପ ପକାଇ ଦିଅନ୍ତି । ଫଳରେ ଚୋପା ବା ଛିଣ୍ଡା କାଗଜ ସବୁଠିଁ ୟାଡ଼େ ସାଡ଼େ ପଡ଼ିଥାଏ-। ଏସବୁ କରିବା ଗୋଟିଏ ଗୋଟିଏ ପାପ । ପ୍ରତ୍ୟେକ ଜିନିଷକୁ ତା’ର ଯଥାସ୍ଥାନରେ ନ ରଖିବା ପାପ କରିବା ସାଙ୍ଗରେ ସମାନ । ଯେଉଁ ଲୋକ ପ୍ରକୃତ ପ୍ରାର୍ଥନା କରିବା ଅଭ୍ୟାସ କରିଚି, ସେ କଦାପି ଏ ପାପକାର୍ଯ୍ୟ କରିବାକୁ ଯିବ ନାହିଁ । ଯମ ଆସି କେତେବେଳେ ଟାଣିବ ତାହା କିଏ କହିପାରିବ ? ତେଣୁ ସେଇକଥାକୁ ହେତୁରେ ରଖି ଆମକୁ ନିଶିଦିନ ରାମନାମ ଉଚ୍ଚାରଣ କରିବାକୁ ପଡ଼ିବ । ଯେତେଦୂର ପାରିବା, ଆମେ ଈଶ୍ୱରଙ୍କର ସୃଷ୍ଟିକୁ ଆହୁରି ସୁନ୍ଦର କରିବା; କିନ୍ତୁ ନଷ୍ଟ ବା ଦୂଷିତ କରିବା ନାହିଁ ।’’

 

–ନୂଆଦିଲ୍ଲୀ, ତା୨୩.୦୪.୧୯୪୬

Image

 

ମାଟିର ଆରୋଗ୍ୟମୂଳକ ବ୍ୟବହାର

 

ଆଜି ପ୍ରାର୍ଥନାସଭାରେ ଗାନ୍ଧିଜୀ ପୁଣି ସେଇ ମାଟି କଥା କହିଲେ । ମୃତ୍ତିକାସ୍ନାନ ଆରୋଗ୍ୟ ବିଧିର ଏକ ବିଶିଷ୍ଟ ଅଙ୍ଗ । ଶୁଖିଲା ମାଟିକୁ ନିକକରି ଗୁଣ୍ଡକରି ଚମଉପରେ ଘଷିଲେ, ଚମର ସବୁ ଦୁର୍ଗୁଣ ନଷ୍ଟ ହୁଏ । କାଦୁଅ ଲେପକୁ ଶରୀର ଉପରେ ଶୁଖିଯିବା ପର୍ଯ୍ୟନ୍ତ ରଖିଲେ ଅନେକ ଚର୍ମରୋଗ ଭଲ ହୋଇଯାଏ । ଚାଳିଶ ବରଷ ତଳେ ଥରେ ଗୋଟିଏ ପିଲାର ଦେହରେ ଚାରିଆଡ଼େ ବଥଗୁଡ଼ାଏ ବାହାରିଲା । କୌଣସି ଔଷଧ ସେଥିକୁ କାଟୁ କଲାନାହିଁ । ଶେଷରେ ସେ ନିଜେ ପିଲାଟିର ଚିକିତ୍ସା ଭାର ହାତକୁ ନେଲେ ଓ ତା’ର ଦେହରେ କାଦୁଅ ଲେପ ଦେଇ ତାକୁ ଲଙ୍ଗଳା ହୋଇ ଦଉଡ଼ିବାକୁ କହିଲେ । ପିଲାଟି ଆଠ ଦଶଦିନ ଭିତରେ ଭଲ ହୋଇଗଲା ।’’

 

‘‘ଆମର ଜନ୍ମ ମାଟିରୁ, ଶେଷରେ ଏଇ ମାଟିରେ ମିଶିବ । କେବଳ ପବନରେ କେହି କେବେ ବଞ୍ଚିପାରିବ ନାହିଁ । ସକାଳ ପ୍ରାର୍ଥନାରେ ଗୋଟିଏ ଶ୍ଳୋକ ବୋଲାହୁଏ, ଯେଉଁଥିରେ ଭକ୍ତ ପୃଥିବୀମାତାର ବନ୍ଦନା କରୁଚି ଓ ପଦସ୍ପର୍ଶ ଲାଗି ତାଙ୍କଠାରୁ କ୍ଷମା ମାଗୁଚି । ପ୍ରାର୍ଥନାକୁ ଭଗବାନଙ୍କ ଦାନ ପର୍ଯ୍ୟନ୍ତ ପହୁଞ୍ଚାଇବାକୁ ହେଲେ ଦୈନନ୍ଦିନ ଜୀବନରେ ଅଚଳା ଭକ୍ତିର ଅଭ୍ୟାସ କରିବାକୁ ହେବ । ଚାରିଆଡ଼ ଅଳିଆ ଆବର୍ଜନାରେ ପୂର୍ଣ୍ଣ କରି ମାଟିକୁ ଦୂଷିତ କରିବାର ଅଭ୍ୟାସ ଆମକୁ ଛାଡ଼ିବାକୁ ହେବ । ଯଦି କେହି ଅଶିକ୍ଷାହେତୁ ଛେପ ପକାଇ ବା ମଳତ୍ୟାଗକରି ମାଟିକୁ ଦୂଷିତ କରେ, ତେବେ ସେଇ ଆବର୍ଜନାକୁ ଆମର ମାଟିରେ ପୋତିପକାଇବା ଉଚିତ ।’’

 

–ନୂଆଦିଲ୍ଲୀ, ତା୨୪.୦୪.୧୯୪୬

Image

 

ପ୍ରାକୃତିକ ଚିକିତ୍ସାରେ ବ୍ୟୋମର ସ୍ଥାନ

 

ଆଜି ପ୍ରାର୍ଥନାନ୍ତିକ ଭାଷଣରେ ଗାନ୍ଧିଜୀଙ୍କର ଭାଷଣ ବ୍ୟୋମର ଉପକାରିତା ସମ୍ବନ୍ଧରେ ଥିଲା । ମଣିଷ ମାଟିରୁ ତିଆରି ହୋଇଚି; କିନ୍ତୁ ବ୍ୟୋମ ବା ଶୂନ୍ୟ ସେଇ ମାଟିକୁ ଘେରି କରି ରହିଚି-। ଦେହର ଗଣ୍ଠିଗାତ ଓ ଚମର ଲୋମକୂପ ସବୁ ଏଇ ବ୍ୟୋମରେ ପୂର୍ଣ୍ଣ ହୋଇଚି । ସୂର୍ଯ୍ୟ, ଚନ୍ଦ୍ର ଓ ଗ୍ରହନକ୍ଷତ୍ର ଶୂନ୍ୟରେ ଆତଯାତ ହେଉଛନ୍ତି । ଆକାଶରେ ଆହୁରି ଅନେକ ଗ୍ରହ ଓ ନକ୍ଷତ୍ର ଅଛନ୍ତି, ଯେଉଁମାନଙ୍କୁ କି ଆମେ ଆଖିରେ ଦେଖିପାରୁନାହୁଁ । ଏସବୁ କହିସାରି ବ୍ୟୋମର ବିସ୍ତାର ଯେ କେଡ଼େବଡ଼ ସେକଥା ଅନୁମାନ କରିବାକୁ ଗାନ୍ଧିଜୀ ସମସ୍ତଙ୍କୁ କହିଲେ । ଆମ ଜାଣିବାରେ ବ୍ୟୋମହିଁ ସବୁଠାରୁ ସ୍ଥାୟୀ ପଦାର୍ଥ; କିନ୍ତୁ ଏହି ବ୍ୟୋମ ଉପରେ ଆଉ ଗୋଟିଏ ସ୍ଥାୟୀ ପଦାର୍ଥ ରହିଚି, ଯେ ହେଉଛନ୍ତି ଭଗବାନ ।

 

ପ୍ରାକୃତିକ ଚିକିତ୍ସାରେ ମାଟିପରି ବ୍ୟୋମ ବିଷୟରେ ମଧ୍ୟ ଆମକୁ ସମ୍ୟକ ଜ୍ଞାନ ଲାଭ କରିବାକୁ ହେବ । ସେମାନେ ଆକାଶ ତଳେ ଶୋଇ ଯେତେ ଇଚ୍ଛା ସେତେ ଖୋଲା ଯାଗା ଉପଭୋଗ କରି ପାରନ୍ତି । ବ୍ୟୋମର ନିୟମ ସହିତ ନିଜର ଜ୍ଞାନକୁ ନିୟନ୍ତ୍ରିତ କରିପାରିଲେ, ଆମେ ଯେ କେତେ କ୍ଷୁଦ୍ର ଜୀବ ଓ ପରସ୍ପର ଭିତରେ ବାଦବିବାଦ ଲଗାଇବା ଯେ କେଡ଼େ ଅଶୋଭନୀୟ କଥା, ସେ କଥା ଆମେ ଉପଲବ୍‌ଧି କରିପାରିବା ।

 

ସକାଳେ ମେହେନ୍ତର ବସ୍ତିକୁ ଯାଇଥିଲେ ବୋଲି ଗାନ୍ଧିଜୀ କହିଲେ । ସେ ସେହି ବସ୍ତିର ଅଳ୍ପ ଦୂରରେ ବାସ କରନ୍ତି । କିନ୍ତୁ ତାଙ୍କର ରହିବା ଯାଗାଟି ବେଶ ପରିଷ୍କାର, ସେଠି ଖୁବ୍‌ ଖୋଲା ପବନ ମିଳେ । ଇଚ୍ଛାକଲେ ସେଠି ଜଣେ ସାରା ଜୀବନ ବାସ କରିପାରିବ । ମେହେନ୍ତର ବସତି ସବୁ ନିହାତି ମଇଳା ଓ ଅସନା ହୋଇ ପଡ଼ିଚି । ଘର ଗୁଡ଼ାକ ଅନ୍ଧାରୁଆ ଓ ଅମୁହାଁ । ଘରଭିତରକୁ ଯିବାକୁ ଗୋଟିଏ ବୋଲି ଛୋଟିଆ କବାଟ, ଘରକୁ ପଶିବା ମାତ୍ରକେ ଦମ୍‌ ବନ୍ଦ ହୋଇଯିବ । ଆମରି ଭାଇ ଏମିତି ହୀନମାନ ହୋଇ ବଞ୍ଚିଚନ୍ତି, ଏ ଲଜ୍ଜା କଣ ଆମର ନୁହେଁ ? ଗାନ୍ଧିଜୀ ସମସ୍ତଙ୍କୁ ମେହେନ୍ତର ବସ୍ତି ଦେଖି ଆସିବାକୁ କହିଲେ । ସେ ନିଜେ ଅନେକ ଥର କହିଚନ୍ତି ଯେ, ସେ ନିଜେ ଜଣେ ହରିଜନ । କିନ୍ତୁ ସେ ନିଜେ ପରିଷ୍କାର ଥାଇ ସେମାନେ ଅପରିଚ୍ଛନ୍ନ ଥିବା ପର୍ଯ୍ୟନ୍ତ ସେ ଯେ ମିଛ ଢମ ବାଢ଼ୁଚନ୍ତି, ହରିଜନମାନେ ଏକଥା କାହିଁକି ନ କହିବେ ?

 

‘‘ଆମେ ସମସ୍ତେ ପଞ୍ଚଭୂତରୁ ତିଆରି ହୋଇଚୁ । ଭଗବାନଙ୍କ ଆଖିରେ ମଣିଷ ମଣିଷ ଭିତରେ ପାତ୍ରାନ୍ତର ନାହିଁ । ବିରାଟ ସୃଷ୍ଟି ଭିତରେ କେବଳ ମଣିଷ ଏକ ଅକିଞ୍ଚନ କୀଟ ପରି ; କିନ୍ତୁ ଭଗବାନଙ୍କର ମହିମା ନିଜଭିତରେ ପ୍ରତିଫଳିତ କରାଇ ପାରିଲେ ଆମେ ମଧ୍ୟ ବିରାଟ ଓ ମହାନ୍‌ ହୋଇ ପାରିବା । ତାଙ୍କରି ସହିତ ନିଜ ଜୀବନକୁ ଗୁନ୍ଥିଦେଇ ପାରିଲେ ଆମ ଭିତରେ କୌଣସି ରୋଗ ରହିବ ନାହିଁ । ଦୈବାତ୍‌ କେବେ ରୋଗରେ ପଡ଼ିଗଲେ, କେବଳ ତାଙ୍କରି କୃପାକୁ ଆଶ୍ରାକରି ଆମେ ନିଶ୍ଚନ୍ତ ରହିବା ଓ ପ୍ରାକୃତିକ ଚିକିତ୍ସା ଗ୍ରହଣ କରିବା । କିନ୍ତୁ ଆଉ କେତେଟା ଦିନ ବଞ୍ଚିବାର ଲାଳସାରେ ଆକୁଳ ହୋଇ ଏଣେ ତେଣେ ଦଉଡ଼ିବା ନାହିଁ ।’’

 

–ନୂଆଦିଲ୍ଲୀ ଆରୋଗ୍ୟ ବିଧି

Image

 

ପ୍ରାକୃତିକ ଆରୋଗ୍ୟ ବିଧି

 

ଆଜିକାଲି ପ୍ରାର୍ଥନା ପରେ ଗାନ୍ଧିଜୀ ପ୍ରାକୃତିକ ଚିକିତ୍ସା ସମ୍ବନ୍ଧରେ କହିଥିଲେ । ମଣିଷର ଶରୀର ପଞ୍ଚଭୂତରେ ତିଆରି ହୋଇଚି । ଏଇ ପାଞ୍ଚୋଟି ଭୂତର ତାରତମ୍ୟ ନ ରହିଲେ ଆମେ ରୋଗରେ ପଡ଼ୁ । ତେଣୁ ଆମ ରୋଗପାଇଁ ଆମେ ନିଜେ ଦାୟୀ । ପ୍ରକୃତିର ପଞ୍ଚଭୂତର ଅଭାବ ନାହିଁ । ସେଇ ପାଞ୍ଚୋଟି ଭୂତ ହେଉଚି-ମାଟି, ପାଣି, ପବନ, ଶୂନ୍ୟ ଓ ଅଗ୍ନି । ସେ ଆଗରୁ ପ୍ରଥମ ଚାରୋଟି ବିଷୟରେ କହି ସାରିଚନ୍ତି । ସେଇ ଚାରୋଟି ପରି ; ଅଗ୍ନି ବା ଉତ୍ତାପ ଅଭାବରେ ମଧ୍ୟ କେହି ବଞ୍ଚିପାରିବେ ନାହିଁ । ସୂର୍ଯ୍ୟ ହେଉଚି ସମସ୍ତ ଉତ୍ତାପ ଓ ଜୀବନର ଆଧାର ।

 

ଆମେ ସୂର୍ଯ୍ୟକୁ ପିଠିକରି ପଳାଇବା ନାହିଁ । ଅନେକ ବାପ ମା’ ପିଲାଙ୍କୁ ଖରାରୁ ‘ରକ୍ଷା’ କରନ୍ତି; କାଳେ ପିଲାଏ ତାତିରେ ସିଝିଯିବେ । କଳା ଗୋରା ଭିତରେ ଥିବା ତାରତମ୍ୟକୁ ସେ ଯୁକ୍ତିଯୁକ୍ତ ବୋଲି ଆଦୌ ମନେ କରନ୍ତି ନାହିଁ । ନିଗ୍ରୋମାନେ ଦେଖିବାକୁ ଭାରି କଳା । ସେମାନଙ୍କର ଚମଡ଼ା ଦେଖିବାକୁ ମୁଗୁନିପଥର ପରି । କିନ୍ତୁ କଳା ହେଲେ ମଧ୍ୟ ତାହା ଖୁବ୍‌ କୋମଳ ଓ ପ୍ରକାଶମୟ । ସେ ଅନେକ ଦିନ ନିଗ୍ରୋମାନଙ୍କ ସାଙ୍ଗରେ ବାସ କରିଚନ୍ତି । କେବେହେଲେ ସେମାନଙ୍କୁ ସେ ଅସୁନ୍ଦର ବୋଲି ଭାବି ନାହାନ୍ତି । ଆମର କାହାରି ଖରାକୁ ଡରିବା ଉଚିତ ନୁହେଁ । ଚମଡ଼ାର କଳାକୁ ଭୟକରି କି ଲାଭ; ତା’ ଠୁଁ ବଡ଼ ମନର କଳାକୁ ଜଗିବ ତ ?

 

ଯେଉଁମାନେ ଆଲୁଅକୁ ଡରନ୍ତି ସେମାନେ ମୁହଁର ସମସ୍ତ ଜ୍ୟୋତି ହରାଇ ବସନ୍ତି । ସେମାନଙ୍କର ମୁହଁ ସାଙ୍ଗେ ସାଙ୍ଗେ ଆତ୍ମା ମଧ୍ୟ ମଳିନ ହୋଇଯାଏ ।

 

ପିଲାଏ ଫିକାପଡ଼ି ଯାଉଚନ୍ତି ବା ବାଉଁଶ କଣି ହୋଇ ଯାଉଚନ୍ତି ବୋଲି ଅନେକ ମା’ ଅଭିଯୋଗ କରିଥାନ୍ତି । ସୂର୍ଯ୍ୟସ୍ନାନ ହେଉଚି ଏହାର ଏକମାତ୍ର ଔଷଧ । ଠିକ୍‌ ସୂର୍ଯ୍ୟୋଦୟ ସମୟ ହେଉଚି ଏଇ ସ୍ନାନର ଉପଯୁକ୍ତ ବେଳ । ସୂର୍ଯ୍ୟ ଉଠିବାବେଳେ ପିଲାମାନଙ୍କୁ ତା’ ଆଡ଼କୁ ଅନାଇବାକୁ ହେବ । ଏଇ ସମ୍ପର୍କରେ ସେ ସମସ୍ତଙ୍କୁ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବାକୁ ମଧ୍ୟ ପରାମର୍ଶ ଦେଲେ । ଏହାକୁ କରିବାକୁ ହେଲେ ତା’ର ଉପଯୁକ୍ତ ପ୍ରଣାଳୀ ଶିଖିବା ଉଚିତ । କାରଣ ଠିକ୍‌ ପ୍ରଣାଳୀରେ ନ କଲେ ତଦ୍ଦ୍ୱାରା ଓଲଟି ଶରୀରର ଅନିଷ୍ଟ ହୁଏ ।

 

ରାମଧୂନକୁ ସ୍ମରଣ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ସୂର୍ଯ୍ୟ ଓ ବାୟୁର ସାନ୍ନିଧ୍ୟରେ ରହିବାକୁ ପଡ଼ିବ । ତାହାହେଲେ ଆଉ କୌଣସି ରୋଗର ଭୟ ରହିବ ନାହିଁ ।

 

–ନୂଆଦିଲ୍ଲୀ, ତା୩୦.୦୪.୧୯୪୬

Image

 

ଆରୋଗ୍ୟ ସୁଧା

 

ପ୍ରାର୍ଥନା ସରିବା ପରେ ଗାନ୍ଧିଜୀ ପୁଣି ପ୍ରାକୃତିକ ଚିକିତ୍ସା ସମ୍ବନ୍ଧରେ ଆଲୋଚନା ଆରମ୍ଭ କଲେ । ରାମନାମର ଶରଣ ନେଲେ କିପରି ମଣିଷର ଶାରୀରିକ, ମାନସିକ ଓ ନୈତିକ ସବୁ ରୋଗ ଯନ୍ତ୍ରଣା ଦୂର ହୋଇଯିବ, ଆଜି ସେ ସେଇ କଥା କହିଲେ । ଲୋକେ କିପରି ଅନ୍ଧ ଧର୍ମବିଶ୍ୱାସର ବଶବର୍ତ୍ତୀ ହୋଇ ରାମନାମକୁ ହୃଦୟର ସଙ୍ଖାଳି କରିବାକୁ ନିଜ ଅଙ୍ଗବସ୍ତ୍ର ଉପରେ ରାମନାମ ଛପା ମାରୁଚନ୍ତି, ଜଣେ ପତ୍ରପ୍ରେରକ ସେହିକଥା ତାଙ୍କ ପାଖକୁ ଲେଖିଚନ୍ତି ବୋଲି ସେ କହିଲେ । ଆଉ କେତେକ ଲୋକ ଖଣ୍ଡେ କାଗଜ ଉପରେ ଛୋଟ ଛୋଟ ଅକ୍ଷରରେ ଲକ୍ଷବାର ରାମନାମ ଲେଖି ତାକୁ ଟିକି ଟିକି କରି କାଟି କାଗଜଖଣ୍ଡମାନ ଗିଳି ଦେଉଚନ୍ତି ଓ ବିଶ୍ୱାସ କରୁଚନ୍ତି ଯେ ରାମନାମ ସେମାନଙ୍କର ଅନ୍ତର ଭିତରକୁ ଗଲା । ରାମଚନ୍ଦ୍ର ଅଯୋଧ୍ୟାର ମହାରାଜା ଦଶରଥଙ୍କର ପୁତ୍ର ଓ ଭଗବାନଙ୍କର ଅବତାର ଥିଲେ ବୋଲି କଣ ସେ ରାମନାମକୁ ସବୁ ଦୁଃଖର ପାବକ ସ୍ୱରୂପ ପ୍ରଚାର କରୁଚନ୍ତି ବୋଲି ଆଉ ଜଣେ ଗାନ୍ଧିଜୀଙ୍କୁ ପ୍ରଶ୍ନ ପଚାରିଚନ୍ତି । ଅନେକ ଭାବୁଛନ୍ତି ଯେ ସେ ନିଜେ ଅନ୍ଧ ବିଶ୍ୱାସରେ ପଡ଼ି ଅନ୍ୟମାନଙ୍କୁ ମଧ୍ୟ ସେଇ ଜାଲରେ ପକାଇବାର ଫନ୍ଦିକରି ଅନ୍ଧ ବିଶ୍ୱାସର ଦେଶ ଉପରେ ଆଉ ଗୋଟିଏ ଅଧିକ ଅନ୍ଧ ବିଶ୍ୱାସ ଆଣି ଲଦୁଚନ୍ତି । ସେ ଏସବୁ ସମାଲୋଚନାର କି ଉତ୍ତର ଦେବେ ? ଖାଲି ସେ ନିଜ ମନକୁ କହୁଚନ୍ତି, ଅନ୍ୟମାନେ ସତ୍ୟର ଅପଳାପ କରି ମିଥ୍ୟାଚାରର ଅଭ୍ୟାସ କଲେ ତାଙ୍କର କଣ ଯାଏ ଆସେ ? ଯେତେଦିନ ସତ୍ୟ ଉପରେ ତାଙ୍କର ଆସ୍ଥା ରହିଚି, ଅନ୍ୟମାନେ ଭୁଲ ବୁଝିବେ ବା ଗାଳିଦେବେ ବୋଲି ସେ ସତ କହିବାକୁ କିଆଁ ଡରି ମରିବେ ? ‘‘ପୃଥିବୀରେ ଚରମ ସତ୍ୟ କିଏ ଜାଣିଚି ? କେବଳ ଭଗବାନ୍‌ ହିଁ ପରିପୂର୍ଣ୍ଣ ସତ୍ୟଦ୍ରଷ୍ଟା । ଆମେ ଯେଉଁ ସତ୍ୟଟିକକ ଜାଣୁ, ତାହା କେବଳ ଆପେକ୍ଷିକ ମାତ୍ର । ଯିଏ ସତ୍ୟକୁ ଯେଉଁ ଭଳି ବୁଝୁଚି, ତାକୁ ସେ ସେଇଭଳି ଅନୁଧାବନ କରୁ । ଏପରି ଗଲେ ଆଉ ବାଟ ହୁଡ଼ିଯିବାର ଭୟ ନ ଥିବ ।’’

 

ସେ ଯେଉଁ ରାମଙ୍କୁ ସବୁ ଦୁଃଖର ମହୌଷଧି ଭାବେ ଜପିବାକୁ କହୁଚନ୍ତି, ସେ ଇତିହାସ ବା ଗୁଣି ଗାରେଡ଼ିର ରାମ ନୁହନ୍ତି । ଯେଉଁ ରାମଙ୍କର ନାମ ନେଲେ ଭକ୍ତର ହୃଦୟ ପବିତ୍ର ଓ ଶାନ୍ତ ହୁଏ, ସେ ସେଇ ରାମଙ୍କୁ ଭଜିବାକୁ କହୁଚନ୍ତି ଏବଂ ଏଇ ଭଜନଦ୍ୱାରା ଶାରୀରିକ ମାନସିକ ଓ ନୈତିକ ସମସ୍ତ ରୋଗ ଦୂର ହୋଇଯିବ ବୋଲି ତାଙ୍କର ବିଶ୍ୱାସ । ଡାକ୍ତର, ବଇଦଙ୍କ ପାଖକୁ ଯାଇ ହୁଏ ତ ଶରୀରର ରୋଗ ଭଲ କରାଯାଇ ପାରିବ । କିନ୍ତୁ ରାମନାମର ସାହାଯ୍ୟରେ ପ୍ରତ୍ୟେକେ ନିଜ ନିଜର ଡାକ୍ତର ହୋଇପାରିବେ ଏବଂ ନିଜର ଅନ୍ତର ଭିତରୁ ଆରୋଗ୍ୟର ସୁଧା ଆହରଣ କରି ପାରିବେ । ଏପରିକି ଯେଉଁଠି ରୋଗ ଭଲ ହୋଇ ନ ପାରିବ, ରାମନାମ ଦ୍ୱାରା ସ୍ଥିର ଓ ଶାନ୍ତଭାବରେ ରୋଗୀ ରୋଗକୁ ସହିନେଇ ପାରିବ । ଯାହାର ରାମନାମରେ ବିଶ୍ୱାସ ଅଛି ସେ ବଞ୍ଚିବାକୁ ଉଚ୍ଛନ୍ନ ହୋଇ ଏଣେ ତେଣେ ଡାକ୍ତର ଓ ବଇଦଙ୍କ ଦୁଆରେ ଯାଇ ଅଧିଆ ପଡ଼ିବ ନାହିଁ । ଡାକ୍ତର, ବଇଦ ଆଶା ଛାଡ଼ି ସାରିବା ପରେ ରାମନାମର ସାହାଯ୍ୟ ନେଇ କିଛି ଫଳ ନାହିଁ । ରାମନାମର ଶରଣ ନେଲେ ଡାକ୍ତର, ବଇଦଙ୍କୁ ଏକାବେଳେକେ ଛାଡ଼ିବାକୁ ହେବ ଓ କେବଳ ରାମନାମକୁ ହିଁ ଆଶ୍ରା କରିବାକୁ ପଡ଼ିବ ।

 

–ନୂଆଦିଲ୍ଲୀ, ତା୨୪.୦୫.୧୯୪୬

Image

 

ରାମନାମ ଜପିବା ବିଧି

 

ଆଜି ପ୍ରାର୍ଥନା ପରେ ଗାନ୍ଧିଜୀ ପୁଣି ରାମନାମର ଆଲୋଚନା ଆରମ୍ଭ କଲେ । ରାମନାମ ପ୍ରତ୍ୟେକ ଲୋକର ହୃଦୟରୁ ବାହାରିବା ଉଚିତ । ତା’ର ଅର୍ଥ କଣ ? ଶରୀରରେ ଏତେ ଟିକିଏ ବ୍ୟାଧି ହେଲେ ମଣିଷ ପୃଥିବୀର ଏପାଖରୁ ସେପାଖ ଡାକ୍ତର ଖୋଜି ନ ଦଉଡ଼ି ଛାଡୁ ନାହାନ୍ତି । ମାନସିକ ବା ନୈତିକ ରୋଗ ଲାଗି ଶାରୀରିକ ବ୍ୟାଧିଠାରୁ ବେଶୀ ଚିନ୍ତା କରିବା କଥା । ‘‘ଯେତେ ଯାହା କଲେ ମଧ୍ୟ ଦିନେ ଏ ପିଣ୍ଡରୁ ପ୍ରାଣ ଛାଡ଼ିଯିବ । କିନ୍ତୁ ମଣିଷ ଅନ୍ତର ଭିତରର ଅମର ଆତ୍ମାକୁ ଭୁଲିଯାଇ ମରପିଣ୍ଡର ଅନ୍ଧପୂଜା କରି ବସେ ।’’ ରାମନାମରେ ଲୟ ରଖିଥିବା ଲୋକ କଦାପି ଦେହର ପୂଜାରେ ଭୁଲିଯିବ ନାହିଁ । ତା’ ଆଖିରେ ଭଗବାନଙ୍କର ସେବା ଲାଗି ଦେହ ଏକ ସାଧନମାତ୍ର ଏବଂ ସେଇ ଉଦ୍ଦେଶ୍ୟରେ ଦେହ ଆସନକୁ ସୁସ୍ଥ ଓ ଯୋଗ୍ୟ ରଖିବାଲାଗି ରାମନାମ ହେଉଚି ଏକମାତ୍ର ଆଧାର ।

 

ରାମନାମକୁ ହୃଦପଟରେ ଆଙ୍କି ରଖିବା ଲାଗି ଅତୁଳ ଧୈର୍ଯ୍ୟ ଦରକାର ଏଥିପାଇଁ ଯୁଗ ଯୁଗ ବିତି ଯାଇପାରେ । ତଥାପି ସେଥିଲାଗି ଚେଷ୍ଟା କରିବା ଯଥାର୍ଥ ମଣିଷର କର୍ତ୍ତବ୍ୟ । ଯାହାହେଉ ପଛକେ ସଫଳତା କେବଳ ସେଇ ଭଗବାନଙ୍କର କରୁଣା ଉପରେ ନିର୍ଭର କରେ ।

 

ଭିତରେ ଓ ବାହାରେ ସତ୍ୟ, ସାଧୁତା ଓ ଶୁଦ୍ଧତାର ଅନୁଶୀଳନ ନ କଲେ ରାମନାମ କେବେ ହୃଦୟ ଭିତରୁ ବାହାରିବ ନାହିଁ । ପ୍ରତ୍ୟେକ ଦିନ ସନ୍ଧ୍ୟା ପ୍ରାର୍ଥନାର ଶ୍ଳୋକରେ ସମସ୍ତେ ସ୍ଥିତପ୍ରଜ୍ଞର ବର୍ଣ୍ଣନା ଗାଉଛନ୍ତି । ଇନ୍ଦ୍ରିୟକୁ ଆୟତ୍ତରେ ରଖିପାରିଲେ ନିଜର ପାନାହାର ଓ ଉପଭୋଗର ପରିମାଣକୁ ଜୀବନର ସେବାଦର୍ଶ ଅନୁସାରେ ନିୟନ୍ତିତ କରିପାରିଲେ ସମସ୍ତେ ସ୍ଥିତପ୍ରଜ୍ଞ ହୋଇ ପାରିବେ । ନିଜ ଭାବନା ଉପରେ ଯାହା ସଂଯମ ନାହିଁ, ଅମୁହାଁ ଘରେ, ଦୁର୍ଗନ୍ଧ ବାୟୁରେ ଶୋଇବା ବା ମଇଳା ପାଣି ପିଇବା ଯାହାକୁ ଅସହ୍ୟବୋଧ ହେଉନାହିଁ, ତାର ରାମନାମ ପଇଟେଇବା ବୃଥା ।

 

ପୂର୍ଣ୍ଣଭାବରେ ବିଶୁଦ୍ଧ ହୋଇନାହିଁ ବୋଲି ସେ ରାମନାମ ଭଜନ ଛାଡ଼ିଦେବା ଭଲ, ତାହା ନୁହେଁ । କାରଣ ରାମନାମକୁ ଆଶ୍ରା କରି ମଧ୍ୟ ମଣିଷ ଶୁଦ୍ଧତା ଅର୍ଜନ କରିପାରିବ । ଯାହାର ହୃଦୟଭିତରୁ ରାମନାମ ଉଚ୍ଚାରିତ ହେଉଚି, ସଂଯମ ଓ ଶୃଙ୍ଖଳା ଅର୍ଜନ କରିବା ତା’ ପକ୍ଷରେ ଖୁବ୍‌ ସହଜ । ସ୍ୱାସ୍ଥ୍ୟରକ୍ଷାର ନିୟମ ମାନି ଚଳିବା ତା’ର ଅଭ୍ୟାସ ପରି ହୋଇଯିବ । ତା’ର ସମଗ୍ର ଜୀବନ ସୁଧା ସଳଖ ମାର୍ଗରେ ଗତି କରିବ । ସେ କାହାର ଅନିଷ୍ଟ କରିବାକୁ ଯିବନାହିଁ । ଅନ୍ୟର ଦୁଃଖ ଲାଘବ କରିବା ଲାଗି ନିଜେ ଦୁଃଖ ବରଣ କରିନେବା ତା’ର ଜୀବନର ଏକ ପ୍ରଧାନ ଅଙ୍ଗ ହୋଇଯିବ ଏବଂ ସେଇଥିରେହିଁ ସେ ଅମୃତ ଆନନ୍ଦ ଲାଭ କରିବ । ତେଣୁ କର୍ମମୟ ଜୀବନରେ ସମସ୍ତେ ରାମନାମ ଉଚ୍ଚାରଣର ଅଭ୍ୟାସ କରନ୍ତୁ । ଶେଷରେ ତାହା ନିଦ୍ରାରେ ମଧ୍ୟ ସହଚର ହୋଇ ରହିଯିବ ଏବଂ ଭଗବାନଙ୍କର କୃପା ଦୃଷ୍ଟି ହୋଇ ସେମାନେ ଶରୀରିକ, ମାନସିକ ଓ ନୈତିକ ସବୁପ୍ରକାର ପରିପୂର୍ଣ୍ଣ ସ୍ୱାସ୍ଥ୍ୟ ଉପଭୋଗ କରିପାରିବେ ।

 

–ନୂଆଦିଲ୍ଲୀ, ତା୨୫.୦୫.୧୯୪୬

Image

 

ମୌନ ଭାବନାର ଶକ୍ତି

 

ଆଜି ପ୍ରାର୍ଥନାସଭାରେ ଗାନ୍ଧିଜୀ କହିଲେ ଯେ, ଡାକ୍ତରମାନଙ୍କର ପରାମର୍ଶ ଅନୁସାରେ ତାଙ୍କୁ ପରଦିନ ମସୋରୀ ଯିବାକୁ ପଡ଼ିବ । ଆଜିଯାଏ ସମସ୍ତେ ତାଙ୍କ ପ୍ରାର୍ଥନାସଭାକୁ ରାମନାମ ଗାଇବାକୁ ବା ଗାଇ ଶିଖିବାକୁ ଆସୁଥିଲେ । ରାମନାମ କେହି କାହାକୁ ମୁହଁରେ ଶିଖାଇ ପାରିବ ନାହିଁ । ମୁହଁର କଥାଠାରୁ ମୌନ ଭାବନାର କ୍ଷମତା ବେଶୀ । ଗୋଟିଏ ଶୁଦ୍ଧ ଭାବନା ସାରା ପୃଥିବୀକୁ ଆବୃତ କରିଦେଇ ପାରିବ । ଭାବନା କେବେ ନଷ୍ଟ ହୋଇ ପାରେନା । କେବଳ କଥାରେ ପ୍ରକାଶ କଲେ ବା କାର୍ଯ୍ୟରେ ପରିଣତ କଲେ ଭାବନା ସୀମାବଦ୍ଧ ହୋଇଯାଏ । ନିଜ ଭାବନାକୁ କଥା ବା କାର୍ଯ୍ୟରେ ପୂର୍ଣ୍ଣଭାବରେ ପ୍ରକାଶ କରିବାର ଶକ୍ତି ଜଗତରେ କାହାରି ନାହିଁ ।

 

ମୁଁ ଏହାର ଅର୍ଥ ନୁହେଁ ଯେ ସବୁବେଳେ ଆମର ମୌନ ରହିବା ଉଚିତ । ନୀତି ହିସାବରେ ତାହା ସମ୍ଭବ ହୋଇପାରେ; କିନ୍ତୁ ମୌନ ଭାବନାକୁ ଫଳପ୍ରଦ କରି ପାରିବାର ସର୍ତ୍ତମାନ ଅତି କଷ୍ଟସାଧ୍ୟ । ସେ ନିଜେ ମଧ୍ୟ ତାଙ୍କର ଭାବନା ଉପରେ ପୂର୍ଣ୍ଣସଂଯମ ହାସଲ କରିପାରି ନାହାନ୍ତି-। ଆଜିଯାଏ ମଧ୍ୟ ନାନା ଅବାନ୍ତର ଓ ଅନାବଶ୍ୟକ ଭାବନାକୁ ସେ ମନଭିତରୁ ଦୂରରେ ରଖିପାରି ନାହାନ୍ତି । ଏଥିଲାଗି କଠୋର ଧୈର୍ଯ୍ୟ ଓ ତପସ୍ୟା ଦରକାର ।

 

ରାମନାମର ଶକ୍ତି କଳି ହେବନାହିଁ, ଏହାଦ୍ୱାରା ସେ କଥାକୁ କିଛି ବାହୁଲ୍ୟ କରି କହୁ ନାହାନ୍ତି । କିନ୍ତୁ ଏଇ ଜ୍ଞାନ ପାଇବାକୁ ହେଲେ ରାମନାମ ଶୁଦ୍ଧ ହୃଦୟ ଭିତରୁ ଆସିବା ଉଚିତ । ସେଇ ଅବସ୍ଥା ଲାଭ କରିବାର ଆକାଙ୍‌କ୍ଷା ତାଙ୍କର ଅନେକ ଦିନରୁ ଅଛି । ମନଭିତରେ ସେ ରାମନାମର ଅପାର ଶକ୍ତିର ପରିଚୟ ପାଇଚନ୍ତି, କିନ୍ତୁ ଦୈନନ୍ଦିନ ଜୀବନରେ ତାକୁ ପୂର୍ଣ୍ଣରୂପେ ଉପଲବ୍‌ଧି କରିପାରି ନାହାନ୍ତି । ସେ ଅବସ୍ଥାକୁ ନିଜକୁ ଉନ୍ନୀତ କରାଇ ପାରିଲେ ରାମନାମ ଜପିବା ମଧ୍ୟ ଅନାବଶ୍ୟକ ହୋଇ ପଡ଼ିବ ।

 

ଗାନ୍ଧିଜୀ ଆଶା ପ୍ରକାଶ କରିଥିଲେ ଯେ, ସେମାନେ ଦଳ ଦଳ ହୋଇ ନିଜ ନିଜ ଘରେ ରାମନାମ ଜପ କରିବେ । ସମୂହ ପ୍ରାର୍ଥନାର ଗୋଟିଏ ଲାଭ ଏହି ଯେ, ପରସ୍ପରର ମୌନ ପ୍ରଭାବ ପରସ୍ପର ଉପରେ ପଡ଼ି ସେମାନଙ୍କୁ ନିଜ ନିଜର ଲକ୍ଷ୍ୟସ୍ଥାନରେ ପହଞ୍ଚିବାକୁ ସାହାଯ୍ୟ କରିବ ।

 

–ନୂଆଦିଲ୍ଲୀ, ତା୨୬.୦୫.୧୯୪୬

Image

 

ସଉକ ଲାଗି ନୁହେଁ

 

ଆଜିକାର ପ୍ରାର୍ଥନା ସଭା ଶେଷରେ ଗାନ୍ଧିଜୀ କହିଲେ–‘‘ମୁଁ ସେଇଦିନକୁ ଅନାଇ ବସିଚି, ଯେଉଁଦିନ ରାମନାମର ଆଶ୍ରୟ ନେଇ ମୋତେ ଆଉ ଗ୍ରୀଷ୍ମକାଳରେ ପାହାଡ଼ ଉପରକୁ ଯିବାକୁ ପଡ଼ିବ ନାହିଁ । କୋଟି କୋଟି ଲୋକଙ୍କର ସେପରି କରିବାର ସାମର୍ଥ୍ୟ ନାହିଁ। ସେମାନେ ଯେଉଁ ସମତଳରେ ଜନ୍ମ ହୋଇଛନ୍ତି ସେଇ ସମତଳରେ ଆଜୀବନ ରହି ମରୁଛନ୍ତି ।’’

 

‘‘ମୁଁ ଏଠିକି ସଉକ କରିବାକୁ ଆସିନାହିଁ । କେବଳ ଆପଣମାନଙ୍କ ସେବା କରିବାର ଅଧିକ ଉପଯୁକ୍ତ ହେବାକୁ ଡାକ୍ତରମାନଙ୍କ ପରାମର୍ଶ ମାନି ମୋତେ ଏଠାକୁ ଆସିବାକୁ ହୋଇଚି । ଆପଣମାନେ ମୋତେ ଆର୍ଶୀବାଦ କରନ୍ତୁ ଏବଂ ମୋତେ ଟିକିଏ ଶାନ୍ତିରେ ରହିବାକୁ ଦିଅନ୍ତୁ । ତାହାହେଲେ ଯାଇ ମୁଁ ମୋର କାମତକ ଠିକ୍‌ଭାବରେ କରିପାରିବି ଓ ନିଶ୍ଚଳ ଚିତ୍ତରେ ସୃଷ୍ଟିକର୍ତ୍ତାଙ୍କର ନିର୍ଦ୍ଦେଶ ଗ୍ରହଣ କରିପାରିବି ।’’

 

–ମସୋରି, ତା୨୯.୦୫.୧୯୪୬

Image

 

ରାମନାମର ପରଶମନ୍ତ୍ର

 

‘‘ରାମନାମ କେବଳ ବଛାବଛା କେତେଜଣଙ୍କ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ । ଯିଏ ରାମନାମକୁ ଆଶ୍ରୟ କରିବ ସେ ଅକ୍ଷୟ ସମ୍ପଦର ଅଧିକାରୀ ହେବ । ଯିଏ ଯେତିକି ତା’ର ପାଖକୁ ପାଖକୁ ଆସିପାରିବ, ସିଏ ସେତିକି ବେଶୀ ଲାଭ କରିବ । ଏହାର ଭଣ୍ଡାର ଅସରନ୍ତି । ଯେପରି ଉପନିଷଦରେ ଲେଖାଅଛି, ଅସରନ୍ତିରୁ ଅସରନ୍ତି ନେଲେ କେବଳ ଅସରନ୍ତିହିଁ ଅବଶିଷ୍ଟ ରହିଯାଏ; ମଣିଷର ଶାରୀରିକ, ମାନସିକ ଓ ନୈତିକ ସବୁପ୍ରକାର ଦୁଃଖକଷ୍ଟରେ ଏହା ଅମୋଘ ଔଷଧ ପରି । ରାମନାମ ଭଗବାନଙ୍କର ଅନେକ ନାମରୁ ଗୋଟିଏ । କହିବାକୁ ଗଲେ ପୃଥିବୀରେ ମଣିଷ ଯେତେଟି ଭଗବାନଙ୍କର ସେତିକିଟି ନାମ ରହିଛି । ତୁମେ ରାମ ବଦଳରେ କୃଷ୍ଣ କହିପାର ବା ଆଉ ଯାହା କହିପାର ସେଥିରେ କିଛି ଯାଏଆସେ ନାହିଁ । ଗାନ୍ଧିଜୀ କହିଲେ ଯେ ଅତି ପିଲାଟିଏ ଥିଲାବେଳେ ତାଙ୍କ ଧାତ୍ରୀଙ୍କଠାରୁ ସେ ଏଇ ରାମନାମ ମନ୍ତ୍ରଟି ଶିକ୍ଷା କରିଥିଲେ । ଅନ୍ଧାରରେ ଯିବାକୁ ମୁଁ ଭାରି ଡରୁଥିଲି । ଭୂତପ୍ରେତର ନାଁ ଶୁଣିଲେ ଛାତି କମ୍ପି ଯାଉଥିଲା । ମୋର ଧାତ୍ରୀ ମୋତେ କହିଲେ ଯେ ରାମନାମ ଉଚ୍ଚାରଣ କଲେ ସବୁ ଭୂତପ୍ରେତର ଭୟ କୁଆଡ଼େ ଛାଡ଼ି ପଳାଇବା । ମୁଁ ପିଲାଟି ପରି ସରଳ ମନରେ ତାଙ୍କର ଉପଦେଶ ଗ୍ରହଣ କଲି । ସେଇ ରାମନାମ ଜପି ମୋର ସବୁଭୟ କୁଆଡ଼େ ଚାଲିଗଲା ।’’ ଜଣେ ପିଲା ପକ୍ଷରେ ଯଦି ଏହା ସମ୍ଭବ ହୋଇ ପାରିଲା ତେବେ ବୟସ୍କମାନେ ବିଶ୍ୱାସ ଓ ବିବେକର ସହିତ ରାମନାମ ଉଚ୍ଚାରଣ କଲେ କି ସୁଫଳ ନ ପାଇବେ ?

 

କିନ୍ତୁ ଏହାର ସର୍ତ୍ତ ହେଉଚି ଯେ, ରାମନାମକୁ ହୃଦୟଭିତରୁ ଉଚ୍ଚାରଣ କରିବାକୁ ହେବ । ‘‘ମନଭିତରେ ଯଦି ନାନା ମନ୍ଦଭାବନା ତୁମକୁ ଚଞ୍ଚଳ କରାଉଥାଏ, ତୁମେ ଯଦି ଲୋଭ ଓ କାମ ପ୍ରବୃତ୍ତିର ବଶବର୍ତ୍ତୀ ହୋଇଥାଅ, ତେବେ କେବଳ ରାମନାମହିଁ କୁହୁକପରି ଫଳ ଦେଇ ପାରିବ । ମନେକର କୌଣସି ଅସଦୁପାୟରେ ଏକ ବିରାଟ ସମ୍ପତ୍ତିର ମାଲିକ ହେବାର ମନ୍ଦ ଭାବନା ତୁମ ମୁଣ୍ଡଭିତରେ ଖେଳୁଚି । ରାମନାମରେ ବିଶ୍ୱାସ ସ୍ଥାପନ କଲେ ତୁମେ ନିଜ ମନକୁ କହିବ–‘କାହିଁକି ମୁଁ ମୋର ସ୍ତ୍ରୀ ଓ ପୁତ୍ରଙ୍କ ପାଇଁ ସମ୍ପତ୍ତି ଅର୍ଜନ କରିବି । ସେମାନେ ହୁଏତ ସମ୍ପତ୍ତି ଉଡ଼ାଇ ଦେଇ ପାରନ୍ତି । ତେବେ ସମ୍ପତ୍ତି ନ ଦେଇ ସେମାନଙ୍କୁ ମୁଁ ସଚ୍ଚରିତ୍ର ଓ ସତ୍‌ଶିକ୍ଷା ଦେଇ ନ ଯିବି କାହିଁକି । ସଚ୍ଚରିତ୍ର ଓ ସତ୍‌ଶିକ୍ଷା ବଳରେ ସେମାନେ ନିଜେ ପରିଶ୍ରମ କରି କଣ ନିଜର ଜୀବନ ନିର୍ବାହ କରିପାରିବେ ନାହିଁ ? ରାମନାମର ଅହରହ ଉଚ୍ଚାରଣ ଦ୍ୱାରା ତୁମ ମନର ମାୟାଜାଲ ଓ ମନ୍ଦ ପ୍ରବୃତ୍ତି ଦୂର ହୋଇଯିବ । ମୁକ୍ତି ଓ ଆଶ୍ରୟଦାତା ଭଗବାନଙ୍କର ନାମ ପରିବର୍ତ୍ତରେ ନିଜର ପ୍ରିୟଜନଙ୍କୁ ତୁମେ ମାଟିଗୋଡ଼ିର ସମ୍ପତ୍ତି ଦେଇଯିବାର ଭ୍ରମ କରି ତୁମେ ଯେ କି ନିର୍ବୋଧ ପରି କାମ କରୁଚ, ତୁମର ଏଇ ଜ୍ଞାନୋଦୟ ହୋଇଯିବ । ଏଇ ଜ୍ଞାନୋଦୟର ଆନନ୍ଦରେ ତୁମେ ଯାଇ ନିଜର ସ୍ତ୍ରୀ ଓ ସନ୍ତାନଙ୍କୁ କହିବ, ‘ତୁମମାନଙ୍କ ପାଇଁ ମୁଁ ଯେଉଁ ସମ୍ପତ୍ତି ଅର୍ଜିବାକୁ ଧାଇଁ ମରୁଥିଲି, ତା’ ବଦଳରେ ଏକ ଅପୂର୍ବ ଧନ ଆଜି ଆଣିଚି ।’ ସେମାନେ ବିଶ୍ୱାସ କରି ନପାରି ‘କାହିଁ ?’ ବୋଲି ପଚାରିବେ । ଭଗବାନଙ୍କ ନାମ ସବୁ ସମ୍ପଦଠାରୁ ଅଧିକ ମୂଲ୍ୟବାନ୍‌ । କାରଣ ଏହା ସମସ୍ତ ସମ୍ପଦର ତୃଷା ନିବାରଣ କରିପାରିବ । ଏଇ ସମ୍ପଦକୁ ମୁଁ ନିଜର ଅନ୍ତର ଭିତରେ ସାଇତି ରଖିଚି ।’’

 

–ମସୋରି ତା୦୨.୦୬.୧୯୪୬

Image

 

ତୁଚ୍ଛା ଆଡ଼ମ୍ବର

 

ରାମନାମ ଜପି କରି ରାବଣପରି ଜୀବନ ଯାପନ କଲେ ସବୁ ଧ୍ୟାନ ଧାରଣା ବୃଥା ହୋଇଯିବ । ଏହା ତୁଚ୍ଛା ଆଡ଼ମ୍ବର ଛଡ଼ା ଆଉ କିଛି ନୁହେଁ । ଲୋକ ନିଜକୁ ବା ସାରା ପୃଥିବୀକୁ ଠକିପାରେ, କିନ୍ତୁ ଭଗବାନଙ୍କୁ ଠକିବାଭଳି ସାଧ୍ୟ ଜଗତରେ କାହାର ଅଛି ?

 

–ନୂଆଦିଲ୍ଲୀ, ତା୧୩.୦୬.୧୯୪୬

Image

 

ନାମର ମଧୁ

 

ସେଦିନ ପ୍ରାର୍ଥନାସଭାରେ ମୀରାବାଈଙ୍କର ଗୋଟିଏ ଭଜନ ବୋଲାଯାଇଥିଲା । ସେଇ ଭଜନଟିର ଆଲୋଚନା କରି ଗାନ୍ଧିଜୀ କହିଲେ ଯେ, ଭଜନଟିରେ ଭକ୍ତ ଭଗବାନଙ୍କର ନାମସୁଧା ପାନ କରିବାକୁ ନିଜର ଆତ୍ମାକୁ ଉଦ୍‌ବୋଧନ ଦେଉଚି । ଶରୀର ଲାଗି ସାଧାରଣତଃ ଆମେ ଯେଉଁ ପାନାହାର କରୁ, ତଦ୍ଦ୍ୱାରା ଆମେ ସନ୍ତୋଷ ଲାଭକରୁ ଏବଂ ଅପରିମିତ ପାନାହାରେ ରୋଗରେ ପଡ଼ୁ । କିନ୍ତୁ ଭଗବତ୍‌ ନାମର ମଧୁପାନ କଲାବେଳେ ତା’ର କୌଣସି ପରିମାଣ ରହେ ନାହିଁ । ଯିଏ ଯେତିକି ବେଶୀ ପାନକରେ ସିଏ ସେତିକ ବେଶୀ ତୃଷାର୍ତ୍ତ ହୋଇ ଚାହିଁ ରହେ । କିନ୍ତୁ ଏଇ ମଧୁକୁ ପାନ କରି ହୃଦୟର ଗଭୀରରେ ପହୁଞ୍ଜାଇବା ଦରକାର । ଏପରି କରିବାର ଶକ୍ତି ଆସିଗଲେ ସବୁପ୍ରକାର ମୋହ ଓ ଲିପ୍ତତା, କାମ ଓ ବିଦ୍ୱେଷ ଆମକୁ ଛାଡ଼ି ପଳାଏ । ଏଥିପାଇଁ କେବଳ ଅଧ୍ୟବସାୟ ଓ ଧେର୍ଯ୍ୟ ଦରକାର । ଏଇପରି ଅକ୍ଳାନ୍ତ ଚେଷ୍ଟା ଦ୍ୱାରାହିଁ ସଫଳତା ଲାଭ କରାଯାଇପାରେ ।

 

–ନୂଆଦିଲ୍ଲୀ, ତା୧୮.୦୬.୧୯୪୬

Image

 

ରାମନାମର ମାହାତ୍ମ୍ୟ

 

ରାମନାମର ମାହାତ୍ମ୍ୟ ବୁଝାଇବାକୁ ଯାଇ ପ୍ରାର୍ଥନା ସଭାରେ ଗାନ୍ଧିଜୀ କହିଲେ, ‘‘ଭଗବାନ ଜଣେ ମଣିଷ ନୁହନ୍ତି । ସର୍ବବ୍ୟାପୀ ସର୍ବଶକ୍ତିମାନ୍‌ ସତ୍ତା ହେଉଚନ୍ତି ଭଗବାନ୍‌ । ଯିଏ ତାଙ୍କୁ ନିଜର ହୃଦୟରେ ସ୍ଥାନ ଦେଇପାରିବ, ସେ ଏକ ଅପୂର୍ବ ଶକ୍ତିର ଅଧିକାରୀ ହୋଇପାରିବ । ଏହା ତାକୁ ବିଦ୍ୟୁତ୍‌ ଶକ୍ତିର କାମ ଦେଇପାରିବ; କିନ୍ତୁ ଏହା ବିଦ୍ୟୁତ୍‌ ଶକ୍ତିଠାରୁ ଆହୁରି ସୂଷ୍ମ ।

 

ରାମନାମ ଦ୍ୱାରା ସେ କୌଣସି ଅନ୍ଧବିଶ୍ୱାସର ପ୍ରଚାର କରୁନାହାନ୍ତି ବୋଲି କହିଲେ । ଖାଲି ରାମନାମକୁ ସହସ୍ରବାର ମୁହଁରେ ଲେଉଟାଇଲେ କୌଣସି ଫଳ ମିଳିବ ନାହିଁ । ରାମନାମକୁ ଯେପରି କେହି ଭାନୁମତୀ କୁହୁକ ବୋଲି ନ ଭାବନ୍ତି । ରାମନାମକୁ ସଙ୍ଗେ ସଙ୍ଗେ ଏହାର ସମସ୍ତ ଆନୁସଙ୍ଗିକ ସର୍ତ୍ତ ମାନିବାକୁ ପଡ଼ିବ । ଗଣିତର ଏକ ସୂତ୍ରପରି ଏହା ଅନେକ ଅନୁସନ୍ଧାନର ଫଳ । ଯନ୍ତ୍ରପରି ରାମନାମ ଉଚ୍ଚାରଣ କଲେ ତିଳେ ହେଲେ ଶକ୍ତି ବଢ଼ିବ ନାହିଁ । ଆଗ ତା’ର ମର୍ମ ବୁଝି ତା’ର ସମସ୍ତ ସର୍ତ୍ତ ପାଳନ କରିବାକୁ ହେବ । ଭଗବାନଙ୍କର ନାମ ନେବାର ଯୋଗ୍ୟ ହେବାକୁ ହେଲେ ପ୍ରଥମେ ନିଜର ଜୀବନକୁ ମଧ୍ୟ ଭଗବାନଙ୍କର ନିୟମର ଆଦର୍ଶରେ ଗଢ଼ିବାକୁ ପଡ଼ିବ ।

 

–ପୁନା, ତା୦୨.୦୭.୧୯୪୬

Image

 

ଭିତର ଓ ବାହାର ପରିଚ୍ଛନ୍ନତା

 

ଆଜିକାର ପ୍ରାର୍ଥନାସଭାରେ ଗାନ୍ଧିଜୀ ହରିଜନ ବସ୍ତି ବିଷୟରେ ଭାଷଣ ଦେଇଥିଲେ । ବସ୍ତିଗୁଡ଼ିକ ନିହାତି ମଇଳା ଯାଗାରେ ତିଆରି ହୋଇଚି । ଆଜିକାଲି ସେ ମଧ୍ୟ ସେଇ ବସ୍ତିରେ ରହୁଚନ୍ତି । ସାଧାରଣ ସ୍ୱାସ୍ଥ୍ୟର ଦାୟିତ୍ୱ ମୁଣ୍ଡାଇଥିବା ମ୍ୟୁନିସିପାଲଟି ଓ ସାଧାରଣ ପୂର୍ତ୍ତ ବିଭାଗକୁ ଯେ କିପରି ଏସବୁ ମଇଳା ଜମାକରି ରଖିବାକୁ ଭଲ ଲାଗୁଚି, ସେ ବୁଝିପାରୁ ନାହାନ୍ତି । ଯଦି ତାଙ୍କର ସେଠି ରହିବାଦ୍ୱାରା କର୍ତ୍ତୃପକ୍ଷ ସେ ସ୍ଥାନକୁ ପରିଷ୍କାର ନ କରନ୍ତି, ତେବେ ସେଠି ରହି କି ଲାଭ ହେବ ?

 

ପ୍ରାର୍ଥନା ସହିତ ଏ ସବୁର କି ସମ୍ବନ୍ଧ ରହିଚି ? ଯେଉଁ ଲୋକ ବାହାରେ ସଫାସୁତୁରା ହୋଇପାରିନାହିଁ, ସେ ଭିତରେ ସଫାସୁତୁରା ହେବାପାଇଁ କିପରି ପ୍ରାର୍ଥନା କରିପାରିବ ? ଖାଲି ଗୋଟାଏ ଅଳସ ଆଗ୍ରହ ପ୍ରକାଶ କରି ଲୋକେ ଯଦି ତାଙ୍କର ପ୍ରାର୍ଥନା ସଭାକୁ ଆସୁଥା’ନ୍ତି, ତେବେ ସେପରି ଆସିବାଦ୍ୱାରା ସେମାନେ ଗୁରୁତର ପାପ କରୁଚନ୍ତି । ପ୍ରାର୍ଥନାରେ ଯୋଗଦେବାକୁ ଇଚ୍ଛା ଥିଲେ, ଭିତର ଓ ବାହାର ଉଭୟ ପରିଚ୍ଛନ୍ନତା ପାଇଁ ପ୍ରାର୍ଥନା କରିବା ଉଚିତ । ଗୋଟାଏ କଥା କହି କାମରେ ଆଉ ଗୋଟାଏ କଥା କଲେ ତାକୁ ଠକାମି କୁହାଯିବ; କିନ୍ତୁ ସର୍ବବ୍ୟାପୀ ଓ ସର୍ବବିଦ୍‌ ଭଗବାନଙ୍କୁ କିଏ ଠକିଦେଇ ପାରିବ ?

 

ଶିବିରର ବ୍ୟବସ୍ଥା ବୁଝୁଥିବା ଲୋକମାନଙ୍କର ଅତିରିକ୍ତ ଯତ୍ନ ଓ ଆତିଥ୍ୟ ତାଙ୍କୁ ବଡ଼ ବ୍ୟତିବ୍ୟସ୍ତ କରି ପକାଇଲାଣି । ସେହି କାରଣରୁ ସେଠି ରହିବାଟା ହିଁ ତାଙ୍କୁ ବୋଝ ପରି ଲାଗୁଚି । ଚାରିଆଡ଼େ କେତେ ଅଳିଆ ଆବରଜନା ଗଦା ହୋଇଚି । ଡାକ୍ତର ଦୀନବା ତାଙ୍କୁ କହିଚନ୍ତି ଯେ, ପାଇଖାନାଗୁଡ଼ାକ ଏତେ ମଇଳା ହୋଇଛି ଯେ, ସେ ତା’ ଭିତରକୁ ଯାଇପାରିଲେ ନାହିଁ । ଚାରିଆଡ଼େ ଏତେ ମାଛି ଭଣ ଭଣ ହେବାର ଦେଖି ତାଙ୍କର ଭୟ ହେଉଚି ହୁଏତ ସେ (ଗାନ୍ଧିଜୀ) ଏଠି କୌଣସି ସଂକ୍ରାମକ ରୋଗରେ ପଡ଼ି ମରିଯିବେ । ଅବଶ୍ୟ ମରିବେ ବୋଲି ସେ ଖୁବ୍‌ ବେଶୀ ଚିନ୍ତିତ ନୁହନ୍ତି । ତାଙ୍କ ପଛରେ ଦି’ଜଣ ଡାକ୍ତର ଲାଗିଥିଲେ ସୁଦ୍ଧା ସେ ଭଗବାନଙ୍କ ଛଡ଼ା କାହା ଉପରେ ନିର୍ଭର ରଖିନାହାନ୍ତି । ଭଗବାନ ହିଁ ତାଙ୍କର ସ୍ୱାସ୍ଥ୍ୟ ଖବର ବୁଝିବେ; କିନ୍ତୁ ତାଙ୍କର ସାଥୀମାନଙ୍କର ଭଗବାନଙ୍କଠାରେ ଏପରି ବିଶ୍ୱାସ ନାହିଁ ।

 

–ବମ୍ବେ, ତା୦୬.୦୭.୧୯୪୬

Image

 

ଦିନଦିନକର ଭାବନା

 

‘‘କୌଣସି ରୋଗରେ ପଡ଼ିବା ପ୍ରତ୍ୟେକଙ୍କ ପକ୍ଷରେ ଏକ ଳଜ୍ଜାର କଥା । ରୋଗ ହେଲେ କୌଣସି ନା କୌଣସିଠାରେ କିଛି ଗଲତି ରହିଯାଇଚି ବୋଲି ବୁଝିବାକୁ ହେବ । ଯାହାର ଦେହ ମନ ପୂତ ପବିତ୍ର ହୋଇପାରିଚି, ସେ କଦାପି ରୋଗରେ ପଡ଼ିବ ନାହିଁ ।’’

 

–ସେବାଗ୍ରାମ, ତା୨୬.୦୧.୧୯୪୪

 

‘‘ଖରାପ କଥା ମନରେ ପଶିବା ମଧ୍ୟ ଦେହରେ ରୋଗ ପଶିବାର ଏକ ସୂଚନା । ତେଣୁ ଖରାପ ଭାବନା ପ୍ରତି ସବୁବେଳେ ସତର୍କ ରହିବାକୁ ପଡ଼ିବ ।’’

 

–ସେବାଗ୍ରାମ, ତା୨୭.୧୨.୧୯୪୪

 

‘‘ରାମନାମ ହେଉଚି ସବୁପ୍ରକାର ଦୂଷିତ ଭାବନାର ଅମୋଘ ମହୌଷଧି । ଖାଲି ତୁଣ୍ଡରୁ ନୁହେଁ, ଅନ୍ତର ଭିତରୁ ରାମନାମ ଉଚ୍ଚାରିତ ହେବା ଦରକାର ।’’

 

–ସେବାଗ୍ରାମ, ତା୨୮.୧୨.୧୯୪୪

 

‘‘ରୋଗ ଯେମିତି ଅନେକ, ଡାକ୍ତର ସେମିତି ଅନେକ । ସେମାନଙ୍କର ଚିକିତ୍ସା ମଧ୍ୟ ଅନେକ ପ୍ରକାରର; କିନ୍ତୁ ଆମେ ଯଦି ସବୁପ୍ରକାର ରୋଗକୁ ଏକ ବୋଲି ମନେକରିବା ଏବଂ କେବଳ ରାମଙ୍କୁ ଏକମାତ୍ର ଡାକ୍ତର ବୋଲି ଗ୍ରହଣ କରିବା, ତେବେ ଆମର ଅନେକ ବ୍ୟାଧି ଆପେ ଆପେ ଦୂର ହୋଇଯିବ ।’’

–ସେବାଗ୍ରାମ, ତା୨୯.୧୨. ୧୯୪୪

‘‘ଡାକ୍ତର ଓ ବୈଦ୍ୟମାନେ ମଧ୍ୟ ଦିନେ ମରିବେ; କିନ୍ତୁ ଅମର ଓ ଅକାଟ ବୈଦ୍ୟ ରାମନାମକୁ ଭୁଲିଯାଇ ମରଣଶୀଳ ଡାକ୍ତର ଓ ବଇଦପାଖକୁ ଦଉଡ଼ିବା ପ୍ରକୃତରେ ଏକ ଆଶ୍ଚର୍ଯ୍ୟ କଥା ନୁହେଁ କି ?’’

–ସେବାଗ୍ରାମ, ତା୩୦.୧୨.୧୯୪୪

‘‘ଏହାଠାରୁ ଆହୁରି ଆଶ୍ଚର୍ଯ୍ୟ କଥା ହେଉଚି, ଆମେ ଦିନେ ହେଲେ ନିଶ୍ଚୟ ମରିବା । ଡାକ୍ତରୀ ଔଷଧ ଖାଇଲେ ହୁଏତ ଆଉ କେତେଟା ଦିନ ଅଧିକ ବଞ୍ଚିବା, ଏକଥା ଭଲକରି ଜାଣି ସୁଦ୍ଧା ଆମେ ବଞ୍ଚିବାର ଲାଳସାରେ ନାନା ପ୍ରକାରର ଦହଗଞ୍ଜରେ ଘାରି ହେଉଥାଉଁ ।’’

–ସେବାଗ୍ରାମ, ତା୩୧.୧୨.୧୯୪୪

‘‘ବୃଦ୍ଧ ଓ ଯୁବକ, ଧନୀ ଓ ଦରିଦ୍ର–ସମସ୍ତେ ଆମରି ଆଖି ଆଗରେ ମରୁଚନ୍ତି । ତଥାପି ଆମେ ରାମନାମରେ ଆସ୍ଥା ରଖି ନ ପାରି କେବଳ ମାତ୍ର ଅଧିକ କେତେଟା ଦିନ ଜୀଇରହିବା ପାଇଁ ଏଣେ ତେଣେ ଅସ୍ଥିରଭାବରେ ଦଉଡ଼ୁଥାଉ ।’’

–ସେବାଗ୍ରାମ, ତା୦୧.୦୧.୧୯୪୫

 

‘‘ଯଦି ଆମେ ଏଇତକ ବୁଝିପାରି ରାମନାମରେ ଅଟଳ ଆସ୍ଥା ରଖି ଯାହା ରୋଗ ଦୁର୍ବିପାକ ପଡ଼ନ୍ତା, ସେ ସବୁ, ଧୀର ପ୍ରଶାନ୍ତ ମନରେ ଗ୍ରହଣ କରି ନେଇ ପାରନ୍ତେ, ତେବେ କେଡ଼େ ଭଲ କଥା ନ ହୁଅନ୍ତା ?’’

 

–ସେବାଗ୍ରାମ, ତା୦୨.୦୧.୧୯୪୫

 

‘‘ଜଣେ ଲୋକ ଯେଡ଼େ ବଡ଼ ଧର୍ମାତ୍ମା ପୁରୁଷ ହେଉ ପଛକେ, ସେ ଯଦି କୌଣସି ରୋଗରେ ପଡ଼ିବ, ତେବେ ତା’ର କେଉଁଠି କଣ ନିଶ୍ଚୟ ଗଲତି ରହିଚି ବୋଲି ଧରିନେବାକୁ ହେବ-।’’

 

–ସେବାଗ୍ରାମ, ତା୨୨.୦୪.୧୯୪୫

 

‘‘ଆମର ଅନିଚ୍ଛା ସତ୍ତ୍ୱେ ଯଦି ମନଭିତରେ ଅଶୁଦ୍ଧ ଭାବନା ପ୍ରବେଶ କରେ, ତେବେ ଏକମାତ୍ର ରାମନାମ ଦ୍ୱାରାହିଁ ସେଥିରୁ ରକ୍ଷା ମିଳିପାରିବ ।’’

 

–ତା୨୧.୦୧.୧୯୪୬

 

‘‘ମୁଁ ଯେତିକି ଯେତିକି ଭାବୁଚି, ସେତିକି ସେତିକି ଅଧିକ ବୁଝିପାରୁଚି ସେସବୁ ରକମର ରୋଗପାଇଁ ରାମନାମ ଏକ ଅବ୍ୟର୍ଥ ମହୌଷଧି ।’’

 

–ତା୨୨.୦୩. ୧୯୪୬

 

‘‘ମୋହ ଓ ଦ୍ୱେଷ ପ୍ରଭୃତିକୁ ମଧ୍ୟ ରୋଗ ବୋଲି ଗଣିବାକୁ ହେବ । ଏସବୁ ଶାରୀରିକ ରୋଗଠାରୁ ଅଧିକ ଭୟାବହ । ରାମନାମର ଆଶ୍ରୟ ନ ନେଲେ ସେ ରୋଗରୁ କେହି ନିସ୍ତାର ପାଇପାରିବେ ନାହିଁ ।’’

 

–ତା୨୩.୦୩.୧୯୪୬

 

‘‘ଦୂଷିତ ଶରୀରଠାରୁ ଦୂଷିତ ମନ ବେଶୀ ମାରାତ୍ମକ । ତଥାପି ବାହାରର ପରିଚ୍ଛନ୍ନତାରୁ ମଧ୍ୟ ଭିତରର ପରିଚ୍ଛନ୍ନତାର ପରିଚୟ ମିଳିଥାଏ ।’’

 

–ତା୨୪.୦୩.୧୯୪୬

 

‘‘ଭଗବାନଙ୍କୁ ଆଶ୍ରୟ କରି ପାରିଲେ ଯେଉଁ ଆନନ୍ଦ ଓ ସୁଖ ମିଳେ, ତାକୁ ବର୍ଣ୍ଣନା କରିବାର ଶକ୍ତି କାହାର ଅଛି ?’’

 

–ତା୨୫.୦୩.୧୯୪୬

 

‘‘ଯେଉଁମାନେ ରାମନାମର ସର୍ତ୍ତମାନ ପୂରଣ କରିପାରିବେ, କେବଳ ସେହିମାନେ ସେଥିରୁ ପୂର୍ଣ୍ଣ ଉପକାର ପାଇପାରିବେ ।’’

 

–ତା୦୮.୦୪.୧୯୪୬

 

‘‘ରାମଙ୍କ ଯୋଗ୍ୟ ଅନ୍ୟାନ୍ୟ ସେବାରେ ଅବହେଳା କଲେ ଖାଲି ରାମନାମ ଜପିବା କେବଳ ବୃଥା ହୋଇଯାଏ ।’’

–ତା୨୧.୦୪.୧୯୪୬

‘‘ରୋଗ ଅପେକ୍ଷା ରୋଗକୁ ଭୟ କରିହିଁ ଆମେ ମରଣକୁ ପାଖକୁ ଡାକିଆଣୁ ।’’

–ତା୦୭.୦୫.୧୯୪୬

‘‘ଶାରୀରିକ, ମାନସିକ ଓ ନୈତିକ, ଏଇ ତିନିପ୍ରକାରର ବିକାର ପାଇଁ ରାମନାମହିଁ ଏକମାତ୍ର ନିଶ୍ଚିତ ମହୌଷଧି ।’’

–ତା୨୪.୦୫.୧୯୪୬

‘‘ଯିଏ ରାମନାମର ଶରଣ ନେଇପାରିବ, ତା’ର ଆଉ କଥା କୌଣସି ଅପୂର୍ଣ୍ଣ ରହିବ ନାହିଁ ।’’

–ତା୨୫.୦୫.୧୯୪୬

‘‘ରାମନାମର ରସାମୃତ ପାନ କରିବାକୁ ହେଲେ ପ୍ରଥମେ ନିଜକୁ କାମ କ୍ରୋଧ ପ୍ରଭୃତି ରିପୁମାନଙ୍କ କବଳରୁ ମୁକ୍ତ କରିବାକୁ ହେବ।’’

–ତା୨୦.୦୬.୧୯୪୬

 

‘‘ସୁଖବେଳେ ସମସ୍ତେ ଭଗବାନଙ୍କର ନାମ ଜପନ୍ତି; କିନ୍ତୁ ଦାଣ୍ଡର ଭିକାରୀ ହେଲେ ମଧ୍ୟ ପ୍ରକୃତ ଭକ୍ତ କେବେହେଲେ ଭଗବାନଙ୍କୁ ଛାଡ଼ିପାରେ ନାହିଁ ।’’

 

–ତା୦୬.୦୭.୧୯୪୬

 

‘‘ରାମନାମର ଅମୃତ ଆତ୍ମାକୁ ଆନନ୍ଦ ଦାନ କରିବା ସଙ୍ଗେ ସଙ୍ଗେ ଶରୀରର ସମସ୍ତ ବ୍ୟାଧି ଦୂର କରିଦିଏ ।’’

 

–ତା୦୯.୦୭.୧୯୪୬

Image

 

ପ୍ରଶ୍ନ ପେଡ଼ି

 

ପ୍ରଶ୍ନ । ମଣିଷ କାନ୍ଦେ କାହିଁକି, ପୁଣି ହସେ କାହିଁକି ?

 

ଉତ୍ତର । ମଣିଷର ମନର ଅବସ୍ଥା ଉପରେ ତା’ର କାନ୍ଦ ଓ ହସ ନିର୍ଭର କରେ । କୌଣସି କାରଣରୁ ବ୍ୟଥା ପାଇଲେ ସେ କାନ୍ଦେ । ପୁଣି ସେଇ କାରଣରୁ ସୁଖଦ ବୋଲି ମନେକଲେ ସେ ହସେ । ତେଣୁ ରାମନାମକୁ ସବୁବେଳେ ମହଦାଶ୍ରୟ କରି ରଖିବାକୁ ହେବ । ଭଗବାନଙ୍କ କୃପା ଉପରେ ସବୁ ସମର୍ପଣ କରିଦେଲେ ପ୍ରକୃତ ଶାନ୍ତି ଓ କଲ୍ୟାଣ ଲାଭ କରାଯାଇ ପାରିବ ।

 

ପ୍ରଶ୍ନ । କଥା କହିଲାବେଳେ, କୌଣସି ମାନସିକ ପରିଶ୍ରମ କଲାବେଳେ ବା ଯେତେବେଳେ ହଠାତ୍‌ ଥକିଗଲା ପରି ଲାଗେ, ହୃଦୟ ଭିତରୁ ରାମନାମ (ଭଗବାନଙ୍କର ନାମ) ଜପ କରିବା ସମ୍ଭବ କି ? ଏପରି ଅବସ୍ଥାରେ କେହି ରାମନାମ ଜପ କରନ୍ତି କି ? ଯଦି କରନ୍ତି, ତେବେ କିପରି କରନ୍ତି ?

 

ଉତ୍ତର । ରାମନାମକୁ ହୃଦୟ ଭିତରେ ଗାର କରି ନ ରଖିଲେ କୌଣସି ଲୋକ ଏ କଥା କରିପାରିବ ନାହିଁ । ନିଜ ଅଭିଜ୍ଞତାରୁ ମୁଁ ଏକଥା କହୁଚି । ନାମ ଜପିବାଟା ଅଭ୍ୟାସରେ ପଡ଼ିଗଲେ ହୃଦୟର ସ୍ପନ୍ଦନପରି ଜପ ମଧ୍ୟ କଦାପି ବନ୍ଦ ହୋଇ ପାରିବ ନାହିଁ । ତା’ ନ ହେଲେ ରାମନାମ ଖାଲି ଶୁଆ କଥା କହିଲା ପରି ହେବ । ଯେତେବେଳେ ମୁହଁରେ ତାକୁ ଜପ କରିବାର ଆଉ ପ୍ରଶ୍ନ ରହିବ ନାହିଁ। କାରଣ ସେତେବେଳେ ତାହା ବାକ୍‌ଶକ୍ତିକୁ ଅତିକ୍ରମ କରି ଯାଇଥିବ । କିନ୍ତୁ ଏକଥା ମନେ ରଖିବାକୁ ହେବ ଯେ ଏପରି ଉତ୍‌କ୍ରାନ୍ତ ଅବସ୍ଥାରେ ଉପନୀତ ହୋଇଥିବା ବ୍ୟକ୍ତି ଖୁବ୍‌ କ୍ୱଚିତ୍‌ ଦେଖିବାକୁ ମିଳନ୍ତି ।

 

ରାମନାମର ସମସ୍ତ ଆନୁସଙ୍ଗିକ ଗୁଣ ତା’ ରି ଭିତରେ ରହିଚି । ଖାଲି ଇଚ୍ଛାକରିବା ମାତ୍ରକେ କେହି ରାମନାମକୁ ହୃଦୟସାର କରି ପାରିବ ନାହିଁ । ଏଥିଲାଗି ଅକ୍ଳାନ୍ତ ଚେଷ୍ଟା ଓ ଅସୀମ ଧୈର୍ଯ୍ୟ ଦରକାର । ଅଳୀକ ପରଶ ପଥର ପାଇବା ଲାଗି ଏଇ ମଣିଷର କେତେ ଶ୍ରମ ଓ ଧୈର୍ଯ୍ୟ ପଣ୍ଡ ହୋଇ ନ ଯାଇଚି ? ଭଗବାନଙ୍କ ନାମର ମୂଲ୍ୟ ନିଶ୍ଚୟ ସେଇ ପରଶ ପଥରଠାରୁ ଅଧିକ ମୂଲ୍ୟବାନ୍‌ ଓ ସାଧନା କଲେ ତାହା ନିଶ୍ଚୟ ପ୍ରାପ୍ତ ହୋଇ ପାରିବ ।

 

ପ୍ରଶ୍ନ । ନାନା କାର୍ଯ୍ୟରେ ବ୍ୟସ୍ତ ଥାଇ ଜଣେ ଲୋକ ଯଦି ନିଜର ଦୈନନ୍ଦିନ ପୂଜା ପ୍ରାର୍ଥନା ବିହିତଭାବେ କରି ନ ପାରିଲା, ତେବେ ତଦ୍ଦ୍ୱାରା କୌଣସି କ୍ଷତି ହେବ କି ? ଆଗ କାମ ନା ଆଗ ପ୍ରାର୍ଥନା,–କେଉଁଟି ମଣିଷ ଆଗ କରିବ ?

 

ଉତ୍ତର । କାମର ଯେତେ ଯାହା ତାଗିଦ ଥାଉ ପଛକେ ଓ ଯେତେ ପ୍ରତିବନ୍ଧକ ପଡ଼ୁ ପଛକେ, ରାମନାମକୁ ବନ୍ଦକରିବା ଉଚିତ ନୁହେଁ । ଅବଶ୍ୟ ଅବସ୍ଥା ଦୃଷ୍ଟିରୁ ପ୍ରାର୍ଥନା ରୀତିରେ ଅଦଳ ବଦଳ ହୋଇଯାଇ ପାରେ । ଯିଏ ନିଜର ହୃଦୟରେ ରାମନାମ ଲାଗି ସ୍ଥାୟୀ ଆସ୍ଥାନ ଥାପନା କରିପାରିଚି, ସେ ଦୈନନ୍ଦିନ ପ୍ରାର୍ଥନା ନ କଲେ ମଧ୍ୟ ରାମନାମ ଜପିବାପାଇଁ ତା’ର କୌଣସି ବାଧା ନ ଥିବ ।

 

ପ୍ରଶ୍ନ । କେବଳ ହୃଦୟରେ ରାମନାମ ଜପିଦେଲେ ଯଥେଷ୍ଟ ହୋଇଯିବ ନା ଏହାର ଉଚ୍ଚାରଣ ଦ୍ୱାରା ମଧ୍ୟ ଆଉ କିଛି ବିଶେଷ ଲାଭ ମିଳିବ ?

 

ଉତ୍ତର । ମୋର ବିଶ୍ୱାସ, ରାମନାମ ଉଚ୍ଚାରଣ କରିବା ଦ୍ୱାରା ବିଶେଷ ଉପକାର ମିଳିପାରିବ । ଅବଶ୍ୟ ଯିଏ ନିଜର ଅନ୍ତରକୁ ଭଗବାନଙ୍କର ମନ୍ଦିରରେ ପରିଣତ କରି ପାରିଚି, ତା’ର ଜପ ତପର କୌଣସି ଦରକାର ନାହିଁ ; କିନ୍ତୁ ଏପରି ଜଣେ ଲୋକ ମଧ୍ୟ ଏପର୍ଯ୍ୟନ୍ତ ମୁଁ ଦେଖିନାହିଁ । ବରଂ ବ୍ୟକ୍ତିଗତ ଅଭିଜ୍ଞତାରୁ ମୁଁ ଜାଣିପାରିଚି ଯେ ରାମନାମ ଜପିବାଦ୍ୱାରା ଲୋକ ଏକ ଅସାଧାରଣ ଫଳ ପାଏ । କିପରି ପାଏ ଓ କାହିଁକି ପାଏ, ତାହା ଜାଣିବାର କୌଣସି ଆବଶ୍ୟକତା ନାହିଁ ।

Image